ଓଁ ନମୋ ଭଗବତେ ବାସୁଦେବାୟ
ଏ ଦେହେ ଶୁଣ ନରରାଣ। କେ ଶୁଝିପାରେ ପିତୃଋଣ। ପିତାର ମନ ଜାଣି କରେ। ଉତ୍ତମ ପୁତ୍ର ସେ ବେଭାରେ।
ଶ୍ରଦ୍ଧାରେ ଆଜ୍ଞା ଯେ ପାଳଇ। ମଧ୍ୟମ ପୁତ୍ର ସେ ବୋଲାଇ। ଶ୍ରଦ୍ଧା ବିହୀନେ ଯେହୁ ପାଳେ। ଅଧମ ପୁତ୍ର ସେ ଶୟଳେ।
ପିତାକୁ ଲଂଘେ ଯେ ଅଜ୍ଞାନ। ସେ ପିତା ମଳମୂତ୍ର ଜାଣ। ଏମନ୍ତ କହି ନୃପବଳା। ପିତାକୁ ନିଜରୂପ ଦେଲା।
ନିଶ୍ଚଳେ ରହିଲା ତା ମନ। ଏମନ୍ତେ ଗଲା କେତେଦିନ। ପୁରୁକୁ ଜରାରୂପ ଦେଇ। ରାଜା ହୋଇଲା ଦିବ୍ୟଦେହୀ।
ଭୋଗ ସେ କଲା ନାନାମତେ। ଇନ୍ଦ୍ରିୟଲାଳସା ଆୟତ୍ତେ। ହୋଇଲା ସାତଦ୍ଵୀପେ ରାଜା। ଧର୍ମେ ପାଳିଲା ଜନପ୍ରଜା।
ନିଶ୍ଚିନ୍ତେ ଦେବଯାନୀ ସଙ୍ଗେ। ଭୋଗ ସେ କଲା ନାନାରଙ୍ଗେ। ଅନେକ ଦାନଯଜ୍ଞ ମତେ। ସେବିଲା ବିଷ୍ଣୁ ପାଦଗତେ।
ଯେ ହରି ଦେହ ଏ ଜଗତ। ଆକାଶେ ଜଳଧର ମତ। ସେ ହରିପାଦ ଦୃଢ଼େ ଚିନ୍ତି। ବିଷୟଭୋଗ ନରପତି।
ଇନ୍ଦ୍ରିୟ ନ ପାରିଲା ଜିଣି। ବିଷୟଭୋଗ ମନେ ଗୁଣି। ସୁଜନଜନେ ଏହା ଶୁଣି। ତରିବ ଭବ ତରଙ୍ଗିଣୀ।
କହଇ ବିପ୍ର ଜଗନ୍ନାଥ। ନବମେ ବଂଶାନୁଚରିତ।
( ଅତିବଡ଼ି ଜଗନ୍ନାଥ ଦାସଙ୍କ ବିରଚିତ ଓଡ଼ିଆ ଭାଗବତ , ନବମ ସ୍କନ୍ଧ , ଅଷ୍ଟାଦଶ ଅଧ୍ୟାୟ )
ପ୍ରସଙ୍ଗ – ରାଜା ଯଯାତିଙ୍କ ଚରିତ
ଅର୍ଥ – ମହାମୁନି ଶୁକଦେବ କହିଲେ ହେ ମହାରାଜା ପରୀକ୍ଷିତ ! ପୁରୁ ପିତା ଯଯାତିଙ୍କୁ ନିଜର ଯୋୖବନ ପ୍ରଦାନ କରିବାକୁ ସମ୍ମତ ହୋଇ ତାଙ୍କୁ କହିଲେ , ହେ ପିତା ! ଏହି ସଂସାରରେ ଏପରି କେଉଁ ପୁତ୍ର ଅଛି ଯିଏକି ନିଜ ପିତାଙ୍କର ଋଣ ଶୁଝି ଦେଇପାରିବ ! ଯେଉଁ ପୁତ୍ର ପିତାର ମନକଥା ଜାଣିପାରି ତାଙ୍କର ଇଚ୍ଛା ଅନୁସାରେ କାର୍ଯ୍ୟ କରିଥାଏ ସେ ଉତ୍ତମ ପୁତ୍ର ପଦବାଚ୍ୟ ଅଟେ। ପିତା କିଛି ଆଜ୍ଞା ଦେଲେ ଯେଉଁ ପୁତ୍ର ପିତାଙ୍କର ସେହି ଆଜ୍ଞାକୁ ଶ୍ରଦ୍ଧାର ସହିତ ପାଳନ କରିଥାଏ ସେ ମଧ୍ୟମ ପୁତ୍ର ପଦବାଚ୍ୟ ଅଟେ। ଯେଉଁ ପୁତ୍ର ପିତାଙ୍କର ଆଜ୍ଞାକୁ ଅଶ୍ରଦ୍ଧାରେ ପାଳନ କରେ ଏହି ସଂସାରରେ ସେ ଅଧମପୁତ୍ର ପଦବାଚ୍ୟ ଅଟେ। ଯେଉଁ ଅଜ୍ଞାନୀ ପୁତ୍ର ପିତାଙ୍କର ଆଜ୍ଞାକୁ ପାଳନ ନକରି ଉଲଙ୍ଘନ କରେ ସେ ଆଦୋୖ ପୁତ୍ର ପଦବାଚ୍ୟ ନୁହେଁ ବରଂ ସେ ପିତାଙ୍କର ମଳମୂତ୍ର ସଦୃଶ ଅଟେ।
ଏହିକଥା କହିବା ପରେ ପୁରୁ ପିତା ଯଯାତିଙ୍କୁ ନିଜର ଯୋୖବନ ଦେଇ ଅବିଚଳିତ ଭାବେ ତାଙ୍କ ଠାରୁ ତାଙ୍କର ବାର୍ଦ୍ଧକ୍ୟ ଗ୍ରହଣ କଲେ। ରାଜା ଯଯାତି ପୁତ୍ର ପୁରୁକୁ ତାଙ୍କର ବାର୍ଦ୍ଧକ୍ୟ ଦେଇ ତା ଠାରୁ ତାର ଯୋୖବନ ଗ୍ରହଣ କଲେ ଓ ସୁନ୍ଦର ଯୁବକ ଶରୀର ପ୍ରାପ୍ତ ହୋଇ ପୂର୍ବବତ୍ ନିଜର ଇନ୍ଦ୍ରିୟମାନଙ୍କ ଦ୍ଵାରା ସକଳ ପ୍ରକାର ଅଭିଳଷିତ ବିଷୟ ଭୋଗ କରିବାକୁ ଲାଗିଲେ। ରାଜା ଯଯାତି ସପ୍ତଦ୍ଵୀପର ଏକଛତ୍ର ସମ୍ରାଟ ହୋଇ ଧର୍ମାନୁସାରେ ପ୍ରଜାମାନଙ୍କୁ ପାଳନ କଲେ ଓ ନିଜର ପତ୍ନୀ ଦେବଯାନୀଙ୍କ ସହିତ ସମସ୍ତ ପ୍ରକାର ବିଷୟ ଭୋଗ କଲେ। ସେ ଅନେକ ଦାନ ଓ ଯଜ୍ଞ କରି ଯଜ୍ଞପୁରୁଷ ଭଗବାନଙ୍କ ଚରଣ କମଳରେ ଆରାଧନା କଲେ। ଆକାଶରେ ମେଘ ଖଣ୍ଡମାନ କେତେବେଳେ ଦେଖାଦେଇ କେତେବେଳେ ଦେଖା ନଦେଲା ପରି ଯେଉଁ ଭଗବାନଙ୍କ ଦେହରେ ଏ ଜଗତ କେତେବେଳେ ନାନା ନାମରୂପରେ ପ୍ରତିଭାତ ହୋଇଥାଏ ତ କେତେବେଳେ ପ୍ରତିଭାତ ହୋଇ ନଥାଏ ସେହି ଭଗବାନ ଶ୍ରୀହରିଙ୍କୁ ରାଜା ଯଯାତି ମନ ମଧ୍ୟରେ ଦୃଢ଼ତାର ସହ ଆରାଧନା କଲେ। ଇନ୍ଦ୍ରିୟ ମାନଙ୍କର ଲାଳସାକୁ ପୂର୍ଣ୍ଣ କରିବା ପାଇଁଁ ଯଯାତି ଯେତେ ବିଷୟ ଭୋଗ କଲେ ମଧ୍ୟ ସେ ନିଜର ବିଷୟଭୋଗ ଲାଳସାକୁ ତୃପ୍ତ କରି ପାରି ନଥିଲେ।
ଭାଗବତର ନବମସ୍କନ୍ଧରେ ବଂଶାନୁଚରିତ କ୍ରମରେ ରାଜା ଯଯାତିଙ୍କ ଚରିତ ବର୍ଣ୍ଣନା କରି ଅତିବଡ଼ି ଜଗନ୍ନାଥ ଦାସ କହୁଛନ୍ତି କି , ହେ ସୁଜ୍ଞଜନମାନେ ! ଭାଗବତର ଏହି ପବିତ୍ର ଚରିତକୁ ଶ୍ରବଣ କଲେ ତୁମ୍ଭେମାନେ ଏହି ଭବସାଗରରୁ ନିସ୍ତାର ଲାଭ କରିବ।
ଭାବାର୍ଥ – ରାଜା ଯଯାତି ନିଜର ପୁତ୍ର ପୁରୁ ଠାରୁ ତା ଯୋୖବନ ନେଇ ନିଜର ଅଭିଳଷିତ ସକଳ ପ୍ରକାର ବିଷୟ ଭୋଗ କରିବାକୁ ଲାଗିଲେ।
ଜୟ ଜଗନ୍ନାଥ