ମା କୁହନ୍ତି ଏହି ସଂସାରରେ ମନୁଷ୍ୟଜନ୍ମ ମିଳିବା ଅତି ଦୁର୍ଲଭ । ମନୁଷ୍ୟଜନ୍ମରେ ହିଁ ଅବିନାଶୀ ପରମାତ୍ମାଙ୍କୁ ପ୍ରାପ୍ତ କରାଯାଇପାରେ । କିନ୍ତୁ ଏହି ଜୀବନ ଯେ କେବେ ଶେଷ ହୋଇଯିବ, ତାହା କହିହେବ ନାହିଁ; ତେଣୁ ଯେଉଁମାନେ ବୁଦ୍ଧିମାନ୍, ସେମାନେ ବୟସ ହେଲେ ସାଧନା କରିବି ବୋଲି ଅପେକ୍ଷା ନ କରି, ବାଲ୍ୟକାଳରୁ ହିଁ ଭଗବତ୍ ପ୍ରାପ୍ତି କରାଉଥିବା ସାଧନ କରିବା ଆବଶ୍ୟକ । କୁହାଯାଏ — ବାଲ୍ୟକାଳୁ ଧର୍ମ ଧନ ମୁଁ ସଞ୍ଚିବି, ଏ ଜୀବନ ଅନିଶ୍ଚିତ । କେଜାଣି କାହାର ଆଜି ମୃତ୍ୟୁକାଳ ହୋଇଯିବ ଉପସ୍ଥିତ ।। ମନୁଷ୍ୟଜନ୍ମ ପାଇ ଭଗବାନଙ୍କ ଚରଣରେ ଶରଣ ନେଇଯିବା ହିଁ ହେଉଛି ଏ ଜୀବନର ଏକମାତ୍ର ସଫଳତା ; କାରଣ ଭଗବାନ୍ ହେଉଛନ୍ତି ସକଳ ପ୍ରାଣୀଙ୍କର ସ୍ବାମୀ, ସୁହୃଦ୍,ପ୍ରିୟତମ ଓ ଆତ୍ମା । ଇନ୍ଦ୍ରିୟମାନଙ୍କ ଦ୍ବାରା ଯେଉଁ ସୁଖ ଭୋଗ କରାଯାଏ, ଜୀବ ଯେକୌଣସି ଯୋନିରେ ଜନ୍ମିଲେ ବି, ପ୍ରାରବ୍ଧ ଅନୁସାରେ ସେଠାରେ ସେହିସବୁ ସୁଖ ମିଳିଯାଏ । ଲୋକ ନ ଚାହିଁଲେ ବି ଓ ଯେତେ ନିବାରଣ କଲେ ବି ଯେପରି ଆପେ ଆପେ ଦୁଃଖ ଆସି ପହଞ୍ଚିଯାଏ, ଠିକ୍ ସେହିପରି ସୁଖଭୋଗ ମଧ୍ୟ ଆପେ ଆପେ ମିଳେ । ତେଣୁ ସଂସାରରେ ସୁଖ ପାଇବା ପାଇଁ କୌଣସି ପ୍ରଯତ୍ନ କରିବାର ଆବଶ୍ୟକତା ନାହିଁ; କାରଣ ଆପେ ଆପେ ମିଳୁଥିବା ବସ୍ତୁ ପାଇବା ନିମନ୍ତେ ପରିଶ୍ରମ କରିବା ବାସ୍ତବରେ ନିଜର ଆୟୁ ଓ ଶକ୍ତିକୁ ବୃଥାକର୍ମରେ ଲଗାଇଦେବା ସଙ୍ଗେ ସମାନ । ଯେଉଁ ଲୋକମାନେ ଏପରି ବୃଥା ପରିଶ୍ରମ କରନ୍ତି, ସେମାନଙ୍କୁ ଭଗବାନଙ୍କର ପରମ କଲ୍ୟାଣସ୍ବରୂପ ଚରଣକମଳ ମିଳେ ନାହିଁ । ପ୍ରାଣୀକୁ ନାନାପ୍ରକାର ଭୟ ଘେରି ରହିଛି; ତେଣୁ ରୋଗଶୋକାଦିରେ ଗ୍ରସ୍ତ ହୋଇ ମୃତ୍ୟୁର କବଳରେ ପଡ଼ିବା ପୂର୍ବରୁ ବୁଦ୍ଧିମାନ ପୁରୁଷ ନିଜର ଉଦ୍ଧାର ନିମନ୍ତେ ପ୍ରଯତ୍ନ କରିବା ଆବଶ୍ୟକ।
ଆପଣଙ୍କ ଜୀବନ ମଙ୍ଗଳ ମୟ ହେଉ