Spread the love

ସରକାରୀ ଗସ୍ତରେ ଯାଇ ଝାଡ଼ଖଣ୍ଡରେ ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ପ୍ରଚାର, ହେଲେ ଛତିଶଗଡ଼-ଆନ୍ଧ୍ର ପ୍ରସଙ୍ଗରେ ନିରବ

ଓଡ଼ିଆ ଅସ୍ମିତା କାହାଣୀ କହୁଥିବା ବିଜେପି ଓ ଏହାର ନେତାମାନଙ୍କ ଅସ୍ମିତା ଯେ କେବଳ ‘ସ୍ୱାର୍ଥ’ ଓ ‘ସୁବିଧାବାଦ’ରେ ସୀମିତ ତାହା ଆଉ କାହାକୁ ଅଛପା ନାହିଁ । ସ୍ୱାର୍ଥ ହାସଲ ପାଇଁ ଦଳର ନେତାମାନେ କେତେ ତଳସ୍ତରକୁ ଖସି ପାରନ୍ତି, ତାହାର ବର୍ଣ୍ଣନା ଆବଶ୍ୟକତା ନାହିଁ । କ୍ଷମତା ଦଖଲ ପରେ ଓଡ଼ିଶାର ସ୍ୱାର୍ଥ ପ୍ରସଙ୍ଗରେ କୌଣସି ସମୟରେ କାହା ସହ ସାଲିସ କରାଯିବ ନାହିଁ ବୋଲି ଦୃପ୍ତ ଘୋଷଣା କରିଥିବା ରାଜ୍ୟ ବିଜେପି ସରକାର ଏଯାଏ ପୋଲାଭରମ୍‌, ମହାନଦୀ, କୋଟିଆ ଆଦି ପ୍ରସଙ୍ଗରେ ନିଜ ଦଳର ସରକାର ଥିବା ପଡେ଼ାଶୀ ଛତିଶଗଡ଼ ଓ ସହଯୋଗୀ ଇଞ୍ଜିନ୍‌ ଆନ୍ଧ୍ର ସହ ଏ ପ୍ରସଙ୍ଗରେ ଆଲୋଚନା କଲେ ନାହିଁ।

ଅନ୍ୟପକ୍ଷରେ ସରକାରୀ ଗସ୍ତରେ ଯାଇ ଓଡ଼ିଶା ମୁଖ୍ୟମନ୍ତ୍ରୀ ଝାଡ଼ଖଣ୍ଡରେ ନିଜ ଦଳ ପାଇଁ ନିର୍ବାଚନ ପ୍ରଚାର କରିଛନ୍ତି । ବିଡ଼ମ୍ବନା ହେଉଛି, ଅତୀତରେ ଝାଡ଼ଖଣ୍ଡ ସରକାର ଓଡ଼ିଶାକୁ ଅନ୍ଧାରରେ ରଖି ବ୍ରାହ୍ମଣୀ ନଦୀର ଉପରମୁଣ୍ଡରେ ନିର୍ମାଣ କରାଯାଇଥିବା ପ୍ରାୟ ୧୮ଟି ପ୍ରକଳ୍ପ ସମ୍ପର୍କରେ ମୁଖ୍ୟମନ୍ତ୍ରୀ ଶବ୍ଦଟିଏ ବି ଉଚ୍ଚାରଣ କରିନାହାନ୍ତି। ଝାଡ଼ଖଣ୍ଡରେ ନିର୍ବାଚନ ପ୍ରଚାର ନିମନ୍ତେ ଯାଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ମଙ୍ଗଳବାର ଏକ ସାମ୍ବାଦିକ ସମ୍ମିଳନୀରେ ଜେଏମ୍‌ଏମ୍‌ ସରକାରଙ୍କୁ ସମାଲୋଚନା କରିଛନ୍ତି।

ଝାରଖଣ୍ଡରେ ଓଡ଼ିଆ ଲୋକଙ୍କୁ ଉପେକ୍ଷା କରାଯାଉଛି ବୋଲି ଅଭିଯୋଗ ମଧ୍ୟ ଆଣିଛନ୍ତି। ସେମାନଙ୍କ ସମସ୍ୟା ଦୂର କରିବାକୁ ନିଜ ସ୍ତରରେ ଉଦ୍ୟମ କରିବେ ବୋଲି ମଧ୍ୟ ପ୍ରତିଶ୍ରୁତି ଦେଇଛନ୍ତି । ଅନ୍ୟ ରାଜ୍ୟରେ ବସବାସ କରୁଥିବା ଓଡ଼ିଆମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଦରଦ ନିଶ୍ଚିତ ପ୍ରଶଂସନୀୟ; ମାତ୍ର ପୋଲାଭରମ୍‌ ଯୋଗୁଁ ଭିଟାମାଟି ହରାଇ ବିସ୍ଥାପିତ ହେବାକୁଥିବା ମାଲକାନଗିରି ଜିଲ୍ଲାର ୨୦୦ ଗାଁର ଜନସାଧାରଣ କି ପାପ କରିଛନ୍ତି ଯେ ତାଙ୍କ ସମ୍ପର୍କରେ ମୁଖ୍ୟମନ୍ତ୍ରୀ ଶବ୍ଦଟିଏ କହିବାକୁ କୁଣ୍ଠାବୋଧ କରୁଛନ୍ତି ? ଝାଡ଼ଖଣ୍ଡରେ ବସବାସ କରୁଥିବା ଓଡ଼ିଆ ଭାଷୀମାନେ ଓଡ଼ିଆ; କିନ୍ତୁ ମାଲକାନଗିରିରେ ରହୁଥିବା ଜନସାଧାରଣ ଓଡ଼ିଆ ନୁହନ୍ତି ? ସେମାନଙ୍କର ସମସ୍ୟା କ’ଣ ସମସ୍ୟା ନୁହେଁ ବୋଲି ସ୍ୱାଭାବିକ ପ୍ରଶ୍ନ ଉଠିଛି ।

ଓଡ଼ିଆ ଭାଷା ଓ ଓଡ଼ିଆ ଭାଷୀଙ୍କ ପ୍ରତି ଝାଡ଼ଖଣ୍ଡ ସରକାରଙ୍କ ପାତରଅନ୍ତରକୁ ମୋହନଙ୍କ ବିରୋଧକୁ ସ୍ଥାନୀୟ ଜନସାଧାରଣ ପ୍ରଶଂସା କରିଛନ୍ତି । ମାତ୍ର ଛତିଶଗଡ଼ ଓ ଆନ୍ଧ୍ର ବିରୋଧରେ କାହିଁକି ଏପରି ଆଭିମୁଖ୍ୟ ଓଡ଼ିଶା ସରକାର ପୋଷଣ କରୁନାହାନ୍ତି ତାହା ସ୍ୱାଭାବିକ ପ୍ରଶ୍ନବାଚୀ ସୃଷ୍ଟି କରିଛି। ବାରମ୍ବାର ବିରୋଧ ସତ୍ତେ୍ୱ ଛତିଶଗଡ଼ ସରକାର ମହାନଦୀ ଉପରମୁଣ୍ଡରେ ବେଆଇନ ନିର୍ମାଣ ଜାରି ରଖିଛି। ଅଣମୌସୁମୀ ସମୟରେ ପାଣିକୁ ଜୋର ଜବରଦସ୍ତ ଅଟକାଇ ଓଡ଼ିଶାରେ ମରୁଡ଼ି ପରିସ୍ଥିତି ସୃଷ୍ଟି କରିବା ସହ ମୌସୁମୀ ସମୟରେ ବିନା ସୂଚନାରେ ପାଣି ଛାଡ଼ି ବନ୍ୟା ପରିସ୍ଥିତି ସୃଷ୍ଟି କରୁଛି। ମହାନଦୀ ଉପରେ ନିର୍ଭରଶୀଳ ରାଜ୍ୟର ଦେଢ଼ କୋଟି ଲୋକଙ୍କର ଜୀବନ, ଜୀବିକା ସଙ୍କଟରେ ପଡ଼ିଥିବା ସରକାରରୁ ଆସିବା ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏନେଇ ପଦଟିଏ ମୁହଁ ଖୋଲିନାହାନ୍ତି କିମ୍ବା ବିବାଦର ସମାଧାନ ପାଇଁ କୌଣସି ପଦକ୍ଷେପ ନେଇନାହାନ୍ତି।

ସେହିପରି କୋଟିଆ ଗ୍ରାମପୁଞ୍ଜରେ ପଡେ଼ାଶୀ ଆନ୍ଧ୍ର ବାରମ୍ବାର ଅନୁପ୍ରବେଶ କରି ସଭା, ସମିତି କରୁଛି। ବିଭିନ୍ନ ଯୋଜନାରେ ଓଡ଼ିଶା ଲୋକଙ୍କୁ ସାମିଲ କରି କୋଟିଆ ଅଞ୍ଚଳକୁ ନିଜ ରାଜ୍ୟରେ ମିଶାଇବା ପାଇଁ ଷଡ଼ଯନ୍ତ୍ର ଅନୁଯାୟୀ ବଢ଼ିଚାଲିଛି। ଏନେଇ ମଧ୍ୟ ମୁଖ୍ୟମନ୍ତ୍ରୀ କେବେ ମୁଖର ହୋଇନାହାନ୍ତି। ବିଶେଷକରି ଉଭୟ ରାଜ୍ୟରେ ବିଜେପି ଏବଂ ତାର ସହଯୋଗୀ ସରକାର ଥିବାବେଳେ ସମସ୍ୟାର ସମାଧାନ ପାଇଁ ମୁଖ୍ୟମନ୍ତ୍ରୀ କୌଣସି ଆଖିଦୃଶିଆ ପଦକ୍ଷେପ ମଧ୍ୟ ଗ୍ରହଣ କରିନାହାନ୍ତି। ମହାନଦୀ ଓ କୋଟିଆ; ଏହି ଦୁଇଟି ପ୍ରସଙ୍ଗରେ ଓଡ଼ିଆ ଅସ୍ମିତା ସବୁଠାରୁ ସଙ୍କଟଜନକ ପରିସ୍ଥିତି ଦେଇ ଗତି କରୁଥିବା ବେଳେ ମୁଖ୍ୟମନ୍ତ୍ରୀଙ୍କ ନିରବତା ଓଡ଼ିଶାବାସୀଙ୍କୁ ନିରାଶ କରିଛି। ଝାରଖଣ୍ଡରେ ଭିନ୍ନ ଝାରଖଣ୍ଡ ମୁକ୍ତି ମୋର୍ଚ୍ଚା ସରକାର ରହିଛି। ତେଣୁ ରାଜନୈତିକ ଉଦ୍ଦେଶ୍ୟ ଚରିତାର୍ଥ ନିମନ୍ତେ ବିଜେପି ଯେଉଁ ଅସ୍ମିତା କାଡର଼୍ ଖେଳିଛି ତାହା ଦଳ ପାଇଁ ବୁମେରାଂ ହେବ ନାହିଁ ତ ବୋଲି ସ୍ୱାଭାବିକ ପ୍ରଶ୍ନ ଉଠିଛି। ଯଦି ମୁଖ୍ୟମନ୍ତ୍ରୀ ପ୍ରକୃତରେ ଓଡ଼ିଆ ଅସ୍ମିତା ପାଇଁ ଚିନ୍ତିତ ଅଛନ୍ତି, ତାହେଲେ ଛତିଶଗଡ଼ ଓ ଆନ୍ଧ୍ର ପ୍ରଦେଶ ସରକାରଙ୍କ ମନୋମୁଖୀ କାର୍ଯକଳାପ ବିରୋଧରେ ସମାନ ଆଭିମୁଖ୍ୟ ପୋଷଣ କରନ୍ତୁ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି ।

Related Post

Leave a Reply

Your email address will not be published. Required fields are marked *