Spread the love

ଭକ୍ତ ବଳରାମ ଦାସ ସମାଧି ପୀଠରେ ଶ୍ରୀ ଶ୍ରୀ ମା ଲକ୍ଷ୍ମୀ ମନ୍ଦିର ନିମନ୍ତେ ଶିଳାନ୍ୟାସ ସମାରୋହ ।
ଗୋପ,୨୫।୩(ନି ପ୍ର): ଦର୍ଶନ ସମୀକ୍ଷା

ଗୋପ ବ୍ଲକ ଅଧିନସ୍ଥ ବେଦପୁର ଗ୍ରାମ ପଞ୍ଚାୟତର ଭକ୍ତ ବଳରାମ ଦାସଙ୍କ ସମାଧି ପୀଠରେ ପ୍ରସ୍ତାବିତ ଶ୍ରୀ ଶ୍ରୀ ମା ଲକ୍ଷ୍ମୀ ମନ୍ଦିର ନିର୍ମାଣ ନିମନ୍ତେ ଭୂମି ପୂଜା ଶିଳାନ୍ୟାସ ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଏହି ଶିଳାନ୍ୟାସ ଓ ଭୂମି ପୂଜନ ଓ ଭିତ୍ତି ପ୍ରସ୍ତର ସ୍ଥାପନ ଉତ୍ସବରେ ନିମାପଡ଼ା ବିଧାୟିକା ତଥା ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଭକ୍ତ ବଳରାମ ଦାସଙ୍କ ସମାଧି ପୀଠ ଠାରେ ଶ୍ରୀ ଶ୍ରୀ ଲକ୍ଷ୍ମୀ ମନ୍ଦିର ଶିଳାନ୍ୟାସ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଶ୍ରୀ ପରିଡା କହିଲେ ଯେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପରମ ଭକ୍ତ ବଳରାମ ଦାସ ଜଣେ କବି,ସାଧକ ବା ଭକ୍ତ ଭାବେ ଯେତିକି ପରିଚିତ, ତାଙ୍କ ରଚିତ ଲକ୍ଷ୍ମୀ ପୁରାଣ ରେ ସମାଜ ସଂସ୍କାର,ଛୁଆଁ ଅଛୁଆଁ ବିରୋଧ ଓ ମହିଳା ସଶକ୍ତିକରଣ ର ଚିତ୍ର ବେଶ ପରିସ୍ପୁଟ।ଭକ୍ତ ଯୁଗର ପଞ୍ଚସଖା ଙ୍କ ମଧ୍ୟରେ ବଳରାମ ଥିଲେ ଅନ୍ୟତମ।ନିଜର ଭକ୍ତି, ସମର୍ପଣ ଦ୍ଵାରା ବଳରାମ ମହାପ୍ରଭୁ ଜଗନ୍ନାଥ ଓ ମା ଲକ୍ଷ୍ମୀ ଙ୍କୁ ଏକତ୍ର ଏହି ପୀଠ ରେ ଦର୍ଶନ କରିଥିଲେ ବୋଲି ଏହାକୁ ଗୁପ୍ତ ଶ୍ରୀକ୍ଷେତ୍ର ବୋଲି ମଧ୍ୟ କୁହାଯାଏ ବୋଲି ମତବ୍ୟକ୍ତ କରିଥିଲେ। ଏହି ଭବ୍ଯ ଶ୍ରୀ ଶ୍ରୀ ଲକ୍ଷ୍ମୀ ମନ୍ଦିର ୨୮ କୋଟି ଟଙ୍କା ବ୍ୟୟ ରେ ନିର୍ମାଣ ହେବା ସହିତ ଏହି ମନ୍ଦିର ପ୍ରତିଷ୍ଠା ଦ୍ଵାରା ପର୍ଯ୍ୟଟନ କ୍ଷେତ୍ର ଅଧିକ ସମୃଦ୍ଧ ହେବ ବୋଲି ଉପ ମୁଖ୍ୟମନ୍ତ୍ରୀ ମତ ବ୍ୟକ୍ତ କରିଥିଲେ। ଏହି କାର୍ଯ୍ୟକ୍ରମରେ ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ପିପିଲି ବିଧାୟକ ଆଶ୍ରିତ ପଟ୍ଟନାୟକ ମୁଖ୍ୟବକ୍ତା ଭାବେ ଯୋଗଦେଇ ଏହି ମନ୍ଦିର ନିର୍ମାଣ ହେଲେ ପର୍ଯ୍ୟଟନ ଶିଳ୍ପର ଦ୍ରୂତ ଅଭିବୃଦ୍ଧି ହେବା ସହ ଆଧ୍ୟାତ୍ମିକ ନାଗରଣ ଦିଗରେ ବିଶେଷ ଭୂମିକା ନିର୍ବାହ କରିବ ବୋଲି ମତବ୍ୟକ୍ତ କରିଥିଲେ। ଏହି ପରିପ୍ରେକ୍ଷୀରେ ପର୍ଯ୍ୟଟନ ବିଭାଗ ନିର୍ଦ୍ଦେଶକ ଦୀପଙ୍କର ମହାପାତ୍ର ଯୋଗଦେଇ କହିଥିଲେ ଏହି ମନ୍ଦିର ନିର୍ମାଣ ପାଇଁ ପ୍ରଶାସନିକ ଅନୁମତି ସହ ଅର୍ଥ ବ୍ୟବସ୍ଥା ହୋଇସାରିଛି ,୧୮ ମାସ ମଧ୍ୟରେ ଏହା ପୂର୍ଣ୍ଣାଙ୍ଗ ହେବ ବୋଲି ମତବ୍ୟକ୍ତ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ପଦ୍ମଶ୍ରୀ ଶିଳ୍ପୀ ପ୍ରଭାକର ମହାରଣା,ଉପ ମୁଖ୍ୟମନ୍ତ୍ରୀ ଙ୍କ ବ୍ୟକ୍ତିଗତ ସଚିବ ଅବିନାଶ ରାଉତ,ପୁରୀ ଅତିରିକ୍ତ ଜିଲ୍ଲାପାଳ ନିଳମାଧବ ଭୋଇ, ଗୋପ ବିଡିଓ ସୂର୍ଯ୍ୟ ଶଙ୍କର ଦାଶ,ଅଧୀକ୍ଷଣ ଯନ୍ତ୍ରୀ ସୁନିଲ ବେହେରା ଓ ସୁଧୀର ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ। ଗୋପ ବ୍ଲକ ଉପାଧ୍ୟକ୍ଷ ବନ ରଂଜନ ପଟ୍ଟନାୟକ ସ୍ବାଗତ ଭାଷଣ ପ୍ରଦାନ କରିଥିବା ବେଳେ ଜିଲ୍ଲା ପରିଷଦ ସଦସ୍ୟ ପ୍ରମୋଦ କୁମାର ରାୟ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ସଭାକୁ ପରିଚାଲନା କରୁଥିଲେ ପ୍ରାଧ୍ୟାପକ ପ୍ରକାଶ ଚନ୍ଦ୍ର ଖଟେଇ, ଗୋବିନ୍ଦ ଚନ୍ଦ୍ର ପାଢ଼ୀ, ସୁଶାନ୍ତ କୁମାର ସ୍ବାଇଁ।

Leave a Reply

Your email address will not be published. Required fields are marked *