Spread the love

‘ରସମଞ୍ଜରୀ’ରେ କୁନି ପ୍ରତିଭାଙ୍କ ରଙ୍ଗିନ ଝଲକ
• ଶ୍ରୀ ଶ୍ରୀ ଏକାଡେମୀର ବାର୍ଷିକୋତ୍ସବ ଅନୁଷ୍ଠିତ
ବାରଙ୍ଗ , ନରାଜ। (ଦର୍ଶନ ସମୀକ୍ଷା)

ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟ ପରିସରସ୍ଥିତ ଶ୍ରୀ ଶ୍ରୀ ଏକାଡେମୀର ବାର୍ଷିକୋତ୍ସବ ‘ରସମଞ୍ଜରୀ’ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଏହା ଶ୍ରୀ ଶ୍ରୀ ଏକାଡେମୀର ତୃତୀୟ ବାର୍ଷିକ ଉତ୍ସବ ହୋଇଥିବା ବେଳେ ଚଳିତ ବର୍ଷ ଅବସରପ୍ରାପ୍ତ ଭାରତୀୟ ପ୍ରଶାସନିକ ଅଧିକାରୀ ଅଞ୍ଜନ କୁମାର ମାଣିକ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ । ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ଡ. ତେଜପ୍ରତାପ ସମ୍ମାନିତ ଅତିଥି ଭାବରେ ଉପସ୍ଥିତ ଥିଲେ । ଏକାଡେମୀ ଅଧ୍ୟକ୍ଷା ଡ. ସବିତା ପଣ୍ଡା ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିବା ବେଳେ ପ୍ରଶାସନିକ ମୁଖ୍ୟ ଗାୟତ୍ରୀ ଧୂମେ କାପୁରିଆ ବାର୍ଷିକ ବିବରଣୀ ପାଠ କରିଥିଲେ । ମୁଖ୍ୟ ଅତିଥି ଶ୍ରୀ ମାଣିକ କହିଥିଲେ, ଆମ ପ୍ରାଚୀନ ପୁରାତନ ସଭ୍ୟତା ଶିକ୍ଷାର ଭିତ୍ତିଭୂମି ଭାବରେ ବେଶ୍ ଜଣାଶୁଣା ।

ଏହି ପଥ ଅନୁସରଣ କରି ବିଦ୍ୟାର୍ଥୀମାନେ ନିଜ ଭବିଷ୍ୟତ ଗଢ଼ିବା ଉଚିତ୍ । ସେପଟେ ପ୍ରଫେସର ଡ. ତେଜପ୍ରତାପ କହିଥିଲେ, କେବଳ ଅଧିକ ନମ୍ବର ଆଣିବାଠାରୁ ପ୍ରତ୍ୟେକ ବିଦ୍ୟାର୍ଥୀ ମଧ୍ୟରେ ଥିବା ଲୁକ୍କାୟିତ ପ୍ରତିଭାକୁ ଚିହ୍ନଟ କରି ତା’କୁ ବାହାରକୁ ଆଣିବା ଆବଶ୍ୟକ । ସେଥିପାଇଁ ଭବିଷ୍ୟତର ଶିକ୍ଷାକୁ ସେହିପରି ଭାବରେ ପ୍ରସ୍ତୁତ କରିବାକୁ ସେ ପରାମର୍ଶ ଦେଇଥିଲେ । ଏଥିସହ ସେ ଉପସ୍ଥିତ ଅଭିଭାବକମାନଙ୍କୁ ‘ହେଲିକପ୍ଟର ପ୍ୟାରେଣ୍ଟ’ ନ ହେବାକୁ ପରାମର୍ଶ ଦେଇଥିଲେ । ପିଲାମାନେ ଇଚ୍ଛା କରିବା ସଙ୍ଗେ ସଙ୍ଗେ ସବୁକିଛି ଯୋଗାଇଦେବା ସେମାନଙ୍କ ଭବିଷ୍ୟତକୁ ନଷ୍ଟ କରିବ ବୋଲି ଚେତାଇ ଦେଇଥିଲେ । ସଭାପରେ କୁନି କୁନି ପିଲାମାନଙ୍କର ଚିତ୍ତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ପ୍ରଥମେ ଗଣେଶ ବନ୍ଦନାଠାରୁ ଆରମ୍ଭ ହୋଇ ଏହି କାର୍ଯ୍ୟକ୍ରମ ବିଳମ୍ବିତ ସନ୍ଧ୍ୟା ପର୍ଯ୍ୟନ୍ତ ଚାଲିଥିଲା । କାର୍ଯ୍ୟକ୍ରମର ବିଭିନ୍ନ ସୋପାନରେ କୁନି କୁନି ପିଲାମାନଙ୍କ ଆଙ୍କରିଂ ଖୁବ୍ ଚିତ୍ତାକର୍ଷକ ହୋଇଥିଲା । ବିଶେଷକରି ଇନ୍ଦ୍ରଧନୁ ରଂଗର ଥିମକୁ ନେଇ ପିଲାମାନେ ଖୁବ୍ ସୁନ୍ଦର ନୃତ୍ୟ ପ୍ରଦର୍ଶନ କରିଥିଲେ । ଏହି କାର୍ଯ୍ୟକ୍ରମରେ ପ୍ରାୟ ତିନି ହଜାର ଅଭିଭାବକ ଓ ଦର୍ଶକ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ଉପଭୋଗ କରିଥିଲେ ।

Leave a Reply

Your email address will not be published. Required fields are marked *