ଜ୍ଞାନର ତୃଷ୍ଣା
ଜ୍ଞ।ନ ପାଇଁ ଆମ ସମସ୍ତଙ୍କର ତୃଷ୍ଣା ରହିଛି । ମନ ଭିତରର ଉଦ୍ବେଳନ ଶାନ୍ତ ହେବାକୁ ଚାହୁଁଛି । ଏଇ ଶାନ୍ତିପାଇଁ ଅନେକ ଚେଷ୍ଟା କରାଯାଏ । ମଣିଷ ଅନେକ ଦିଗରେ ଏହାକୁ ଖୋଜୁଛି । ବୋଧହୁଏ ଅଗଣିତ ଜନ୍ମରୁ ଏଇ ଅନୁସନ୍ଧାନ ଚାଲିଆସୁଛି । କୌଣସି ମାୟାମୃଗର ଅନୁସନ୍ଧାନରେ ତା’ର ଚିତ୍ତ ଏଣେତେଣେ ଘୂରିବୁଲେ- କିନ୍ତୁ ପ୍ରତ୍ୟେକଟି ପଦକ୍ଷେପରେ ନୈରାଶ୍ୟ ବ୍ୟତୀତ ଅନ୍ୟ କିଛି ମିଳେ ନାହିଁ । କୌଣସି ରାସ୍ତା ତାକୁ ଲକ୍ଷ୍ୟସ୍ଥଳରେ ପହଞ୍ଚାଇବା ପରି ମନେ ହୁଏ ନାହିଁ । ଗତି ଥାଏ, ଗନ୍ତବ୍ୟ କିନ୍ତୁ ଦୃଷ୍ଟିଗୋଚର ହୁଏ ନାହିଁ । ଜୀବନର ଏଇ ବଙ୍କାତେଢ଼ା ରାସ୍ତା କ’ଣ କେଉଁଠିକୁ ହେଲେ ନେଇଯାଇପାରେ ନାହିଁ ?
ଏଇ ପ୍ରଶ୍ନର ଉତ୍ତରରେ ଯୁକ୍ତିପୂର୍ଣ୍ଣ ବ୍ୟାଖ୍ୟା ଦିଆଯାଉ ନାହିଁ । ଜୀବନର ଗଭୀରତାକୁ ଓହ୍ଲେଇ ଜ୍ଞାନର ଶୀତଳ ସ୍ରୋତ ଖୋଜିବାକୁ ହେବ । ସମାଧାନର ମଧୁର ସ୍ୱର ଶୁଣିବାକୁ ହେବ । ଜ୍ଞାନ ବାଗ୍ଜାଲରେ ନଥାଏ । ଯୁକ୍ତିପୂର୍ଣ୍ଣ କଥାରେ ବି ଏହା ମିଳିପାରିବ ନାହିଁ । ସତ କଥା ହେଲା, ବୌଦ୍ଧିକ ଉତ୍ତର ଖୋଜିବାର କୁହେଳିରେ ଏହାର ପ୍ରକୃତ ଉତ୍ତର ହଜିଯାଏ । ବୁଦ୍ଧି ମୌନ ହୋଇଥିବା ବେଳେ ଅନୁଭୂତି କଥା କହିଥାଏ । ବିଚାର ଚୁପ୍ ହେଲେ ବିବେକ ଜାଗ୍ରତ ହୋଇଥାଏ ।
ପ୍ରକୃତ କଥା ହେଲା, ଜୀବନର ମୌଳିକ ପ୍ରଶ୍ନର ଉତ୍ତର ବୌଦ୍ଧିକ ଯୁକ୍ତିଦ୍ୱାରା ମିଳେ ନାହିଁ । ବୌଦ୍ଧିକ ତର୍କରେ ଜ୍ଞାନର ଆଭାସ ଅଛି, କିନ୍ତୁ ଜ୍ଞାନ ନାହିଁ । ଜ୍ଞାନ ପାଇଁ ଋଷିବାଣୀ ହେଲା- ‘ନ ପ୍ରବଚନେନ, ନ ମେଧୟା, ନ ବହୁନା ଶ୍ରୁତେନ’’, ଅର୍ଥାତ୍ ପ୍ରବଚନଦ୍ଵାରା, ମେଧାଦ୍ଵାରା, ବହୁତ ଶୁଣିବାଦ୍ଵାରା ଜ୍ଞାନ ହୁଏ ନାହିଁ । ଜ୍ଞାନ ତ ‘ ଅନନ୍ତଂ ନିର୍ବିକଳ୍ପମ୍ ।’ ଶାନ୍ତ ଓ ଶୂନ୍ୟ ହେଲେ ପ୍ରକଟ ହୋଇଥାଏ । ସେତେବେଳେ ସମସ୍ୟାର ସମାପ୍ତ ହୋଇଯାଏ, ଗଛର ଶୁକ୍ଲ ପତ୍ର ପରି ପ୍ରଶ୍ନ ଝଡ଼ି ପଡ଼େ ।
ସମାଧି ର ଶୂନ୍ୟରୁ ସମାଧାନ ଆସିଥାଏ । ଜ୍ଞାନର ଏଇ କିରଣ ଫୁଟିବା କ୍ଷଣି ଚେତନାର ଏକ ନୂତନ ତଳରେ ଜୀବନ ପ୍ରବେଶ କରେ । ଏହି ଭାବଦଶା ହିଁ ସମାଧି । ଏଥିପାଇଁ ପଚାରି ଶାନ୍ତ ହୋଇଯିବା । ଗଭୀର ଶୂନ୍ୟତାରେ ବୁଡ଼ିଯିବା । ସମାଧି ରେ ସମାଧାନକୁ ଆସିବାକୁ ଦେବା- ଫଳିବାକୁ ଦେବା । ଚିତ୍ତର ଏଇ ନିସ୍ତରଙ୍ଗ ଓ ନିର୍ବିକଳ୍ପ ଅବସ୍ଥାରେ ଏହାର ଦର୍ଶନ କରିବା, ଯାହା ଅଛି- ତାହା ହିଁ ମୁଁ । ନିଜକୁ ଜାଣିବା ବିନା ଜ୍ଞାନର ତୃଷ୍ଣା ଦୂର ହୋଇ ପାରିବ ନାହିଁ । ନିଜକୁ ଖୋଜିବା ବିନା ଅନ୍ତସ୍ର ଜ୍ଵଳନ ଊଣା ହେବ ନାହିଁ- ନିଜକୁ ଜାଣିବା ହେଉଛି ଜ୍ଞାନ, ବାକି ସବୁ ହେଉଛି କେବଳ ଜାଣିବା । ଯେଉଁ ମୁହୂର୍ତ୍ତରେ ଚିତ୍ତ ଭ୍ରାନ୍ତ ବୌଦ୍ଧିକତାକୁ ତ୍ୟାଗ କରି ଚୁପ୍ ଓ ସ୍ଥିର ହୋଇଯାଏ, ସେଇ ମୁହୂର୍ତ୍ତ ରେ ସତ୍ୟଂ ଜ୍ଞାନମନନ୍ତଂ ବ୍ରହ୍ମଙ୍କ ଦ୍ବାର ଖୋଲି ଯାଏ । ଦିଗଶୂନ୍ୟ ଚେତନା ପ୍ରଭୁଙ୍କ ଠାରେ ବିଲୀନ ହୋଇଯାଏ । ପ୍ରଭୁ ମିଳନରେ ହିଁ ଜ୍ଞାନର ତୃଷ୍ଣା ଅନ୍ତ ହୋଇଥାଏ ।