ମଣିଷ ମଣିଷ ଭିତରେ ପାର୍ଥକ୍ଯ, ତୁମେ ଓ ମୁଁ ର ପାର୍ଥକ୍ଯ ଏବଂ ବସ୍ତୁ ବସ୍ତୁ ଭିତରେ ପାର୍ଥକ୍ଯର ବିଚାର କେବଳ ମନର ସୃଷ୍ଟି। ଅଭାବନାର ଖଡ୍ଗରେ ମନକୁ ଶେଷ କରିଦିଅ। ଦୁର୍ଗରୁ ବାହାରୁଥିବା ସୈନିକ ମାନଙ୍କୁ ଗୋଟି ଗୋଟି କରି ମାରିଦିଅ। ଅନ୍ତତଃ ତୁମେ ଦୁର୍ଗକୁ ଅଧିକାର କରି ପାରିବ। ସେହିପରି ମନରେ ଯେତେବେଳେ କୌଣସି ପ୍ରକାରର ଭାବନା ଉଦ୍ରେକ ହେଉଥିବ ସେ ସବୁକୁ ଗୋଟି ଗୋଟି କରି ମାରିଦିଅ। ଶେଷରେ ତୁମେ ମନ ଉପରେ ବିଜୟ ହାସଲ କରି ପାରିବ।
ଯଦି ତୁମେ ସମସ୍ତ ପ୍ରକାର କଳ୍ପନାକୁ ଲୋପ କରିଦେବ, ଠିକ୍ ଯେପରି ପ୍ରବଳ ଝଞ୍ଜାରେ ଘନ ମେଘ ଛିନ୍ନ ଭିନ୍ନ ହୋଇଯାଏ, ସେହିପରି ମନ ତା'ର ଉତ୍ପତ୍ତି ସ୍ଥାନ ଚିତ୍ତରେ ଲୀନ ହୋଇଯାଏ।ସେତେବେଳେ ତୁମକୁ ନିତ୍ଯସୁଖ ଏବଂ ମୋକ୍ଷ ଧନ ପ୍ରାପ୍ତ ହେବ।
ମନ ହେଉଛି ମାୟା। ମନ ଯଦି ଅନ୍ଧଭାବରେ ଇନ୍ଦ୍ରିୟ ବାସନା ଯୁକ୍ତ ବସ୍ତୁ ପଛରେ ଦୌଡିବ, ତେବେ ମାୟା ସେ ମନୁଷ୍ଯ ଉପରେ ଦୃଢ ଭାବରେ ଅଧିକାର ଜମାଇବ। ମାୟା ମନ ଦ୍ବାରା ଅନର୍ଥ ସୃଷ୍ଟି କରେ। ଏହି ନୀଚ୍ଚ ପଶୁ ବୁଦ୍ଧିଯୁକ୍ତ ମନ ତୁମକୁ ସବୁ ପ୍ରକାର ବିଷୟ ଭୋଗ ଦ୍ବାରା ନିମ୍ନ ସ୍ତରକୁ ନେଇଥାଏ ଏବଂ ତୁମକୁ ଅନେକ ପ୍ରକାର ଭ୍ରମରେ ପକାଇ ଥାଏ। ମାୟା ତା'ର ଶକ୍ତିଦ୍ବାରା ମନରେ ଲକ୍ଷଲକ୍ଷ କଳ୍ପନା ସୃଷ୍ଟି କରିଥାଏ।
ଯେଉଁମାନଙ୍କର ସତ୍ ଓ ଅସତ୍ ରେ ଦୃଢ ବିଚାର ଥାଏ, ସେମାନଙ୍କ ପାଖରେ ନୀଚ୍ଚ ମନ ପଶି ପାରିବ ନାହିଁ। ଯେଉଁ ବ୍ଯକ୍ତି ଠାରେ ବିବେକ ଓ ଦୃଢ ନିଶ୍ଚୟତା ଅଛି, ସେ ମାୟାକୁ ଶୀଘ୍ର ଚିହ୍ନି ପାରେ ଏବଂ ଆତ୍ମ ପ୍ରାପ୍ତି କରିପାରେ। ଏହି ଶକ୍ତି ଗୁଡିକ ( ବିବେକ ଏବଂ ଇଚ୍ଛା) ଦ୍ବାରା ମାୟାକୁ ସଂଯତ କରିପାରେ।
ମନ କାମନାରେ ପୂର୍ଣ୍ଣ । କାମନା ନ ଥିବା ମନ ନାହିଁ । କିନ୍ତୁ ମନ ଭିତରେ ଦୁଇଟି ପଥ ରହିଛି । ସେଥିରୁ ଗୋଟିଏ ପଥ ଯାଇଛି ଯାହା ମଙ୍ଗଳକର , ପୂନ୍ୟମୟ , ପବିତ୍ରକର , ଉଦାର ଓ ଉନ୍ନତ , ସେହି ଦିଗକୁ । ଅନ୍ୟ ପଥଟି ଯାଇଛି ଅମଙ୍ଗଳକର, ପାପମୟ ,ଅପବିତ୍ର , ସଂକୀର୍ଣ୍ଣ ଓ ଅଧୋମୁଖୀ ଦିଗକୁ । ଯେଉଁ ସାଧକ ବିଜ୍ଞ , ସେ ଭଲ ମନ୍ଦ ବିବେଚନା କରିବା ନିମନ୍ତେ ସର୍ବଦା ନିଜର ଅନ୍ତର ଭିତରଟାକୁ ନିରୀକ୍ଷଣ କରନ୍ତି ଏବଂ ମନର ପ୍ରକୃତ ସ୍ଥିତି ନିର୍ଣ୍ଣୟ କରିବାକୁ ଚେଷ୍ଟା କରନ୍ତି । କାମନାର ସ୍ରୋତ କେଉଁ ଆଡକୁ ପ୍ରବାହିତ ହେଉଛି , ସେ ତାହାକୁ ନିରିକ୍ଷଣ କରନ୍ତି ।
ସେ ଯଦି ଦେଖନ୍ତି ଯେ , କାମନାର ସ୍ରୋତ ସତ୍ ପଥରେ , ପବିତ୍ର ପଥରେ ପ୍ରବାହିତ ହେବାକୁ ଚାଲିଛି , ସେତେବେଳେ ସେ ତାହାକୁ ପ୍ରୋତ୍ସାହନ ଦିଅନ୍ତି । କିନ୍ତୁ ସେ ଯେତେବେଳେ ଅନୁଭବ କରନ୍ତି ଯେ ମନ ସତ୍ ପଥ ଛାଡ଼ି ଅସତ୍ ପଥରେ ଅମଙ୍ଗଳ ଆଡକୁ , ଅଧପତନ ଆଡକୁ ଗତି କରୁଛି , ସେ ସଙ୍ଗେ ସଙ୍ଗେ କାମନାକୁ ସେ ପଥରୁ ଅପସାରଣ କରି ତାକୁ ପୁନର୍ବାର ସତ୍ ପଥରେ ମଙ୍ଗଳକର ଲକ୍ଷ୍ୟ ଆଡକୁ ଚଳାଇ ନିଅନ୍ତି ।
ସ୍ଵାମୀ ଚିଦାନନ୍ଦ ସରସ୍ୱତୀ