ବାଂଲାଦେଶରେ ବଢ଼ୁଛି ହିଂସା, ଦେଶ ଛାଡ଼ିଲେ ପ୍ରଧାନମନ୍ତ୍ରୀ ଶେଖ୍ ହସିନା
ବାଂଲାଦେଶରେ ହିଂସା ଉଗ୍ରରୂପ ନେଇଥିବା ବେଳେ ଏବେ ସେଠାରୁ ଆସୁଛି ଏକ ବଡ଼ ଖବର । ପଦ ଛାଡ଼ିଲେ ପ୍ରଧାନମନ୍ତ୍ରୀ ଶେଖ୍ ହସିନା। ବିଦେଶୀ ମିଡିଆ ରିପୋର୍ଟ ଅନୁସାରେ ବାଂଲାଦେଶରେ ଛାତ୍ର ଅଶାନ୍ତି ପରବର୍ତ୍ତୀ ହିଂସା ବଢିବା ପରେ ପଦ ଛାଡ଼ିଛନ୍ତି ଶେଖ୍ ହସିନା । କେବଳ ସେତିକି ନୁହେଁ ସେ ଢାକା ଛାଡ଼ି କୌଣସି ଏକ ସୁରକ୍ଷିତ ସ୍ଥାନକୁ ଚାଲିଯାଇଥିବା ଖବର ମଧ୍ୟ ବିଦେଶୀ ମିଡିଆରେ ଖବର ପ୍ରକାଶ ପାଇଛି । ଏପରିକି ସେ ଭାରତରେ ଶରଣ ନେବାକୁ ଆସୁଥିବା ଖବର ମଧ୍ୟ ଜଣାପଡ଼ିଛି ।
ସୂଚନା ଥାଉ କି ବିବାଦୀୟ କୋଟା ପ୍ରସଙ୍ଗରେ ମାସେ ହେବ ବାଂଲାଦେଶରେ ଛାତ୍ର ଆନ୍ଦୋଳନ ଜାରି ରହିଛି । ଏହାକୁ ରୋକିବାକୁ ହସିନା ସରକାରଙ୍କ କଠୋର କାର୍ଯ୍ୟାନୁଷ୍ଠାନ ପରେ ଦେଶର ବିଭିନ୍ନ ପ୍ରାନ୍ତରେ ହିଂସାର ସୂତ୍ରପାତ ହୋଇଥିଲା । ଏଥିରେ ଅନେକ ଜୀବନହାନି ହୋଇଥିବା ବେଳେ ଗତକାଲି ସ୍ଥିତି ଅଧିକ ସଂଗୀନ ହୋଇଥିଲା ।
ଗତକାଲି ପୁଣି ଅଧିକାଂଶ ଛାତ୍ର ସଂଗଠନ ଏବଂ ପ୍ରମୁଖ ବିରୋଧ ଦଳ BNP ସମର୍ଥିତ ସଂଗଠନ ଗୁଡ଼ିକ ପକ୍ଷରୁ ଅସହଯୋଗ ଆନ୍ଦୋଳନ କରାଯାଇଥିଲା । ଶେଖ୍ ହାସିନାଙ୍କ ତତ୍କାଳ ଇସ୍ତଫା ଦାବିରେ ଲୋକଙ୍କୁ କାର୍ଯ୍ୟବନ୍ଦ ଆନ୍ଦୋଳନ ସହିତ ଅଫିସ୍, ହସ୍ପିଟାଲ, ଦୋକାନବଜାର ଆଦି ବନ୍ଦ ରଖିବାକୁ ଡାକରା ଦିଆଯାଇଥିଲା ।