ତା୦୧.୦୨.୨୦୨୬ରିଖର
“କଥା ଏତିକି 👇, ବାସ୍।”
” ଅଳ୍ପବିଦ୍ୟା ଭୟଙ୍କରି”
ସଂସ୍କୃତ ଭାଷାରେ “ଅଗାଧଜଳସଞ୍ଚାରୀ ନ ଗର୍ବଂ ଯାତି ରୋହିତଃ, ଗଣ୍ଡୂଷଜଳମାତ୍ରେଣ ଶଫରୀ ଫର୍ଫରାୟତେ”ଭଳି ଉପଦେଶାତ୍ମକ
ବାଣୀଟିର ଓଡ଼ିଆଭାଷାରେ ବ୍ୟାଖ୍ୟା ହେଉଛି;
“ଗଭୀର ଜଳରେ ରହୁଥିବା ରୋହି ଭଳି ବଡ଼ ବଡ ମାଛ କେବେ ହେଲେ ଗର୍ବ କିମ୍ବା ଶବ୍ଦ କରନ୍ତି ନାହିଁ। କିନ୍ତୁ ଛୋଟ ଛୋଟ ଦଣ୍ଡିଖିରୀ ମାଛଗୁଡିକ ଅଳ୍ପ ପାଣି ପାଇଲେ ମଧ୍ୟ ସେଥିରେ ବହୁତ ଜୋରରେ ଫଡ଼ଫଡ଼ ହୁଅନ୍ତି , ନାଚିବାକୁ ଲାଗନ୍ତି।”
ଏହାର ନୈତିକ ମୂଲ୍ୟବୋଧ (Moral):-
ଏହା ସେହି ବ୍ୟକ୍ତିମାନଙ୍କ ପାଇଁ କୁହାଯାଏ, ଯେଉଁମାନଙ୍କ ପାଖରେ ଜ୍ଞାନ କମ ଥାଏ କିନ୍ତୁ ସେମାନେ ନିଜକୁ ବଡ଼ ଦେଖାଇବା ପାଇଁ ବହୁତ ଆଡ଼ମ୍ବର କରନ୍ତି । ଯାହାର ଗଭୀର ଜ୍ଞାନ ଥାଏ, ସେ ସବୁବେଳେ ଶାନ୍ତ ରହେ।
ଏହାର ମାହାତ୍ମ୍ୟ ଆମ ଓଡ଼ିଆ ଲୋକକଥା ,
“ଅଳ୍ପ ବିଦ୍ୟା ଭୟଙ୍କରୀ”ଜରିଆରେ ପ୍ରତିଫଳିତ ହୋଇଥାଏ।
ଏହା ଉପରେ ଦୁଇଟି ଉଦାହରଣ ନିମ୍ନରେ ସ୍ଥାନିତ ଅଛି, ଯାହା ସାମାଜିକ ଗଣମାଧ୍ୟମରେ ମହାତ୍ମାଗାନ୍ଧୀଙ୍କୁ “ଦେଶର ବିଭାଜନକାରୀ” ଋପେ ଦିନରାତି ପ୍ରସାରିତ ହେବା ଉପରେ ଆଧାରିତ।ଏହା ବିଶେଷକରି ତାଙ୍କର ତାଙ୍କର ଜନ୍ମଦିନ (ଅକ୍ଟୋବର ୦୨ ତାରିଖ) ଓ ପୁଣ୍ୟତିଥିରେ (ଜାନୁଆରୀ ୩୦ ତାରିଖ) ବହୁମାତ୍ରାରେ ହୋଇଥାଏ,
ଯାହା ତା୩୦.୦୧.୨୦୨୬ ରିଖରେ ବି ଘଟିଥିଲା।
ସେହିଦିନ ,ଆମ ଓଡ଼ିଆଭାଷାର ଜଣେ ବରିଷ୍ଠ ସାମ୍ବାଦିକ ତାଙ୍କର ଫେସବୁକ କାନ୍ଥରେ “ଆଜି ତାରିଖରେ ଜଣେ ଦୁରାତ୍ମା ଜଣେ ମହାତ୍ମାଙ୍କୁ ହତ୍ୟା କରିଥିଲା। ମହାତ୍ମାଙ୍କୁ ପ୍ରଣାମ, ଦୁରାତ୍ମାକୁ ଧିକ୍କାର” ଭଳି ଲେଖିବା ଉପରେ ୧୨୦ଟି ଟିପ୍ପଣୀ, ମନ୍ତବ୍ୟ ମିଳିଥିଲା, ଯେଉଁଥିରୁ ପାଖାପାଖି ୧୦୦ଟିରେ ଗାନ୍ଧୀଙ୍କ ବାବଦରେ କୁତ୍ସିତ ଟିପ୍ପଣୀମାନ ଥିଲା, ଯଦିଓ ଆମ ଯଶସ୍ୱୀ ବିଶ୍ଵଗୁଋ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀ ସେହିଦିନ ସକାଳେ ଗାନ୍ଧୀଙ୍କ ସମାଧିପୀଠକୁ ଯାଇ ମଥାନତ କରିଥିଲେ।
ଉଦାହରଣ -୧-
“ମହାତ୍ମାଗାନ୍ଧୀ ଯେ ଦେଶର ବିଭାଜନ ପାଇଁ ଦାୟୀ ନଥିଲେ”, ଏହା ମୋର ମତ ନୁହେଁ, ଏହା ହେଉଛି “ରାଷ୍ଟ୍ରିୟ ସ୍ୱୟଂସେବକ ସଂଘ ତଥା ଭାରତୀୟ ଜନତା ପାର୍ଟି” ଚିନ୍ତାଧାରାର ପ୍ରମୂଖ ପ୍ରବର୍ତ୍ତକ(Ideologue) ଶ୍ରୀଯୁକ୍ତ ରାମ ମାଧବ ମହାଶୟଙ୍କ ମତାମତ।
ଆମ ଦେଶର ଇଗ୍ଲିଶଭାଷାର ମୁଦ୍ରିତ ଗଣମାଧ୍ୟମର ଆଗଧାଡିର ଦୈନିକ ସମ୍ବାଦପତ୍ର The Indian Express ର ତା୩୧.୦୧.୨୦୨୬ରିଖର ସସ୍କରଣରେ ଶ୍ରୀ ରାମ ମାଧବ ମହାଶୟଙ୍କ ଲିଖିତ “In his last days,a dilemma the Mahatma couldn’t solve”ଶୀର୍ଷକ
ପ୍ରବନ୍ଧଟିଏରେ ସେ ସ୍ପଷ୍ଟଭାବରେ ଉଲ୍ଲେଖ କରିଛନ୍ତି ଯେ ,
“ଭାରତବର୍ଷର ବିଭାଜନ ପାଇଁ ମହାତ୍ମାଗାନ୍ଧୀ ଦାୟୀ ନଥିଲେ।”
ସେହି ଲେଖାଟିର ଓଡ଼ିଆଭାଷାରେ ଅନୁବାଦିତ ପାଠ ତଳେ ସ୍ଥାନିତ ଅଛି।
ଲେଖାଟିର ଶୀର୍ଷକ ହେଉଛି “ଏମିତି ଏକ ଦ୍ୱନ୍ଦ୍ୱ ଯାହାକୁ ମହାତ୍ମା ତାଙ୍କର ଶେଷ ଦିନରେ ସମାଧାନ କରିପାରିନଥିଲେ।”
ଓଡ଼ିଆଭାଷାରେ ଅନୁବାଦିତ ପାଠ:-
ଜାନୁଆରୀ ୩୦, ୧୯୪୮ରେ ନଥୁରାମ ଗଡ଼ସେ ମହାତ୍ମା ଗାନ୍ଧୀଙ୍କୁ ସେହି ଅପରାଧ ପାଇଁ ହତ୍ୟା କରିଥିଲେ ଯାହା ପାଇଁ ସେ ଗାନ୍ଧୀଙ୍କୁ ଦାୟୀ ମନେ କରୁଥିଲେ। ଗାନ୍ଧୀ ଦେଶ ବିଭାଜନରେ ସମ୍ମତି ଦେଇ ଦେଶ ପ୍ରତି “ବିଶ୍ୱାସଘାତକତା” କରିଛନ୍ତି ବୋଲି ସେ ଅଭିଯୋଗ କରିଥିଲେ। ଗଡ଼ସେଙ୍କ ଯୁକ୍ତି ଥିଲା ଯେ, “ଯଦି ଗାନ୍ଧୀ ନିଷ୍ଠାର ସହ ପାକିସ୍ତାନ ଗଠନକୁ ବିରୋଧ କରିଥାନ୍ତେ, ତେବେ ନା ଜିନ୍ନା ନା ବ୍ରିଟିଶ ଶାସକମାନେ ଏହାକୁ ସୃଷ୍ଟି କରିପାରିଥାନ୍ତେ।”
ଗାନ୍ଧୀଙ୍କୁ ହତ୍ୟା କରି ଗଡ଼ସେ ଯେ ଭୁଲ କରିଥିଲେ ତାହା କହିବା ନିଷ୍ପ୍ରୟୋଜନ। ତେବେ ଆସନ୍ତୁ ତାଙ୍କ କାରଣଗୁଡ଼ିକୁ ଅନୁଧ୍ୟାନ କରିବା।
ଗାନ୍ଧୀ ତାଙ୍କର ଶାନ୍ତି ନୀତି ପାଇଁ ଦୁଇଜଣ ପ୍ରମୁଖ ବ୍ୟକ୍ତିତ୍ୱ – ବୁଦ୍ଧ ଏବଂ ଯୀଶୁଙ୍କ ଠାରୁ ପ୍ରେରଣା ପାଇଥିଲେ। କୌତୁହଳର ବିଷୟ ଯେ, ଏହି ତିନିଜଣଙ୍କର ମୃତ୍ୟୁ ଅସ୍ୱାଭାବିକ ଭାବେ ହୋଇଥିଲା। ବୁଦ୍ଧ ନିଜ ଅତିଥି ଚୁନ୍ଦାଙ୍କୁ ଅସନ୍ତୁଷ୍ଟ ନ କରିବା ପାଇଁ ଦୂଷିତ ଖାଦ୍ୟ ଗ୍ରହଣ କରି ମୃତ୍ୟୁକୁ ବରଣ କରିଥିଲେ; ଯୀଶୁ ମୃତ୍ୟୁକୁ ଗ୍ରହଣ କରିଥିଲେ କାରଣ ଶାସକମାନେ ତାଙ୍କୁ ବୁଝିବାରେ ବିଫଳ ହୋଇଥିଲେ। ଗାନ୍ଧୀଙ୍କ କ୍ଷେତ୍ରରେ ଏହାର କାରଣ ଉଭୟ ଥିଲା। ଗାନ୍ଧୀ କେବେ ଚାହୁଁନଥିଲେ ଯେ ଭାରତ ବିଭାଜିତ ହେଉ। କିନ୍ତୁ ଜୁନ୍ ୧୯୪୭ ରେ, ସେ ତାଙ୍କ ସହକର୍ମୀମାନଙ୍କୁ ସମର୍ଥନ କରି ଠିଆ ହୋଇଥିଲେ, ଯେଉଁମାନେ ସେତେବେଳକୁ ଏହାକୁ ଏକ ଅପରିହାର୍ଯ୍ୟ ସତ୍ୟ (fait accompli) ଭାବରେ ଗ୍ରହଣ କରିସାରିଥିଲେ।
୧୯୪୫ ରେ ଗାନ୍ଧୀ ଜିନ୍ନାଙ୍କୁ ବିଭାଜନ ଦାବି ଛାଡିବା ପାଇଁ ବୁଝାଇବାକୁ ଚେଷ୍ଟା କରି ବିଫଳ ହୋଇଥିଲେ। ୧୯୪୬ ରେ ଯେତେବେଳେ କ୍ୟାବିନେଟ ମିଶନ ଦେଶକୁ ସାମ୍ପ୍ରଦାୟିକ ଭିତ୍ତିରେ ତିନି ଭାଗରେ ବିଭକ୍ତ କରିବା ପ୍ରସ୍ତାବ ନେଇ ଆସିଲା, ଗାନ୍ଧୀ ପୁଣି ଥରେ କଂଗ୍ରେସ କାର୍ଯ୍ୟକାରୀ କମିଟି (CWC) ନିକଟରେ ନିଜର ବିରୋଧ ପ୍ରକଟ କରିଥିଲେ। କିନ୍ତୁ କଂଗ୍ରେସ ନେତୃତ୍ୱ — ଯେଉଁଥିରେ ଜବାହରଲାଲ ନେହେରୁ, ସର୍ଦ୍ଦାର ପଟେଲ ଏବଂ ମୌଲାନା ଆଜାଦ ଅନ୍ତର୍ଭୁକ୍ତ ଥିଲେ — ଏହି ଯୋଜନାକୁ ଗ୍ରହଣ କରିବାକୁ ମନ ସ୍ଥିର କରିସାରିଥିଲେ, କାରଣ ଏହା ସହିତ ସେମାନଙ୍କୁ କ୍ଷମତା ହସ୍ତାନ୍ତରର ପ୍ରଥମ ପ୍ରସ୍ତାବ ମିଳିଥିଲା।
ମର୍ମାହତ ଗାନ୍ଧୀ ଏହି ବୈଠକ ଛାଡିବା ବେଳେ କହିଥିଲେ, “ମୁଁ ମୋର ପରାଜୟ ସ୍ୱୀକାର କରୁଛି। ମୁଁ ବର୍ତ୍ତମାନ ଆପଣଙ୍କ ଅନୁମତି ନେଇ ବିଦାୟ ନେବି। ଆପଣମାନେ ଆପଣଙ୍କ ଯୁକ୍ତିର ନିର୍ଦ୍ଦେଶକୁ ଅନୁସରଣ କରନ୍ତୁ।” ପୂର୍ବରୁ ଏମିତି ସ୍ଥିତିରେ ନେତାମାନେ ତାଙ୍କୁ ରହିବାକୁ ଅନୁରୋଧ କରୁଥିଲେ, କିନ୍ତୁ ସେଦିନ ନୁହେଁ। ପ୍ୟାରେଲାଲ ଏକ ସ୍ପଷ୍ଟ ବିବରଣୀ ଦେଇଛନ୍ତି: “ଆପଣ କ’ଣ ଚାହୁଁଛନ୍ତି? ବାପୁଙ୍କୁ ଆଉ ଅଧିକ ସମୟ ଅଟକାଇ ରଖିବାର କୌଣସି ଆବଶ୍ୟକତା ଅଛି କି?” ବୋଲି ମୌଲାନା ସାହେବ ପଚାରିଥିଲେ। ସମସ୍ତେ ଚୁପ୍ ଥିଲେ। ନିଷ୍ପତ୍ତିର ସେହି ଘଡ଼ିସନ୍ଧି ମୁହୂର୍ତ୍ତରେ, ସେମାନଙ୍କ ପାଇଁ ବାପୁଙ୍କର କୌଣସି ଆବଶ୍ୟକତା ନଥିଲା। ସେମାନେ “ପାଇଲଟ୍” (ଚାଳକ) ଙ୍କୁ ବାଦ୍ ଦେବାକୁ ସ୍ଥିର କରିଥିଲେ।
ମାର୍ଚ୍ଚ ୧୯୪୭ ରେ ଭାଇସରାୟ ମାଉଣ୍ଟବ୍ୟାଟେନଙ୍କ ବିଭାଜନର ସ୍ପଷ୍ଟସଂକେତ ଥିବା ପ୍ରସ୍ତାବ ବିଷୟରେ ଜାଣିବା ପରେ ଗାନ୍ଧୀ ସ୍ତବ୍ଧ ହୋଇଯାଇଥିଲେ। ସେ ଆଶା କରିଥିଲେ ଯେ କଂଗ୍ରେସ ତାଙ୍କ ସହ ପରାମର୍ଶ କରିବା ପରେ ଏହାକୁ ପ୍ରତ୍ୟାଖ୍ୟାନ କରିବ। କିନ୍ତୁ ତାହା ହେଲା ନାହିଁ। ମାର୍ଚ୍ଚ ୧୯୪୭ ର ପ୍ରଥମ ସପ୍ତାହରେ ଅନୁଷ୍ଠିତ CWC ବୈଠକରେ କଂଗ୍ରେସ ସାମ୍ପ୍ରଦାୟିକ ଭିତ୍ତିରେ ପଞ୍ଜାବ ବିଭାଜନ ପାଇଁ ପରାମର୍ଶ ଦେଇଥିଲା। ପରେ ମାଡ୍ରାସରେ ଏକ ସାମ୍ବାଦିକ ସମ୍ମିଳନୀରେ ଜେ.ବି. କୃପାଳନୀ ସୂଚନା ଦେଇଥିଲେ ଯେ ସମାନ ନୀତି ବଙ୍ଗଳା ପାଇଁ ମଧ୍ୟ ପ୍ରଯୁଜ୍ୟ ହୋଇପାରେ।
ଏହି ଖବରରେ ବିଚଳିତ ହୋଇ ଗାନ୍ଧୀ ନେହେରୁ ଏବଂ ପଟେଲଙ୍କୁ ପ୍ରତିବାଦ ପତ୍ର ଲେଖିଥିଲେ। ମାର୍ଚ୍ଚ ୨୪ ରେ ଏହାର ଏକ ରୁକ୍ଷ ଉତ୍ତର ଆସିଥିଲା: “ଏହା ଗଭୀର ଚିନ୍ତାଧାରା ପରେ ଗ୍ରହଣ କରାଯାଇଛି। କିଛି ବି ତରବରିଆ ଭାବେ କରାଯାଇ ନାହିଁ। ଏହା ଆପଣଙ୍କୁ ବୁଝାଇବା କଷ୍ଟକର।” ପ୍ୟାରେଲାଲ କହିଥିଲେ ଯେ, ପୁରୁଣା ଦିନରେ ଏଭଳି ବ୍ୟବହାର ଅକଳ୍ପନୀ ଥିଲା।
ବିଭାଜନକୁ ରୋକିବା ପାଇଁ ଏକ ଶେଷ ପ୍ରୟାସରେ ଗାନ୍ଧୀ ଦିଲ୍ଲୀକୁ ଧାଇଁ ଯାଇ ମାର୍ଚ୍ଚ ୩୧ ରେ ମାଉଣ୍ଟବ୍ୟାଟେନଙ୍କୁ ଭେଟିଥିଲେ। ସେ ପ୍ରସ୍ତାବ ଦେଇଥିଲେ ଯେ ସମଗ୍ର ଭାରତର କ୍ଷମତା ଜିନ୍ନାଙ୍କୁ ହସ୍ତାନ୍ତର କରାଯାଉ। ନେହେରୁ ଏବଂ ପଟେଲ ଏହାକୁ ଦୃଢ଼ ଭାବରେ ବିରୋଧ କରିଥିଲେ, ଯେତେବେଳେ କି ଜିନ୍ନା ଏହାକୁ “ଗାନ୍ଧୀଙ୍କର ଏକ ଚତୁର ଚାଲ୍” କହି ପ୍ରତ୍ୟାଖ୍ୟାନ କରିଥିଲେ।
ଜୁନ୍ ୨, ୧୯୪୭ ରେ ମାଉଣ୍ଟବ୍ୟାଟେନ କଂଗ୍ରେସର ନେହେରୁ, ପଟେଲ, କୃପାଳନୀ; ଲିଗ୍ର ଜିନ୍ନା, ଲିଆକତ ଅଲି ଖାନ୍, ଏ.ଆର. ନିଶ୍ତାର ଏବଂ ଶିଖ୍ ପ୍ରତିନିଧି ବଲଦେବ ସିଂଙ୍କ ଆଗରେ ବିଭାଜନର ନୂତନ ପ୍ରସ୍ତାବ ରଖିଥିଲେ। ସମସ୍ତ ନେତା ସମ୍ମତି ପ୍ରଦାନ କରିବା ପରେ, ମାଉଣ୍ଟବ୍ୟାଟେନ “ଜୁନ୍ ୩ ପ୍ଲାନ୍” ଭାବରେ ଜଣାଶୁଣା ବିଭାଜନଯୋଜନା ଘୋଷଣା କରିଥିଲେ।
ଗାନ୍ଧୀ ସେହି ସମାନ ଦ୍ୱନ୍ଦ୍ୱର ସମ୍ମୁଖୀନ ହୋଇଥିଲେ ଯାହା ସହସ୍ର ବର୍ଷ ପୂର୍ବେ ବୁଦ୍ଧଙ୍କ କ୍ଷେତ୍ରରେ ହୋଇଥିଲା। ନିଜର କନିଷ୍ଠ ସହକର୍ମୀଙ୍କ ନିଷ୍ପତ୍ତିକୁ ସର୍ବସାଧାରଣରେ ପ୍ରତ୍ୟାଖ୍ୟାନ କରିବାକୁ ଅସମର୍ଥ ହୋଇ, ବିରୋଧ ସତ୍ତ୍ୱେ ସେ “ପରିସ୍ଥିତି”କୁ ଦାୟୀ କରିଥିଲେ। ଜୁନ୍ ୧୯୪୭ ରେ ଉତ୍ତେଜିତ କଂଗ୍ରେସ ନେତାମାନଙ୍କ ସମ୍ମୁଖରେ ସେ ଯୁକ୍ତି ବାଢ଼ିଥିଲେ, “କେବେ କେବେ କିଛି ନିଷ୍ପତ୍ତି, ଯେତେ ଅପ୍ରୀତିକର ହେଲେ ମଧ୍ୟ, ନେବାକୁ ପଡିଥାଏ। ଅନେକ ସମୟରେ ମନ୍ଦରୁ ବି ଭଲ ଜନ୍ମ ନିଏ।”
ବିଭାଜନ ପାଇଁ ଅନୁକୂଳ “ପରିସ୍ଥିତି” ସୃଷ୍ଟି କରିବାରେ ଗାନ୍ଧୀଙ୍କ ଭୂମିକାକୁ ସମ୍ପୂର୍ଣ୍ଣ ରୂପେ ଏଡ଼ାଇ ଦିଆଯାଇପାରିବ ନାହିଁ। କିନ୍ତୁ ସେଥିପାଇଁ କେବଳ ତାଙ୍କୁ ଦାୟୀ କରାଯାଇପାରିବ କି? ଗଡ଼ସେ ସେଇଆ ଭାବିଥିଲେ, କିନ୍ତୁ ଦେଶ ଭାବିନଥିଲା। ଗଡ଼ସେ ମତ ଦେଇଥିଲେ ଯେ “ଗାନ୍ଧୀଙ୍କ ଅନୁପସ୍ଥିତିରେ” ଭାରତୀୟ ରାଜନୀତି ନିଶ୍ଚିତ ଭାବରେ ଭଲ ହେବ। ସେ ଭୁଲ ପ୍ରମାଣିତ ହେଲେ। ଭାରତ ଏକ ଜୀବନ୍ତ ଗଣତନ୍ତ୍ରରେ ପରିଣତ ହେଲା, ଗାନ୍ଧୀଙ୍କ ଅନୁପସ୍ଥିତିରେ ନୁହେଁ, ବରଂ ତାଙ୍କର ଚିରନ୍ତନ ଉପସ୍ଥିତି ମାଧ୍ୟମରେ।(ଶେଷ)
ଉଦାହରଣ -୨
ଏହା ମଧ୍ୟ ତା୩୧.୦୧.୨୦୨୬ରିଖର The Indian Express ରେ ପ୍ରକାଶିତ “Gandhi Prayer matrers more than ever ” ଶୀର୍ଷକ ଲେଖାଟିଏର ଓଡ଼ିଆଭାଷାରେ ଅନୁବାଦିତ ପାଠ।
“AHIMSA CONVERSATIONS” ନାମକ ଗୋଟିଏ YOU TUBE CHANNELର ପ୍ରତିଷ୍ଠାତ୍ରୀ ଶ୍ରୀମତୀ ରଜନୀ ବକ୍ସି ଏହାର ଲେଖିକା।
ଓଡ଼ିଆଭାଷାରେ ଅନୁବାଦିତ ପାଠ-୧୯୪୮ ମସିହା ଜାନୁଆରୀ ୩୦ ତାରିଖ ସକାଳେ, ଜଣେ ଆମେରିକୀୟ ସାମ୍ବାଦିକା ତଥା ଫଟୋଗ୍ରାଫର ମହାତ୍ମା ଗାନ୍ଧୀଙ୍କ ସାକ୍ଷାତକାର ନେବାକୁ ଆସିଥିଲେ। ମାର୍ଗାରେଟ୍ ବୋର୍ଡ-ହ୍ୱାଇଟ୍ ତାଙ୍କୁ ପଚାରିଥିଲେ, “ପରମାଣୁ ବୋମା ଆବିଷ୍କାର ପରେ, ଅହିଂସା କଣ ଏବେ ଅପ୍ରାସଙ୍ଗିକ ହୋଇଯାଇ ନାହିଁ?” ଏହାର ଉତ୍ତରରେ ଗାନ୍ଧୀ କହିଥିଲେ, “ଠିକ୍ ଓଲଟା, ଅହିଂସା ହିଁ ଏବେ ଏହି କ୍ଷେତ୍ରରେ ଏକମାତ୍ର ବିକଳ୍ପ ଭାବେ ବାକି ରହିଛି।” ବୋର୍ଡ-ହ୍ୱାଇଟ୍ ଗାନ୍ଧୀଙ୍କୁ ପୁନଃଶ୍ଚ ପଚାରିଥିଲେ ଯେ “ଯଦି ଗୋଟିଏ ପରମାଣୁ ବୋମା ତାଙ୍କ ଉପରେ ପଡ଼ିବାକୁ ଯାଉଥାଏ, ତେବେ ସେ କ’ଣ କରିବେ? ” ଗାନ୍ଧୀ ଏହାର ଉତ୍ତର ଦେଇଥିଲେ ଯେ “ସେ ନିଶ୍ଚିତ ଭାବେ କୌଣସି ବୋମା ଆଶ୍ରୟସ୍ଥଳ (shelter) ଆଡକୁ ଦୌଡ଼ିବେ ନାହିଁ — ବରଂ ସେ ବାହାରକୁ ଯାଇ ଆକାଶକୁ ଚାହିଁବେ ଏବଂ ସେହି ବିମାନର ପାଇଲଟ୍ଙ୍କ ଆତ୍ମା ପାଇଁ ପ୍ରାର୍ଥନା କରିବେ।”
ଏହି କାହାଣୀ କିଛି ଲୋକଙ୍କୁ ବିରକ୍ତ କରିଥାଏ। ଏକ ପକ୍ଷ ଏହାକୁ ପ୍ରମାଣ ଭାବରେ ଗ୍ରହଣ କରନ୍ତି ଯେ “ଗାନ୍ଧୀ ଅହିଂସାକୁ ଅତି ଚରମ ସୀମାରେ ରଖି ଏହାକୁ ସାଧାରଣରେ ଅପହଞ୍ଚ କରିଦେଇଛନ୍ତି।” ଶୁଦ୍ଧ ବସ୍ତୁବାଦୀମାନଙ୍କ ପାଇଁ ଏହା ହାସ୍ୟାସ୍ପଦ, କାରଣ ସେମାନେ ପ୍ରାର୍ଥନାର ଜଗତ ବିଷୟରେ ଜାଣନ୍ତି ନାହିଁ ବା ସେଠାରେ ପହଞ୍ଚିପାରନ୍ତି ନାହିଁ। ଯଦି ଆପଣ ବସ୍ତୁବାଦୀମାନଙ୍କ ପ୍ରତି ସହାନୁଭୂତିଶୀଳ, ତେବେ ୩୦ ଜାନୁଆରୀ ୧୯୪୮ର ଘଟଣାଗୁଡ଼ିକୁ ଆପଣଙ୍କ ସପକ୍ଷରେ ଏକ ନିର୍ଣ୍ଣାୟକ ପ୍ରମାଣ ଭାବରେ ଦାବି କରାଯାଇପାରେ। ନଥୁରାମ ଗଡସେ ଅତି ନିକଟରୁ ପିସ୍ତଲ ଚଲାଇଲେ ଏବଂ ଗାନ୍ଧୀଙ୍କର ମୃତ୍ୟୁହେଲା। ସେମାନେ କହିପାରନ୍ତି ଯେ ମୃତ୍ୟୁ ପୂର୍ବରୁ ଗାନ୍ଧୀ “ହେ ରାମ” କହିବାରେ କ’ଣ ପାର୍ଥକ୍ୟ ପଡ଼ିଲା? ଆମର ଏହି ଯୁଗପୁରୁଷ ଦୂରଦ୍ରଷ୍ଟାଙ୍କ ଆନୁଷ୍ଠାନିକ ସ୍ମୃତିସ୍ତମ୍ଭରେ ସେହି ଶବ୍ଦଗୁଡ଼ିକ ଖୋଦିତ ହୋଇଛି। ଆମର ପୂର୍ବପୁରୁଷମାନେ, ଯେଉଁମାନେ ଏହି ଶିଳାଲେଖକୁ ସୁନିଶ୍ଚିତ କରିଥିଲେ, ସେମାନେ ବୋର୍ଡ-ହ୍ୱାଇଟ୍ଙ୍କୁ ଦେଇଥିବା ଗାନ୍ଧୀଜୀଙ୍କ ଉତ୍ତରରେ ବିରକ୍ତ ହୋଇନଥିଲେ।
ଆଜି ଏହାର ମହତ୍ତ୍ୱ କ’ଣ? ଏହି ଶିଳାଲେଖ ଆମଠାରୁ ପ୍ରଥମ ଦାବି କରେ ଯେ ଆମେ “ମେରେ ରାମ” (ମୋର ରାମ) କିମ୍ବା “ତେରେ ରାମ” (ତୁମର ରାମ) ବିବାଦରୁ ଊର୍ଦ୍ଧ୍ୱକୁ ଉଠିବା। ହଁ, ତୁଳସୀଦାସଙ୍କ “ସିୟାବର ରାମଚନ୍ଦ୍ର”କୁ ଏକ ପକ୍ଷପାତମୂଳକ ରାଜନୀତିର ହତିଆର ଭାବରେ ଗ୍ରହଣ କରାଯାଇଛି। ତଥାପି ଏହା ସେହି ଆତ୍ମା ବା ‘ଭାବ’କୁ ବଦଳାଇ ପାରିବ ନାହିଁ, ଯାହା ଗାନ୍ଧୀଙ୍କ ଶେଷ ନିଶ୍ୱାସରେ ଥିଲା।
ଦ୍ୱିତୀୟ ଆହ୍ୱାନ ହେଉଛି ସେହି ଗଭୀର ଜୀବନ୍ତ ଅନୁଭୂତିକୁ ମନେ ପକାଇବା ଯାହା ଗାନ୍ଧୀ ଅନୁପ୍ରାଣିତ କରିଥିଲେ। ଏହି କାରଣରୁ ହିଁ ଲକ୍ଷ ଲୋକ ଗାନ୍ଧୀଙ୍କ ପାଇଲଟ୍ଙ୍କ ପାଇଁ ପ୍ରାର୍ଥନା କରିବା କଥାରେ ଆଦୌ ଆଶ୍ଚର୍ଯ୍ୟ ହୋଇନଥାନ୍ତେ। ଏହି ସେହି ଲକ୍ଷ ଲକ୍ଷ ଲୋକ ଥିଲେ ଯେଉଁମାନେ ସେହି ରାତିରେ ଖାଇନଥିଲେ — କାରଣ ଗଭୀର ବ୍ୟକ୍ତିଗତ କ୍ଷତି ସମୟରେ ଏମିତି ହିଁ ହୋଇଥାଏ। ଏହି ଘଟଣାର ସବୁଠାରୁ ମର୍ମସ୍ପର୍ଶୀ ଅଭିବ୍ୟକ୍ତି ମଧ୍ୟରୁ ଗୋଟିଏ ଆମେରିକୀୟ ସାମ୍ବାଦିକ
ଭିନ୍ସେଣ୍ଟ ଶିଆନଙ୍କ ଦ୍ୱାରା ଲିପିବଦ୍ଧ ହୋଇଥିଲା। ସେ ସେହି ଟ୍ରେନ୍ରେ ଯାତ୍ରା କରିଥିଲେ ଯେଉଁଥିରେ ଗାନ୍ଧୀଜୀଙ୍କ ଭସ୍ମକୁ ସଙ୍ଗମରେ ବିସର୍ଜନ ପାଇଁ ଆଲ୍ଲାହାବାଦ ନିଆଯାଉଥିଲା। ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ପାଇଁ ପ୍ରତିଟି ଷ୍ଟେସନରେ ଭିଡ଼ ଜମିବା କୌଣସି ଆଶ୍ଚର୍ଯ୍ୟର କଥା ନଥିଲା। କିନ୍ତୁ ଯେଉଁ କଥା ଶିଆନଙ୍କୁ ଆଶ୍ଚର୍ଯ୍ୟ କରିଥିଲା, ତାହା ହେଉଛି ଷ୍ଟେସନଗୁଡ଼ିକ ମଧ୍ୟରେ ଥିବା ଖାଲି ସ୍ଥାନରେ ମଧ୍ୟ ଲୋକମାନେ ରେଳ ଧାରଣା କଡ଼ରେ ହାତ ଯୋଡ଼ି ପ୍ରାର୍ଥନା ସହ ଅପେକ୍ଷା କରିଥିଲେ।
ଆଜି ଆମେ କରିପାରୁଥିବା ସବୁଠାରୁ ସହଜ ଏବଂ ପରାଜୟବାଦୀ କାମ ହେଉଛି ଏହି ସବୁକୁ ଅନ୍ୟ ଏକ ସମୟର ମୁହୂର୍ତ୍ତ ଭାବରେ ଦେଖିବା। ଏଥିରେ ନତି ସ୍ୱୀକାର କରିବା ଆତ୍ମଘାତୀ ହେବ। ଏହାର ପରିବର୍ତ୍ତେ କାହିଁକି କିଛି ସ୍ମୃତିର ଅଂଶକୁ ଆମ ହୃଦୟର ନିକଟତର କରି ରଖିବା ନାହିଁ? ଉଦାହରଣ ସ୍ୱରୂପ, ଶିଆନ ରିପୋର୍ଟ କରିଥିଲେ ଯେ “ଯେତେବେଳେ ଗାନ୍ଧୀଜୀଙ୍କ ଭସ୍ମ ନେଇ ଯାଉଥିବା ଶୋଭାଯାତ୍ରା ଷ୍ଟେସନରୁ ସଙ୍ଗମ ଆଡକୁ ଯାଉଥିଲା, ଏହା ଏକ ଚର୍ଚ୍ଚ ଦେଇ ଗତି କରିଥିଲା। ସେଥିରୁ ଗାନ୍ଧୀଜୀଙ୍କ ପ୍ରିୟ ଭଜନ “ଲିଡ୍, କାଇଣ୍ଡଲି ଲାଇଟ୍” (Lead, Kindly Light) ର ସ୍ୱର ଭାସି ଆସୁଥିଲା। ପାଇଲଟଙ୍କ ପାଇଁ ପ୍ରାର୍ଥନା କରିବାକୁ ଆମେ ଯଥେଷ୍ଟ ବିକଶିତ ହୋଇଥାଉ ବା ନଥାଉ, ଆମ ଭିତରୁ ପ୍ରତ୍ୟେକ ବ୍ୟକ୍ତି ସେହି “କରୁଣାମୟ ଆଲୋକ” (Kindly Light) ଦ୍ୱାରା ପରିଚାଳିତ ହେବା ପାଇଁ ଚେଷ୍ଟା କରିପାରିବା।(Lead, Kindly Light) ର ସ୍ୱର ଭାସି ଆସୁଥିଲା।
“ପାଇଲଟଙ୍କ ପାଇଁ ପ୍ରାର୍ଥନା କରିବାକୁ ଆମେ ଯଥେଷ୍ଟ ଯୋଗ୍ୟ ହୋଇଥାଉ ବା ନଥାଉ, ଆମ ଭିତରୁ ପ୍ରତ୍ୟେକ ବ୍ୟକ୍ତି ସେହି “କରୁଣାମୟ ଆଲୋକ” (Kindly Light) ଦ୍ୱାରା ପରିଚାଳିତ ହେବା ପାଇଁ ଚେଷ୍ଟା କରିବା ଉଚିତ।(ଶେଷ)
ଗାନ୍ଧୀଜୀ ଦକ୍ଷିଣ ଆଫ୍ରିକାରେ ଥିବାବେଳେ, ଲିଓ ଟଲଷ୍ଟୟଙ୍କ ଲେଖା ତାଙ୍କୁ ଏଭଳି ପ୍ରଭାବିତ କରିଥିଲା ଯେ, ସେ ‘ ଟଲଷ୍ଟୟ ଫାର୍ମ’ ନାମକ ଗୋଟିଏ କୃଷିକ୍ଷେତ୍ର ଆରମ୍ଭ କରିଥିଲେ। ସେହି ଦୁଇଜଣ ପରସ୍ପରକୁ ଭେଟିନଥିଲେ ମଧ୍ୟ, ସେମାନଙ୍କ ଭିତରେ ଚିଠି ଦିଆନିଆ ହୋଇଥିଲା। ଟଲଷ୍ଟୟଙ୍କର ଗାନ୍ଧିଜୀଙ୍କୁ ‘ ଜଣେ ହିନ୍ଦୁଙ୍କୁ ପତ୍ରଟିଏ’ ଶୀର୍ଷକ ଚିଠିଟିଏରେ
‘ଅହିଂସା ଉପାୟରେ ପ୍ରତିରୋଧ’ ଭଳି ଉପଦେଶ ଗାନ୍ଧୀଙ୍କୁ ଏଭଳି ପ୍ରଭାବିତ କରିଥିଲା ଯେ, ଗାନ୍ଧୀଙ୍କର ସମଗ୍ର ଆନ୍ଦୋଳନ ଅହିଂସା ଉପରେ ହିଁ ପର୍ଯ୍ୟବେସିତ ହୋଇଥିଲା।
ସେହି ଗାନ୍ଧିଜୀ ‘ ଯୁଦ୍ଧ’ ବାବଦରେ କହିଥିଲେ, ‘ ଅନୈତିକ କାର୍ଯ୍ୟକଳାପ ପ୍ରତିବାଦରେ ସ୍ୱର ଉତ୍ତୋଳନ କରାଯିବାର ଆବଶ୍ୟକତା ରହିଛି, ଯୁଦ୍ଧ ବ୍ୟକ୍ତିଗତ ସ୍ୱାର୍ଥ ସାଧନ ଉଦ୍ଦେଶ୍ୟରେ କରାଯିବା ଉଚିତ ନୁହେଁ, ହିଂସା ପାଇଁ ସେହି ଦାୟୀ, ଯିଏ ଏହାକୁ ଆରମ୍ଭ କରନ୍ତି।’
ଯେଉଁ ମହାନ ବୈଜ୍ଞାନିକ ଆଇନଷ୍ଟାଇନ ଗାନ୍ଧିଜୀଙ୍କ ବାବଦରେ କହିଥିଲେ ଯେ ‘ ହୁଏତ ଭବିଷ୍ୟତର ପିଢ଼ି (ଲୋକେ) ବିଶ୍ୱାସ କରିବେ ନାହିଁ ଯେ କେବେ ଧରାପୃଷ୍ଠରେ ଗାନ୍ଧିଜୀଙ୍କ ଭଳି କେହିଜଣେ ବ୍ୟକ୍ତି ବିଚରଣ କରିଥିଲେ ‘, ସେହି ଆଇନଷ୍ଟାଇନ ମହାଶୟ ଯୁଦ୍ଧ ବାବଦରେ କହିଥିଲେ ‘ ତୃତୀୟ ବିଶ୍ୱଯୁଧ୍ୟ କେଉଁ ଅସ୍ତ୍ରଶସ୍ତ୍ରରେ ଲଢାଯିବ, ତାହା ମୁଁ (ଆଇନଷ୍ଟାଇନ)କହିପାରିବି ନାହିଁ, କିନ୍ତୁ ଯଦି ଏହା ହୁଏ, ତେବେ ଚତୁର୍ଥ ବିଶ୍ୱଯୁଧ୍ୟ ଯେ ଟେକା ପଥରରେ ଲଢାଯିବ, ସେ ବାବଦରେ ମୁଁ (ଆଇନଷ୍ଟାଇନ) ନିଶ୍ଚିତ’, ଅର୍ଥାତ ‘ତୃତୀୟ ବିଶ୍ଵଯୁଦ୍ଧହେଲେ ତାହା ଆମ ସଭ୍ୟତାକୁ ପ୍ରସ୍ତରଯୁଗକୁ ନେଇଯିବ’।
ତେବେ, ଏହି ଲେଖାର ଉପରେ ବର୍ଣିତ ଓଡ଼ିଆ ସାମ୍ବାଦିକଙ୍କ ଲେଖା ଉପରେ ୧୨୦ ଟିପ୍ପଣୀ/ମନ୍ତବ୍ୟରୁ ପାଖାପାଖି ୧୦୦ ଗାନ୍ଧୀଙ୍କ ପ୍ରତି କଟ୍ଟର ଗାଳିଫଜିତ , କୁତ୍ସାରଟନା ଉପରେ ଆଧାରିତ ରହିଥିବା ପରିପ୍ରେକ୍ଷୀରେ,
“ଏଭଳି ଲେଖିଥିବା- ବନାମ- ଦେଶ ଓ ବିଦେଶରେ ଗାନ୍ଧୀଙ୍କ ପ୍ରଶଂସା ଗାନ କରୁଥିବା ମୋଦିଜୀ, IDEOLOGUE ଶ୍ରୀ ରାମ ମାଧବଜୀ ତଥା ଶ୍ରୀମତୀ ବକ୍ସି”ଙ୍କୁ ଭିତରୁ “ଦଣ୍ଡିଖିରି ମାଛ କିଏ ଓ ବଡ଼ ମାଛ କିଏ”,
ତାହାର ଆକଳନ କିଏ ଅବା କରିପାରିବେ?
ବର୍ତ୍ତମାନର ପୃଥିବୀରେ ଯୁଦ୍ଧର ଘୋର ଘନଘଟା ଅବସ୍ଥାରେ କିନ୍ତୁ ଗାନ୍ଧିଜୀଙ୍କ ଅବର୍ତ୍ତମାନରେ ମାନବ ସମାଜର ସୁରକ୍ଷାପାଇଁ ଆଉ କେହି ଅଛନ୍ତି କି?
Just Asking to Know.
(ଉପରେଥିବା ଫଟୋକୁ ଛୁଇଁଦେଇ ସଂପୂର୍ଣ୍ଣଋପେ ଦେଖିବାକୁ ଅନୁରୋଧ)












Leave a Reply