Spread the love

ଜୁଲାଇ ୧୦ରେ ପଠାଣି ସାମନ୍ତ ଗଣିତ ମେଧାବୃତ୍ତି ପରୀକ୍ଷା

ପ୍ରାଥମିକ ଓ ମାଧ୍ୟମିକ ଶିକ୍ଷା ବେଳେ ଗଣିତ ପ୍ରତି ଛାତ୍ରଛାତ୍ରୀ କିପରି ଅଧିକ ଆକୃଷ୍ଟ ହେବେ ସେଥିଲାଗି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ପଠାଣି ସାମନ୍ତ ଗଣିତ ମେଧାବୃତ୍ତି ପରୀକ୍ଷା ପ୍ରତିବର୍ଷ ଆୟୋଜନର ବ୍ୟବସ୍ଥା ରହିଛି । ଏହି ପରୀକ୍ଷାରେ ପ୍ରାଥମିକ ବିଦ୍ୟାଳୟ ସ୍ତରରେ ଷଷ୍ଠ ଶ୍ରେଣୀ ଏବଂ ହାଇସ୍କୁଲ୍ ସ୍ତରରେ ନବମ ଶ୍ରେଣୀ ଛାତ୍ରାଛାତ୍ରୀଙ୍କ ଲାଗି ସୁଯୋଗ ରହିଛି ।

ଏହି ପରୀକ୍ଷା ଆୟୋଜନ ବ୍ୟବସ୍ଥାରେ ବିଦ୍ୟାଳୟ ଏବଂ ଗଣଶିକ୍ଷା ବିଭାଗର ଅଧିକାରୀଙ୍କ ସ୍ତରରେ ସମନ୍ୱୟ ରହି ପାରୁନଥିବାରୁ ବିଳମ୍ବ ହେଉଥିବା ଚର୍ଚ୍ଚା ହେଉଛି ।

ବିଡ଼ମ୍ବନାର ବିଷୟ, ପ୍ରତି ଶିକ୍ଷା ବର୍ଷରେ ଏହି ପରୀକ୍ଷା ଜାନୁଆରୀରୁ ଫେବ୍ରୁଆରୀ ମଧ୍ୟରେ ହେଉଥିବା ବେଳେ ଗତବର୍ଷ ୨୦୨୩ର ମେଧାବୃତ୍ତି ପରୀକ୍ଷା ଅଦ୍ୟାବଧି ହୋଇପାରିନାହିଁ । ଉକ୍ତ ପରୀକ୍ଷା ଆସନ୍ତା ଜୁଲାଇ ୧୦ରେ ହେବ ବୋଲି ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ)ପକ୍ଷରୁ ସମୟ ଧାର୍ଯ୍ୟ ହୋଇଛି । ଏହି ପରୀକ୍ଷାରେ ବ୍ୟତିକ୍ରମ ହେଉଛି, ୨୦୨୩ ଗଣିତ ମେଧାବୃତ୍ତି ପରୀକ୍ଷା ଲାଗି ଗତ ନଭେମ୍ବରରେ ଫର୍ମ ପୂରଣ କରିଥିବା ଷଷ୍ଠ ଓ ନବମ ଶ୍ରେଣୀ ଛାତ୍ରଛାତ୍ରୀ ଏବେ ସପ୍ତମ ଏବଂ ଦଶମରେ ଅଧ୍ୟୟନ କଲେଣି । ପରୀକ୍ଷା ସମୟ ପ୍ରାୟ ୬ ମାସ ଅତିକ୍ରାନ୍ତ କରିଯିବା ପରେ ଶ୍ରେଣୀ ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରଛାତ୍ରୀ ପିଛିଲା ବର୍ଷର ଗଣିତ ପରୀକ୍ଷା ଦେବାକୁ ନେଇ ଏବେ ଦ୍ୱନ୍ଦ୍ୱରେ । ଏହାକୁ ନେଇ ଅଭିଭାବକ, ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟିତ୍ରୀମାନେ ମଧ୍ୟ ଅସନ୍ତୋଷ ପ୍ରକାଶ କରିଛନ୍ତି ।

ଓଏସ୍ଏସ୍ଟିଇଟି, ଓଟିଇଟି, ଆଦର୍ଶ ବିଦ୍ୟାଳୟ ପ୍ରବେଶିକା ପରୀକ୍ଷା, ଓଡ଼ିଆ ଭାଷା ଏକକ ପରୀକ୍ଷା ସହ ପଠାଣି ସାମନ୍ତ ଗଣିତ ମେଧାବୃତ୍ତି ପରୀକ୍ଷା ଆଦି ଏକାଧିକ ପରୀକ୍ଷା ପରିଚାଳନା ଦାୟିତ୍ୱ ବୋର୍ଡ ତୁଲାଉଛି । ଅନ୍ୟ ସବୁ ପରୀକ୍ଷା ପାଇଁ କର୍ତ୍ତୃପକ୍ଷ ନିଜେ ପ୍ରଶ୍ନ ପ୍ରସ୍ତୁତ କରୁଥିଲେ ହେଁ ପଠାଣି ସାମନ୍ତ ଗଣିତ ମେଧାବୃତ୍ତି ପରୀକ୍ଷା ପରିଚାଳନା ଲାଗି ଅନ୍ୟ ସଂସ୍ଥା (ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମାଥ୍ମେଟିକ୍ସ) ପ୍ରଶ୍ନ କରୁଛି । ଉକ୍ତ ସଂସ୍ଥା ପ୍ରଶ୍ନ ପ୍ରସ୍ତୁତ କରି ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶାଳୟକୁ ପଠାଇଥାଏ । ନିର୍ଦ୍ଦେଶାଳୟ ପ୍ରଶ୍ନଗୁଡ଼ିକୁ ବୋର୍ଡ ପାଖକୁ ପଠାଇବା ପରେ ବୋର୍ଡ କର୍ତ୍ତୃପକ୍ଷ ପ୍ରଶ୍ନପତ୍ର ଛପାଇ ପରୀକ୍ଷା ଆୟୋଜନ କରାଇଥାନ୍ତି । ବିଭାଗରୁ ବିଭାଗ ପ୍ରଶ୍ନ ହସ୍ତାନ୍ତର ହୋଇ ତାହା ଛପା ଯାଇ ପରୀକ୍ଷା ହେଲା ବେଳକୁ ବିଳମ୍ବ ହେଉଛି ବୋଲି ଗଣଶିକ୍ଷା ବିଭାଗର ଜଣେ ଅଧିକାରୀ କହିଛନ୍ତି।

Related Post

Leave a Reply

Your email address will not be published. Required fields are marked *

You Missed