ବିଜେପି ଓବିସି ମୋର୍ଚ୍ଚାର ନୂତନ ରାଜ୍ୟ ସଭାପତିଙ୍କୁ ସମ୍ବର୍ଦ୍ଧନା,ଓବିସି ବର୍ଗର ସାମଗ୍ରିକ ବିକାଶ ପାଇଁ କାର୍ଯ୍ୟ ତ୍ୱରାନ୍ୱିତ ହେବ- ପ୍ରଦ୍ୟୁମ୍ନ କୁମାର ନାୟକ

Spread the love

ବିଜେପି ଓବିସି ମୋର୍ଚ୍ଚାର ନୂତନ ରାଜ୍ୟ ସଭାପତିଙ୍କୁ ସମ୍ବର୍ଦ୍ଧନା
ଓବିସି ବର୍ଗର ସାମଗ୍ରିକ ବିକାଶ ପାଇଁ କାର୍ଯ୍ୟ ତ୍ୱରାନ୍ୱିତ ହେବ: ପ୍ରଦ୍ୟୁମ୍ନ କୁମାର ନାୟକ
 ସଂଗଠନକୁ ମଜ୍‌ଭୁତ କରିବା ଏବଂ ଓବିସି ବର୍ଗଙ୍କୁ ସାମ୍ବିଧାନିକ ଅଧିକାର ଦେବା ପ୍ରାଥମିକତା ହେବ
ଭୁବନେଶ୍ୱର, ତା.୨୦/୦୧: ଦର୍ଶନ ସମୀକ୍ଷା

ସରକାର ଗଠନରେ ଓବିସି ମୋର୍ଚ୍ଚାର ଭୂମିକା ଗୁରୁତ୍ୱପୂର୍ଣ୍ଣ । ଏହି ମୋର୍ଚ୍ଚା ଅନେକ ସାଂସଦ ଓ ବିଧାୟକ ତିଆରି କରିଛି । ପ୍ରକୃତରେ ଆମ ଜନସଂଖ୍ୟା ଯାହା ରହିଛି, ସେହି ତୁଳନାରେ ଓବିିସି ବର୍ଗ ଆଜି ପଛୁଆ ରହିଛି । ଏଥିସହ ସାମ୍ବିଧାନିକ ଅଧିକାରରୁ ବଂଚିତ ରହିଛି । ଓବିସି ବର୍ଗର ସାମଗ୍ରିକ ବିକାଶ ପାଇଁ ଯେଉଁ ଲକ୍ଷ୍ୟ ରହିଛି, ତାହାକୁ ପୂରଣ କରିବା ପାଇଁ ସମସ୍ତଙ୍କ ସହଯୋଗ ଜରୁରୀ ବୋଲି ଓବିସି ମୋର୍ଚ୍ଚା ରାଜ୍ୟ ସଭାପତି ତଥା ବିଧାୟକ ଶ୍ରୀ ପ୍ରଦ୍ୟୁମ୍ନ କୁମାର ନାୟକ କହିଛନ୍ତି ।

ବିଜେପି ଓବିସି ମୋର୍ଚ୍ଚାର ନୂତନ ରାଜ୍ୟ ସଭାପତି ଶ୍ରୀ ନାୟକଙ୍କୁ ଆଜି ରାଜ୍ୟ କାର୍ଯ୍ୟାଳୟରେ ସମ୍ବର୍ଦ୍ଧନା ଦିଆଯାଇଥିଲା । ଏହି ଅବସରରେ ଶ୍ରୀ ନାୟକ କହିଛନ୍ତି ଯେ, ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଏହି ବର୍ଗର ଉନ୍ନତି ପାଇଁ ଅହରହ ପ୍ରୟାସ କରୁଛନ୍ତି । ଓବିସି ମୋର୍ଚ୍ଚାର ଯେଉଁ ସବୁ ଦାବି ରହିଛି, ତାହା କିପରି ବିଧାନସଭା ଓ ଦିଲ୍ଲୀ ଦରବାରରେ ପହଂଚିବ ସେଥିପାଇଁ ଆମ ସମସ୍ତଙ୍କୁ କାର୍ଯ୍ୟ କରିବାକୁ ପଡ଼ିବ । ଓଡ଼ିଶାର କୋଣ ଅନୁକୋଣରେ ଅବହେଳିତ ଅବସ୍ଥାରେ ଥିବା ପଛୁଆ ବର୍ଗର ଲୋକଙ୍କ ସହ ସମ୍ପର୍କ ସ୍ଥାପନ କରି ସେମାନଙ୍କ ବିକାଶ ପାଇଁ କାର୍ଯ୍ୟ କରିବ ଓବିସି ମୋର୍ଚ୍ଚା । ସମସ୍ତଙ୍କୁ ଏକଜୁଟ୍ କରି ସଂଗଠନକୁ ମଜ୍‌ଭୁତ କରିବା ଆମର ପ୍ରାଥମିକତା ହେବ । ଦଳ ଯେଉଁ ଗୁରୁଦାୟିତ୍ୱ ଦେଇଛି ତାହାର ସଫଳ ରୂପାୟନ ପାଇଁ ପ୍ରୟାସ କରାଯିବ ବୋଲି ଶ୍ରୀ ନାୟକ କହିଛନ୍ତି ।
ଓବିସି ମୋର୍ଚ୍ଚାର ପୂର୍ବତନ ରାଜ୍ୟ ସଭାପତି ଶ୍ରୀ ସୁରଥ ବିଶ୍ୱାଳ କହିଥିଲେ ଯେ, ଭାରତୀୟ ଜନତା ପାର୍ଟି ଓବିସି ମୋର୍ଚ୍ଚା ଗଠନ କରିବା ପରଠାରୁ ଏହି ସଂଗଠନ ରାଜ୍ୟର ବିଭିନ୍ନ ଓବିସି ବର୍ଗର ମୁଖିଆଙ୍କୁ ଭେଟି ସାମାଜିକ ନ୍ୟାୟ ପାଇଁ ଅନେକ କାର୍ଯ୍ୟକ୍ରମ ଓ ଆନ୍ଦୋଳନ କରିଛି । ତତ୍କାଳୀନ ସରକାର ଓବିସିଙ୍କ ପ୍ରତି ଅନେକ ଅବହେଳା କରିଥିଲା । ପୌର ଓ ପଂଚାୟତ ନିର୍ବାଚନରୁ ଓବିସିଙ୍କୁ ବଂଚିତ କରିବା ସହ ଶିକ୍ଷା ଓ ଚାକିରୀ କ୍ଷେତ୍ରରେ ମଧ୍ୟ ସଂରକ୍ଷଣ ଦେଇ ନ ଥିଲା । ଓଡ଼ିଶାରେ ବିଜେପି ସରକାର ଆସିବା ପରେ ଓବିସି ବର୍ଗଙ୍କ ପାଇଁ ଶିକ୍ଷା କ୍ଷେତ୍ରରେ ସଂରକ୍ଷଣ ବ୍ୟବସ୍ଥା କରିଛନ୍ତି । ଓବିସି ବର୍ଗଙ୍କ ସାମ୍ବିଧାନିକ ଅଧିକାର ପାଇଁ ଏଭଳି ପ୍ରୟାସ ଆଗାମୀ ଦିନରେ ମଧ୍ୟ ଜାରି ରହିବ ବୋଲି ଶ୍ରୀ ବିଶ୍ୱାଳ କହିଛନ୍ତି । ଏହି ଅବସରରେ ମୋର୍ଚ୍ଚାର ନୂତନ ଓ ପୂବର୍ତନ ସଭାପତିଙ୍କୁ ଉତରୀୟ ଓ ପୁଷ୍ପଗୁଚ୍ଛ ପ୍ରଦାନ କରି ସମ୍ବର୍ଦ୍ଧନା ଦିଆଯାଇଥିଲା ।
ମୋର୍ଚ୍ଚା ରାଜ୍ୟ ସାଧାରଣ ସମ୍ପାଦକ ଇଂ. ଜ୍ଞାନେନ୍ଦ୍ର ସ୍ୱାଇଁ ମୋର୍ଚ୍ଚାର ବିଗତ ୫ ବର୍ଷର ବିବରଣୀ ପ୍ରଦାନ କରିବା ସହ ସଭା ସଂଚାଳନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଓବିସି ମୋର୍ଚ୍ଚା ଜାତୀୟ କାର୍ଯ୍ୟକାରିଣୀ ସଦସ୍ୟ ଶ୍ରୀ ଦୁଷ୍ମନ୍ତ ଦାସ, ପୂର୍ବତନ ରାଜ୍ୟ ଉପସଭାପତି ଶ୍ରୀ ସୁବାସ ଜେନା, କଟକ ଜିଲ୍ଲା ସଭାପତି ଶ୍ରୀ ସୁକାନ୍ତ ବିଶ୍ୱାଳଙ୍କ ସମେତ ମୋର୍ଚ୍ଚାର ରାଜ୍ୟ ପଦାଧିକାରୀ ଓ ଜିଲ୍ଲା ସଭାପତିମାନେ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *