ରାଜ୍ୟରେ ବିନା ହେଲ୍ମେଟ୍ରେ ଗାଡ଼ି ଚାଳନା, ବର୍ଷକରେ ଗଲାଣି ୧୭୬୯ ଜଣଙ୍କ ଜୀବନ
ରାଜ୍ୟରେ ବିନା ହେଲମେଟ୍ରେ ଗାଡ଼ିଚାଳନା ଏକ ଗୁରୁତର ବ୍ୟାଧିରେ ପରିଣତ ହୋଇଛି ଏବଂ ଏଥିଯୋଗୁଁ ପ୍ରତିବର୍ଷ ହଜାର ହଜାର ଜୀବନ ଯାଉଛି। କେବଳ ୨୦୨୩ରେ ରାଜ୍ୟରେ ବିନା ହେଲମେଟ୍ରେ ଗାଡ଼ିଚାଳନା ଯୋଗୁ ୪୮୫୨ଟି ଛୋଟ ଓ ବଡ଼ ଦୁର୍ଘଟଣା ଘଟିଛି। ଏଥିରେ ୧୭୬୯ଜଣ ପ୍ରାଣ ହରାଇଛନ୍ତି। ହେଲମେଟ୍ ନ ପିନ୍ଧିବା ଯୋଗୁଁ ଦୁର୍ଘଟଣାରେ ଗାଡ଼ି ଚାଳକ ପ୍ରାଣ ହରାଇଛନ୍ତି।
ରାଜ୍ୟରେ ବାଇକ୍ ଚାଳକ ହୁଅନ୍ତୁ କିମ୍ବା ବାଇକ ପଛରେ ବସୁଥିବା ବ୍ୟକ୍ତି; ହେଲମେଟ୍ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି। ନିୟମ ଭାଙ୍ଗି ବିନା ହେଲମେଟ୍ରେ ଗାଡ଼ି ଚଳାଉଥିବା ଚାଳକଙ୍କ ଉପରେ ମୋଟା ଅଙ୍କର ଜରିମାନା କଷୁଛି ପୁଲିସ ଓ ପରିବହନ ବିଭାଗ। ତଥାପି କିଛି ଅମାନିଆ ଚାଳକ ବିନା ହେଲମେଟ୍ରେ ଗାଡ଼ି ଚାଳନା କରୁଛନ୍ତି ଓ ଦୁର୍ଘଟଣାର ଶିକାର ହୋଇ ପ୍ରାଣ ହରାଉଛନ୍ତି।
ଅନେକ କ୍ଷେତ୍ରରେ ଦୁର୍ଘଟଣା ଘଟିବା ପରେ ଦେଖାଯାଉଛି ଯେ ବିନା ହେଲମେଟରେ ଗାଡ଼ି ଚଳାଉଥିବା ଓ ବସୁଥିବା ଲୋକଙ୍କ ମୁଣ୍ଡ କିମ୍ବା ମୁହଁରେ ଗଭୀର ଆଘାତ ଲାଗିଛି। ଘଟଣାସ୍ଥଳରେ କିଛି ଚାଳକଙ୍କ ମୃତ୍ୟୁ ହୋଇଥିବା ବେଳେ ଆଉ କିଛି ଚିକିତ୍ସାଧୀନ ଅବସ୍ଥାରେ ହସ୍ପିଟାଲରେ ପ୍ରାଣ ହରାଇଛନ୍ତି। ଅନୁରୂପ ଭାବେ ବାଇକ୍ ପଛରେ ବସୁଥିବା ଆରୋହୀମାନେ ମଧ୍ୟ ହେଲମେଟ ନ ପିନ୍ଧିବା ଯୋଗୁଁ ପ୍ରାଣ ହରାଉଛନ୍ତି।
ସେହିପରି ବାଇକ ଚାଳକମାନେ ନିଜର ସୁରକ୍ଷା ପାଇଁ ପିନ୍ଧୁଥିବା ହେଲମେଟ୍ରେ ବ୍ୟୁରୋ ଅଫ୍ ଇଣ୍ଡିଆନ୍ ଷ୍ଟାଣ୍ଡାର୍ଡର ଆଇଏସ୍ଆଇ ମାର୍କ ରହିବା ବାଧ୍ୟତାମୂଳକ କରାଯାଇଥିଲା। ଆଇଏସ୍ଆଇ ମାର୍କ ହେଲମେଟ ବ୍ୟବହାର ଉପରେ ଗୁରୁତ୍ୱ ଦିଆଯାଇଥିଲା; କିନ୍ତୁ ଆଇଏସ୍ଆଇ ମାର୍କ ଥିବା ହେଲମେଟ୍ ଦାମ୍ ଅଧିକ ଥିବାରୁ ବଜାରରେ ମିଳୁଥିବା ନିମ୍ନମାନର ହେଲମେଟ୍ କିଣୁଛନ୍ତି ବାଇକ୍ ଆରୋହୀ। ଯାହା ଆତ୍ମଘାତୀ ପାଲଟିଛି।
ସାମାଜିକ ଗଣମାଧ୍ୟମରେ ଏସ୍ଟିଏ ପକ୍ଷରୁ କୁହାଯାଇଛି ଯେ ଦୁଇ ଚକିଆରେ ଯିବା ବେଳେ ଉଭୟ ଚାଳକ ଓ ଆରୋହୀ ହେଲମେଟ୍ ପିନ୍ଧିବା ଆବଶ୍ୟକ। ଏହା କେବଳ ଜରିମାନାରୁ ବଞ୍ଚିବା ପାଇଁ ନୁହେଁ, ଜୀବନ ବଞ୍ଚାଇବା ପାଇଁ ମଧ୍ୟ। ଦୁର୍ଘଟଣା ଅଚାନକ ଆସେ, କାହାକୁ ଆଗୁଆ ସୂଚନା ଦେଇ ନୁହେଁ। ତେଣୁ ନିଜ ଅମୂଲ୍ୟ ଜୀବନକୁ ନିଜ ଅବହେଳାରୁ ବିପଦରେ ପକାନ୍ତୁ ନାହିଁ।