ଗଜପତିରେ ଅଜଣା ବନ୍ୟଜନ୍ତୁର ଆତଙ୍କ….. ରାତି ଅଧରେ 11 ଗୋଟି ଛେଳିକୁ ଶିକାର କରି ଖାଇଦେଲା

Spread the love

ଗଜପତିରେ ଅଜଣା ବନ୍ୟଜନ୍ତୁର ଆତଙ୍କ….. ରାତି ଅଧରେ 11 ଗୋଟି ଛେଳିକୁ ଶିକାର କରି ଖାଇଦେଲା ପାରଳାଖେମୁଣ୍ଡି, 8/1(ତାରିଣୀ ପ୍ରସାଦ ପଣ୍ଡା ): ଦର୍ଶନସମୀକ୍ଷା

ଗଜପତି ଜିଲ୍ଲାର କାଶୀନଗର ବ୍ଲକରେ ଅଜଣା ବନ୍ୟଜନ୍ତୁର ଉପଦ୍ରବ ନେଇ ସାଧାରଣରେ ଆତଙ୍କ ପ୍ରକାଶ ପାଇଛି. କାଶୀନଗର ବ୍ଲକର ବୁଦୁରା ପଞ୍ଚାୟତର କିତିଙ୍ଗି ଗ୍ରାମରେ କୌଣସି ଅଜଣା ବନ୍ୟଜନ୍ତୁର ଆକ୍ରମଣରେ 11 ଗୋଟି ଛେଳିର ମୃତ୍ୟୁ ହୋଇଥିବା ବେଳେ 4 ଗୋଟି ମେଣ୍ଢା ରକ୍ତାତ ଆକ୍ରମଣରେ ଆହତ ହୋଇଛନ୍ତି. କିତିଙ୍ଗି ଗ୍ରାମର ଏମ. ଭାସ୍କର ରାଓ, ଏ. ଧର୍ମରାଓ, କୃଷ୍ଣ ୟାଦବଙ୍କ ପାଳିତ 11 ଗୋଟି ଛେଳି କୌଣସି ଅଜଣା ବନ୍ୟ ଜନ୍ତୁଙ୍କ ହିଂସ୍ର ଆକ୍ରମଣରେ ମୃତ୍ୟୁବରଣ କରିଛନ୍ତି. ସେହିପରି 4 ଗୋଟି ମେଣ୍ଢା ଏହି ଜନ୍ତୁ ଆକ୍ରମଣରେ ରକ୍ତାତ ହୋଇ କ୍ଷତବିକ୍ଷତ ହୋଇଛନ୍ତି. ଛେଳି ଓ ମେଣ୍ଢା ପାଳନ କରିଥିବା ଏହି ଗରିବ ଚାଷୀମାନଙ୍କୁ ଆବଶ୍ୟକ କ୍ଷତିପୂରଣ ଦିଆଯିବା ସହ ରାତି ଅଧରେ ଅତ୍ୟନ୍ତ ଚତୁରତାର ସହିତ ଶିକାର କରୁଥିବା ଅଜଣା ବନ୍ୟଜନ୍ତୁ କବଳରୁ ଛେଳି, ମେଣ୍ଢା, ଗୃହପାଳିତ ଗାଇ ଗୋରୁମାନଙ୍କ ସହ ଜଙ୍ଗଲର ନିକଟବର୍ତ୍ତୀ ଅଞ୍ଚଳରେ ରହୁଥିବା ଲୋକଙ୍କ ଧନ ଜୀବନ ସୁରକ୍ଷା ପାଇଁ ପ୍ରଶାସନ ବିହିତ ପଦକ୍ଷେପ ଗ୍ରହଣ କରନ୍ତୁ ବୋଲି ଅଞ୍ଚଳବାସୀ ଦାବି ଜଣାଇଛନ୍ତି. ସମ୍ପୃକ୍ତ ଅଞ୍ଚଳରେ ପଶୁ ଚିକିତ୍ସକ ଦଳଙ୍କ ଏକ ଟିମ ସହ ବନ ବିଭାଗର କର୍ମଚାରୀମାନେ ପହଞ୍ଚି ଅନୁଧ୍ୟାନ କରାଯାଇଥିବା ଜଣାଯାଇଛି.

ଗଜପତିର ବରିଷ୍ଠ ସାମ୍ବାଦିକ ଶିଶିର ଗୌଡ଼ଙ୍କ ପିତୃ ବିୟୋଗରେ ଶୋକ

ପାରଳାଖେମୁଣ୍ଡି, 8/1(ତାରିଣୀ ପ୍ରସାଦ ପଣ୍ଡା ):

ଗଜପତି ଜିଲ୍ଲାସ୍ତରୀୟ ବରିଷ୍ଠ ସାମ୍ବାଦିକ ଶିଶିର କୁମାର ଗୌଡଙ୍କ ପିତା ଲୋକନାଥ ଗୌଡଙ୍କ ୮୫ ବର୍ଷରେ ବିୟୋଗ ଘଟିଛି. ତାଙ୍କ ପୈତୃକ ଗ୍ରାମ ଶେରଗଡନିକଟସ୍ତ ପାଟପଲ୍ଲୀ ନିଜ ବାସଭବନରେ ବିୟୋଗ ଘଟିଛି । ସେ ଗତ କିଛି ଦିନ ପୂର୍ବେ ବାର୍ଦ୍ଧ୍ୟକଜନିତ ପୀଢାରେ ପିଢିତ ହୋଇ ଚିକିତ୍ସା ହେଉଥିଲେ । ଗତକାଲି ତାଙ୍କର ଅନ୍ତେଷ୍ଟିକ୍ରିୟା ନିଜଗ୍ରାମ ଶ୍ମସାନଘାଟ ଠାରେ ସମ୍ପର୍ଣ୍ଣ ହୋଇଛି । ଏହି ଖବର ଖବର ଜଣାପଡିବା ପରେ ଗଜପତି ଜିଲ୍ଲାର ବିଭିନ୍ନ ମହଲରେ ଶୋକ ପ୍ରକାଶ କରାଯାଇଛି । ପାରଳା ବିଧାୟକ ରୂପେଶ ପାଣିଗ୍ରାହୀ ମୋହନା ବିଧାୟକ ଦାଶରଥି ଗମାଙ୍ଗ, ପୂର୍ବତନ ପାରଳା ବିଧାୟକ କେ. ନାରାୟଣ ରାଓ, ଗଜପତି ଜିଲ୍ଲା ପରିଷଦ ଅଧକ୍ଷ ଜି. ତିରୁପତି ରାଓ, ପାରଳା ପୌରାଧ୍ୟକ୍ଷା ନିର୍ମଳା ସେଠୀ, ଗଜପତି ଜିଲ୍ଲା ବିଜେଡି ସଭାପତି ପ୍ରଦୀପ ନାୟକ, ପାରଳା ନଗର କଂଗ୍ରେସ କମିଟି ସଭାପତି ବସନ୍ତ ପଣ୍ଡାଙ୍କ ସମେତ ବହୁ ରାଜନେତା ଜନ ପ୍ରତିନିଧି ଏବଂ ଜିଲ୍ଲାର ବରିଷ୍ଠ ସାମ୍ବାଦିକ ଗରୁଡ଼ ଧୌଜ ଚୌଧୁରୀ, ତାରିଣୀ ପ୍ରସାଦ ପାଢ଼ୀ, ଦିଜେନ ପାଢ଼ୀ, ଗଣେଶ ରାଜୁ, ଭଗବତ ପାଢ଼ୀ, ରଶ୍ମି ରଞ୍ଜନ ମିଶ୍ର, ପ୍ରେମାନନ୍ଦ ପଣ୍ଡା, କୃଷ୍ଣ କୁମାର ବେହେରା ପ୍ରମୁଖଙ୍କ ସମେତ ଜିଲ୍ଲାର ସମସ୍ତ ସାମ୍ବାଦିକ ଗଭୀର ଶୋକ ପ୍ରକାଶ କରି ସ୍ବର୍ଗତ ଅମରଆତ୍ମାର ସଦଗତି ନିମନ୍ତେ ସମସ୍ତେ କାମନା କରିବା ସହ ଶୋକସନ୍ତପ୍ତ ପରିବାରଙ୍କୁ ସମବେଦନା ଜଣାଇଛନ୍ତି ।

ପାରଳା ମହିଳା ସ୍ନାତକ ମହାବିଦ୍ୟାଳୟର ବାର୍ଷିକ କ୍ରୀଡ଼ା ଉତ୍ସବ ଅନୁଷ୍ଠିତ

ପାରଳାଖେମୁଣ୍ଡି, 8/1(ତାରିଣୀ ପ୍ରସାଦ ପଣ୍ଡା):

ଗଜପତି ଜିଲ୍ଲାର ସଦର ମହକୁମା ପାରଳାଖେମୁଣ୍ଡି ଠାରେ ରହିଥିବା ଜିଲ୍ଲାର ଏକମାତ୍ର ମହିଳା ସ୍ନାତକ ମହାବିଦ୍ୟାଳୟ ପରିସରରେ ୧୧ତମ ବାର୍ଷିକ କ୍ରୀଡ଼ା ଉତ୍ସବ ଡଃ. ରୀନା ସାହୁ (ଅଧ୍ୟକ୍ଷଙ୍କ) ଅଧ୍ୟକ୍ଷତାରେ ଉତ୍ସାହ ଓ ଉଦ୍ଦୀପନାର ସହ ମହା ଆଡ଼ମ୍ବରରେ ପାଳିତ ହୋଇଯାଇଛି । ଏହି କ୍ରୀଡ଼ା ଉତ୍ସବର ଉଦ୍‌ଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ସରକାରୀ ଜିଲ୍ଲାପାଳ ତଥା ଜିଲ୍ଲା କ୍ରୀଡ଼ା ଅଧିକାରୀ ଶ୍ରୀ ତ୍ରିନାଥ ସାହୁ ଯୋଗ ଦେଇ ଛାତ୍ରୀମାନଙ୍କୁ ଶିକ୍ଷା କ୍ଷେତ୍ରରେ କ୍ରୀଡ଼ାର ଗୁରୁତ୍ବପୂର୍ଣ୍ଣ ଭୂମିକା ବିଷୟରେ ଆଲୋକପାତ କରିଥିଲେ।
ଅଧ୍ୟକ୍ଷା ଡଃ. ରୀନା ସାହୁ କ୍ରୀଡ଼ାର ଉପଯୋଗିତା ଓ କ୍ରିକେଟ୍‌ରେ ମହିଳା ମାନଙ୍କ ଅବଦାନ ସଂପର୍କରେ ଅବଦାନ ପ୍ରତିପାଦନ କରିବାକୁ ଛାତ୍ରୀମାନଙ୍କୁ ଆହ୍ବାନ କରିଥିଲେ। କ୍ରୀଡ଼ା ସଂପର୍କରେ ସଂଯୋଜିକା ଅଧ୍ୟାପିକା ସୁଶ୍ରୀ ମଧୁସ୍ମିତା ପ୍ରଧାନ ଓ କ୍ରୀଡ଼ା ପ୍ରଶିକ୍ଷକ ଶ୍ରୀ ସୁକୁମାର ଶତପଥୀଙ୍କ ତତ୍ତ୍ବାବଧାନରେ ଆନୁଷ୍ଠାନିକ ଭାବେ ବିଭିନ୍ନ ପ୍ରତିଯୋଗିତା ଆରମ୍ଭ ହୋଇଥିଲା।
ଉଚ୍ଚଡ଼ିଆଁ , ଲମ୍ବଡ଼ିଆଁ , ସମ୍ପ୍ଲେଟ୍ , ଡ଼ିସ୍‌କସ୍‌ ଥ୍ରୋ , ଦୌଡ଼ (୧୦୦ମିଟର ଓ ୨୦୦ ମିଟର) , ଜାଭେଲିନ୍ ଥ୍ରୋ , ରିଲେ ରେସ୍ , ମ୍ୟୁଜିକାଲ୍ ଚେୟାର୍ ଓ ଅନ୍ୟାନ୍ୟ କ୍ରୀଡ଼ା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା।
ଏଥିରେ ୧୨୦ରୁ ଉର୍ଦ୍ଧ୍ବ ଛାତ୍ରୀ ଭାଗ ନେଇଥିଲେ। ପରିଶେଷରେ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା। ଏହି ପ୍ରତିଯୋଗିତାରେ ପ୍ରିୟଙ୍କା ଜେନା (ଯୁକ୍ତ ୩ ଦ୍ବିତୀୟ ବର୍ଷ) ଚମ୍ପିୟନ୍ ହୋଇଥିଲେ। ଏହି କାର୍ଯ୍ୟକ୍ରମରେ କଲେଜର ବରିଷ୍ଠ ଅଧ୍ୟାପିକା ଡଃ. ଭାରତୀ ପାଣିଗ୍ରାହୀ ସଂଯୋଜନା କରିଥିବା ବେଳେ ଅଧ୍ୟାପିକା ଶ୍ରୀମତି ବରଦା ଆଚାର୍ଯ୍ୟ ଅତିଥି ପରିଚୟ ପ୍ରଦାନ କରିଥିଲେ। ଅଧ୍ୟାପିକା ସୁଶ୍ରୀ ମଧୁସ୍ମିତା ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ। ଏହି କ୍ରୀଡ଼ା ଉତ୍ସବରେ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ , ଅଧ୍ୟାପିକା ତ‌ଥା ଅଣ-ଶିକ୍ଷକ କର୍ମଚାରୀ ଛାତ୍ରୀମାନଙ୍କ ସହାୟତାରେ କ୍ରୀଡ଼ା ଉତ୍ସବର ସମସ୍ତ କାର୍ଯ୍ୟକ୍ରମ ସୁଚାରୁରୂପେ ସମାପ୍ତ କରିଥିଲେ।

Leave a Reply

Your email address will not be published. Required fields are marked *