ରାଜ୍ୟ ନିଗମ କର୍ମଚାରୀ ମହାସଂଘର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ସଭା
ଭୁବନେଶ୍ୱର,୦୬|୦୧ (ଦର୍ଶନ ସମୀକ୍ଷା) :
ଓଡ଼ିଶା ରାଜ୍ୟ ନିଗମ କର୍ମଚାରୀ ମହାସଂଘର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ସଭା ଆଜି ବୟନିକା କର୍ମଚାରୀ ସଂଘ କାର୍ଯ୍ୟାଳୟ ପରିସରରେ ମହାସଂଘର ଅଧ୍ୟକ୍ଷ ଡ଼ଃ. ସରୋଜ କାନ୍ତ ମଲ୍ଲିକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି। ଏହି ସଭାରେ ପ୍ରାୟ ୨୩ଟି ନିଗମ, ସ୍ୱୟଂଚାଳିତ ସଂସ୍ଥା ଓ ସମବାୟ ସଂସ୍ଥାର ସଭାପତି, ସମ୍ପାଦକ ଓ ମହାସଂଘର କର୍ମକର୍ତ୍ତା ମାନେ ଉପସ୍ଥିତ ରହି ଆଲୋଚନାରେ ସକ୍ରିୟ ଭାଗ ନେଇଥିଲେ।
ସଭାରେ ରାଜ୍ୟ ସରକାରୀ କର୍ମଚାରୀମାନେ ପାଉଥିବା ପେନସନ ସୁବିଧା ଅବିକଳ ଭାବେ ସମସ୍ତ ନିଗମ, ସ୍ୱୟଂଚାଳିତ ଓ ସମବାୟ ସଂସ୍ଥାର କାର୍ଯ୍ୟରତ ଓ ଅବସରପ୍ରାପ୍ତ କର୍ମଚାରୀଙ୍କ ପାଇଁ ତୁରନ୍ତ ଲାଗୁ କରିବା ଦାବି ଉଠାଯାଇଥିଲା। ସେହିପରି ଖାଲି ପଡ଼ିଥିବା ସମସ୍ତ ପଦବୀ ତୁରନ୍ତ ପୂରଣ କରିବା ଓ ସମସ୍ତ ଚୁକ୍ତିଭିତ୍ତିକ କର୍ମଚାରୀଙ୍କୁ ନିୟମିତ କରିବାକୁ ମହାସଂଘ ପକ୍ଷରୁ ରାଜ୍ୟ ସରକାରଙ୍କ ନିକଟରେ ଦୃଢ଼ ଦାବୀ ଉପସ୍ଥାପନ କରାଯାଇଥିଲା। ରାଜ୍ୟ ସରକାର ଘୋଷଣା କରୁଥିବା ମହଙ୍ଗା ଭତ୍ତା ସମସ୍ତ ନିଗମ ଓ ସଂସ୍ଥାରେ ସମାନ ଭାବେ ଓ ଏକା ସାଙ୍ଗରେ ଲାଗୁ କରିବା, ସଂଘର କର୍ମକର୍ତ୍ତାମାନଙ୍କ ଉପରେ ନିଆଯାଇଥିବା ଆକ୍ରୋଶମୂଳକ କାର୍ଯ୍ୟ ତୁରନ୍ତ ପ୍ରତ୍ୟାହାର କରିବା ଏବଂ ବକେୟା ପ୍ରାପ୍ୟ ରାଶି ଶୀଘ୍ର ପ୍ରଦାନ କରିବା ବିଷୟରେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହୋଇଥିଲା।
ସେହିପରି ଉଚ୍ଚ ନ୍ୟାୟାଳୟ ଙ୍କ ନିର୍ଦ୍ଦେଶକୁ ତୁରନ୍ତ କାର୍ଯ୍ୟକାରୀ କରିବାକୁ ମହାସଂଘ ପକ୍ଷରୁ ଦାବି ଉଠାଯାଇଥିଲା।
ମହାସଂଘର ମହାସଚିବ ପ୍ରଭାତ କୁମାର ପରିଡ଼ା ବାର୍ଷିକ ବିବରଣୀ ପାଠ କରିଥିଲେ। ସଭାରେ ଉପଦେଷ୍ଟା ନଟବର ଆଚାର୍ଯ୍ୟ, ପ୍ରଫୁଲ୍ଲ କୁମାର ଦାଶଙ୍କ ସହିତ ସଚ୍ଚିଦାନନ୍ଦ ସାମନ୍ତରାୟ, ପ୍ରଶାନ୍ତ କୁମାର ରାଉତ, କାଳୁ ଚରଣ ଗୌଡ଼, କବିସୂର୍ଯ୍ୟ ସିଂ, ବିଜୟ କୁମାର ସାମଲ, ସୁରେନ୍ଦ୍ର କୁମାର ଗୌଡ଼, ନୀଳକଣ୍ଠ ପରିଡ଼ା, ଲୋକନାଥ ସାମନ୍ତରାୟ, ସଲିଳ କୁମାର ଦାସ, ପ୍ରଶାନ୍ତ କୁମାର ଦାସ, ରଙ୍ଗାଧର ନାୟକ, କ୍ଷୀରୋଦ କୁମାର ସ୍ୱାଇଁ ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ।












Leave a Reply