ଗଧର ଭବିଷ୍ୟତ
ଗଧଟିଏ ବାହାରେ ଚରିବୁଲି ଆନନ୍ଦରେ ଥାଏ।ତାର ଗୋଟିଏ ଭାଇକୁ ଛୁଆଟି ଦିନରୁ ଜଣେ ଲୋକ ନେଇ ତାକୁ ନିଜ ସର୍କଶ ପାର୍ଟିରେ ରଖିଥାଏ।ବାହାରେ ଯେଉଁ ଗଧଟି ଥିଲା,ଥରେ ଶୁଣିଲା ସେହି ସର୍କଶ ପାର୍ଟି ତାଙ୍କ ସହରକୁ ସର୍କଶ ଦେଖାଇବାକୁ ଆସିଛି।ତାର ଭାଇ ସର୍କଶ ପାର୍ଟିରେ କିପରି ଅଛି ଦେଖିବାପାଇଁ ବାହାର ଗଧଟିର ମନ ଉଚ୍ଛନ୍ନ ହେଲା।ସେ ଯାଇଁ ସର୍କଶ ପାର୍ଟିରେ ତାର ଭାଇକୁ ଭେଟିଲା।ଭାଇର ସ୍ଵାସ୍ଥ୍ୟ ଅତି ଦୁର୍ବଳ ହୋଇ ଯାଇଥାଏ।
ଦୁଇଭାଇ ପରସ୍ପରକୁ ଦେଖି ବହୁତ ଖୁସି ହେଲେ।ପିଲା ଦିନର କଥା ମନେପକାଇ କଥା ହେଲେ।ବାହାର ଗଧ ସର୍କଶ ଗଧକୁ ପଚାରିଲା:
ଭାଇ ତୋର ସ୍ଵାସ୍ଥ୍ୟ ଏମିତି ଖରାପ ହୋଇଗଲାଣି କାହିଁକି? କଣ ମାଲିକ ଠିକ୍ ଖାଇବାକୁ ଦେଉନିକି?
ସର୍କଶ ଗଧ କହିଲା, ନାଇଁ,ଭଲ ଖାଇବାକୁ ମିଳୁନି। ବହୁତ ଖଟଣି ପଡୁଛି। ଟିକିଏ ଏପଟ ସେପଟ ହେଲେ ଖୁବ୍ ମାଡ ସମ୍ଭାଳିବାକୁ ପଡୁଛି।
ବାହାର ଗଧ ବହୁତ ମନ ଦୁଃଖ କଲା।କହିଲା ତେବେ ତୁ ମୋ ସାଥିରେ ଚାଲ, ଖାଇ ପିଇ ଆନନ୍ଦରେ ରହିବୁ।
ନାଇଁ ନାଇଁ, ମୁଁ ଏଇଠି ରହିବି। ଖାଇବାକୁ ମିଳୁ ନମିଳୁ।ଏଇଠି ଭବିଷ୍ୟତ ଅଛି।
କେଉଁ ଭବିଷ୍ୟତ ?
ଆରେ କଥା କଣ? ଦିନେ ଏଇ ସର୍କଶ ବାଲାର ଝିଅ ସର୍କଶ ଦେଖାଇବା ସମୟରେ ଅସାବଧାନତା କାରଣରୁ ତଳେ ଖସି ପଡିଲା।ମାଲିକ ରାଗି ତାକୁ କହିଲା ଆଉ ଥରେ ଯଦି ଏମିତି ଭୁଲ୍ ହୁଏ ତେଵେ ତା ଝିଅକୁ ଗଧ ସହିତ ବାହା କରିଦେବ।ସେଇ ଦିନରୁ ମୁଁ ଅପେକ୍ଷା କରିଛି।ସେଇଥିରେ ମୋର ଭବିଷ୍ୟତ ଅଛି। ତେଣୁ ବାହାରକୁ ଯିବା ଅପେକ୍ଷା ଏଇଠି ଓପାସ ଭୋକେ ମାଡଗାଳି ଖାଇ ରହିଲେ କଣ ହେଲା? ଭବିଷ୍ୟତ ଅଛି।
ବିଚରା ବାହାରେ ବୁଲୁଥିବା ଗଧଟି ଯେତେ ବୁଝାଇଲା ସର୍କଶ ଗଧ ବୁଝିବାକୁ ନାରାଜ।ତାର ଏକା ଜିଦ୍ ସେ ମାଲିକର ଝିଅ ଆଜି ନହେଲେ ବି କାଲି ପୁଣି ପୂର୍ବପରି ତଳେ ପଡିଲେ ମାଲିକ ତାର ଅପ୍ସରୀ ପରି ଅପୂର୍ବ ସୁନ୍ଦରୀ ଝିଅର ବାହାଘର ତା ସହିତ ନିଶ୍ଚୟ କରିଦେବ। ଆଉ ସେତେବେଳେ ସେ ମାଲିକର ଜ୍ବାଇଁ ହୋଇ ଆରାମରେ ରହିବ।ସୁଖ ଭୋଗ କରିବ।କେତେ ଜଣଙ୍କ ଭାଗ୍ୟରେ ଏମିତି ସୁଯୋଗ ଆସେ ?
ସେଇ ଆଶାରେ ସେ ସେହି ସର୍କଶ ପାର୍ଟିରେ ଓପାସ ଭୋକେ ମାଡ ଗାଳି ଖାଇ ପଡି ରହିଛି ତାର ଭବିଷ୍ୟତ ଆଶାରେ।
ସଞ୍ଜୟ ✍️
ଗଧର ଭବିଷ୍ୟତ // ବାହାରେ ବୁଲୁଥିବା ଗଧଟି ଯେତେ ବୁଝାଇଲା ସର୍କଶ ଗଧ ବୁଝିବାକୁ ନାରାଜ- ସଂଜୟ ରଥ ଭୁବନେଶ୍ଵର
















Leave a Reply