କେବେ ବଦଳିବ ଶିଶୁ ଶ୍ରମିକଙ୍କ ଭାଗ୍ୟ ,ନୀରବଦ୍ରଷ୍ଟା ସାଜିଛନ୍ତି ବିଭାଗୀୟ ଅଧିକାରୀ
ମାଲକାନଗିରି ମନୋଜ ଦେବ ପାଙ୍ଗି (ଦର୍ଶନ ସମୀକ୍ଷା)
ମାଲକାନଗିରି ପରି ଅଧୁଷିତ ଅଞ୍ଚଳରେ ଶିଶୁ ଶ୍ରମିକ ଉଛେଦ କରିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ପଦକ୍ଷେପ ହାତକୁ ନିଆଯାଉଛି।ହେଲେ ଏହି କାର୍ଯ୍ୟକ୍ରମର ସଫଳ ରୂପାୟନ ହୋଇ ପାରୁନାହିଁ।ଏବେ ବି ବିଭିନ୍ନ ହୋଟେଲ, ଗ୍ୟାରେଜ, ବ୍ୟବସାୟିକ ପ୍ରତିଷ୍ଠାନ, ଦୋକାନ ଏବଂ ବିଭିନ୍ନ ଅଞ୍ଚଳରେ ଚାଲିଥିବା ଉନ୍ନୟନ ମୂଳକ କାର୍ଯ୍ୟରେ ଲଗାଯାଉଛି।ଗୋଟିଏ ପଟେ କର୍ମ ନିୟୋଜନ ଏବଂ ସଚେତନତାର ଅଭାବ,

ଅନ୍ୟପଟେ ପରିବାରର ଆର୍ଥିକ ସ୍ଥିତିର ବୋଝ ସେମାନଙ୍କର ପିଲାଙ୍କୁ ଛୋଟ ବୟସରେ କାମରେ ଲଗାଉଛନ୍ତି।ଏହାର ସୁଯୋଗରେ ଶିଶୁ ସୁରକ୍ଷା ଆଇନ ଆଖିରେ ଧୂଳିଦେଇ ମୁଷ୍ଟିମେୟ ଲୋକେ କୋମଳମତି ଶିଶୁଙ୍କୁ କର୍ମ କ୍ଷେତ୍ରରେ ବ୍ୟବହାର କରୁଛନ୍ତି।କେତେକ କ୍ଷେତ୍ରରେ ଏଭଳି ବେଆଇନ କାର୍ଯ୍ୟ ବିଭାଗୀୟ ଅଧିକାରୀଙ୍କ ଜାଣତରେ ହେଉଥିବା ନେଇ ଅଭିଯୋଗ ହେଉଛି।ଶିଶୁ ମାନଙ୍କୁ କାର୍ଯ୍ୟରେ ଲଗାଉଥିବା ମାଲିକଙ୍କ ବିରୁଦ୍ଧରେ କି ପ୍ରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି ତାହା ଜଣା ପଡୁନାହିଁ।କେନ୍ଦ୍ର ସରକାର ଙ୍କ ଶ୍ରମ ମନ୍ତ୍ରାଳୟ ଏବଂ ରାଜ୍ୟ ସରକାରଙ୍କ ଶ୍ରମ ବିଭାଗର ସହ ଭାଗିତାରେ ଅନେକ ଯୋଜନା ପ୍ରଣୟନ କରାଯାଇଛି।ମୁଖ୍ୟତଃ ଶିଶୁ ମାନଙ୍କୁ ଚି଼ହ୍ନଟ କରି ସେମାନଙ୍କୁ ମୁଖ୍ୟ ସ୍ରୋତରେ ସାମିଲ କରିବା ଏହାର ମୂଳ ଲକ୍ଷ। ଖାଲି ଏତିକି ନୁହେଁ ଛୋଟ ପିଲାଙ୍କୁ ଶିକ୍ଷାଦାନ କରାଇବା ମାଗଣା ପାଠ୍ୟ ପୁସ୍ତକ ଆବଶ୍ୟକୀୟ ଉପକରଣ ସହ ଷ୍ଟାଇପେଣ୍ଡ ପ୍ରଦାନ କରିବା ଆଦି ଅନେକ ଯୋଜନା ରହିଛି
ହେଲେ ଏହା ଏବେ ସ୍ଥାଣୁ ପାଲଟିଛି।ଶ୍ରମ ବିଭାଗର ଦୂର ଦୃଷ୍ଟିର ଅଭାବରୁ ଶିଶୁ ଶ୍ରମିକଙ୍କ ସଂଖ୍ୟା କମିବା ବଦଳରେ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି।ସରକାରଙ୍କ ଅନ୍ୟ ବହୁମୁଖ ଯୋଜନା ଗୁଡିକ ଲୋକଙ୍କ ନିକଟରେ ପହଁଞ୍ଚି ପାରୁ ନ ଥିବାରୁ ପରିବାରର ଆର୍ଥିକ ସ୍ଥିତି ସୁଧୁରି ପାରୁନାହିଁ।ଫଳରେ ମୂଖ୍ୟ ସ୍ରୋତରେ ଫେରୁଥିବା ପିଲାଙ୍କୁ ପରିବାର ଲୋକେ ପୁଣି ଥରେ କାମ କରିବାକୁ ଛାଡିଦେଉଛନ୍ତି।ମାଲକାନଗିରି ଜିଲ୍ଲାର ବାଲିମେଳା ସହର ସମେତ କୋରୁକୋଣ୍ଡା ବ୍ଲକର ବିଭିନ୍ନ ସ୍ଥାନରେ କୋମଳମତି ଶିଶୁମାନେ ଗୋରୁ ଚରାଇବା ଜଙ୍ଗଲରୁ କାଠ ଆଣିବା, ବାସନ ମାଜିବା,ବିଭିନ୍ନ ଦୋକାନ ଆଉ ଗ୍ୟାରେଜରେ କାମ କରିବା ଏବଂ ଠିକାଦାରଙ୍କ ନିକଟରେ ମୁଲ ଲାଗିବା ଭଳି କାର୍ଯ୍ୟ କରୁଥିବାର ଭଳି ଘଟଣା ଗୁଡିକ ଦେଖିଲେ ଜିଲ୍ଲାର ଶିଶୁ ଶ୍ରମିକଙ୍କ ସାଙ୍ଘାତିକ ସ୍ଥିତି ବିଷୟରେ ଜଣାପଡିବ।ଏ ସମ୍ପର୍କରେ ଜିଲ୍ଲା ଶ୍ରମ ଅଧିକାରୀ ନାରାୟଣ ଦାସଙ୍କୁ ପଚାରିବାରୁ ସେ କହିଛନ୍ତି ଯେ,ଶିଶୁ ଶ୍ରମିକ ପ୍ରଥା ବନ୍ଦ କରିବା ପାଇଁ ବିଭିନ୍ନ ସମୟରେ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଚଢ଼ାଉ ଜାରୀ ରହିଛି।ଖୁବ ଶୀଘ୍ର ବିଭାଗ ପକ୍ଷରୁ ଏକ ସ୍ୱତନ୍ତ୍ର ଟିମ ଗଠନ କରାଯିବ ଏବଂ ପୋଲିସ ଏବଂ ଅନ୍ୟ ବିଭାଗର ଅଧିକାରୀଙ୍କୁ ନେଇ ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯିବ।ଆଇନ ଉଲଂଘନ କରି ଶିଶୁଙ୍କୁ କାର୍ଯ୍ୟରେ ନିୟୋଜ କରିଥିବା ମାଲିକଙ୍କ ବିରୁଦ୍ଧରେ ଦୃଢ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲ୍ଲା ଶ୍ରମ ଅଧିକାରୀ ଶ୍ରୀ ଦାସ କହିଛନ୍ତି।












Leave a Reply