Spread the love

⚫❗⚫
ll ପୌଷ ପୁତ୍ରଦା ଏକାଦଶୀ ll

     ପ୍ରତିବର୍ଷ ପୌଷମାସ ଶୁକ୍ଳପକ୍ଷରେ ଯେଉଁ ଏକାଦଶୀ ପଡେ ତାହାକୁ ପୁତ୍ରଦା ଏକାଦଶୀ କୁହାଯାଏ । ପୁତ୍ରଦା ଏକାଦଶୀରେ ନାମମନ୍ତ୍ର ଜପ କରିବା ସହ ଶ୍ରୀହରିଙ୍କୁ ପୂଜାର୍ଚ୍ଚନା କରାଯାଇଥାଏ । ଏକାଦଶୀ ତିଥିରେ ଦୀପଦାନ ସହ ସମସ୍ତ ଫଳ ପୂଜାକରିବା ବିଧାନ ରହିଛି । ଭଗବାନଶ୍ରୀକୃଷ୍ଣ ଧର୍ମରାଜ ଯୁଧିଷ୍ଠିରଙ୍କୁ ଏହି ବ୍ରତର ମହତ୍ତ୍ୱକୁ ବ୍ୟାଖ୍ୟା କରି କହିଥିଲେ .ଏହି ତିଥିର ଅଧିଦେବତା ହେଉଛନ୍ତି ଭଗବାନ ନାରାୟଣ । ଏହି ତିଥିରେ ସମସ୍ତ ପାପନାଶ ହୋଇଥାଏ I

           ପୂର୍ବକାଳରେ ଭଦ୍ରାବତୀପୁରୀ ରାଜା ସୁକେତୁମାନ୍ ଶାସନ କରୁଥିଲେ । ତାଙ୍କର କୌଣସି ସନ୍ତାନ ନଥିଲା ଏହି କାରଣରୁ ରାଜା ଓ ରାଣୀ ଚମ୍ପା ଚିନ୍ତାରେ ରହୁଥିଲେ । ଦିନେ ରାଜା ରାଜ ପରିବାରର କୌଣସି ସଦସ୍ୟଙ୍କୁ ନ ଜଣାଇ ବନ୍ୟ ଭ୍ରମଣ କରିବା ପାଇଁ ବାହାରିଲେ । ରାଜା ବନର ଶୋଭାକୁ ଦେଖୁ ଦେଖୁ ଦ୍ୱିପ୍ରହର ହୋଇଗଲା । ରାଜା ଭୋକ ଶୋଷରେ ଆଉଟୁ ପାଉଟୁ ହୋଇ ଖାଦ୍ୟ ସଂଗ୍ରହ ପାଇଁ ଖୋଜି ବୁଲିଲେ । ଶେଷରେ ଏକ ସରୋବର ଓ ସରୋବର ତଟରେ ଅନେକ ମୁନିଋଷିମାନଙ୍କର ଆଶ୍ରମ ସ୍ଥଳୀ ରହିଥିବାର ଦେଖିଲେ । ଏହା ରାଜାଙ୍କ ପାଇଁ ସୌଭାଗ୍ୟ ଥିଲା । ସେ ତତ୍‌କ୍ଷଣାତ ଘୋଡା ଉପରେ ବସି ସରୋବର ନିକଟରେ ପହଞ୍ଚି ସମସ୍ତ ମୁନିଋଷିମାନଙ୍କୁ ବନ୍ଦନା କରିବାକୁ ଲାଗିଲେ । ତାଙ୍କର ବନ୍ଦନାରେ ମୁନିଋଷିମାନେ ପ୍ରସନ୍ନ ହେଲେ । ରାଜା ମୁନିମାନଙ୍କୁ ଦେଖି ପଚାରିଲେ ଆପଣମାନେ କିଏ ? ଆପଣଙ୍କ ନାମ କ’ଣ ତଥା ଆପଣମାନେ ଏଠାରେ ଏକତ୍ର ହୋଇଛନ୍ତି କାହିଁକି ? ମୁନି କହିଲେ – ଆମେ ସମସ୍ତେ ବିଶ୍ୱେଦେବ । ସ୍ନାନ କରିବାକୁ ଆସିଛୁ । ମାଘମାସ ନିକଟରେ ଆସୁଛି । ଆଜିଠାରୁ ପାଞ୍ଚଦିନ ଧରି ମାଘ ସ୍ନାନ ଆରମ୍ଭ ହେବାକୁ ଯାଉଛି । ଆଜି ହିଁ ପୁତ୍ରଦା ଏକାଦଶୀ ଯିଏ ଏହି ବ୍ରତ ପାଳନ କରିବ ତା’ର ପୁତ୍ର ହେବ ।

ରାଜା କହିଲେ ହେ ବିଶ୍ୱେଦେବଗଣ ଯଦି ଆପଣମାନେ ମୋ ଉପରେ ପ୍ରସନ୍ନ ଅଛନ୍ତି ତ ମୋତେ ପୁତ୍ର ଦିଅନ୍ତୁ । ମୁନି କହିଲେ ରାଜନ୍ ଏହି ବ୍ରତ ବହୁତ ବିଖ୍ୟାତ I ଆଜିଠାରୁ ଏହିବ୍ରତ ପାଳନ କରନ୍ତୁ । ମହାରାଜ ଭଗବାନ୍ କେଶବଙ୍କ ଆଶୀର୍ବାଦରୁ ଆପଣଙ୍କୁ ପୁତ୍ର ଅବଶ୍ୟ ପ୍ରାପ୍ତ ହେବ । ଏହି ପ୍ରକାର ମୁନିଙ୍କ କହିବାନୁଯାୟୀ ରାଜା ଏହି ବ୍ରତକୁ ପାଳନ କରିବା ସହ ପୁତ୍ରଦା ଏକାଦଶୀ ଅନୁଷ୍ଠିତ କଲେ I ଦ୍ୱାଦଶରେ ସେ ନିଜ ବ୍ରତକୁ ଉଦ୍ ଯାପିତ କରି ମୁନିଙ୍କ ଚରଣ ସ୍ପର୍ଶ କରି ଘରକୁ ଫେରିଲେ । ସେହିଦିନ ରାଣୀ ଗର୍ଭଧାରଣ କଲେ । ରାଜାଙ୍କର ଏକ ତେଜସ୍ୱୀ ପୁତ୍ର ହେଲା ଯାହା ସମସ୍ତ ଗୁଣର ଅଧିକାରୀ ହେବା ସହ ପ୍ରଜାମାନଙ୍କର ପାଳକ ମଧ୍ୟ ହୋଇପାରିଥିଲେ । ଏହି ଦୃଷ୍ଟିରୁ ପୁତ୍ରଦା ଏକାଦଶୀ ବ୍ରତ ସମସ୍ତ ଏକାଦଶୀଠାରୁ ଅଧିକ ମହତ୍ତ୍ୱପୂର୍ଣ୍ଣ । ଏହି ବ୍ରତ ରଖିବାଦ୍ୱାରା ପୁତ୍ର ପ୍ରାପ୍ତ ହୁଏ ବୋଲି ଅନେକଙ୍କ ବିଶ୍ୱାସ ।

ll ଏକାଦଶୀ ମାହାତ୍ମ୍ୟ ll :-

        ଯୁଧିଷ୍ଠିର କହିଲେ – ହେ କୃଷ୍ଣ ! ପୌଷ ମାସର ଶୁକ୍ଳପକ୍ଷ ଏକାଦଶୀର ନାମ କ'ଣ , ବିଧି ମଧ୍ୟ କ’ଣ , କେଉଁ ଦେବତା ଏ ଦିନରେ ପୂଜିତ ହୁଅନ୍ତି ଏବଂ ଆପଣ କାହା ପ୍ରତି ସନ୍ତୁଷ୍ଟ ହୋଇ ଉକ୍ତ ବ୍ରତ ଫଳ ପ୍ରଦାନ କରିଥଲେ , କୃପାପୂର୍ବକ ବିସ୍ତାରିତ ଭାବରେ ଆମ ନିକଟରେ ବର୍ଣ୍ଣନା କରନ୍ତୁ ।

   ଶ୍ରୀକୃଷ୍ଣ କହିଲେ – ହେ ମହାରାଜ ! ଏହି ଏକାଦଶୀ ପୁତ୍ରଦା ନାମରେ ପ୍ରସିଦ୍ଧ । ପୂର୍ବ ଏକାଦଶୀର ବିଧି ଅନୁସାରେ ଏହା ପାଳନୀୟ । ଏହା ସର୍ବପାପବିନାଶିନୀ । କାମଦା ଓ ସିଦ୍ଧିଦାତା ନାରାୟଣ ଏହାର ଅଧିଷ୍ଠାତୃ ଦେବତା । ସଚରାଚର ତ୍ରିଲୋକ ମଧ୍ୟରେ ଏହା ସମ ବ୍ରତ ନାହିଁ । ବ୍ରତକାରୀକୁ ନାରାୟଣ ବିଦ୍ବାନ୍ ଓ ଯଶସ୍ବୀ କରିଥାନ୍ତି । ଭଦ୍ରାବତୀ ପୁରରେ ପୁରାକାଳରେ ସୁକେତୁମାନ ନାମକ ଏକ ଅପୁତ୍ରିକ ( ନିଃସନ୍ତାନ ) ରାଜା ଥିଲେ । ତାଙ୍କର ରାଣୀଙ୍କ ନାମ ଥିଲା ଚମ୍ପକା । ରାଜଦମ୍ପତି ଉଭୟେ ବେଶ୍ ସୁଖରେ କାଳ ଅତିବାହିତ କରୁଥିଲେ । ବଂଶରକ୍ଷାହେତୁ ବହୁଦିନ ପର୍ଯ୍ୟନ୍ତ ଧର୍ମକ୍ରିୟାଦି ଅନୁଷ୍ଠାନ କରି ମଧ୍ୟ ଯେତେବେଳେ ବିଫଳ ମନୋରଥ ହେଲେ , ସେତେବେଳେ ରାଜା ଅବା କ’ଣ କରିବେ ? କେଉଁଆଡ଼କୁ ଯିବେ ? ଏହି ଚିନ୍ତାରେ କାତର ହୋଇପଡ଼ିଲେ । ରାଜାଙ୍କର ପୂର୍ବପୁରୁଷଗଣ ତତ୍ କର୍ତ୍ତୃକ ପ୍ରଦତ୍ତ କରୋଷ୍ଣଜଳ ଅତି ଦୁଃଖର ସହିତ ଗ୍ରହଣ କଲେ । କାରଣ ସେମାନେ ଚିନ୍ତା କରୁଥିଲେ , ଏହାଙ୍କର ମୃତ୍ୟୁ ପରେ ଜଳପିଣ୍ଡ ପାଇବାର ଆଶା ନାହିଁ । ମିତ୍ର ଅମାତ୍ୟବର୍ଗାଦି ହସ୍ତୀ , ଅଶ୍ନ ,ପଦାତିକ ପ୍ରଭୃତି ଐଶ୍ଚର୍ଯ୍ୟ ସକଳ ଥିଲେ ମଧ୍ୟ ପୁତ୍ରହୀନ ରାଜାଙ୍କ ମନରେ ସୁଖ ନଥିଲା । ସେ ଭାବୁଥାନ୍ତି , ଅପୁତ୍ରିକର ଜନ୍ମ ବୃଥା ଓ ଗୃହଶୂନ୍ୟ । ପିତୃ , ଦେବ , ମନୁଷ୍ୟ ଲୋକଙ୍କ ନିକଟରେ ଯେଉଁ ଋଣତ୍ରୟ ଶାସ୍ତ୍ରରେ ଉଲ୍ଲେଖ ଅଛି , ତାହା ପୁତ୍ର ବ୍ୟତୀତ ପରିଶୋଧ ହୋଇପାରେ ନାହିଁ । ସେଥିପାଇଁ ମନୁଷ୍ୟ ମାତ୍ରେ ହିଁ ପୁତ୍ରୋତ୍ପାଦନରେ ସଚେଷ୍ଟ । ପୁତ୍ରବାନ୍ ଲୋକ ( ବ୍ୟକ୍ତିର ) ଏ ଜଗତରେ ଯଶ ଲାଭ ଏବଂ ଉତ୍ତମ ଗତି ପ୍ରାପ୍ତ ହୁଏ ଏବଂ ସେମାନଙ୍କର ଗୃହରେ ଆୟୁଷ , ଆରୋଗ୍ୟ , ସମ୍ପତ୍ତି ପ୍ରଭୃତି ବିଦ୍ୟମାନ ଥାଏ । 

     ଶ୍ରୀକୃଷ୍ଣ ଯୁଧୁଷ୍ଠିର ମହାରାଜାଙ୍କୁ କହିଲେ – ହେ ରାଜା ! ଆମର ଏହା ନିଶ୍ଚିତ ଧାରଣା ଯେ , ପୁଣ୍ୟକର୍ମା ମନୁଷ୍ୟର ଗୃହରେ ହି ପୁତ୍ର ଜନ୍ମେ , ପୁଣ୍ୟ ବ୍ୟତୀତ ସୁପୁତ୍ର ଓ ସମ୍ପତ୍ତି ହୁଏ ନାହିଁ । ରାଜା ନାନା ଦୁଶ୍ଚିନ୍ତାଗ୍ରସ୍ତ ହୋଇ ଆତ୍ମହତ୍ୟା କରିବେ ବୋଲି ସ୍ଥିର କଲେ । କିନ୍ତୁ ପରେ ମନରେ ବିଚାର କରି ଭାବିଲେ , “ ଆତ୍ମହତ୍ୟା ମହାପାପ , ଏହାଦ୍ବାରା ଦେହ ପତିତ ହେବ ପଛେ , କିନ୍ତୁ ମୋର ପୁତ୍ରହୀନତା ତ ଦୂରୀଭୂତ ହେବନାହିଁ । ଏହାପରେ ଦିନେ ଅଶ୍ବାରୋହଣରେ ରାଜା ନିବିଡ଼ ବନ ମଧ୍ୟକୁ ଗମନ କଲେ । ମୃଗ - ପକ୍ଷୀ ଆଦି ବାସ କରୁଥିବା ଗଭୀର ବନମଧ୍ୟରେ ପ୍ରାକୃତିକ ଶୋଭା ଦର୍ଶନ କରିବାକୁ ଲାଗିଲେ । କେଉଁଠାରେ ତ ବର , ଅଶ୍ୱତ୍ଥ  , ବେଲ , ତାଳ , ତମାଳ ପ୍ରଭୃତି ବୃକ୍ଷରାଜି ; କେଉଁଠାରେ ହସ୍ତିନୀସମୂହ ବେଷ୍ଟିତ ହସ୍ତୀଯୁଥ ଦର୍ଶନ କରି ରାଜା ସ୍ୱୟ ହସ୍ତୀଗଣଙ୍କ କଥା ଚିନ୍ତା କରିବାକୁ ଲାଗିଲେ । ଏହିପରିଭାବରେ ବନ ଭ୍ରମଣ କରି କରି ମଧ୍ୟାହ୍ନ ସମୟ ଉପସ୍ଥିତ ହେଲା । ସେତେବେଳେ ସେ କ୍ଷୁଧାତୃଷାରେ ଅତିଶୟ କାତର ହେଲେ । ଇତସ୍ତତଃ ଚତୁର୍ଦ୍ଦିଗରେ ଜଳାଦିର ସନ୍ଧାନ କରି ମଧ୍ୟ ଯେତେବେଳେ କିଛି ମିଳିଲା ନାହିଁ , ସେତେବେଳେ ଚିନ୍ତା କରୁଥିଲେ - ‘ ମୁଁ ଏପରି କିଛି ଦୁଷ୍କର୍ମ କରିଅଛି , ଯାହା ଫଳରେ ଏପ୍ରକାର କଷ୍ଟ ପାଉଛି । ମୁଁ ପୂଜା , ଯଜ୍ଞାଦିଦ୍ୱାରା ଦେବଗଣ ଓ ବ୍ରାହ୍ମଣଗଣଙ୍କୁ ସନ୍ତୁଷ୍ଟ କରିଅଛି ଏବଂ ପ୍ରଜାଗଣଙ୍କୁ ପୁତ୍ରବତ୍ ପାଳନ କରିଆସିଛି । " ଏପରି ଅବସ୍ଥାରେ କ’ଣ ପାଇଁ ଏହି ନିଦାରୁଣ ଦୁଃଖ ଭୋଗ କରୁଛି ? ଏହିପରି ଚିନ୍ତାଗ୍ରସ୍ତ ହୋଇ ଆଉ କିଛିଦୂର ଅଗ୍ରସର ହୋଇ ରାଜା ନିଜର ପୁଣ୍ୟ ପ୍ରଭାବରେ କାରଣ୍ଡବ ( ହଂସବିଶେଷ ) ; ଚକ୍ରବାକ ( ପ୍ରସିଦ୍ଧ - ପକ୍ଷୀ ) ରାଜହଂସ ଓ ମଗର , ବହୁବିଧ ମତ୍ସ୍ୟାଦି ପରିପୂର୍ଣ୍ଣ ଗୋଟିଏ ଅତି ଉତ୍ତମ ସରୋବର ଏବଂ ତାହାର ନିକଟରେ ମୁନିଗଣଙ୍କର ବହୁତ ଆଶ୍ରମ ଦର୍ଶନ କଲେ । ଏହାପରେ ରାଜା ଅଶ୍ରୁ ଅବତରଣ ପୂର୍ବକ ସରୋବର ତୀରରେ ବେଦପାଠରତ ମୁନି ବୃନ୍ଦଙ୍କର ଚରଣରେ ଦଣ୍ଡବତ ପ୍ରଣାମ ଅର୍ପଣ କଲେ । କୃତାଞ୍ଜଳିପୁଟରେ ପୁନଃ ପୁନଃ ଦଣ୍ଡବନ୍ମତ ରାଜାଙ୍କୁ ମୁନିଗଣ ଜିଜ୍ଞାସା କଲେ । “ ହେ ମହାରାଜ ! ଆମ୍ଭେମାନେ ଆପଣଙ୍କ ପ୍ରତି ପ୍ରସନ୍ନ ହୋଇଅଛୁ । ଆପଣଙ୍କର ପ୍ରାର୍ଥନା କ’ଣ କୁହନ୍ତୁ ? ” ରାଜା କହିଲେ , ଆପଣମାନେ କିଏ ଏବଂ କେଉଁଥିପାଇଁ ଏଠାରେ ସମବେତ ହୋଇଛନ୍ତି , ତାହା ବିସ୍ତାରିତ ଭାବରେ କୃପାପୂର୍ବକ ବର୍ଣ୍ଣନା କରନ୍ତୁ । ମୁନିଗଣ କହିଲେ – ହେ ମହାରାଜ ! ଆମ୍ଭେମାନେ ବିଶ୍ଵଦେବ ନାମକ ପ୍ରସିଦ୍ଧ ସ୍ନାନାର୍ଥ ଏହି ସରୋବରକୁ ଆଗମନ କରିଅଛୁ । ଆଜିଠାରୁ ପାଞ୍ଚଦିନ ପରେ ମାଘ ମାସ ଆରମ୍ଭ ହେବ । ଆଜି ପୁତ୍ରଦା ନାମକ ଏକାଦଶୀ ତିଥି।

ମନୁଷ୍ୟଗଣଙ୍କୁ ପୁତ୍ରଦାନ କରେ ବୋଲି ଏହାର ନାମ ପୁତ୍ରଦା । ଏହା ଶୁଣି ରାଜା କହିଲେ , “ ହେ ମୁନିବୃନ୍ଦ ! ମୁଁ ଅପୁତ୍ରିକ , ପୁତ୍ରକାମନାରେ ଅଧୀର ହୋଇପଡ଼ିଛି । ଏହି ମୁହୁର୍ତ୍ତରେ ଆପଣମାନଙ୍କର ଦର୍ଶନରେ ମୋ ହୃଦୟରେ ଆଶା ସଞ୍ଚାର ହେଉଅଛି । ଏ ଦୁର୍ଭାଗ୍ୟ ପୁତ୍ରହୀନ ପ୍ରତି କୃପାପରବଶ ଗୋଟିଏ ପୁତ୍ର ପ୍ରଦାନ କରନ୍ତୁ । ମୁନିଗଣ କହିଲେ , – “ ହେ ମହାରାଜ ! ଆଜିହିଁ ସେହି ପୁତ୍ରଦା ଏକାଦଶୀ ତିଥି । ସୁତରାଂ ଏହିକ୍ଷଣି ଆପଣ ଏହି ବ୍ରତ ପାଳନ କରନ୍ତୁ । ତାହାପରେ ଆମ୍ଭମାନଙ୍କର ଅଭିଷେକ ଓ ଶ୍ରୀକେଶବଙ୍କର ଅନୁଗ୍ରହରୁ ଆପଣଙ୍କର ପୁତ୍ର ଲାଭ ହେବ । " ଶ୍ରୀକୃଷ୍ଣ କହିଲେ – “ ଯୁଧିଷ୍ଠିର ! ମୁନିଗଣଙ୍କର ଏକଥା ଶ୍ରବଣ କରି ଯଥା ବିଧାନରେ କେବଳ ଫଳ , ମୂଳାଦି ଗ୍ରହଣରେ ସେହି ବ୍ରତ ଉଦ୍‌ଯାପନକଲେ ଏବଂ ଦ୍ଵାଦଶୀ ଦିନ ଶସ୍ୟାଦିଦ୍ୱାରା ପାରଣ ପୂର୍ବକ ମୁନିବୃନ୍ଦଙ୍କୁ ପ୍ରଣାମ କରି ଗୃହକୁ ପ୍ରତ୍ୟାବର୍ତ୍ତନ କଲେ । କିଛି ଦିନ ମଧ୍ୟରେ ରାଣୀ ଗର୍ଭଧାରଣ କଲେ । ପୁଣ୍ୟକର୍ମା ରାଜାଙ୍କର ଯଥା ସମୟରେ ଗୋଟିଏ ତେଜସ୍ବୀ ପୁତ୍ରଲାଭ ହେଲା । ହେ ମହାରାଜ ! ଏହି ବ୍ରତ ସମସ୍ତେ ପାଳନ କରିବା କର୍ତ୍ତବ୍ୟ । ଲୋକହିତ କାମନାରେ ତୁମ ନିକଟରେ ଏହା ବର୍ଣ୍ଣନା କଲି । ଏକାଗ୍ରଚିତ୍ତରେ ଯେଉଁମାନେ ଏହି ପୁତ୍ରଦା ଏକାଦଶୀବ୍ରତ ପାଳନ କରିବେ , ସେମାନେ ‘ ପୁତ୍ ’ ନାମକ ନର୍କରୁ ତ୍ରାଣ ଲାଭ କରି ମୃତ୍ୟୁ ପରେ ସ୍ବର୍ଗଗାମୀ ହେବେ । ଏହି ବ୍ରତକଥା ପଠନ ଓ ଶ୍ରବଣରେ ଅଗ୍ନି ଷ୍ଟାମ ଯଜ୍ଞର ଫଳ ବ୍ୟକ୍ତି ପ୍ରାପ୍ତ ହୋଇଥାଏ ।🙏❤️

Leave a Reply

Your email address will not be published. Required fields are marked *