ଜଗତସିଂପୁର // ଗିରଫ ହେଲେ କୋଟିପତି ରେଞ୍ଜର ବାବୁ ରାଜେନ୍ଦ୍ର କୁମାର ସାମନ୍ତରାୟ

Spread the love

ଗିରଫ ହେଲେ କୋଟିପତି ରେଞ୍ଜର ବାବୁ
ଜଗତସିଂହପୁର,୨୧|୧୨(ଦର୍ଶନ ସମୀକ୍ଷା) :
ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଜଗତସିଂହପୁର ଜିଲ୍ଲା ରାହାମା ବନ ସଂରକ୍ଷଣ ଅଧିକାରୀ (ଫରେଷ୍ଟ ରେଞ୍ଜ ଅଫିସର) ରାଜେନ୍ଦ୍ର କୁମାର ସାମନ୍ତରାୟ ଓଡ଼ିଶା ଭିଜିଲାନ୍ସ ଦ୍ୱାରା ଗିରଫ।

ତାଙ୍କ ପାଖରୁ ଜ୍ଞାତ ଆୟର ୨୩୨% ଅଧିକ ସମ୍ପତ୍ତି ଜବତ, ଯେଉଁଥିରେ ଗୋଟିଏ ବିଶାଳ ବହୁତଳ ପ୍ରାସାଦ, ୫ଟି ମୂଲ୍ୟବାନ ପ୍ଲଟ୍, ନଗଦ ୩.୬୯ ଲକ୍ଷ ଟଙ୍କା, ପ୍ରାୟ ୨୫୦ ଗ୍ରାମ ସୁନା ଏବଂ ୮୦.୬୮ ଲକ୍ଷ ଟଙ୍କାର ଜମା ଅନ୍ତର୍ଭୁକ୍ତ। ଆଜି ଜଗତସିଂହପୁର ଜିଲ୍ଲା ରାହାମା ବନ ସଂରକ୍ଷଣ ଅଧିକାରୀ ରାଜେନ୍ଦ୍ର କୁମାର ସାମନ୍ତରାୟଙ୍କୁ ଓଡ଼ିଶା ଭିଜିଲାନ୍ସ ଗିରଫ କରି କଟକସ୍ଥିତ ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟରେ ହାଜର କରିଛି। ନିଜର ଜ୍ଞାତ ଆୟର ଉତ୍ସ ଠାରୁ ୨୩୨% ଅଧିକ ଆୟ ବର୍ହିଭୂତ ସମ୍ପତ୍ତି ଠୁଳ କରିଥିବା ଏବଂ ସେ ସମ୍ପର୍କରେ କୌଣସି ସନ୍ତୋଷଜନକ ହିସାବ ଦେଇପାରିନଥିବାରୁ ତାଙ୍କୁ ଗିରଫ କରାଯାଇଛି। ଏହି ସନ୍ଦର୍ଭରେ, ରାଜେନ୍ଦ୍ର କୁମାର ସାମନ୍ତରାୟ ଏବଂ ତାଙ୍କ ପତ୍ନୀଙ୍କ ବିରୋଧରେ କଟକ ଭିଜିଲାନ୍ସ ଥାନା କେସ୍ ନଂ-୩୭, ତାରିଖ ୨୧.୧୨.୨୦୨୫, ୟୁ/ଏସ୍ ୧୩(୨) ଆର/ଡବ୍ଲ୍ୟୁ ୧୩(୧)(ବି)/୧୨ ପିସି (ସଂଶୋଧନ) ଆକ୍ଟ, ୨୦୧୮ ଅନୁଯାୟୀ ମାମଲା ରୁଜୁ କରାଯାଇଛି।
ଘରେ ଚଢ଼ାଉ ସମୟରେ ରାଜେନ୍ଦ୍ର କୁମାର ସାମନ୍ତରାୟ ଏବଂ ତାଙ୍କ ପରିବାର ସଦସ୍ୟଙ୍କ ନାମରେ କୋଟି କୋଟି ଟଙ୍କାର ନିମ୍ନଲିଖିତ ସ୍ଥାବର ଏବଂ ଅସ୍ଥାବର ସମ୍ପତ୍ତି ଠାବ କରାଯାଇଛି: ୧. ଜଗତସିଂହପୁର ଚାଟରାରେ ଅବସ୍ଥିତ ପ୍ରାୟ ୫୫୦୦ ବର୍ଗଫୁଟ୍ ବିଶିଷ୍ଟ ଗୋଟିଏ ତିନି ମହଲା କୋଠା। ୨. ନିଜ ଗ୍ରାମ ସାମନ୍ତରାୟପୁର (ପୋ-ଦୋନ୍ଦ୍ୱ, ଜିଲ୍ଲା- ଜଗତସିଂହପୁର) ରେ ଅବସ୍ଥିତ ୨୫୦୦ ବର୍ଗଫୁଟ୍ ବିଶିଷ୍ଟ ଗୋଟିଏ ଦୁଇ ମହଲା କୋଠା। ୩. କଟକ ସହର ଉପକଣ୍ଠରେ ୨ଟି ଏବଂ ଜଗତସିଂହପୁର ସହରରେ ୩ଟି ସମେତ ମୋଟ ୫ଟି ମୂଲ୍ୟବାନ ପ୍ଲଟ୍। ୪. ନଗଦ ୩,୬୯,୬୬୦ ଟଙ୍କା। ୫. ବ୍ୟାଙ୍କ, ପୋଷ୍ଟାଲ ଏବଂ ବୀମା ବାବଦକୁ ୮୦,୬୮,୬୬୨ ଟଙ୍କାର ଜମା। ୬. ୨୫୦ ଗ୍ରାମର ସୁନା ଅଳଙ୍କାର। ୭. ୧ଟି ଚାରିଚକିଆ ଯାନ (ବୋଲେରୋ) ଏବଂ ୨ଟି ଦୁଇଚକିଆ ଯାନ। ୮. ପ୍ରାୟ ୧୪ ଲକ୍ଷ ଟଙ୍କାର ଘରକରଣା ସାମଗ୍ରୀ। ପୁଙ୍ଖାନୁପୁଙ୍ଖ ଚଢ଼ାଉ, ସୂଚୀ ପ୍ରସ୍ତୁତି ଏବଂ ପରବର୍ତ୍ତୀ ତଦନ୍ତ ପରେ ରାଜେନ୍ଦ୍ର କୁମାର ସାମନ୍ତରାୟଙ୍କ ଆୟ, ବ୍ୟୟ ଏବଂ ସମ୍ପତ୍ତିର ହିସାବ କରାଯାଇଥିଲା। ତାଙ୍କ ପାଖରେ ନିଜ ଜ୍ଞାତ ଆୟର ଉତ୍ସ ଠାରୁ ୨୩୨% ଅଧିକ ସମ୍ପତ୍ତି ଥିବା ଜଣାପଡ଼ିଛି। ଏହି ମାମଲାର ଅଧିକ ତଦନ୍ତ ଜାରି ରହିଥିବାର ସୂଚନା ମିଳିଛି।

Leave a Reply

Your email address will not be published. Required fields are marked *