ପାଟନା ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ଜଷ୍ଟିସ ସଙ୍ଗମ କୁମାର ସାହୁଙ୍କ ନିଯୁକ୍ତି ପାଇଁ ସୁପ୍ରିମକୋର୍ଟ କଲେଜିୟମର ସୁପାରିସ
କଟକ: ଦର୍ଶନ ସମୀକ୍ଷା
ପାଟନା ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ନିଯୁକ୍ତି ପାଇଁ ଓଡ଼ିଶା ହାଇକୋର୍ଟର ବିଚାରପତି ଜଷ୍ଟିସ ସଙ୍ଗମ କୁମାର ସାହୁଙ୍କ ନାଁ ସୁପ୍ରିମକୋର୍ଟ କଲେଜିୟମ ସୁପାରିସ କରିଛନ୍ତି। ଡିସେମ୍ବର ୧୮ରେ ଅନୁଷ୍ଠିତ ସୁପ୍ରିମକୋର୍ଟ କଲେଜିୟମ ବୈଠକରେ ଏପରି ନିଷ୍ପତ୍ତି ଗ୍ରହଣ କରାଯାଇଛି। ଏହି କଲେଜିୟମ ବୈଠକରେ ଓଡ଼ିଶା ସହିତ, ଉତ୍ତରାଖଣ୍ଡ, ମେଘାଳୟ, ଝାଡ଼ଖଣ୍ଡ ଓ ସିକ୍କିମ ହାଇକୋର୍ଟର ମୁଖ୍ୟ ବିଚାରପତି ପଦରେ ନିଯୁକ୍ତି ପାଇଁ ସୁପ୍ରିମକୋର୍ଟ କଲେଜିୟମ ନାଁ ସୁପାରିସ କରିଛନ୍ତି। ଜଷ୍ଟିସ ସଙ୍ଗମ କୁମାର ସାହୁ ୧୯୬୪, ଜୁନ ୫ରେ ଜନ୍ମଗ୍ରହଣ କରିଥିଲେ। ନୂଆବଜାର ହାଇସ୍କୁଲରୁ ମାଟ୍ରିକ ପାସ କରିବା ପରେ ସେ ଷ୍ଟିୱାର୍ଟ ବିଜ୍ଞାନ କଲେଜରୁ ଆଇଏସସି ଓ ବିଏସସି ଡିଗ୍ରି ହାସଲ କରିଥିଲେ। ଉତ୍କଳ ବିଶ୍ବବିଦ୍ୟାଳୟରୁ ସେ ଇଂରାଜୀ ଓ ଓଡ଼ିଆରେ ଏମଏ ପାସ କରିଥିଲେ। କଟକ ଦି’ ଲ କଲେଜରୁ ଏଲଏଲ.ବି. ଡିଗ୍ରି ହାସଲ କରିବା ପରେ ସେ ୧୯୮୯, ନଭେମ୍ବର ୨୬ରେ ଆଇନଜୀବୀ ଭାବେ ଓଡ଼ିଶା ରାଜ୍ୟ ଆଇନଜୀବୀ ପରିଷଦରେ ପଞ୍ଜୀକୃତ ହୋଇଥିଲେ। ସେ ତାଙ୍କ ବାପା ତଥା ସୁନାମଧନ୍ୟ ଫୌଜଦାରୀ ଆଇନ ବିଶେଷଜ୍ଞ ବିଶିଷ୍ଟ ଆଇନଜୀବୀ ସ୍ବର୍ଗତ ଶରତ ଚନ୍ଦ୍ର ସାହୁଙ୍କ ଅଧିନରେ ଓକିଲାତି ପେସା ଆରମ୍ଭ କରିଥିଲେ। ବିଶିଷ୍ଟ ଆଇନଜୀବୀ ଡକ୍ଟର ମନୋରଂଜନ ପଣ୍ଡାଙ୍କ ସହଯୋଗୀ ଭାବେ ମଧ୍ୟ ସେ କାର୍ଯ୍ୟ କରିଥିଲେ। ସେ ରାଜ୍ୟର ଜଣେ ଦକ୍ଷ ଆଇନଜୀବୀ ଭାବେ ସୁନାମ ଅର୍ଜନ କରିଥିଲେ। ହାଇକୋର୍ଟ ସହିତ ବିଭିନ୍ନ ଜିଲ୍ଲା ଅଦାଲତ, ଖାଉଟି କମିସନ, ସ୍ୟାଟ୍, କ୍ୟାଟ୍ରେ ସେ ଆଇନଜୀବୀ ଭାବେ ମାମଲା ପରିଚାଳନା କରିଥିଲେ। ଚାକିରି ସଂପର୍କିତ ଓ ଫୌଜଦାରୀ ଆଇନରେ ସେ ବିଶେଷ ପାରଦର୍ଶିତା ହାସଲ କରିଥିଲେ। ୨୦୧୪, ଜୁଲାଇ ୨ରେ ସେ ଓଡ଼ିଶା ହାଇକୋର୍ଟର ବିଚାରପତି ଭାବେ ନିଯୁକ୍ତି ପାଇଥିଲେ।












Leave a Reply