ଭିବି -ଜି -ରାମ – ଜି ବିଲ ପ୍ରତ୍ୟାହର ଦାବି ରେ
ବାମପନ୍ଥୀ ଦଳ ମାନଙ୍କ ତରଫ ରୁ
୨୨ ଡିସେମ୍ବର – ସର୍ବଭାରତୀୟ ପ୍ରତିବାଦ ଦିବସ
ଭୁବନେଶ୍ବର, ତାରିଖ:୧୮.୧୨.୨୦୨୫ (ଦର୍ଶନ ସମୀକ୍ଷା)
‘ମନରେଗା’ଯୋଜନାରେ କେନ୍ଦ୍ର ସରକାର ଯେଉଁ ମୌଳିକ ପରିବର୍ତ୍ତନ ଆଣିଛନ୍ତି, ତା’କୁ ବିରୋଧ କରି ବାମପନ୍ଥୀ ଦଳଗୁଡ଼ିକ ୨୨ଡିସେମ୍ବର ରେ ଦେଶବ୍ୟାପୀ ପ୍ରତିବାଦ ଆନ୍ଦୋଳନ ପାଇଁ ଆହ୍ୱାନ ଦେଇଛନ୍ତି ।
ଓଡିଶାରେ ରାଜ୍ୟବ୍ୟାପୀ ପ୍ରତିବାଦ ଦିବସ ସଂଗଠିତ କରିବା ପାଇଁ ରାଜ୍ୟର ଚାରୋଟି ପ୍ରମୁଖ ବାମପନ୍ଥୀ ଦଳ ର ବୈଠକ ସି ପି ଆଇ(ଏମ୍) ରାଜ୍ୟ ଅଫିସ ରେ ଅନୁଷ୍ଠିତ ହୋଇ ନିଷ୍ପତ୍ତି ନିଆଯାଇଛି । ଏହି ବୈଠକ ରେ ସି.ପି.ଆଇ. ର ପୂର୍ବତନ ରାଜ୍ୟ ସମ୍ପାଦକ ତଥା ବରିଷ୍ଠ ସି .ପି. ଆଇ.ନେତା ଆଶିଷ କୁମାର କାନୁନଗୋ, ସି.ପି. ଆଇ. (ଏମ୍) ରାଜ୍ୟ ସମ୍ପାଦକ ସୁରେଶ ଚନ୍ଦ୍ର ପାଣିଗ୍ରାହୀ, ରାଜ୍ୟ ସମ୍ପାଦକ ମଣ୍ଡଳୀ ସଦସ୍ୟ ଜମେଶ୍ୱର ସାମନ୍ତରାୟ,
ଭୁବନେଶ୍ବର ଆଞ୍ଚଳିକ କମିଟି ସମ୍ପାଦକ ପ୍ରଦୀପ୍ତ ନାୟକ, ସି.ପି.ଆଇ.(ଏମ୍.ଏଲ)- ଲିବେରେସନ କେନ୍ଦ୍ର କମିଟି ସଦସ୍ୟ ରାଧାକାନ୍ତ ସେଠୀ, ରାଜ୍ୟ ନେତା ମହେନ୍ଦ୍ର ପରିଡା ଏବଂ ଅଲ୍ ଇଣ୍ଡିଆ ଫରୱାର୍ଡ ବ୍ଲକ୍ ରାଜ୍ୟ ସାଧାରଣ ସମ୍ପାଦକ ଜ୍ୟୋତି ରଞ୍ଜନ ମହାପାତ୍ର ପ୍ରମୁଖ ନେତୃବୃନ୍ଦ ଯୋଗ ଦେଇଥିଲେ।
୨୨ ଡିସେମ୍ବର ରେ ଓଡ଼ିଶାର ରାଜଧାନୀ ଭୁବନେଶ୍ୱର ସମେତ ରାଜ୍ୟବ୍ୟାପୀ ପ୍ରତିବାଦ ଆନ୍ଦୋଳନ ଆୟୋଜନ କରାଯିବ ବୋଲି ୪ଟି ବାମପନ୍ଥୀ ଦଳ ତରଫରୁ ଜାରି ହୋଇଥିବା ପ୍ରେସ ବିଜ୍ଞପ୍ତି ରେ କୁହାଯାଇଛି । ସଂସଦ ରେ ପାରିତ ହୋଇଥିବା ବିଲ୍ କୁ ଦେଶବାସୀଙ୍କ ସ୍ବାର୍ଥ ଦୃଷ୍ଟିରୁ ରାଷ୍ଟ୍ରପତି ମହୋଦୟା ଅନୁମୋଦନ ନଦେବା ପାଇଁ ଏକ ସ୍ମାରକ ପତ୍ର ଓଡ଼ିଶାର ରାଜ୍ୟପାଳଙ୍କ ଜରିଆରେ ପ୍ରଦାନ କରାଯିବ ବୋଲି ନିଷ୍ପତ୍ତି ହୋଇଛି ।
ବାମପନ୍ଥୀ ଦଳ ମାନଙ୍କ ତରଫ ରୁ ପ୍ରେସ ବିଜ୍ଞପ୍ତି ରେ କୁହାଯାଇଛି ଯେ ୟୁ.ପି.ଏ ସରକାରଙ୍କ ଉପରେ ବାମପନ୍ଥୀ ଦଳଗୁଡ଼ିକର ଚାପ ଯୋଗୁଁ ୨୦୦୫ରେ ପ୍ରଣୟନ ହୋଇଥିବା ‘ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଯୁକ୍ତି ଗ୍ୟାରେଣ୍ଟି/ ନିଶ୍ଚିତ ଆଇନ’
(ଏମ୍.ଜି.ଏନ୍.ଆର୍.ଇ.ଜି.ଏ)ର ମୌଳିକ ଚରିତ୍ରକୁ ପରିବର୍ତ୍ତନ କରିବା ପାଇଁ ବିଜେପି ନେତୃତ୍ୱାଧୀନ କେନ୍ଦ୍ର ସରକାରଙ୍କ ପଦକ୍ଷେପକୁ ବାମପନ୍ଥୀ ଦଳମାନେ ତୀବ୍ର ବିରୋଧ କରୁଛନ୍ତି।
ଏମ୍.ଜି.ଏନ୍.ଆର୍.ଇ.ଜି.ଏ ବଦଳରେ କେନ୍ଦ୍ର ସରକାର ନୂଆରେ ଯେଉଁ ‘ବିକଶିତ ଭାରତ- ରୋଜଗାର ର ଗ୍ୟାରେଣ୍ଟି ଏବଂ ଆଜୀବିକା ମିଶନ (ଗ୍ରାମୀଣ) ବିଲ୍- ୨୦୨୫ (ଭିବି ଜି-ରାମ୍-ଜି ବିଲ୍) ଆଣିଛନ୍ତି, ତା’ ବିରୋଧରେ ଡିସେମ୍ବର ୨୨ ରେ ବହୁ ସଂଖ୍ୟାରେ ଏକତ୍ରିତ ହୋଇ ପ୍ରତିବାଦ କରିବାକୁ ବାମପନ୍ଥୀ ଦଳ ମାନେ ଆହ୍ୱାନ ଜଣାଇଛନ୍ତି।
‘ମନରେଗା’ ହେଉଛି ଏକ ସାର୍ବଜନୀନ, ଚାହିଦା ଭିତ୍ତିକ ଆଇନ ଯାହା ଗ୍ରାମୀଣ ଶ୍ରମିକଙ୍କୁ କାମ କରିବାର ଏକ ସୀମିତ ଅଧିକାର ପ୍ରଦାନ କରିଥାଏ। ନୂତନ ବିଲ୍ ଏହି ଚରିତ୍ରକୁ ପରିବର୍ତ୍ତନ କରୁଛି ଏବଂ ଲୋକଙ୍କର ଏହି ସୀମିତ ଅଧିକାରକୁ ମଧ୍ୟ ପ୍ରତ୍ୟାଖ୍ୟାନ କରୁଛି । ‘ମନରେଗା’ ଅଧୀନରେ କାମର ଚାହିଦା ଅନୁଯାୟୀ ପାଣ୍ଠି ଆବଣ୍ଟନ କରିବାର ଦାୟିତ୍ୱ କେନ୍ଦ୍ର ସରକାରଙ୍କ ଉପରେ ନ୍ୟସ୍ତ ଥିଲା, କିନ୍ତୁ ବର୍ତ୍ତମାନର ନୂଆ ଆଇନ ପାଣ୍ଠି ଆବଣ୍ଟନ କରିବାର ଦାୟିତ୍ୱରୁ ଆଇନଗତ ଭାବରେ କେନ୍ଦ୍ର ସରକାରଙ୍କୁ ମୁକ୍ତ କରି ଦେଉଛି ।
ସରକାର ଗ୍ୟାରେଣ୍ଟିଯୁକ୍ତ ନିଯୁକ୍ତି ତଥା ରୋଜଗାରକୁ ୧୦୦ ଦିନରୁ ୧୨୫ ଦିନକୁ ବୃଦ୍ଧି କରିବାର ଯେଉଁ ଦାବି କରୁଛନ୍ତି, ତାହା କେବଳ ଲୋକ ଦେଖାଣିଆ ଏବଂ ପୂର୍ବର ଅନେକ ଜୁମଲା ପରି ସରକାରଙ୍କ ଏହା ଆଉ ଏକ ଜଣାଶୁଣା ଜୁମଲା । ବାସ୍ତବରେ ଏହି ବିଲ୍ ଜବ୍ କାର୍ଡକୁ ଯୁକ୍ତିଯୁକ୍ତ କରିବା ନାଁରେ ଗ୍ରାମୀଣ ପରିବାରର (ଶ୍ରମଜୀବି ମଣିଷର) ଏକ ବଡ଼ ଅଂଶକୁ ବାଦ୍ ଦେବାର ପଥ ଖୋଲି ଦେଉଛି। କୃଷି କାର୍ଯ୍ୟ ସର୍ବାଧିକ ଚାଲୁଥିବା କୃଷି ଋତୁରେ ୬୦ ଦିନ ପର୍ଯ୍ୟନ୍ତ ନିଯୁକ୍ତିକୁ ସ୍ଥଗିତ ରଖିବାକୁ ସରକାରଙ୍କୁ ଅନୁମତି ଦେଇଥିବା ଏହି ନୂଆ ଯୋଜନାର ବ୍ୟବସ୍ଥା ଗ୍ରାମାଞ୍ଚଳ ପରିବାରମାନଙ୍କୁ ସବୁଠାରୁ ଆବଶ୍ୟକ ସମୟରେ କାମରୁ ବଞ୍ଚିତ କରିବ ଏବଂ ସେମାନଙ୍କୁ ଜମିଦାର (ଜମି ମାଲିକ)ଙ୍କ ଉପରେ ନିର୍ଭରଶୀଳ ହେବାକୁ ବାଧ୍ୟ କରିବ। କାର୍ଯ୍ୟସ୍ଥଳରେ ଡିଜିଟାଲ ଉପସ୍ଥାନ ବାଧ୍ୟତାମୂଳକ କରିବା ଦ୍ୱାରା ଶ୍ରମିକମାନେ କାର୍ଯ୍ୟ ହରାଇବା ଏବଂ ସେମାନଙ୍କ ଅଧିକାରରୁ ବଞ୍ଚିତ ହେବା ଭଳି ଅତ୍ୟଧିକ ଅସୁବିଧାର ସମ୍ମୁଖୀନ ହେବେ ।
ଏହି ଯୋଜନା ପାଇଁ ପାଣ୍ଠି ଯୋଗାଣ ପଦ୍ଧତିରେ ପରିବର୍ତ୍ତନ ପ୍ରସ୍ତାବ ଦେଇ କେନ୍ଦ୍ର ସରକାର ଏହାର ଦାୟିତ୍ୱ ରାଜ୍ୟମାନଙ୍କ ଉପରେ ଲଦି ଦେଇଛି। କେନ୍ଦ୍ର ସରକାର ଗୋଟିଏ ଦିଗରେ ରାଜ୍ୟ ସରକାରମାନଙ୍କ ଉପରେ ଏକ ଅସହ୍ୟ ଆର୍ଥିକ ବୋଝ ପକାଇଥାଏ ଏବଂ ଅପର ଦିଗରେ ଏହି ଯୋଜନାର ପରିଚାଳନା ପାଇଁ ନିଷ୍ପତ୍ତି ନେବା ପ୍ରକ୍ରିୟାରେ ସେମାନଙ୍କୁ (ରାଜ୍ୟମାନଙ୍କୁ) କୌଣସି ଭୂମିକା ପାଳନ କରିବାରୁ ବଞ୍ଚିତ କରିଥାଏ । ଏହି ବିଲ୍ ରେ ବେକାରୀ ଭତ୍ତା ଏବଂ ମଜୁରୀ ପ୍ରଦାନରେ ବିଳମ୍ବ ଜନିତ କ୍ଷତିପୂରଣ ସମ୍ବନ୍ଧିୟ ଖର୍ଚ୍ଚ ରାଜ୍ୟଗୁଡିକ ମଧ୍ୟ ବହନ କରିବେ ବୋଲି ଆଶା କରାଯାଉଛି। ଏହି ସମସ୍ତ ପରିବର୍ତ୍ତନର ମୁଖ୍ୟ ଉଦ୍ଦେଶ୍ୟ ହେଉଛି :- ଏହି ଯୋଜନାରୁ ଉପକୃତ ହେଉଥିବା ଗ୍ରାମୀଣ ଲୋକଙ୍କ ପାଇଁ ଯୋଜନା ସମ୍ବନ୍ଧିତ କାର୍ଯ୍ୟକ୍ରମର ପହଂଚକୁ ହ୍ରାସ କରିବା ଏବଂ କେନ୍ଦ୍ର ସରକାରଙ୍କ ଉତ୍ତରଦାୟିତ୍ୱକୁ ଦୁର୍ବଳ କରିବା ।
ଏହି ଯୋଜନାର ନାମ ଏମ୍.ଏନ୍.ଆର୍.ଇ.ଜି.ଏ (ମନେରେଗା)ରୁ ଜି-ରାମ୍-ଜି କୁ ପରିବର୍ତ୍ତନ କରିବା ମଧ୍ୟ ମହାତ୍ମା ଗାନ୍ଧୀଙ୍କ ପ୍ରତି ଅପମାନ ଏବଂ ତାଙ୍କ ଆଦର୍ଶଗତ ପରମ୍ପରା ପ୍ରତି ବିଜେପି- ଆର୍.ଏସ୍.ଏସ୍. ର ଶତ୍ରୁତାପୂର୍ଣ୍ଣ ଆଚରଣକୁ ପ୍ରତିଫଳିତ କରୁଛି।
ବାମପନ୍ଥୀ ଦଳ ମାନେ ଦାବି କରିଛନ୍ତି ଯେ ବିଜେପି ସରକାର ତୁରନ୍ତ ‘ଭିବି ଜି-ରାମ-ଜି’ ବିଲ୍ ପ୍ରତ୍ୟାହାର କରନ୍ତୁ। ବାମପନ୍ଥୀ ଦଳଗୁଡ଼ିକ ଡିସେମ୍ବର ୨୨ ତାରିଖରେ ସାରା ଦେଶରେ ଏହି ପ୍ରସ୍ତାବିତ ପରିବର୍ତ୍ତନକୁ ବିରୋଧ କରିବେ। ବହୁ ସଂଖ୍ୟାରେ ଲୋକମାନେ ଯୋଗ ଦେବାକୁ ଏବଂ ନୂତନ ବିଲ୍ କୁ ତୁରନ୍ତ ପ୍ରତ୍ୟାହାର କରିବାକୁ ଦାବି କରିବାକୁ ନିବେଦନ କରାଯାଇଛି। ବାମପନ୍ଥୀ ଦଳ ମାନେ ସରକାରଙ୍କ ନିକଟରେ ଦାବି କରିଛନ୍ତି ଯେ “ମନରେଗା”କୁ ସାର୍ବଜନୀନ କରି ଏହାକୁ ସୁଦୃଢ଼ କରନ୍ତୁ, ଅତି କମ୍ ରେ ୨୦୦ ଦିନର ସର୍ବନିମ୍ନ ନିଯୁକ୍ତି ଯୋଗାଇବା ପାଇଁ ଆବଶ୍ୟକ ପାଣ୍ଠି ଆବଣ୍ଟନ ସୁନିଶ୍ଚିତ କରନ୍ତୁ।
ଡ଼ଃ ପ୍ରଶାନ୍ତ କୁମାର ମିଶ୍ର ସୁରେଶ ଚନ୍ଦ୍ର ପାଣିଗ୍ରାହୀ
ରାଜ୍ୟ ସମ୍ପାଦକ ରାଜ୍ୟ ସମ୍ପାଦକ
ସି. ପି .ଆଇ. ସି. ପି .ଆଇ. (ଏମ)
ଯୁଧିଷ୍ଠିର ମହାପାତ୍ର
ରାଜ୍ୟ ସମ୍ପାଦକ,
ସି.ପି.ଆଇ.(ଏମ.ଏଲ)-ଲିବରେସନ୍
ଜ୍ୟୋତି ରଞ୍ଜନ ମହାପାତ୍ର
ରାଜ୍ୟ ସାଧାରଣ ସମ୍ପାଦକ
ଅଲ୍ ଇଣ୍ଡିଆ ଫରୱାର୍ଡ ବ୍ଲକ୍
ଡିସେମ୍ବର ୧୮, ୨୦୨୫
ଭୁବନେଶ୍ବର












Leave a Reply