ଭାଷା//ଯେଉଁ ପିଲାକୁ ନେଇ ଦିନେ ବାପା ମାଆ ଚିନ୍ତାଗ୍ରସ୍ତ ହୋଇ ପଡିଥିଲେ ଆଜି ସେଇ ପିଲା ପାଇଁ ତାଙ୍କର ପରିଚୟ ବଦଳିଯିବ ସେ କଥା ସେମାନେ ଭାବି ପାରି ନଥିଲେ -ସଂଜୟ ରଥ ଭୁବନେଶ୍ବର

Spread the love

ଭାଷା
ଯେଉଁ ପିଲାକୁ ନେଇ ଦିନେ ବାପା ମାଆ ଚିନ୍ତାଗ୍ରସ୍ତ ହୋଇ ପଡିଥିଲେ ଆଜି ସେଇ ପିଲା ପାଇଁ ତାଙ୍କର ପରିଚୟ ବଦଳିଯିବ ସେ କଥା ସେମାନେ ଭାବି ପାରି ନଥିଲେ। ଛୁଆଟିଏ ଜନ୍ମ ହେବା ସଙ୍ଗେ ସଙ୍ଗେ କଣ କେବେ କାହାକୁ କିଛି କହି ନିଜର ଭାବନା ବ୍ୟକ୍ତ କରିପାରେ? ସିଦ୍ଧି ସ୍ଵରୂପା ସେହି ପରି ସବୁ ପିଲାଙ୍କ ପରି ତାକୁ ଭୋକ ଲାଗିଲେ କାନ୍ଦିବା ଆରମ୍ଭ କରିଦିଏ। କେଉଁ ବାପା ମାଆ ଜାଣିବେ ଯେ ତାର ଛୁଆଟି ମାଆ କ୍ଷୀର ଖାଇବା ପାଇଁ ହେଉ ବା ଅନ୍ୟ କୌଣସି ଆବଶ୍ୟକତା ପୁରଣ କରିବା ପାଇଁ ହେଉ ଏପରି କାନ୍ଦୁଛି ବୋଲି?
ଟିକିଏ ବଡ ହେବାରୁ, ଯେଉଁ ବୟସରେ ପିଲାମାନେ କଥା କହିବା ଆରମ୍ଭ କରନ୍ତି ସେ ସମୟକୁ ସିଦ୍ଧି ସ୍ଵରୂପା ପୂର୍ବପରି ଆଉ ନକାନ୍ଦି ହୁଁ ହୁଁ ହୋଇ ଠାରରେ ଯେତେବେଳେ କିଛି କହିବାକୁ ଚାହୁଁଛି ବୋଲି ବାପା ମାଆ ଜାଣିଲେ ସେତେବେଳେ ସ୍ପଷ୍ଟ ହୋଇ ଗଲା ଯେ ଝିଅଟି ମୁକ। ନିଜ ଗର୍ଭରୁ ଜନ୍ମିତ ପିଲାଟି ଛୋଟା, କେମ୍ପା, କୁଜା, ମୁକ, ବଧିର ଯାହା ହୋଇ ଥାଉନା କାହିଁକି ବାପା ମାଆ ପାଇଁ ସିଏ କେବେ ଅଲୋଡା ହୋଇ ନଥାଏ। ଶରତ ଓ ଉର୍ମିଳା ଝିଅଟିର ଖୁବ୍ ଯତ୍ନ ନେଉ ଥାନ୍ତି।କାଳେ କେତେବେଳେ ଭଗବାନଙ୍କର ଦୟା ହେବ ପିଲାଟି ମୁହଁ ଖୋଲି କଥା କହି ପାରିବ, ସେଥିପାଇଁ ଅନେକ ଦିଅଁ ଦେବତାଙ୍କୁ ପୂଜା କରି ମାନସିକ କରିବାରେ ଦୁହିଁଙ୍କର ସମୟ ବିତିଯାଏ।
ସିଦ୍ଧି ସ୍ଵରୂପା ସ୍କୁଲକୁ ଯିବା ଏବଂ ପାଠ ପଢିବାରେ ଅନ୍ୟ ପିଲାଙ୍କ ଠାରୁ ବେଶ୍ ଆଗରେ ରହୁଥାଏ। ସ୍କୁଲ୍ ପାଠ ସାରି, କଲେଜ୍ ଗଲା।ସେଠି ପ୍ଲସ୍ ଟୁ ପରେ ଇଞ୍ଜିନିୟରିଂ ମଧ୍ୟ ଉତ୍ତୀର୍ଣ୍ଣ ହେଲା।ସବୁଥିରେ ଶ୍ରେଣୀରେ ସେ ସମସ୍ତଙ୍କ ଠାରୁ ଆଗରେ ରହିବା ବୋଧହୁଏ ଭଗବାନଙ୍କର ତା ପ୍ରତି ଏକ ଆଶିର୍ବାଦ ହୋଇ ରହିଥାଏ।ହେଲେ ତାକୁ ନେଇ ସମାଜର ଟାହିଟାପରାକୁ ସେ ମନ ଭିତରେ ବେଶ୍ ଅନୁଭବ କରୁଥାଏ।ମନେ ମନେ ଚିନ୍ତା କରୁଥାଏ କି ଯଦି ଏମିତି କିଛି ହୋଇ ପାରନ୍ତା ଯେ କୌଣସି ଅକ୍ଷର ଲେଖିବାରେ ତାହା ଭାଷାରେ ପରିବର୍ତ୍ତନ ହୋଇ ଶବ୍ଦରେ ପରିଣତ ହୋଇ ପାରନ୍ତା ତେବେ ତାକୁ ନେଇ ଟାହି ଟାପରା କରୁଥିବା ଲୋକଙ୍କର ମୁହଁ ବନ୍ଦ ହୋଇ ଯାଆନ୍ତା।
ମନ ଥିଲେ ଉପାୟ ବଳେ ବଳେ ଆସେ।ନିଜ ଚେଷ୍ଟାରେ ଦିନେ ସେ ସଫଳ ହେଲା।ତା ଦ୍ଵାରା ନିର୍ମିତ ଏକ ଡିଭାଇସ୍ ତାର ଚିନ୍ତା ଦୂର କରିଦେଲା। ଏହାଦ୍ବାରା କେବଳ ସେ ଏକୁଟିଆ ଉପକୃତ ହେଲାନାହିଁ ବରଂ ପୃଥିବୀର କୋଟି କୋଟି ମୁକ ବ୍ୟକ୍ତି ଉପକୃତ ହେଲେ।
ଯେଉଁ ଝିଅକୁ ନେଇ ବାପା ମାଆଙ୍କ ଚିନ୍ତା ବଢିଯାଇଥିଲା। ସେମାନେ ଅନେକ ମନସ୍ତାପ ଭିତରେ ରହୁଥିଲେ। ଯେଉଁ ଝିଅକୁ ପାଠ ପଢିଲା ପରେ ମଧ୍ୟ ବିବାହ କରିବା ପାଇଁ କୌଣସି ବରପାତ୍ର ମିଳୁ ନଥିଲେ ଆଜି ସେହି ଝିଅ ପାଇଁ ପୃଥିବୀର କୋଟି କୋଟି ଲୋକ ଉପକୃତ ହେବା ସଙ୍ଗେ ସଙ୍ଗେ ପରିକଳ୍ପନା ବାହାରେ ଥିବା ଧନାଢ୍ୟ ପରିବାରର ପ୍ରତିଷ୍ଠିତ ଯୁବକ ମାନଙ୍କ ନିକଟରୁ ବିବାହ ପ୍ରସ୍ତାବମାନ ଆସିବାରେ ଲାଗିଛି।
ସିଦ୍ଧି ସ୍ଵରୂପା ଏବେ ତାର ଉତ୍ପାଦନକୁ ନେଇ ନିଜ ବାପା ମାଆଙ୍କ ନାମରେ ଏକ ଟ୍ରଷ୍ଟ ଆରମ୍ଭ କରିଛି। ଏଥିରେ ତାକୁ ଆର୍ଥିକ ସହଯୋଗ କରିବାପାଇଁ ଅନେକ ବଡ ବଡ ସୁ ପ୍ରତିଷ୍ଠିତ କମ୍ପାନୀ ଆଗକୁ ବାହାରି ଆସିଛନ୍ତି।
ସଯୟ ବଦଳି ଯାଇଛି।ସିଦ୍ଧି ସ୍ଵରୂପା ଏବେ ପୃଥିବୀର ଶ୍ରେଷ୍ଠ ବୈଜ୍ଞାନିକର ମାନ୍ୟତା ଲାଭ କରି ନିଜର ଏକ ଭିନ୍ନ ପରିଚୟ ସୃଷ୍ଟି କରି ପାରିଛି।ଏବେ କଥିତ ଭାଷା ଓ ଲିଖିତ ଭାଷାର ମହା ମିଳନରେ ସିଦ୍ଧି ସ୍ଵରୂପା ଏକ ମହିୟସୀ ନାରୀ ଭାବେ ପୃଥିବୀର ଜଣେ ଖ୍ୟାତନାମା ମହିଳାର ମାନ୍ୟତା ଲାଭ କରିଛି।
🌄🌴🌹✍️ ସଞ୍ଜୟ ✍️🌹🌳🌝

Leave a Reply

Your email address will not be published. Required fields are marked *