ସର୍ବଭାରତୀୟ ସାମ୍ୱାଦିକତା କ୍ଷେତ୍ରରେ ସ୍ଵନାମ ଧନ୍ୟ ପ୍ରତିଭା ରବିରଥ…….ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା ): ଦର୍ଶନସମୀକ୍ଷା

Spread the love

ସର୍ବଭାରତୀୟ ସାମ୍ୱାଦିକତା
କ୍ଷେତ୍ରରେ ସ୍ଵନାମଧନ୍ୟ ପ୍ରତିଭା ରବି ରଥ…….
ପାରଳାଖେମୁଣ୍ଡି, 15/11(ତାରିଣୀ ପ୍ରସାଦ ପଣ୍ଡା ): ଦର୍ଶନସମୀକ୍ଷା

ସାମ୍ବାଦିକତା ସର୍ବଭାରତୀୟ ସ୍ତରରେ ଓଡ଼ିଶାର ଯେଉଁ କେତେଜଣ ସାମ୍ୱାଦିକ ସୁନାମ ଅର୍ଜନ କରିଛନ୍ତି ସେମାନଙ୍କ ମଧ୍ୟରେ ଗଞ୍ଜାମ ଜିଲ୍ଲାର ବରିଷ୍ଠ ସାମ୍ୱାଦିକ ତଥା ନବୀନର ସମ୍ପାଦକ ରବି ରଥ ଅନ୍ୟତମ । ବଡ଼ଖେମୁଣ୍ଡି ଅଞ୍ଚଳର ଘୋଡ଼ାହାଡ଼ ନଦୀ ପାର୍ଶ୍ଵବର୍ତ୍ତୀ ମଧୁବନ ଗ୍ରାମରେ ଜନ୍ମଗ୍ରହଣ କରିଥିବା ଏହି ବିରଳ ବ୍ୟକ୍ତିତ୍ଵ ସମ୍ପ୍ରତି ବ୍ରହ୍ମପୁର ମହାନଗରରେ ସ୍ଥାୟୀ ବାସିନ୍ଦା . ପରବର୍ତ୍ତୀ ସମୟରେ ବିଜୟ ରଥ କଠିନ ପରିଶ୍ରମ, ତ୍ୟାଗ ଓ ଅଙ୍ଗୀକାରବଦ୍ଧତା ବଳରେ ସମାଜରେ ନିଜର ଏକ ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିବାରେ ସମର୍ଥ ହେଲେ। ମଧୁବନ ରଥ ପରିବାରର ସମାଜ ପାଇଁ ଅବଦାନ ଅବିସ୍ମରଣୀୟ । ପିତା ବୃନ୍ଦାବନ ରଥ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ବ୍ରହ୍ମପୁରସ୍ଥିତ ଖଲ୍ଲିକୋଟ କଲେଜରେ ପଢ଼ୁଥିବା ବେଳେ ଆଇଏନ୍‌‍ଏରେ ଯୋଗଦେଇ ଢ଼ାକା ଯାଇଥିଲେ । ସେ ଡ଼. ରାମ ମନୋହର ଲୋହିଆଙ୍କର ଜଣେ ଦୃଢ଼ ସମର୍ଥକ । କନିଷ୍ଠ ଭ୍ରାତା ବିରଞ୍ଚି ନାରାୟଣ ରଥ ଓଡ଼ିଶାର ଜଣେ ଦକ୍ଷ ଓ ନିଷ୍ଠାପର ଅଫିସର ଭାବରେ ସମଗ୍ର ଓଡ଼ିଶାରେ ସ୍ଵମାନଧନ୍ୟ । ବିରଞ୍ଚି ବାବୁ ପିତାଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ସେ ଚାକିରି କାଳ ମଧ୍ୟରେ ଉଚ୍ଚପଦସ୍ଥ ଅଧିକାରୀ ଭାବେ କାର୍ଯ୍ୟ କରିଥିଲେ ମଧ୍ୟ ଦୁର୍ନୀତିକୁ କେବେ ହେଲେ ପ୍ରଶ୍ରୟ ଦେଇନଥିଲେ । ବିଜୟ ରଥଙ୍କ ଦ୍ଵାରା ବ୍ରହ୍ମପୁର ଠାରେ ଓଡ଼ିଶାର ଏକମାତ୍ର ଦୃଷ୍ଟିହୀନମାନଙ୍କ ପୁସ୍ତକ ପ୍ରକାଶନ ନିମନ୍ତେ ବ୍ରେଲ ପ୍ରେସ ପ୍ରତିଷ୍ଠା ହୋଇପାରଛି । ରଥ ପରିବାରର ଅନ୍ୟତମ ଭ୍ରାତା ପ୍ରକାଶ ନାରାୟଣ ରଥ ମେନେଜର ଭାବରେ ସମ୍ପ୍ରତି ଏହି ପ୍ରେସରେ କାର୍ଯ୍ୟରତ। ରଥ ପରିବାରର ଆଠ ଭାଇ ଓ ଦୁଇ ଭଉଣୀଙ୍କ ମଧ୍ୟରେ ରବି ରଥ ହେଉଛନ୍ତି ତୃତୀୟ ସନ୍ତାନ । ନିଜ ଗ୍ରାମରେ ପ୍ରାଥମିକ ଶିକ୍ଷା ସାରି ଦିଗପହଣ୍ଡିସ୍ଥିତ ବଡ଼ଖେମୁଣ୍ଡି ହାଇସ୍କୁଲରୁ ଅଷ୍ଟମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇ ଛତ୍ରପୁର ଅନସ୍ଲୋ ଶିକ୍ଷାନୁଷ୍ଠାନରେ ଭର୍ତ୍ତିହେଲେ । ସେଠାରେ ମାଟ୍ରିକ୍‌‍ ଶ୍ରେଣୀରେ ଅଧ୍ୟୟନ ସମୟରେ ବିଭିନ୍ନ ଛାତ୍ର ସଂଗଠନ ସହ ଜଡ଼ିତ ହେଲେ । ସେହି ସମୟ ବିଭିନ୍ନ ଆନ୍ଦୋଳନରେ ସାମିଲ ହୋଇ ସେ ବହୁବାର ଗିରଫ ହେବା ସହ କାରାବରଣ କରିଥିଲେ । ବିଶେଷକରି 1975 -76 ମଧ୍ୟରେ ଦେଶର ଜରୁରୀକାଳୀନ ପରିସ୍ଥିତି ବେଳେ ସେ ଅନ୍ୟ ନେତୃମଣ୍ଡଳୀ ସହ ଛତ୍ରପୁର ଜେଲରେ ବନ୍ଦୀ ଜୀବନ କଟାଇଥିଲେ । ପରବର୍ତ୍ତୀ ସମୟରେ ଶ୍ରୀ ରଥ ଗାନ୍ଧୀ, ଲୋହିୟା, ଜୟପ୍ରକାଶଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଜନତା ପାର୍ଟିରେ ଯୋଗ ଦେଇଥିଲେ । 1977 ରୁ 1980 ଯାଏଁ ସେ ଯୁବ ଜନତାର ଗଞ୍ଜାମ ଜିଲ୍ଲା ସଭାପତି ଥିବା ବେଳେ ହୁମା ଠାରେ 1978 ମସିହାରେ ଲବଣ ଶ୍ରମିକ ଆନ୍ଦୋଳନର ନେତୃତ୍ଵ ନେଇ ହୁମାର ଲବଣ କ୍ଷେତାଞ୍ଚଳରେ ଲାଗୁ ହୋଇଥିବା 144 ଧାରା ଭଙ୍ଗ ଅଭିଯୋଗରେ ପୋଲିସ ଦ୍ଵାରା ଗିରଫ ହୋଇ ଅନ୍ୟ 35 ଜଣଙ୍କ ସହ ଜେଲ ଯାଇଥିଲେ । ତତ୍‌‍କାଳୀନ ଜନତା ଦଳ ଭାଗ ଭାଗ ହୋଇଯିବା ପରେ ଶ୍ରୀ ରଥ ରାଜନୀତି ଛାଡ଼ି ସାମ୍ୱାଦିକତା କ୍ଷେତ୍ରରେ ପୂର୍ବତନ ସାଂସଦ ତଥା ବରିଷ୍ଠ ସାମ୍ୱାଦିକ ପ୍ରଦୁ୍ୟମ୍ନ ବଳଙ୍କ ଅନୁରୋଧରେ ପ୍ରଗତିବାଦୀ ଖବରକାଗଜର ବ୍ରହ୍ମପୁର ପ୍ରତିନିଧି ଭାବେ କାର୍ଯ୍ୟ ଆରମ୍ଭ କଲେ । ଏହା ପୂର୍ବରୁ ଜନତା ପାର୍ଟିର ବିଭାଜନ ପରେ ସେ ସାଧାରଣ ଲୋକଙ୍କ ସମସ୍ୟାକୁ ଭିତ୍ତି କରି ବିଭିନ୍ନ ଖବରାକାଗଜରେ ସମ୍ୱାଦମାନ ପ୍ରକାଶ କରି ଆସୁଥିଲେ । ପ୍ରଗତିବାଦୀରେ ବିଧିବଦ୍ଧ ଭାବେ ସାମ୍ୱାଦିକତା କାର୍ଯ୍ୟ କରିବା ସମୟରେ 1982 ମସିହାରେ ଶ୍ରୀ ରଥଙ୍କ ନେତୃତ୍ଵରେ ଗଞ୍ଜାମ ଜିଲ୍ଲା ସାମ୍ୱାଦିକ ସଂଘ ଗଠିତ ହେଲା । ପୂର୍ବରୁ ଗଞ୍ଜାମ-ଫୁଲବାଣୀ ସାମ୍ୱାଦିକ ସଂଘ ନାମରେ ଏକ ସଂଗଠନ ରହିଥିଲା । ଏହାର ନିଷ୍କ୍ରିୟତା ପରେ ଅବିଭକ୍ତ ଗଞ୍ଜାମ ଜିଲ୍ଲା ସାମ୍ୱାଦିକ ସଂଘ ଗଠିତ ହେଲା । ଶ୍ରୀ ରଥ ଥିଲେ ଏହାର ପ୍ରଥମ ଆବାହକ । ପରବର୍ତ୍ତୀ କାଳରେ ଏହି ସଂଗଠନ ଏକ କ୍ରିୟାଶୀଳ ସାମ୍ୱାଦିକ ସଂଘ ଭାବରେ ସ୍ଵୀକୃତି ଲାଭ କଲା । ଏହା ଓଡ଼ିଶା ସାମ୍ୱାଦିକ ସଂଘ ସହବନ୍ଧିତ ଥିଲା । 1982 ନଭେମ୍ୱର 23 ଓ 24 ରେ ଶ୍ରୀ ରଥଙ୍କ ଉଦ୍ୟମରେ ବ୍ରହ୍ମପୁର ଠାରେ ଓୟୁଜେର ଏକ ରାଜ୍ୟସ୍ତରୀୟ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ଏହି ସମ୍ମିଳନୀର ସ୍ଵାଗତ ସମିତି ଅଧ୍ୟକ୍ଷ ଥିଲେ ପୂର୍ବତନ ମନ୍ତ୍ରୀ ବୃନ୍ଦବାନ ନାୟକ । 1996ରେ ବ୍ରହ୍ମପୁର ମେଡିକାଲ କଲେଜ ଅଡିଟୋରିୟମରେ ଅନୁଷ୍ଠିତ ଓୟୁଜେଇ ରାଜ୍ୟ ସମ୍ମିଳନୀରେ ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ 320 ପ୍ରତିନିଧି ଯୋଗ ଦେଇଥିଲେ । ସେହି ଅବସରରେ ଶ୍ରୀ ରଥ ନିର୍ଦ୍ଵନ୍ଦ୍ଵରେ ଓୟୁଜେର ସାଧାରଣ ସମ୍ପାଦକ ନିର୍ବାଚିତ ହୋଇଥିଲେ । ସେହିପରି 1999ରେ କଟକର ବାରବାଟୀ ଷ୍ଟାଡ଼ିୟମ ଠାରେ ଅନୁଷ୍ଠିତ ରାଜ୍ୟ ସମ୍ମିଳନୀରେ ନିର୍ଦ୍ଵନ୍ଦ୍ଵରେ ସଂଘର ସଭାପତି ଭାବେ ନିର୍ବାଚିତ ହୋଇଥିଲେ । ଉଲ୍ଲେଖଯୋଗ୍ୟ ଯେ ରାଜ୍ୟ ସାମ୍ୱାଦିକ ସଂଘର ସଭାପତି ଓ ସାଧାରଣ ସମ୍ପାଦକ ପଦବୀରେ ପୂର୍ବରୁ କେବଳ କଟକ ଓ ଭୁବନେଶ୍ଵର ପ୍ରତିନିଧିମାନେ ରହି ଆସୁଥିଲେ । ସେମାନେ ଭାବୁଥିଲେ ଯେ ଅନ୍ୟ କୌଣସି ଜିଲ୍ଲାର ସାମ୍ୱାଦିକ ଏହି ପଦବୀ ପାଇଁ ଯୋଗ୍ୟ ନୁହନ୍ତି, କିନ୍ତୁ ଶ୍ରୀ ରଥ ଉପରୋକ୍ତ ଦୁଇଟି ପଦବୀରେ ନିଦ୍ଵର୍ନ୍ଦ୍ଵରେ ନିର୍ବାଚିତ ହୋଇ ପୂର୍ବ ଧାରାକୁ ଭାଙ୍ଗିବା ସହ ସଂଘକୁ ଏକ ଦକ୍ଷ ଓ କ୍ରିୟାଶୀଳ କରି ଗଢ଼ି ତୋଳିବାରେ ରେକର୍ଡ ସୃଷ୍ଟି କରିଥିଲେ ।
ରାଜ୍ୟ ସ୍ଵାଧୀନତା ସଂଗ୍ରାମୀ ମାନଙ୍କ ଏକ ସମ୍ମିଳନୀ ନିମଖଣ୍ଡି ସ୍ଥିତ ଠକ୍କର ବାପା ଆଶ୍ରମରେ ଏହାର ପ୍ରତିଷ୍ଠାତା ତଥା ପୂର୍ବତନ ମନ୍ତ୍ରୀ ପଦ୍ମଶ୍ରୀ ମୋହନ ନାୟକଙ୍କ ଦ୍ଵାରା ଅନୁଷ୍ଠିତ ହୋଇଥିଲା । ସ୍ଵାଧୀନତା ସଂଗ୍ରାମୀ ସଂଗଠନର ରାଷ୍ଟ୍ରୀୟ ଅଧ୍ୟକ୍ଷ ହରେକୃଷ୍ଣ ମହତାବ ଏହି ସମ୍ମିଳନୀକୁ ନିମନ୍ତ୍ରିତ ହୋଇଥିଲେ । ଓଡ଼ିଶା ଶାଖାର ସଭାପତି ଭାବେ ସ୍ଵର୍ଗତ ବଳରାମ ପଣ୍ଡା ନିର୍ବାଚିତ ହୋଇଥିଲେ । ସେତେବେଳେ ଶ୍ରୀ ପଣ୍ଡାଙ୍କ ଅନୁରୋଧ କ୍ରମେ ଡ଼. ମହତାବ ଶ୍ରୀ ରଥଙ୍କୁ ପ୍ରଜାତନ୍ତ୍ରରେ କାର୍ଯ୍ୟ କରିବାର ସୁଯୋଗ ପ୍ରଦାନ କରିଥିଲେ । ସେହି ସମ୍ମିଳନୀରେ ବର୍ତ୍ତମାନର ସାଂସଦ ତଥା ପ୍ରଜାତନ୍ତ୍ର ସମ୍ପାଦକ ଭର୍ତ୍ତୃହରି ମହତାବ ଉପସ୍ଥିତ ଥିଲେ । 1984 ମସିହାରୁ ଶ୍ରୀ ରଥ ପ୍ରଜାତନ୍ତ୍ରରେ କାର୍ଯ୍ୟ ଆରମ୍ଭ କଲେ । ସେ ସମୟରେ ସାମ୍ୱାଦିକ ଗୋରାଚାନ୍ଦ ମିଶ୍ର, ମହେଶ୍ଵର ମୂଳିଆ, ରବି ନାରାୟଣ ମହାନ୍ତି, ଗୁରୁ କଲ୍ୟାଣ ମହାପାତ୍ରଙ୍କ ଭଳି ଅଭିଜ୍ଞ ସାମ୍ୱାଦିକମାନଙ୍କ ସହ ଶ୍ରୀ ରଥ କାର୍ଯ୍ୟ କରିବାର ସୁଯୋଗ ପାଇଥିଲେ । ସେତେବେଳେ ଶ୍ରୀ ରଥଙ୍କ ସହ ପ୍ରଜାତନ୍ତ୍ରର ଫଟୋଗ୍ରାଫର ଭାବେ ରବୀନ୍ଦ୍ର ମହାରଣା ସହଯୋଗ କରି ଆସୁଥିଲେ । ସେ ସମୟରେ ସାମ୍ୱାଦିକତା କ୍ଷେତ୍ରରେ ରାଜନେତାଙ୍କ ଠାରୁ ଆରମ୍ଭ କରି ବିଭିନ୍ନ ପଦସ୍ଥ ଅଧିକାରୀମାନେ ଯଥେଷ୍ଟ ସମ୍ମାନ ଦେଉଥିଲେ । ବିଶେଷକରି ଓଡ଼ିଶା ରାଜନୀତି କ୍ଷେତ୍ରରେ ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ, ହରେକୃଷ୍ଣ ମହତାବ, ବିନାୟକ ଆଚାର୍ଯ୍ୟ, ସମାଜସେବୀ ନେତା ତଥା ପୂର୍ବତନ ଲୋକସଭା ବାଚସ୍ପତି ରବି ରାୟ, କିଶନ ପଟ୍ଟନାୟକ, ବାଙ୍କ ବିହାରୀ ଦାସ, ନାରାୟଣ ସାହୁଙ୍କ ଭଳି ବିଭିନ୍ନ ରାଜନେତାଙ୍କ ସହ ରବି ରଥଙ୍କ ସୁସମ୍ପର୍କ ରହି ଆସିଥିଲା । ପ୍ରଜାତନ୍ତ୍ରରେ ପ୍ରବେଶ ପରେ ହିଁ ସାମ୍ୱାଦିକତା କ୍ଷେତ୍ରରେ ଶ୍ରୀ ରଥଙ୍କୁ ଅଜସ୍ର ପ୍ରତିଷ୍ଠା ମିଳିଲା । ଆଜି ମଧ୍ୟ ଶ୍ରୀ ରଥ ଦକ୍ଷିଣ ଓଡ଼ିଶାର ଏକମାତ୍ର ରାଜ୍ୟ ଅଧିସ୍ଵୀକୃତିପ୍ରାପ୍ତ ସାମ୍ୱାଦିକ ଭାବରେ କାର୍ଯ୍ୟ ନିର୍ବାହ କରୁଛନ୍ତି ।

କୃତିତ୍ଵ ସମ୍ପର୍କରେ :
ବରିଷ୍ଠ ସାମ୍ୱାଦିକ ରବି ରଥଙ୍କ ଜନ୍ମ ତାରିଖ 22 ଡିସେମ୍ୱର 1955 ମସିହା । ଶିକ୍ଷାଗତ ଯୋଗ୍ୟତା ବି.ଏ । 1930 ମସିହାରୁ ଧାରାବାହିକ ଭାବେ ପ୍ରକାଶିତ ସର୍ବପୁରାତନ ସାପ୍ତାହିକ ସମ୍ୱାଦପତ୍ର ‘ନବୀନ’ର ସୁଯୋଗ୍ୟ ସମ୍ପାଦକ ଭାବରେ ସେ ସମ୍ପ୍ରତି କାର୍ଯ୍ୟରତ । ଏହା ସହିତ ଓଡ଼ିଶା ରାଜ୍ୟ କ୍ଷୁଦ୍ର ଓ ମଧ୍ୟମ ସମ୍ୱାଦପତ୍ର ମହାସଂଘର ସେ ସଭାପତି ଭାବେ ଦାୟିତ୍ଵ ନିର୍ବାହ କରୁଛନ୍ତି । ଭାରତ ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧୀନସ୍ଥ ଜାତୀୟ ପ୍ରେସ୍‌‍ ଅଧିସ୍ଵୀକୃତ କମିଟିର ସେ ସଦସ୍ୟ ଭାବେ କାର୍ଯ୍ୟ କରିସାରିଛନ୍ତି।
ଜାତିର ପିତା ମହାତ୍ମାଗାନ୍ଧୀ, ସମାଜବାଦୀ ନେତା ଡ. ରାମ ମନୋହର ଲୋହିଆ ଓ ଜୟପ୍ରକାଶ ନାରାୟଣଙ୍କ ଜୀବନାଦର୍ଶରେ ସେ ବହୁ ଭାବେ ଅନୁପ୍ରାଣିତ 1975 ମସିହାରୁ ଜଣେ ସକ୍ରିୟ ଛାତ୍ର ନେତା ଭାବେ ତାଙ୍କର ସ୍ଵତନ୍ତ୍ର ପରିଚୟ ରହିଛି । 1975-1977 ଭାରତରେ ଜରୁରୀକାଳୀନ ପରିସ୍ଥିତି ବେଳେ ତାହାକୁ ବିରୋଧ କରି ସେ ଅନ୍ୟ ନେତୃମଣ୍ଡଳୀ ସହ କାରାବରଣ କରିଥିଲେ ଏବଂ ପୂର୍ବ ଓ ପରବର୍ତ୍ତୀ ସମୟରେ ଛାତ୍ର, ଶ୍ରମିକଙ୍କ ପାଇଁ ଲଢ଼େଇ କରି 1978ରେ ବ୍ରହ୍ମପୁର ଜେଲରେ ଲବଣ ଶ୍ରମିକଙ୍କ ପାଇଁ ଜେଲ ଯାଇଥିଲେ। 1977-1980 ଯୁବ ଜନତା ପାର୍ଟିର ରାଜ୍ୟ ସଭାପତି, 1980-82 ଲୋକଦଳର ଗଞ୍ଜାମ ଜିଲ୍ଲା ଶାଖା ସମ୍ପାଦକ, 1982-84 ସମତା ଯୁବ ଜନସଭାର ରାଜ୍ୟ ସଭାପତି ଏବଂ 1982-84 ଲୋହିଆ ବିଚାର ମଞ୍ଚ (ଭୁବନେଶ୍ଵର)ର ସମ୍ପାଦକ ଭାବେ ସେ କାର୍ଯ୍ୟ କରିଛନ୍ତି ।ବିଭିନ୍ନ ସଂଗଠନର କର୍ମକର୍ତ୍ତା ଭାବେ ତାଙ୍କର ସକ୍ରିୟ ଭୂମିକା ପ୍ରଣିଧାନ ଯୋଗ୍ୟ ଓଡ଼ିଶା ଚାଷୀ ସୁରକ୍ଷା ଅଭିଯାନ (ଭୁବନେଶ୍ଵର)ର ସଭାପତି, ଓଡ଼ିଶା ରାଜ୍ୟ କୃଷକ ବିକାଶ ସମବାୟ ସମିତିର ସ୍ଵତନ୍ତ୍ର ନିମନ୍ତ୍ରିତ ସଦସ୍ୟ, ଓଏସ୍‌‍ଆରଟିସି ଷ୍ଟାଫ ଫେଡେରେସନ (ବ୍ରହ୍ମପୁର)ର ସଭାପତି, ଓଡ଼ିଶା ନିଶା ନିବାରଣ କମିଟି (ଭୁବନେଶ୍ଵର)ର ସମ୍ପାଦକ, ଓଡ଼ିଶା ଭ୍ରଷ୍ଟାଚାର ବିରୋଧୀ ଅଭିଯାନର ଗଞ୍ଜାମ ଜିଲ୍ଲା ଶାଖା ଆବାହକ, ଶ୍ରୁତାଇ (ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ)ର ପ୍ରତିଷ୍ଠାତା ସଭାପତି, ଦକ୍ଷିଣ ଓଡ଼ିଶା ଉନ୍ନୟନ ପରିଷଦର ଆବାହକ, ଓଡ଼ିଶା ଭାଷା ସୁରକ୍ଷା ସମ୍ମିଳନୀ ଗଞ୍ଜାମ ଜିଲ୍ଲା ଶାଖା ସଭାପତି, ଓଡ଼ିଶା ମେଡିକାଲ କର୍ମଚାରୀ ସଂଘ ଗଞ୍ଜାମ ଜିଲ୍ଲା ଶାଖା ଉପଦେଷ୍ଟା, ଓଡ଼ିଶା ଆଦିବାସୀ ମଞ୍ଚ (ବ୍ରହ୍ମପୁର)ର ଉପଦେଷ୍ଟା, ଓଡ଼ିଶା ବିଦୁ୍ୟତ୍‌‍ କର୍ମଚାରୀ ସଂଘ (ଜିଇଡି)ର ଗଞ୍ଜାମ-ଗଜପତି ଜିଲ୍ଲା ଶାଖା ଉପଦେଷ୍ଟା, ଡ.ଆମ୍ୱେଦକର ସାଂସ୍କୃତିକ ଯୁବକ ସଂଘର ଉପଦେଷ୍ଟା, ରାଷ୍ଟ୍ରୀୟ ପଞ୍ଚାୟତରାଜ ଗ୍ରାମ ପ୍ରଧାନ ସରପଞ୍ଚ ସଂଗଠନର ଓଡ଼ିଶା ଶାଖା ସଭାପତି, ଷ୍ଟେଟ ବ୍ୟାଙ୍କ ଅଫ୍‌‍ ଇଣ୍ଡିଆ ଆଉଟସୋର୍ସିଂ ୟୁନିଅନର ଓଡ଼ିଶା ଶାଖା ଉପଦେଷ୍ଟା, ହିନ୍ଦ୍‌‍ ମଜଦୁର ସଭାର ରାଜ୍ୟ ଉପସଭାପତି, ନବୀନ ପାଠାଗାର ଓ ସାହିତ୍ୟ ପ୍ରତିଷ୍ଠାନର ସଭାପତି ଭାବେ ଦାୟିତ୍ଵ ନିର୍ବାହ କରି ଆସୁଛନ୍ତି।
ଜଣେ ସାମ୍ୱାଦିକ ଭାବରେ ଶ୍ରୀ ରଥ ସର୍ବଭାରତୀୟ ସ୍ତରରେ ବହୁ ସୁନାମର ଅଧିକାରୀ 1982-84 ପର୍ଯ୍ୟନ୍ତ ଦୈନିକ ପ୍ରଗତିବାଦୀ ଖବରକାଗଜ ଓ 1984ରୁ 2004 ପର୍ଯ୍ୟନ୍ତ ପ୍ରଜାତନ୍ତ୍ରର ଗଞ୍ଜାମ ଜିଲ୍ଲା ପ୍ରତିନିଧି ଭାବରେ ସେ କାର୍ଯ୍ୟ କରିଥିଲେ । ସେ ଜିଲ୍ଲା, ରାଜ୍ୟ ଏବଂ ସର୍ବଭାରତୀୟ ସ୍ତରରେ ସାମ୍ୱାଦିକ ସଂଗଠନର ବିଭିନ୍ନ କର୍ମକର୍ତ୍ତା ଭାବେ ନିର୍ବାଚିତ ହୋଇଥିଲେ । ଗଞ୍ଜାମ ଜିଲ୍ଲା ସାମ୍ୱାଦିକ ସଂଘର ସଭାପତି ଭାବେ ବହୁ ଦିନ ଧରି କାର୍ଯ୍ୟ ନିର୍ବାହ କରିବା ସହ ଓଡ଼ିଶା ରାଜ୍ୟ ସାମ୍ୱାଦିକ ସଂଘ (ଓୟୁଜେ)ର ସଭାପତି (1999-2001), ଜାତୀୟ ସାମ୍ୱାଦିକ ସଂଘ (ଏନୟୁଜେଆଇ)ର ଉପସଭାପତି (2002-2005), ଇଣ୍ଡିଆନ ମିଡିଆ ସେଣ୍ଟର (ନୂଆଦିଲ୍ଲୀ)ର ଓଡ଼ିଶା ରାଜ୍ୟ ସଭାପତି (2010-2012) ଭାବେ ନିର୍ଦ୍ଵନ୍ଦରେ ନିର୍ବାଚିତ ହେବାର ଗୌରବ ଅର୍ଜ୍ଜନ କରିଥିଲେ । ଏନୟୁଜେଆଇର ଲୁଧିଆନା ଅଧିବେଶନରେ ସେ ଉପସଭାପତି ଭାବେ ନିର୍ବାଚିତ ହେବା ପରେ ତାଙ୍କୁ ଚଣ୍ଡିଗଡ଼ ସ୍ଥିତ ସ୍ଵର୍ଣ୍ଣ ମନ୍ଦିରରେ ସମ୍ୱର୍ଦ୍ଧିତ କରାଯାଇଥିଲା ।
ସେ ଶତାଧିକ ଅନୁଷ୍ଠାନ ଓ ସଂଗଠନ ତରଫରୁ ବିଭିନ୍ନ ସମୟରେ ସମ୍ୱର୍ଦ୍ଧିତ ହୋଇଛନ୍ତି । 1993 ମସିହାରେ ପ୍ରଜାତନ୍ତ୍ର ପ୍ରଚାର ସମିତି ତରଫରୁ ଓଡ଼ିଶାର ଶ୍ରେଷ୍ଠ ସାମ୍ୱାଦିକ ଭାବେ ତତ୍କାଳୀନ ରାଜ୍ୟପାଳ ସତ୍ୟ ନାରାୟଣ ରେଡ୍ଡୀ ତାଙ୍କୁ ସମ୍ୱର୍ଦ୍ଧିତ କରିଥିଲେ । ସେହିପରି 2003 ମସିହାରେ ମହାରାଷ୍ଟ୍ରର ମୁମ୍ୱାଇସ୍ଥିତ ହରିବଂଶ ରାୟ ବଚ୍ଚନ ମେମୋରିଆଲ କମିଟି ତରଫରୁ ମହାରାଷ୍ଟ୍ର ବିଧାନସଭାର ବାଚସ୍ପତି ଅରୁଣ ଭାଇ ଗୁଜୁରାଟୀଙ୍କ ଦ୍ଵାରା ତାଙ୍କୁ ଓଡ଼ିଆ ଭାଷାର ଶ୍ରେଷ୍ଠ ସାମ୍ୱାଦିକ ଭାବରେ ହରିବଂଶ ରାୟ ବଚ୍ଚନ ସ୍ମୃତି ପୁରସ୍କାରରେ ସମ୍ମାନିତ କରାଯାଇଥିଲା । 2008 ମସିହାରେ ଲୁଧିଆନା ଠାରେ ଅନୁଷ୍ଠିତ ଇଣ୍ଡିଆନ ମିଡିଆ ସେଣ୍ଟର ପଞ୍ଜାବ ଚାପ୍ଟରର ଅଧିବେଶନରେ ସାମ୍ୱାଦିକତା କ୍ଷେତ୍ରରେ ବିଶେଷ ଅବଦାନ ପାଇଁ ଶ୍ରୀ ରଥଙ୍କୁ ସମ୍ୱର୍ଦ୍ଧିତ କରାଯାଇଥିଲା ସେହିପରି 2010 ମସିହାରେ ହାଇଦ୍ରାବାଦର ପୋଟ୍ଟୀ ଶ୍ରୀରାମୁଲୁ ତେଲୁଗୁ ବିଶ୍ଵବିଦ୍ୟାଳୟର ସାମ୍ୱାଦିକ ଓ ଗଣଯୋଗାଯୋଗ ବିଭାଗ ତରଫରୁ ଶ୍ରୀ ରଥଙ୍କୁ ସାମ୍ୱାଦିକତା କ୍ଷେତ୍ରରେ ବିଶେଷତା ପାଇଁ ସମ୍ମାନଜନକ ପୁରସ୍କାର ପ୍ରଦାନ କରାଯାଇଥିଲା। ସେହି ବର୍ଷ ମଧ୍ୟ ଆର୍ଟ ଅଫ୍‌‍ ଲିଭିଂର ପ୍ରତିଷ୍ଠାତା ଶ୍ରୀ ଶ୍ରୀ ରବିଶଙ୍କରଙ୍କ ଦ୍ଵାରା ଶ୍ରୀ ରଥ ସାମ୍ୱାଦିକତା କ୍ଷେତ୍ରରେ ଜଣେ ଉଦାହରଣୀୟ ବ୍ୟକ୍ତିତ୍ଵ ଭାବରେ ପୁରସ୍କୃତ ହୋଇଥିଲେ । ଦକ୍ଷିଣ ଓଡ଼ିଶାର ଏକମାତ୍ର ସାମ୍ୱାଦିକ ଭାବେ ଓଡ଼ିଶାର ପୁରାତନ ସାହିତ୍ୟାନୁଷ୍ଠାନ ଉକଳ ସାହିତ୍ୟ ସମାଜ ତରଫରୁ ସମାଜର ପୂର୍ବତନ ସମ୍ପାଦକ ଉଦୟନାଥ ଷଡ଼ଙ୍ଗୀ ସାମ୍ୱାଦିକତା ପୁରସ୍କାର ଲାଭ କରିଛନ୍ତି । ସେହିପରି 2025 ରେ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟର ପ୍ରତିଷ୍ଠା ଦିବସ ପାଳନ ଅବସରରେ ଶ୍ରେଷ୍ଠ ସାମ୍ୱାଦିକ ଭାବେ ସମ୍ମାନିତ ହୋଇଛନ୍ତି.

Leave a Reply

Your email address will not be published. Required fields are marked *