ଟାଟା ଷ୍ଟିଲ୍ YATS ପ୍ରତିଯୋଗିତାରେ ମଲ୍ଲିକେଶ୍ଵର ହାଇସ୍କୁଲର ଛାତ୍ରଙ୍କ ସଫଳତା,
ଲଗାତାର ଦୁଇ ବର୍ଷ ISRO ଯିବାର ସୁଯୋଗ
ଭୁବନେଶ୍ୱର : ରତ୍ନକର ପରିଡା (ଦର୍ଶନ ସମୀକ୍ଷା)
ଟାଟା ଷ୍ଟିଲ୍ ଓ ଓଡିଶା ସରକାରଙ୍କ ସଂଯୁକ୍ତ ଆନୁକୁଲ୍ୟରେ ଆୟୋଜିତ ଯୁବ ମହାକାଶ ବିଜ୍ଞାନୀ ପ୍ରତିଭା ଅନ୍ଵେଷଣ(YATS) ପ୍ରତିଯୋଗିତା ରାଜ୍ୟର ସମସ୍ତ ହାଇସ୍କୁଲଗୁଡ଼ିକରେ ଅନୁଷ୍ଠିତ ହୋଇଥିଲା। ପ୍ରତି ଜିଲ୍ଲାରୁ ଦୁଇ ଜଣ କୃତି ପ୍ରତିଯୋଗୀଙ୍କୁ ବଛାଯାଇ ସମୁଦାୟ ୬୦ ଜଣ ଛାତ୍ରଛାତ୍ରୀଙ୍କୁ ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ଅଂଶଗ୍ରହଣର ସୁଯୋଗ ଦିଆଯାଇଥିଲା। ଏହି ରାଜ୍ୟସ୍ତରୀୟ ପ୍ରତିଯୋଗିତା ଭୁବନେଶ୍ବର ସ୍ଥିତ ପଠାଣି ସାମନ୍ତ ପ୍ଲାନେଟାରିୟମରେ ଅନୁଷ୍ଠିତ ହୋଇଥିଲା।
ଏହି ପ୍ରତିଯୋଗିତାରେ ମଲ୍ଲିକେଶ୍ଵର ଉଚ୍ଚ ବିଦ୍ୟାଳୟର ନବମ ଶ୍ରେଣୀ ଛାତ୍ର ସୌମ୍ୟରଞ୍ଜନ ସାହୁ “ଗଗନଯାନ” ବିଷୟରେ ଏକ ଆକର୍ଷଣୀୟ ପ୍ରକଳ୍ପ ପ୍ରସ୍ତୁତ କରି ସଫଳତାର ସହ ପରିବେଷଣ କରିଥିଲେ। ତାଙ୍କର ଉତ୍କୃଷ୍ଟ ପ୍ରତିଭା ଓ ଦକ୍ଷତାର ପ୍ରତିଫଳ ସ୍ୱରୂପ ସେ ଶ୍ରେଷ୍ଠ ୩୦ ଜଣ କୃତି ପ୍ରତିଯୋଗୀଙ୍କ ମଧ୍ୟରେ ସ୍ଥାନ ଅଧିକାର କରିଥିଲେ।
ଏହି ସଫଳତା ପାଇଁ ଛାତ୍ର ସୌମ୍ୟରଞ୍ଜନଙ୍କୁ ସମସ୍ତ ପ୍ରକାର ଆନୁସଙ୍ଗିକ ସହାୟତା ଯୋଗାଇ ଦେଇଥିଲେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ସସ୍ମିତା ବେହେରା ଓ ପ୍ରତ୍ୟକ୍ଷ ମାର୍ଗଦର୍ଶନ କରିଥିଲେ ବିଜ୍ଞାନ ଶିକ୍ଷକ ଶ୍ରୀ ଜ୍ୟୋତି ରଞ୍ଜନ ଚାନ୍ଦ।
ଏହି ଶ୍ରେଷ୍ଠ ୩୦ ଜଣ କୃତି ଛାତ୍ରଛାତ୍ରୀ ଆଗାମୀ ଦିନରେ ଭାରତୀୟ ମହାକାଶ ଗବେଷଣା କେନ୍ଦ୍ର (ISRO) ପରିଦର୍ଶନ କରିବାର ସୁଯୋଗ ପାଇବେ। ସେମାନଙ୍କୁ ପୁରସ୍କୃତ କରିଥିଲେ ଖାଦ୍ୟ ଓ ଯୋଗାଣ, ତଥା ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଶ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର।
ଏଠାରେ ଉଲ୍ଲେଖନୀୟ ଯେ, ଗତବର୍ଷ ମଧ୍ୟ ମଲ୍ଲିକେଶ୍ଵର ହାଇସ୍କୁଲର ଅନ୍ୟ ଜଣେ ଛାତ୍ର ଶ୍ରୀ ସନ୍ତୋଷ କୁମାର ମହାନ୍ତି ସମାନ ସଫଳତା ହାସଲ କରି ISRO ଯିବା ପାଇଁ ଚୟନିତ ହୋଇଥିଲେ। ଲଗାତାର ଦୁଇ ବର୍ଷ ଧରି ଏହି ପ୍ରତିଷ୍ଠିତ ପ୍ରତିଯୋଗିତାରେ ସଫଳତା ହାସଲ କରି ମଲ୍ଲିକେଶ୍ଵର ହାଇସ୍କୁଲ ଏକ ବିରଳ କୃତିତ୍ଵ ଅର୍ଜନ କରିଥିବାରୁ ବିଦ୍ୟାଳୟର ସମସ୍ତ ଶିକ୍ଷକ-ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀମାନେ ଅତ୍ୟନ୍ତ ପ୍ରଫୁଲ୍ଲିତ ହୋଇ ସଫଳ ଛାତ୍ରମାନଙ୍କୁ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଛନ୍ତି।












Leave a Reply