ମନୁଷ୍ୟରଚାରିପ୍ରକାରଇଛାରହିଥାଏ
କର୍ମ କରିବାରେ ମନୁଷ୍ୟର ପ୍ରାରବ୍ଧର ପ୍ରାଧାନ୍ୟ ନା ପୁରୁଷାର୍ଥର ? ଅର୍ଥାତ୍ ପ୍ରାରବ୍ଧ ବଳବାନ୍ ନା ପୁରୁଷାର୍ଥ ? — ଏ ବିଷୟରେ ଅନେକ ପ୍ରଶ୍ନ ଉଠେ ।ସେ ସବୁର ସମାଧାନ ପାଇଁ ପ୍ରଥମେ ପ୍ରାରବ୍ଧ କ’ଣ ଓ ପୁରୁଷାର୍ଥ କର୍ମ କଣ ତାହା ବୁଝିବା ଆବଶ୍ୟକ।
ମନୁଷ୍ୟର ଚାରି ପ୍ରକାର ଇଛା ରହିଥାଏ; ଯଥା— ଧନ, ଧର୍ମ, ଭୋଗ ଓ ମୁକ୍ତି | ପ୍ରଚଳିତ ଭାଷାରେ ଏହି ଚାରୋଟି ଇଚ୍ଛାକୁ ଅର୍ଥ, ଧର୍ମ, କାମ ଓ ମୋକ୍ଷ କୁହାଯାଏ ।
(୧) #ଅର୍ଥ —ଧନର ଅନ୍ୟ ନାମ ‘ଅର୍ଥ’ । ଅର୍ଥ ଦୁଇ ପ୍ରକାର – ସ୍ଥାବର ଓ ଜଙ୍ଗମ। ସୁନା, ରୂପା, ଟଙ୍କା ପଇସା, ଜମିବାଡ଼ି, ଘରଦ୍ଵାର ଇତ୍ୟାଦି ସ୍ଥାବର ଏବଂ ଗାଈ, ମଇଁଷି, ଘୋଡ଼ା, ଓଟ, ଛେଳି, ମେଣ୍ଢା ଇତ୍ୟାଦି ଜଙ୍ଗମ |
(୨) #ଧର୍ମ — ସକାମ ବା ନିଷ୍କାମ ଭାବରେ ଯେଉଁ ଯଜ୍ଞ, ତପ, ଦାନ, ବ୍ରତ, ତୀର୍ଥ ଇତ୍ୟାଦି ଶୁଭକାର୍ଯ୍ୟ କରାଯାଏ, ତାହାକୁ ‘ଧର୍ମ’ କହନ୍ତି ।
(୩) #କାମ —ସାଂସାରିକ ସୁଖଭୋଗର ନାମ ‘କାମ’ । ସେହି ସୁଖଭୋଗ ଆଠ ପ୍ରକାର—ଶବ୍ଦ, ସ୍ପର୍ଶ, ରୂପ, ରସ, ଗନ୍ଧ, ମାନ, ବଡ଼ିମା ଓ ଆରାମ |
(କ) #ଶବ୍ଦ —ଶବ୍ଦ ଦୁଇ ପ୍ରକାର—ବର୍ଣ୍ଣାତ୍ମକ ଓ ଧ୍ବନ୍ୟାତ୍ମକ । ବ୍ୟାକରଣ, ସାହିତ୍ୟ, ଉପନ୍ୟାସ, ଗଳ୍ପ ଇତ୍ୟାଦି ‘ବର୍ଣ୍ଣାତ୍ମକ’ ଶବ୍ଦ ।ବର୍ଣ୍ଣାତ୍ମକ ଶବ୍ଦରେ ମଧ୍ୟ ଏଗାରଟି ରସ ଅଛି; ଯଥା—ଶୃଙ୍ଗାରରସ, ହାସ୍ୟରସ, କରୁଣରସ, ରୌଦ୍ରରସ, ବୀରରସ, ଭୟାନକରସ, ବୀଭତ୍ସରସ, ଅଦ୍ଭୁତରସ, ଶାନ୍ତରସ ଓ ବାତ୍ସଲ୍ୟରସ । ଚିତ୍ତ ଦ୍ରବିତ ହେଲେ ଏହି ଏଗାରଟି ରସ ପ୍ରକାଶ ପାଏ I ଶାନ୍ତରସକୁ ଛାଡ଼ି ଅନ୍ୟ ଦଶଟି ରସକୁ ଭଗବାନଙ୍କ ପ୍ରତି ବିନିଯୋଗ କଲେ ସମସ୍ତ ରସ କଲ୍ୟାଣ ଏବଂ ସେ ସେଗୁଡ଼ିକ ଦ୍ବାରା ସୁଖଭୋଗ କଲେ ସମସ୍ତ ରସ ପତନକାରକ ହୁଏ ।
। ଚମଡ଼ା, ତାର ଓ ଫୁଙ୍କା ବାଦ୍ୟର ତିନୋଟି ପୂର୍ଣ୍ଣ ବାଜଣା ଓ ତାଳ ବାଦ୍ୟର ଅଧା ବାଜଣା—ଏପରି ସାଢ଼େ ତିନି ପ୍ରକାରର ବାଜଣା ‘ଧ୍ଵନ୍ୟାତ୍ମକ’ ଶବ୍ଦ ସୃଷ୍ଟି କରନ୍ତି” । ଢୋଲ, ଢୋଲକି, ତବଲା, ପଖାଉଜ, ମୃଦଙ୍ଗ ଆଦି ‘ଚମଡ଼ା ବାଦ୍ୟ’; ସିତାର, ସାରଙ୍ଗୀ ଆଦି ‘ତାର ବାଦ୍ୟ’; ହାରମୋନିୟମ୍, ବଂଶୀ ,ତୂରୀ ଆଦି ‘ଫୁଙ୍କା ବାଦ୍ୟ ଏବଂ ଝାଞ୍ଜ, କଂସାଳ ଆଦି ‘ତାଳ ବାଦ୍ୟ’ ନାମରେ ପରିଚିତ |
ଏହି ବର୍ଣ୍ଣାତ୍ମକ ଓ ଧ୍ଵନ୍ୟାତ୍ମକ ଶବ୍ଦ ଶୁଣିଲେ ଯେଉଁ ସୁଖ ମିଳେ, ତାହା ଶବ୍ଦଜନିତ ସୁଖ। କିନ୍ତୁ ଆଜିକାଲି ଲୋକ ମାନେ ଭଲ କଥା ଶୁଣି ସୁଖ ସାଉଁଟୁ ନାହାନ୍ତି ବରଂ ପରଚର୍ଚ୍ଚା କରି ବେଶୀ ସୁଖ ଭାବୁଛନ୍ତି। ତେଣୁ ପତନ ଘଟୁଛି।
(ଖ) #ସ୍ପର୍ଶ —ସ୍ତ୍ରୀ, ପୁତ୍ର, ବନ୍ଧୁ ଇତ୍ୟାଦିଙ୍କ ମିଳନରୁ ତଥା ଥଣ୍ଡା, ଗରମ, କୋମଳ ବସ୍ତୁ ଇତ୍ୟାଦିର ଚର୍ମ ସହିତ ସଂଯୋଗରୁ ମିଳୁଥିବା ସୁଖକୁ ସ୍ପର୍ଶଜନିତ ସୁଖ କୁହାଯାଏ । ଏହି ସ୍ପର୍ଶ ପାଇବା ପାଇଁ ଆଜି ଅଧିକାଂଶ ନିଜର ମୂଲ୍ୟବାନ ଜୀବନକୁ ହରାଇବାକୁ ପଛାଉ ନାହାନ୍ତି।
(ଗ) #ରୂପ —ଖେଳ, ତାମସା, ସିନେମା, ନଦୀ, ବନ, ପାହାଡ଼, ସରୋବର, ପ୍ରାସାଦ ଇତ୍ୟାଦିର ସୁନ୍ଦର ଦୃଶ୍ୟ ଦେଖିଲେ ଯେଉଁ ସୁଖ ଅନୁଭୂତ ହୁଏ, ତାହା ରୂପଜନିତ ସୁଖ ।
(ଘ) #ରସ —ମିଠା, ଖଟା, ଲୁଣିଆ, ପିତା, ରାଗ ଓ କଷା—ଏହି ଷଡ୍ରସ ରଖିଲେ ଯେଉଁ ସୁଖ ଅନୁଭୂତ ହୁଏ, ତାହା ରସଜନିତ ସୁଖ।
(ଙ) #ଗନ୍ଧ – ଅତର, ଫୁଲ, ତେଲ ଇତ୍ୟାଦି ସୁଗନ୍ଧଯୁକ୍ତ ଦ୍ରବ୍ୟ ଓ ରସୁଣ, ପିଆଜ ଇତ୍ୟାଦି ଦୁର୍ଗନ୍ଧଯୁକ୍ତ ଦ୍ରବ୍ୟ ଶୁଙ୍ଘିଲେ ଯେଉଁ ସୁଖ ଅନୁଭୂତ ହୁଏ, ତାହା ଗନ୍ଧଜନିତ ସୁଖ।
(ଚ) #ମାନ —ଶରୀରର ଆଦର-ସତ୍କାର ହେଲେ ଯେଉଁ ସୁଖ ଅନୁଭୂତ ହୁଏ, ତାହାକୁ ମାନ ବା ସମ୍ମାନର ସୁଖ କହନ୍ତି।
(ଛ) #ବଡ଼ିମା —ନାମର ପ୍ରଶଂସା ବଢ଼ିଲେ, ବାଃ ବାଃ ମିଳିଲେ ଯେଉଁ ସୁଖ ଅନୁଭୂତ ହୁଏ, ତାହାକୁ ବଡ଼ିମାର ସୁଖ କହନ୍ତି।
(ଜ) #ଆରାମ — ଶାରୀରିକ ପରିଶ୍ରମ ନ କଲେ ଅର୍ଥାତ୍ ନିଷ୍କର୍ମା (କର୍ମହୀନ) ହୋଇ ପଡ଼ି ରହିଲେ ଯେଉଁ ସୁଖ ଅନୁଭୂତ ହୁଏ, ତାହାକୁ ଆରାମର ସୁଖ କହନ୍ତି।
(୪) #ମୋକ୍ଷ —ଆତ୍ମବୋଧ, ତତ୍ତ୍ଵଜ୍ଞାନ, କଲ୍ୟାଣ, ଉଦ୍ଧାର, ମୁର୍ତ୍ତି, ଭଗବଦ ଦର୍ଶନ, ଭଗବତ୍ ପ୍ରେମ ଇତ୍ୟାଦିର ନାମ ମୋକ୍ଷ ।
ଏହି ଚାରୋଟି (ଅର୍ଥ, ଧର୍ମ, କାମ ଓ ମୋକ୍ଷ) ମଧ୍ୟରୁ ଦେଖିବାକୁ ଗଲେ ଅର୍ଥ ଓ ଧର୍ମ ଉଭୟ ଗୋଟିଏ ଅନ୍ୟଟିର ବୃଦ୍ଧି କରେ ଅର୍ଥାତ୍ ଅର୍ଥରୁ ଧର୍ମ ଓ ଧର୍ମରୁ ଅର୍ଥ ବୃଦ୍ଧି ହୁଏ । କିନ୍ତୁ , ସକାମଭାବରେ ଧର୍ମ ପାଳନ କଲେ ସେହି ଧର୍ମ ମଧ୍ୟ କାମନା ପୂରଣ କରି ନଷ୍ଟ ହୋଇଯାଏ ଏବଂ ଅର୍ଥକୁ କାମନା ପୂରଣ ଉଦ୍ଦେଶ୍ୟରେ ଉପଯୋଗ କଲେ ତାହା ମଧ୍ୟ କାମନା ପୂରଣ କରି ନଷ୍ଟ ହୋଇଯାଏ । ତାତ୍ପର୍ଯ୍ୟ ହେଲା, ଧର୍ମ ଓ ଅର୍ଥ ଉଭୟକୁ କାମନା ଖାଇଯାଏ । ତେଣୁ ଗୀତାରେ ଭଗବାନ କାମନାକୁ ‘ମହାଶନ’ (ପେଟୁ) କହିବା ସଙ୍ଗେ ସଙ୍ଗେ ତାହାକୁ ତ୍ୟାଗ କରିବା ପାଇଁ ବିଶେଷ ଗୁରୁତ୍ଵ ଦେଇଛନ୍ତି ।
ନିଷ୍କାମଭାବରେ ଧର୍ମପାଳନ କଲେ ସେହି ଧର୍ମ ଅନ୍ତଃକରଣ ଶୁଦ୍ଧ କରି ଜୀବକୁ ମୁକ୍ତ କରିଦିଏ। ସେହିପରି ଯଦି କାମନା ଛାଡ଼ି ଅନ୍ୟମାନଙ୍କ ଉପକାର, ହିତ ଓ ସୁଖରେ ଧନ ବ୍ୟୟ କରାଯାଏ, ତେବେ ତାହା ମଧ୍ୟ ଅନ୍ତଃକରଣକୁ ଶୁଦ୍ଧ କରି ଜୀବକୁ ମୁକ୍ତ କରିଦିଏ ।
ଅର୍ଥ, ଧର୍ମ, କାମ ଓ ମୋକ୍ଷ ଏ ଚାରୋଟି ମଧ୍ୟରୁ
‘ଅର୍ଥ’ (ଧନ) ଓ ‘କାମ’ (ଭୋଗ) ପ୍ରାପ୍ତିରେ ପ୍ରାରବ୍ଧ ମୁଖ୍ୟ ଓ ପୁରୁଷାର୍ଥ ଗୌଣ ଏବଂ ‘ଧର୍ମ’ ଓ ‘ମୋକ୍ଷ’ ପ୍ରାପ୍ତିରେ
ପୁରୁଷାର୍ଥ ମୁଖ୍ୟ ଓ ପ୍ରାରବ୍ଧ ଗୌଣ। ପ୍ରାରବ୍ଧ ଓ ପୁରୁଷାର୍ଥର କ୍ଷେତ୍ର ଭିନ୍ନ ଭିନ୍ନ ଏବଂ ଉଭୟେ ନିଜ ନିଜ କ୍ଷେତ୍ରରେ ପ୍ରଧାନ। ତେଣୁ କୁହାଯାଇଛି—
ସନ୍ତୋଷସ୍ତ୍ରୀଷୁ କର୍ତ୍ତବ୍ୟ ସ୍ଵଦାରେ ଭୋଜନେ ଧନେ ।
ତ୍ରିଷୁ ଚୈବ ନ କର୍ତ୍ତବ୍ୟଃ ସ୍ୱାଧ୍ୟାୟେ ଜପଦାନୟୋଃ ।।
ଅର୍ଥାତ୍ ନିଜର ସ୍ତ୍ରୀ, ପୁତ୍ର, ପରିବାର, ଭୋଜନ ଓ ଧନରେ ସନ୍ତୁଷ୍ଟ ରହିବା ଉଚିତ ଏବଂ ସ୍ବାଧ୍ୟାୟ, ପୂଜାପାଠ, ନାମଜପ, କୀର୍ତ୍ତନ ଓ ଦାନ କରିବାରେ କେବେ ସନ୍ତୁଷ୍ଟ ହେବା ଉଚିତ ନୁହେଁ । ତାତ୍ପର୍ଯ୍ୟ ହେଲା, ଧନ ଓ ଭୋଗ ହେଉଛି ପ୍ରାରବ୍ଧର ଫଳ, ତେଣୁ ଏଥିରେ ସନ୍ତୁଷ୍ଟ ରହିବା ଉଚିତ; କାରଣ ପ୍ରାରବ୍ଧ ଅନୁସାରେ ଯେତିକି ମିଳିବାର ଥିବ, ସେତିକି ହିଁ ମିଳିବ, ଅଧିକ ମିଳିବ ନାହିଁ। କିନ୍ତୁ ଧର୍ମ ଆଚରଣ ଓ ନିଜର କଲ୍ୟାଣ ବିଷୟରେ କେବେ ସନ୍ତୁଷ୍ଟ ହେବା ଉଚିତ ନୁହେଁ; କାରଣ ଏହା ନୂତନ ପୁରୁଷାର୍ଥ ଏବଂ ଏହି ପୁରୁଷାର୍ଥ ପାଇଁ ମନୁଷ୍ୟଶରୀର ମିଳିଛି। ଯଦି ଶରୀର ଖାଇବା ପାଇଁ ଦେଇଥାଆନ୍ତେ ତେବେ ହାତୀର ଶରୀର ବି ଦେଇ ପାରିଥାଆନ୍ତେ, ଖାଲି ପିଲା ଛୁଆ ଜନ୍ମ କରିବା ପାଇଁ ଦେଇଥିଲେ ଘୁଷୁରୀ ବି ଜନ୍ମ ଦେଇ ପାରିଥାଆନ୍ତେ, ଯଦି ଶୋଇବା ପାଇଁ ଦେଇଥାଆନ୍ତେ ତେବେ କୁମ୍ଭକର୍ଣ୍ଣ ଜନ୍ମ ଦେଇଥାଆନ୍ତେ । କିନ୍ତୁ, ମନୁଷ୍ୟ ଜନ୍ମ ଦେଇଛନ୍ତି। କିଛି ମହତ୍ ଉଦ୍ଦେଶ୍ୟ ଥାଇ ହିଁ ମନୁଷ୍ୟ ଶରୀର ମିଳିଛି, ଏହା ମଣିଷ ହୃଦୟଙ୍ଗମ କରିବା ଆବଶ୍ୟକ।
କର୍ମ ଦୁଇ ପ୍ରକାର — ଶୁଭ (ପୁଣ୍ୟ) ଓ ଅଶୁଭ (ପାପ) । ଅନୁକୂଳ ପରିସ୍ଥିତି ଶୁଭକର୍ମର ଫଳ ଏବଂ ପ୍ରତିକୂଳ ପରିସ୍ଥିତି ଅଶୁଭକର୍ମର ଫଳ। କର୍ମ ବାହ୍ୟଭାବେ କରାଯାଏ, ତେଣୁ ସେହି କର୍ମର ଫଳ ମଧ୍ୟ ବାହ୍ୟ ପରିସ୍ଥିତିରୂପେ ପ୍ରାପ୍ତ ହୁଏ; କିନ୍ତୁ ସେହି ପରିସ୍ଥିତିରେ ଯେଉଁ ସୁଖ-ଦୁଃଖ ହୁଏ, ତାହା ଭିତରେ ହୁଏ | ତେଣୁ ପରିସ୍ଥିତିରେ ସୁଖୀ ବା ଦୁଃଖୀ ହେବା ଶୁଭାଶୁଭ କର୍ମର ଅର୍ଥାତ୍ ପ୍ରାରବ୍ଧର ଫଳ ନୁହେଁ, ବରଂ ତାହା ନିଜ ଅଜ୍ଞତାର ଫଳ । ଯଦି ଅଜ୍ଞତା ଦୂର ହୋଇଯାଏ ଓ *ଭଗବାନଙ୍କ ଉପରେ ବା **ପ୍ରାରବ୍ଧ ଉପରେ ‘ବିଶ୍ଵାସ ହୋଇଯାଏ, ତେବେ ଯେତେ ପ୍ରତିକୂଳ ପରିସ୍ଥିତି ଆସିଲେ ବି ମନ ଖୁସି ରହିବ, ଆନନ୍ଦ ଜାତ ହେବ। କାରଣ ପ୍ରତିକୂଳ ପରିସ୍ଥିତିରେ ପାପ କ୍ଷୟ ହୁଏ, ଆଗକୁ ପାପ ନ କରିବା ପାଇଁ ମନୁଷ୍ୟ ସାବଧାନ ହୋଇଯାଏ ଏବଂ ପାପ କ୍ଷୟ ହେଲେ ଅନ୍ତଃକରଣ ଶୁଦ୍ଧ ହୁଏ ।
*ଭଗବାନଙ୍କ ଉପରେ କହିବା ଅର୍ଥ…
ଅର୍ଥାତ୍…..
( ଲାଳନେ ତାଡ଼ନେ ମାତୁର୍ନାକାରୁଣ୍ୟଂ ଯଥାର୍ଭକେ ।
ତଦ୍ବଦେବ ମହେଶସ୍ୟ ନିୟନ୍ତୁର୍ଗୁଣଦୋଷୟୋଃ।”
”ଶିଶୁକୁ ପାଳନ କରିବାରେ ଓ ତାଡ଼ନା କରିବାରେ ଯେପରି ମାଆର କେବେ ଅକରୁଣା ହୁଏ ନାହିଁ, ସେହିପରି ଜୀବମାନଙ୍କର ଗୁଣ ଓ ଦୋଷ ନିୟନ୍ତ୍ରଣକାରୀ ପରମେଶ୍ବରଙ୍କର କେବେ କାହା ଉପରେ ଅକରୁଣା ହୁଏ ନାହିଁ ।”)
#ପ୍ରାରବ୍ଧଉପରେଅର୍ଥାତ୍
[[” ଯଦ୍ଭାବି ତଦ୍ଭବତ୍ୟେବ ଯଦଭାବ୍ୟଂ ନ ତଦ୍ଭବେତ୍ ।
ଇତି ନିଶ୍ଚିତବୁଦ୍ଧୀନାଂ ନ ଚିନ୍ତା ବାଧତେ କ୍ବଚିତ୍ । (ନାରଦପୁରାଣ)
”ଯାହା ହେବାର ଅଛି, ତାହା ଅବଶ୍ୟ ହେବ ଆଉ ଯାହା ହେବାର ନାହିଁ, ତାହା ଆଦୌ ହେବ ନାହିଁ —ଯାହାଙ୍କ ବୁଦ୍ଧିରେ ଏପରି ନିର୍ଣ୍ଣୟ ଥାଏ, ତାକୁ ଚିନ୍ତା କେବେ ବିବ୍ରତ କରେ ନାହିଁ ।]]
















Leave a Reply