Spread the love

ପାରଳା ସ୍ପେଶଲ୍ // ଗଜପତିରେ ପୁଣି ଦାଦନ ଯନ୍ତ୍ରଣା…. ଗୋଆରେ ଗଜପତିର ଶ୍ରମିକଙ୍କ ସନ୍ଦେହଜନକ ମୃତ୍ୟୁ ଓ ଶ୍ରେଣୀଗୃହରେ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ ଏବଂ ବେଟି ବଚାଅ ବେଟି ପଢାଅ, କାର୍ଯ୍ୟକ୍ରମ

ପାରଳାଖେମୁଣ୍ଡି,10/12 (ତାରିଣୀପ୍ରସାଦପଣ୍ଡା):ଦର୍ଶନସମୀକ୍ଷା

ଗଜପତି ରେ ପୁଣି ଦାଦନ ଶ୍ରମିକଙ୍କ ଯନ୍ତ୍ରଣା ଲକ୍ଷ୍ୟ କରାଯାଇଛି. ଗୋଆରେ ଗଜପତିର ଜଣେ ଶ୍ରମିକଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି. ଏହି ଶ୍ରମିକଙ୍କୁ କୌଣସି ବ୍ୟକ୍ତି ଜାଣିଶୁଣି ହତ୍ୟା କରି ଆତ୍ମହତ୍ୟାର ରୂପ ଦେଉଥିବା ଅଭିଯୋଗ ଆଣିଛନ୍ତି ଗୋଆରେ କାର୍ଯ୍ୟରତ କିଛି ଜଣ ଶ୍ରମିକ. ସୂଚ଼ନା ମୁତାବକ ମୋହନା ଥାନା ଅନ୍ତର୍ଗତ ଲିଲିଗଡ଼ ପଞ୍ଚାୟତ ଅଧିନ ଡ଼େଙ୍ଗାଆମ୍ବ ଗ୍ରାମର ଜୟ ମଳିକ(୧୮)ଦାଦନ ଖଟିବାକୁ ଗୋଆ ଯାଇଥିଲେ। ପୁରୁଣା ଗୋଆରେ ରହିଥିବା ସାମ୍ବାର ରେଷ୍ଟୁରେଣ୍ଟରେ ସପ୍ଳାଏର ଭାବେ ଦେଢ଼ ବର୍ଷ ହେଲା କାର୍ଯ୍ୟ କରୁଥିଲେ। ଗତ ଶୁକ୍ରବାର ପରିବାର ଲୋକଙ୍କ ସହିତ ଜୟ କଥାବାର୍ତ୍ତା ମଧ୍ୟ ହୋଇଥିବା ବେଳେ ଶନିବାର ଦଶଟା ବେଳେ ଜୟ ଗାଧୁଆ ଘରେ ଆତ୍ମହତ୍ୟା କରିଥିବା ମାଲିକ ପରିବାର ଲୋକଙ୍କୁ ସୂଚ଼ନା ଦେଇଥିଲେ। ଘଟଣା ସଂପର୍କରେ ବାପା ସନ୍ୟା ମଳିକ ଜାଣିବାକୁ ଚାହିଁବାରୁ ରେଷ୍ଟୁରାଣ୍ଟ ମାଲିକ ମୋ ସହିତ କଥା ନ ହୋଇ ପୁରୁଣା ଗୋଆ ଥାନା ପୁଲିସ ସହିତ କଥା ହେବାକୁ କହି ଫୋନ କାଟି ଦେଇଥିଲେ। ପରିବାର ଲୋକଙ୍କ ଅଭିଯୋଗ ପ୍ରକାରେ ହସ୍ତଗତ ହୋଇଥିବା ଫୋଟରେ ଜୟ ଗାଧୁଆ ଘରେ ବସିଥିବା ଅବସ୍ଥାରେ ତାଙ୍କ ବେକରେ ଗୋଟିଏ ବେଡସିଟ୍ ବନ୍ଧାଯାଇ ଥିବା ଓ ପାଣି ନଳରେ ଅନ୍ୟ ଏକ ପାର୍ଶ୍ଵ ବନ୍ଧାଯାଇ ଥିବାର ଦେଖି ଘର ଲୋକେ ଜୟକୁ ହତ୍ୟା କରିବା ପରେ ଆତ୍ମହତ୍ୟାର ରୂପ ଦେବା ପାଇଁ ଗାଧୁଆ ଘରେ ତାକୁ ବସାଇ ଦେଇଥିବା ଅଭିଯୋଗ ଆଣିଛନ୍ତି। ତାଙ୍କ ପରିବାର ଲୋକେ ଗରୀବ ଆଦିବାସୀ ଶ୍ରେଣୀର ଅଟନ୍ତି| ଚାଷକରି ଜିବୀକା ନିର୍ବାହ କରନ୍ତି। ୩ପୁଅ ଓ ଗୋଟିଏ ଝିଅ ମଧ୍ୟରୁ ଜୟ ଥିଲେ ରୋଜଗାରକ୍ଷମ ପୁଅ । ତାଙ୍କ ମୃତ୍ୟୁରେ ପରିବାର ଲୋକେ ଭାଙ୍ଗି ପଡ଼ିଛନ୍ତି। ଏଣୁ ପରିବାରଙ୍କୁ ପ୍ରସାଶନ ପକ୍ଷରୁ ଆର୍ଥୀକ ସହାୟତା ଯୋଗାଇ ଦେବା ପାଇଁ ଗ୍ରାମବାସୀ ଅନୁରୋଧ କରିଛନ୍ତି। ପୁରୁଣା ଗୋଆ ପୁଲିସ ଷ୍ଟେସନରେ ୬୮/୨୫ରେ ଏକ ଅପମୃତ୍ୟୁ ମାମଲା ରୁଜ୍ଜୁ ହୋଇଥିବା ଜଣାପଡ଼ିଛି। ବ୍ଳକ ପ୍ରଶାସନ ପକ୍ଷରୁ ହରିଶ୍ଚନ୍ଦ୍ର ଯୋଜନାରେ ମୃତକଙ୍କ ପରିବାରଙ୍କୁ ୩ହଜାର ଟଙ୍କା ଦିଆଯାଇଥିବା ବେଳେ ଜିଲ୍ଲା ରେଡ଼କ୍ରସ ପକ୍ଷରୁ ସହାୟତା ଯୋଗାଇ ଦିଆଯିବ ବୋଲି ବିଡ଼ିଓ ରାଜୀବ ଦାସ ସୂଚନା ଦେଇଛନ୍ତି।
ଗଜପତି : ଶ୍ରେଣୀଗୃହରେ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ ପାରଳାଖେମୁଣ୍ଡି, 10/12(ତାରିଣୀ ପ୍ରସାଦ ପଣ୍ଡା ):

ଗଜପତି ଜିଲ୍ଲା କାଶୀନଗର ସ୍ଥିତ ବାରଣସୀ ସରକାରୀ ଉଚ୍ଚ ବିଦ୍ୟାଳୟର ଜଣେ ନବମ ଶ୍ରେଣୀ ଛାତ୍ରୀ ଶ୍ରେଣୀ ଗୃହରେ ଆମୂହତ୍ୟା ଉଦ୍ୟମ କରିବା ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି। ସୂଚନା ମୁତାବକ ମଙ୍ଗଳବାର ଦିନ ବିଦ୍ୟାଳୟରେ କ୍ଲାସ ଚାଲିଥିବାବେଳେ ନବମ ଶ୍ରେଣୀଗୃହରେ ହଠାତ୍ ଛାତ୍ରୀ ଜଣକ ବାନ୍ତି କରିଥିଲେ I ଶ୍ରେଣୀରେ ଉପସ୍ଥିତ ଥିବା ଶିକ୍ଷୟିତ୍ରୀ ସମ୍ପୃକ୍ତ ଛାତ୍ରୀଙ୍କୁ ପଚାରିବାରେ ଜଣା ପଡିଲା ସେ ମୂଷାମରା ବିଷ ଖାଇଥିବା କହିଥିଲେ। ସଙ୍ଗେ ସଙ୍ଗେ ଛାତ୍ରୀଙ୍କୁ କାଶୀନଗର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଓ ପରେ ପାରଳାଖେମୁଣ୍ଡି ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା | ଘରୋଇ କଳହ ଯୋଗୁ ଛାତ୍ରୀ ଜଣକ ଏଭଳି କରିଥିବା ତାଙ୍କ ମା’ କହିଛନ୍ତି I ଛାତ୍ରୀ ଜଣକ ଚିକିତ୍ସା ପରେ ସୁସ୍ଥ ହୋଇ ଘରକୁ ଫେରିଥିବା ସୂଚନା ମିଳିଛି.
ଗଜପତି: ସରକାରୀ ଜମି ଜବରଦଖଲ କରିଥିବା 4 ପରିବାରଙ୍କୁ ଉଚ୍ଛେଦ ପାଇଁ ପ୍ରଶାସନର ନୋଟିସ୍
ପାରଳାଖେମୁଣ୍ଡି, 10/12(ତାରିଣୀ ପ୍ରସାଦ ପଣ୍ଡା):

ଗଜପତି ଜିଲ୍ଲା ଗୋଷାଣି ବ୍ଲକ ବାଘଶାଳା ପଞ୍ଚାୟତ ଅନ୍ତର୍ଗତ ସାତମାଇଲ ଛକରେ କିଛି ଲୋକେ ସରକାରୀ ଜାଗା ଜବରଦଖଲ କରିଥିବାକୁ ନେଇ ଉଚ୍ଛେଦ ନିମନ୍ତେ ପ୍ରଶାସନ ପକ୍ଷରୁ ୪ ଗୋଟି ପରିବାରକୁ ନୋଟିସ୍ ଜାରି କରାଯାଇଛି। ପାରଳାଖେମୁଣ୍ଡି ତହସିଲଦାର ନାରାୟଣ ବେହେରାଙ୍କ ସମେତ ପ୍ରଶାସନିକ ଅଧିକାରୀ ଓ ଗୁରାଣ୍ଡି ପୋଲିସ ପହଞ୍ଚି ଜବରଦଖଲ ଉଚ୍ଛେଦ ପାଇଁ ନୋଟିସ୍ ପ୍ରଦାନ କରିଛନ୍ତି । ମାସକ ମଧ୍ୟରେ ନିଜ ନିଜ ନିର୍ମାଣଧିନ ଘରଗୁଡିକୁ ଛାଡିଦେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଯଦି ଏକମାସ ମଧ୍ୟରେ ଏମାନେ ଘର ଖାଲି ନକରନ୍ତି ତେବେ ପ୍ରଶାସନପକ୍ଷରୁ ଉଚ୍ଛେଦ କରାଯିବ ବୋଲି କୁହାଯାଇଛି । ତେବେ ଏପରି ନୋଟିସ୍ ପାଇବା ପରେ ସେହି ୪ଟି ପରିବାରବର୍ଗ ବେସାହାରା ହେବାକୁ ନେଇ ଛାନିଆ ହୋଇପଡିଛନ୍ତି । ସାତମାଇଲ ଛକ ଗ୍ରାମରେ ଏମାନେ ବର୍ଷ ବର୍ଷ ଧରି ରହିଆସୁଥିବାର ପ୍ରକାଶ କରିଛନ୍ତି । ଏପରିକି ଏମାନେ ପକ୍କାଘର ପାଇଁ ଲକ୍ଷ ଲକ୍ଷ ଟଙ୍କା ଧାର କରଜ କରି ଘର ନିର୍ମାଣ କରିଥିବାର ଜଣାଇଛନ୍ତି । ଏପରି ବର୍ଷ ବର୍ଷ ଧରି ରହିବା ପରେ ଏବେ ପ୍ରଶାସନ ତତ୍ପର ହୋଇ ଉଠି ଆମ୍ଭଙ୍କୁ ଉଠାଇଦେଉଛି ବୋଲି କହିଛନ୍ତି । ଅପରପକ୍ଷେ ଉଚ୍ଛେଦ ତାଲିକାରେ ଥିବା ଗୁଲାବି ମୂଳି ପରିବାରଙ୍କୁ ଆବାସିକ ଯୋଜନାରେ ସାମିଲ କରାଯାଇ ପକ୍କାଘର ନିର୍ମାଣ କରି ଦିଆଯାଇଥିବାର ଜଣାଇଛନ୍ତି । ଯଦି ଜବରଦଖଲ ହୋଇଥାନ୍ତା ତେବେ ଆବାସିକ ଯୋଜନା ମେଳିଲା କେମିତି ବୋଲି ଅଞ୍ଚଳରେ ଚର୍ଚ୍ଚା ଜୋର୍ ଧରିଛି । ସେହିପରି ଟି. ସୁନୀଲ, ସୁରେଶ ମୂଳି ଓ ଜହନ ନାୟକ କହିଛନ୍ତି ଯେ ଆମ୍ଭେ ବହୁ ଗରୀବ ପରିବାର । ପେଟପାଟଣା ପାଇଁ କମାର ଶାଳ, ଅଟୋଚାଳକ ଏବଂ ଛୋଟିଆ ଦୋକାନ କରି ଗୁଜାରଣ ମେଣ୍ଟାଉଛୁ । ତେଣୁ ସରକାର ଆମ୍ଭଙ୍କୁ ଘର ପାଇଁ ବ୍ୟବସ୍ଥା କରିଲେ ଉପକୃତ ହେବୁ ବୋଲି ଜଣାଇଛନ୍ତି ।
ବେଟି ବଚାଅ ବେଟି ପଡ଼ାଓ
ଗଜପତି ଜିଲ୍ଲାସ୍ତରୀୟ ଅନଲାଇନ୍ ସୁରକ୍ଷା ଏବଂ ସାଇବର ନିର୍ଯାତନା ସଚେତନତା କର୍ମଶାଳା

ପାରଳାଖେମୁଣ୍ଡି,୧୦.୧୨(ତାରିଣୀ ପ୍ରସାଦ ପଣ୍ଡା):

ଆଜି ଜିଲ୍ଲା ସମାଜ ମଙ୍ଗଳ ବିଭାଗ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷ-୪ ଠାରେ ବେଟି ବଚାଅ ବେଟି ପଢାଅ, ଜିଲ୍ଲାସ୍ତରୀୟ ଅନଲାଇନ୍ ସୁରକ୍ଷା ଏବଂ ସାଇବର ନିର୍ଯାତନା ସଚେତନତା କର୍ମଶାଳା ଅନୁଷ୍ଠିତ ହୋଇଯାଇଅଛି। ଉକ୍ତ କର୍ମଶାଳାରେ ଉପଜିଲ୍ଲାପାଳ ପାରଳାଖେମୁଣ୍ଡି ଅନୁପ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କର୍ମଶାଳାରେ ମୁଖ୍ୟ ଅତିଥି ଭାବରେ ଆରକ୍ଷୀ ଅଧିକ୍ଷକ, ଗଜପତି ଯତୀନ୍ଦ୍ର କୁମାର ପଣ୍ଡା ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବରେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ମନୋରମା ଦେବୀ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଅରୁଣ କୁମାର ତ୍ରିପାଠୀ, ଆଦର୍ଶ ଥାନ ଅଧିକାରୀ ପ୍ରଶାନ୍ତ ଭୂପତି,ଜିଲ୍ଲା ଦକ୍ଷତା ବିକାଶ ଓ କର୍ମ ନିୟୋଜନ ଅଧିକାରୀ ସୌଭାଗ୍ୟ ସ୍ମୃତି ରଞ୍ଜନ ତ୍ରୀପାଠୀ,ଶିଶୁ କଲ୍ୟାଣ କମିଟି (CWC) ଅଧ୍ୟକ୍ଷ ଶ୍ରୀ ସଂଜୀବ ପାଢ଼ୀ ଓ ବନ୍ଧନ ବ୍ୟାଙ୍କ ଶାଖା ପରିଚାଳକ ଶ୍ରୀ ଗୋପାଳ ପାଢ଼ୀ ପ୍ରମୁଖ ମଞ୍ଚାସିନ ଥିଲେ।
ଉକ୍ତ କର୍ମଶାଳାରେ ଆରକ୍ଷୀ ଅଧିକ୍ଷକ କହିଥିଲେ ଯେ ଲୋକଙ୍କୁ ସାଇବର ଠକେଇରୁ ସୁରକ୍ଷା ଦେବା କେବଳ ପୋଲିସ ବିଭାଗର ନୁହେଁ ବରଂ ଆମ ସମସ୍ତଙ୍କ ଦାୟିତ୍ୱ । ନିଜେ ସତର୍କ ରହିବା ସହିତ ଜନସାଧାରଣଙ୍କୁ ସତର୍କ ରହିବା ପାଇଁ ଉପଯୁକ୍ତ ଭାବେ ସଚେତନ କରିପାରିଲେ ସାଇବର ଠକେଇରୁ ସୁରକ୍ଷା ମିଳିବ ।
ସେହିପରି ସରକାରୀ ସ୍ତରରେ ହେଉ ବା ବ୍ୟକ୍ତିଗତ ସ୍ତରରେ ହେଉ ବା ସାମାଜିକ ସ୍ତରରେ ହେଉ, ଦୈନନ୍ଦିନ ଜୀବନରେ ଇଣ୍ଟେର୍ନେଟ ସାଙ୍ଗକୁ ସ୍ମାର୍ଟ ଫୋନ ବ୍ୟବହାର ଅପରିହାର୍ଯ୍ୟ ହୋଇପଡିଛି । ମାତ୍ର ଏହାକୁ ଯଦି ଆମେ ସତର୍କତା ସହ ସୁରକ୍ଷିତ ଭାବେ ବ୍ୟବହାର ନକରୁ ତେବେ ଠକାମିର ଶିକାର ହେବା । ପରିବର୍ତ୍ତି ସମୟ ଅନୁସାରେ ସାଇବର ଠକମାନେ ମଧ୍ୟ ନୂତନ ଅଭିନଵ ଉପାୟ ଅବଲମ୍ବନ କରି ଲୋକମାନଙ୍କୁ ସେମାନଙ୍କର ଶିକାର ବନଉଛନ୍ତି । ସମାଜରେ ସବୁ ବର୍ଗର ଲୋକଙ୍କୁ ସାଇବର ସୁରକ୍ଷା ପ୍ରଦାନ ଏହାର ମୂଳ ଲକ୍ଷ୍ୟ, ଯେମିତି କି ଛାତ୍ରଛାତ୍ରୀଙ୍କୁ ନିରାପଦ ଡିଜିଟାଲ ଅଭ୍ୟାସ ସହ କୌଣସି ପ୍ରଲୋଭନ ଏବଂ ସାଇବର ଭୟ ର ଶିକାର ନହେବା, ଗୋପନ ଭିଡ଼ିଓ ଦେଖାଇ ସାଇବର ଅପରାଧର ଶିକାର କରାଇବା, ଅଭିଭାବକ ଓ ଶିକ୍ଷକମାନଙ୍କୁ ପିଲାମାନଙ୍କ ଅନଲାଇନ କାର୍ଯ୍ୟକଳାପ ଉପରେ ନଜର ରଖିବା ପାଇଁ, ଚାକିରୀ ଆଶାୟୀ ଯୁବ ପିଢି ଙ୍କୁ ନକଲି ନିଯୁକ୍ତି ଯାଚିବା, ନକଲି ବ୍ୟାଙ୍କ ଆକାଉଣ୍ଟ ଓ ସିମ ବିକ୍ରି, ଫ୍ରଡ଼ ନିବେଶ ପାଇଁ ପ୍ରବର୍ତ୍ତାଇବା, ଭୟ ଦେଖାଇ ଯୌନ ଶୋଷଣ କରିବା, ମହିଳା ଓ କିଶୋରୀ ମାନଙ୍କୁ ନକଲି କଲ୍ ଜରିଆରେ ଯୌନ ଶୋଷଣ,ସ୍ମାର୍ଟ ଫୋନ ବ୍ୟବହାର କାରି ଲୋକଙ୍କୁ ୟୂପିଆଇ, ଓଟିପିର ସଠିକ ଉପଯୋଗ, ଫେକ କଲ୍ ବାବଦରେ ଜ୍ଞାନ ଦେବା, ବରିଷ୍ଠ ନାଗରିକ ମାନଙ୍କୁ ନିରାପଦ ବ୍ୟାକିଙ୍ଗ କାରବାର ଓ ଆର୍ଥିକ ଠକେଇରୁ ବର୍ତ୍ତିବା ପାଇଁ ସତର୍କ କରିବା, ସ୍ବୟଂ ସହାୟକ ଗୋଷ୍ଠୀକୁ ସମୂହ ଡିଜିଟାଲ ଫେକ ଋଣ, ନକଲି ପୁଞ୍ଜି ନିବେଶ ବାବଦରେ ଏବଂ ବ୍ୟବସାୟୀ ଓ ବୃତ୍ତିଧାରୀଙ୍କୁ ଡାଟା ସିକୁରିଟି, ବୃତ୍ତିଗତ ଶୋଷଣରୁ ସୁରକ୍ଷା, ଡିଜିଟାଲ ପେମେଣ୍ଟରେ ସତର୍କତା ଇତ୍ୟାଦି ସମ୍ବନ୍ଧରେ ସଚେତନ କରଯାଇଛି ।
ଏହି କର୍ମଶାଳାରେ ବିଭିନ୍ନ ବିଭାଗର ଜିଲ୍ଲାସ୍ତରୀୟ ଅଧିକାରୀ ଯୋଗ ଦେଇଥିବା ବେଳେ ମହିଳା,ସ୍ବୟଂ ସହାୟକ ଗୋଷ୍ଠୀ ସଦସ୍ୟ ଓ ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀ ପ୍ରମୁଖ ଯୋଗ ଦେଇଥିଲେ। ଉକ୍ତ ସମସ୍ତ କାର୍ଯ୍ୟକ୍ରମକୁ ମହିଳା ସୁରକ୍ଷା ପ୍ରୋଗ୍ରାମ ଅଧିକାରୀ ଶ୍ରୀମତୀ ସାରଳା ପତ୍ର ପରିଚାଳନା କରିଥିଲେ।

Leave a Reply

Your email address will not be published. Required fields are marked *