ମାଲକାନାଗିରି // ମହିଳାଙ୍କ ମୁଣ୍ଡ ବିହୀନ ମୃତଦେହ ଉଦ୍ଧାର ଘଟଣା।ମାଟି ମୁଣ୍ଡ ଯୋଡ଼ି ହେଲା ଶବ ସଂସ୍କାର।ଜିଲ୍ଲା ପ୍ରଶାସନ ପକ୍ଷରୁ ମୃତ ମହିଳାଙ୍କ ପରିବାର ଲୋକଙ୍କୁ ୩୦ ହଜାର ଓ ମୂଖ୍ୟମନ୍ତ୍ରୀ ପାଣ୍ଠି ରୁ ୪ ଲକ୍ଷ ଓ ଅନୁକମ୍ପା ୩ ହଜାର ମିଳିବ

Spread the love

ମହିଳାଙ୍କ ମୁଣ୍ଡ ବିହୀନ ମୃତଦେହ ଉଦ୍ଧାର ଘଟଣା।ମାଟି ମୁଣ୍ଡ ଯୋଡ଼ି ହେଲା ଶବ ସଂସ୍କାର।

ମାଲକାନଗିରି : ମନୋଜ ଦେବ ପାଙ୍ଗି (ଦର୍ଶନ ସମୀକ୍ଷା) ଶାନ୍ତି ଫେରାଇ ଆଣିବା ପାଇଁ ଉଦ୍ୟମ ଜାରି ରଖିଛି ଜିଲ୍ଲା ପ୍ରଶାସନ।

ଆଦିବାସୀ ସମାଜ ନେତୃ ମଣ୍ଡଳୀ, ପୁଲିସ ଓ ଜିଲ୍ଲା ପ୍ରଶାସନର ଉପସ୍ଥିତିରେ ଶାନ୍ତିପୂର୍ଣ୍ଣ ଭାବେ ସମ୍ପନ୍ନ ହେଲା ଶବଦାହ କାର୍ଯ୍ୟ।

ଉଭୟ ଗ୍ରାମର ନେତୃ ମଣ୍ଡଳୀ ଓ ଜିଲ୍ଲା ପ୍ରଶାସନର ମିଳିତ ଭାବେ ହେବ ସନ୍ଧ୍ୟାରେ ଶାନ୍ତି କମିଟି ବୈଠକ।
ସୁରକ୍ଷା ନିମନ୍ତେ ଗ୍ରାମର ବିଭିନ୍ନ ସ୍ଥାନରେ ଲଗାଯାଇଛି ସିସିଟିଭି କ୍ୟାମେରା।
ଏମଭି -୨୬ ଗାଁ ସମେତ ଆଖପାଖ ଗ୍ରାମ ଗୁଡିକରେ ମୁତୟନ ରହିଛନ୍ତି ଶତାଧିକ ବିଏସଏଫ ଓ ପୁଲିସ ଫୋର୍ସ।
ପ୍ରଶାସନର ଉଦ୍ୟମରେ ଶାନ୍ତ ରହିଛି ଏମଭି -୨୬ ଗାଁ ସହ ଆଖପାଖ ଗାଁ।
ଗ୍ରାମରେ ପହଁଞ୍ଚି ଘଟଣାର ଅନୁଧ୍ୟାନ କରୁଛନ୍ତି ଜିଲ୍ଲାପାଳ, ଏସପି,ଡିଆଇଜି ଏବଂ ବହୁ ପ୍ରାଶାସନିକ ଅଧିକାରୀ।

ଏମଭି -୨୬ ଗାଁରେ ହୋଇଥିବା କ୍ଷୟକ୍ଷତିର ଆକଳନ ରାଜସ୍ୱ ବିଭାଗ ପକ୍ଷରୁ ଜାରି ର‌ହିଥିବା ନେଇ ସୂଚନା ଦେଇଛନ୍ତି ଜିଲ୍ଲା ପ୍ରଶାସନ।

ମଙ୍ଗଳବାର ଦିନ ବନ୍ଦ ରହିଛି ଏମଭି -୨୬ ଗାଁର ସ୍କୁଲ , ଅଙ୍ଗନୱାଡି କେନ୍ଦ୍ର , ଆଖପାଖର ଦୋକାନ ବଜାର ଏବଂ ସାପ୍ତାହିକ ହାଟ।
ଶବଦାହ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ମାଲକାନଗିରି ବିଧାୟକ ନରସିଂହ ମାଡକାମି, ପୂର୍ବତନ ବିଧାୟକ ମାନସ ମାଡକାମି , ଜିଲ୍ଲା ପରିଷଦ ଅଧ୍ୟକ୍ଷା ସମାରି ଟାଙ୍ଗୁଲ , ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଗଙ୍ଗାଧର ବୁରୁଦା, ପୂର୍ବତନ ବ୍ଲକ ଅଧ୍ୟକ୍ଷ ସାବିତ୍ରୀ ପଡିଆମି, ସୁବାଷ ପଡିଆମି , ପୂର୍ବତନ ବିଧାୟକ ପ୍ରାର୍ଥୀ ତାଲା ମାଢୀଙ୍କ ସମେତ ଆଦିବାସୀ ସମାଜର ବହୁ ନେତୃବୃନ୍ଦ ଉପସ୍ଥିତ ଥିଲେ।
ମାଲକାନଗିରି ଜିଲ୍ଲା ପୋଟେରୁ ନଦୀର ଡୁଡାମେଟଲା ନିକଟରୁ ଗତ ୧ ତାରିଖ ଦିନ ମୁଣ୍ଡ ବିହୀନ ମହିଳାଙ୍କ ମୃତଦେହ ଉଦ୍ଧାର ହେବା ପରେ ଏହାକୁ ନେଇ ରାଖେଲଗୁଡା ଏବଂ ଏମଭି -୨୬ ଗ୍ରାମ ମଧ୍ୟରେ ଦୀର୍ଘ ୩/ ୪ ଦିନ ଧରି ଚାପା ଉତ୍ତେଜନା ଲାଗି ରହିଥିଲା। ମୁଖ୍ୟତଃ ଏମଭି -୨୬ ଗାଁର କୌଣସି ବ୍ୟକ୍ତି ଏହି ଘଟଣାରେ ସମ୍ପୃକ୍ତ ଥିବା ନେଇ ରାଖେଲଗୁଡା ଗ୍ରାମବାସୀଙ୍କ ସମେତ ଆଦିବାସୀ ସମ୍ପ୍ରଦାୟର ଲୋକେ ସନ୍ଦେହ କରିବା ସହ ମୃତ ମହିଳାଙ୍କ ନିଖୋଜ ଥିବା ମୁଣ୍ଡକୁ ଉଦ୍ଧାର କରିବା ସହିତ ଘଟଣାରେ ସମ୍ପୃକ୍ତ ଥିବା ଅଭିଯୁକ୍ତ ମାନଙ୍କୁ ତୁରନ୍ତ ଗିରଫ କରି କୋର୍ଟ ଚାଲାଣ କରିବାକୁ ଆଦିବାସୀ ସମାଜ ପ୍ରଶାସନ ନିକଟରେ ଦାବି କରାଯାଇଥିଲା।

ଏଥିରେ ବିଳମ୍ବ ହେବାରୁ ସ୍ଥାନୀୟ ରାଖେଲଗୁଡା ଗ୍ରାମବାସୀଙ୍କ ସମେତ ଆଦିବାସୀ ସମାଜ ଉତେଜିତ ହୋଇ ଗତ ରବିବାର ଓ ସୋମବାର ଦୁଇ ଦିନ ଧରି ହଜାର ହଜାର ସଂଖ୍ୟା ଆଦିବାସୀ ସମ୍ପ୍ରଦାୟର ଲୋକେ ଏମଭି -୨୬ ଗାଁରେ ପଶି ବିଭିନ୍ନ ଘରଗୁଡିକୁ ଭଙ୍ଗାରୁଜା କରିବା ସହିତ ପୋଡାଜଳା କରିଥିଲେ। ଜିଲ୍ଲା ପ୍ରଶାସନ ଓ ପୁଲିସ ପକ୍ଷରୁ ଉତ୍ୟକ୍ତ ଲୋକଙ୍କୁ ବୁଝାଇବା ସହିତ ଅଞ୍ଚଳରେ ଶାନ୍ତି ଫେରାଇ ଆଣିବା ପାଇଁ ଉଦ୍ୟମ ଆରମ୍ଭ ହୋଇଥିଲା। ପ୍ରଶାସନ ପକ୍ଷରୁ କରାଯାଇଥିବା ଏହି ଉଦ୍ୟମର ଆଜି ସଫଳ ରୂପାୟନ ହୋଇଥିବା ଦେଖିବାକୁ ମିଳିଛି। ମିଳିଥିବା ସୂଚନା ମୁତାବକ ଜିଲ୍ଲା ପ୍ରଶାସନ ଓ ଆଦିବାସୀ ସମାଜର ନେତୃମଣ୍ଡଳୀ ସହିତ ଆପୋଷ ଆଲୋଚନା ଏବଂ ସହମତି କ୍ରମେ ଗତକାଲି ସୋମବାର ମୃତ ମହିଳାଙ୍କ ଶବ ବ୍ୟବଚ୍ଛେଦ କରାଯାଇଥିଲା। ଜିଲ୍ଲା ଓ ପୋଲିସ ପ୍ରଶାସନ ମିଳିତ ଉଦ୍ୟମରେ ମୃତ ମହିଳାଙ୍କ ଶବକୁ ଶବଦାହ ନିମନ୍ତେ ରାଖେଲଗୁଡା ଗ୍ରାମକୁ ଏକ ସ୍ବର୍ଗରଥ ଦ୍ବାରା କଡା ସୁରକ୍ଷା ବଳୟରେ ଅଣାଯାଇଥିଲା।

ରାଖେଲଗୁଡା ଗ୍ରାମବାସୀଙ୍କ ସମେତ ଜିଲ୍ଲାପାଳ ସୋମେଶ ଉପାଧ୍ୟାୟ, ଦକ୍ଷିଣାଞ୍ଚଳ ଡିଆଇଜି ଡଃ କନଓ୍ବର ବିଶାଲ ସିଂହ, ଏସପି ବିନୋଦ ପାଟିଲ, ମାଲକାନଗିରି ବିଧାୟକ ନରସିଂହ ମାଡକାମି, ପୂର୍ବତନ ବିଧାୟକ ମାନସ ମାଡକାମି, ଜିଲ୍ଲା ପରିଷଦ ଅଧ୍ୟକ୍ଷା ସମାରି ଟାଙ୍ଗୁଲ, ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଗଙ୍ଗାଧର ବୁରୁଦା, ପୂର୍ବତନ ମାଲକାନଗିରି ବିଧାୟକ ପ୍ରାର୍ଥୀ ମାଲା ମାଢୀ, ପୂର୍ବତନ କୋରୁକୋଣ୍ଡା ବ୍ଲକ ଅଧ୍ୟକ୍ଷ ସୁବାଷ ପଡିୟାମି, ସାବିତ୍ରୀ ପଡିଆମିଙ୍କ ସମେତ ଆଦିବାସୀ ସମାଜର ବିଭିନ୍ନ ଅଞ୍ଚଳରୁ ଆସିଥିବା ବହୁ ନେତୃ ମଣ୍ଡଳୀ ଏବଂ ଜିଲ୍ଲାର ବିଭିନ୍ନ ବିଭାଗୀୟ ଅଧିକାରୀଙ୍କ ଉପସ୍ଥିତିରେ ମୃତ ମହିଳାଙ୍କ ଶବଦାହ କାର୍ଯ୍ୟ ପାରମ୍ପରିକ ରୀତିନୀତି ଅନୁସାରେ ଆରମ୍ଭ ହୋଇଥିଲା।

ଆଦିବାସୀ ସମାଜ ପକ୍ଷରୁ ଜିଲ୍ଲାପାଳ ସୋମେଶ ଉପାଧ୍ୟାୟଙ୍କୁ ସାତ ଦଫା ଦାବି ଉଲ୍ଲେଖ ଥିବା ଏକ ଲିଖିତ ଦାବିପତ୍ର ପ୍ରଦାନ କରାଯାଇଥିଲା। ଉକ୍ତ ଦାବିପତ୍ରରେ ଉଲ୍ଲେଖ ରହିଛି ଯେ ହତ୍ୟାକାଣ୍ଡର ଲିପ୍ତ ଥିବା ଅଭିଯୁକ୍ତ ମାନଙ୍କୁ ଫାଶି ଦଣ୍ଡରେ ଦଣ୍ଡିତ କରାଯାଉ, ମୃତ ବ୍ୟକ୍ତିଙ୍କ ପରିବାରକୁ ୩୦ ଲକ୍ଷ ଟଙ୍କା ସହାୟତା ରାଶି ପ୍ରଦାନ, ଜିଲ୍ଲାରେ ଥିବା ବେଆଇନ ଅନୁପ୍ରବେଶକାରୀଙ୍କୁ ଚିହ୍ନଟ କରି ତୁରନ୍ତ ଉଛେଦ କରାଯାଉ, ଜିଲ୍ଲାରେ ଥିବା ଶରଣାର୍ଥୀ ମାନଙ୍କୁ ପୂର୍ବରୁ ଯେତିକି ଜମି ଦିଆଯାଇଛି ତାଠାରୁ ଏକ ଇଞ୍ଚ ଜମି କେହି ମଧ୍ୟ ଜବରଦଖଲ କରି ପାରିବେ ନାହିଁ।ଯଦି କରନ୍ତି ତେବେ ତୁରନ୍ତ ଗ୍ରାମ ସଭାକୁ ଫେରସ୍ତ ଦିଅନ୍ତୁ।

ଯଦି ଏଭଳି ନୃଶଂସ କାଣ୍ଡ ଜିଲ୍ଲାରେ କେହି ଭବିଷ୍ୟତରେ କରନ୍ତି ତେବେ ସେମାନଙ୍କୁ ଜିଲ୍ଲାରୁ ବହିଷ୍କାର କରାଯାଉ, ଆଦିବାସୀ ସମାଜର ପ୍ରତିନିଧିତ୍ଵ କରୁଥିବା କୌଣସି ସଦସ୍ୟଙ୍କୁ ଅପହରଣ, ଗିରଫ କିମ୍ବା ଜୀବନ ପ୍ରତି ବିପଦ ଥିବା ଭଳି ହତ୍ୟା ଧମକ ଆସେ ତାହର ପ୍ରତିକାର ସ୍ବରୂପ କୌଣସି ନିୟମକୁ ଆଦିବାସୀ ସମାଜ ମାନିବ ନାହିଁ। ଏମଭି -୨୬ ଗ୍ରାମକୁ ସବୁଦିନ ପାଇଁ ଏହି ଜିଲ୍ଲାରୁ ବହିଷ୍କାର କରାଯାଉ ବୋଲି ଆଦିବାସୀ ସମାଜ ପକ୍ଷରୁ ଜିଲ୍ଲା ପ୍ରଶାସନକୁ ହସ୍ତାନ୍ତର କରାଯାଇଥିବା ଦାବିପତ୍ରରେ ଉଲ୍ଲେଖ ରହିଛି।

ଏହାପରେ ମହିଳାଙ୍କ ଶବଦାହ କାର୍ଯ୍ୟ ଆରମ୍ଭ ହୋଇଥିଲା। ମୁଣ୍ଡ ମିଳି ନଥିବାରୁ ମୃତ ମହିଳାଙ୍କ ପରିବାର ଏବଂ ଗ୍ରାମବାସୀଙ୍କ ପକ୍ଷରୁ ଲାକେ ପଡିଆମିଙ୍କ ସଦୃଶ ଏକ ମୁଣ୍ଡ ତିଆରି କରାଯିବା ସହିତ ତାଙ୍କୁ ସୁନା ଅଳଙ୍କାର ପିନ୍ଧାଇ ମାଲ୍ୟାର୍ପଣ କରିବା ଉକ୍ତ ମୁଣ୍ଡକୁ ଶବ ଉପରେ ରଖି ପୋତି ଦିଆଯାଇଥିଲା। ଶବ ସଂସ୍କାର ନିମନ୍ତେ ଜିଲ୍ଲା ପ୍ରଶାସନ ପକ୍ଷରୁ ମୃତ ମହିଳାଙ୍କ ପରିବାର ଲୋକଙ୍କୁ ୩୦ ହଜାର ଟଙ୍କା ପ୍ରଦାନ କରାଯାଇଛି। ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝିଙ୍କ ସହାୟତା ପାଣ୍ଠିରୁ ୪ ଲକ୍ଷ ଟଙ୍କା ସେହି ପରିବାର ଲୋକଙ୍କୁ ପ୍ରଦାନ କରିବାକୁ ଘୋଷଣା କରାଯାଇଛି। ଏଥିସହିତ ପିଡ଼ିତ ପରିବାର ଲୋକଙ୍କୁ ୩ ଲକ୍ଷ ଟଙ୍କା ଅନୁକମ୍ପା ରାଶି ପ୍ରଦାନ କରାଯିବ ବୋଲି ଜିଲ୍ଲାପାଳ ସୋମେଶ ଉପାଧ୍ୟାୟ କହିଛନ୍ତି। ଶାନ୍ତି ଫେରାଇ ଆଣିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଦୁଇ ସମ୍ପ୍ରଦାୟର ଲୋକଙ୍କୁ ଅନୁରୋଧ କରାଯାଇଥିଲା।ଏହି ଅନୁରୋଧକୁ ରକ୍ଷା କରି ଦୁଇ ସମ୍ପ୍ରଦାୟର ଲୋକଙ୍କ ପକ୍ଷରୁ ଜିଲ୍ଲା ପ୍ରଶାସନକୁ କିଛି ନେତୃ ମଣ୍ଡଳୀଙ୍କର ନାମ ପ୍ରଦାନ କରାଯାଇଥିଲା।ଆଜି ସନ୍ଧ୍ୟା ୬ଟା ସମୟରେ ବିଧାୟକ ନରସିଂହ ମାଡକାମି,ଜିଲ୍ଲାପାଳ ସୋମେଶ ଉପାଧ୍ୟାୟ, ଡିଆଇଜି ଡଃ କନଓ୍ବର ବିଶାଲ ସିଂହ,ଏସପି ବିନୋଦ ପାଟିଲ ଏଚଙ୍କ ଉପସ୍ଥିତିରେ ଉଭୟ ପକ୍ଷର ନେତୃବୃନ୍ଦଙ୍କ ସହିତ ଉକ୍ତ ଅଞ୍ଚଳରେ ଶାନ୍ତି ପ୍ରତିଷ୍ଠା ନିମନ୍ତେ ଏକ ବୈଠକ ଅନୁଷ୍ଠିତ ଜାରି ରହିଥିବା ନେଇ ସୂଚନା ମିଳିଛି। ସେପଟେ ଏମଭି -୨୬ ଗ୍ରାମ ସମେତ ଆଖପାଖ ବିଭିନ୍ନ ବଙ୍ଗୀୟ ଗାଁରେ ସିସିଟିଭି କ୍ୟାମେରା ଖଞ୍ଜାଯିବା ସହ ପୁଲିସ ଏବଂ ବିଏସଏଫ ଯବାନଙ୍କ ଉପସ୍ଥିତିରେ ଗାଁର ଗତିବିଧି ଉପରେ କଡା ନଜର ରଖାଯାଇଛି।

Leave a Reply

Your email address will not be published. Required fields are marked *