ବେଆଇନ ଜୁଆଖେଳ ଯୋଗୁଁ ଗଜପତି ଜିଲ୍ଲାରେ ବହୁ ପରିବାର ସର୍ବସ୍ୱାନ୍ତ ହୋଇ ଦୁଃଖଦ ଜୀବନ ବିତାଉଛନ୍ତି
ପାରଳାଖେମୁଣ୍ଡି, 9/12(ତାରିଣୀ ପ୍ରସାଦ ପଣ୍ଡା ) ଦର୍ଶନ ସମୀକ୍ଷା
ଗଜପତି ଜିଲ୍ଲାରେ ବିଭିନ୍ନ ସ୍ଥାନରେ ବେଆଇନ ଜୁଆଖେଳ ବିଶେଷ ଭାବେ ଚାଲୁ ରହିଥିବା ଅଭିଯୋଗ ହୋଇଛି. ବେଆଇନ ଓ ଅବାଧ ଜୁଆଖେଳ ଯୋଗୁଁ ବହୁ ଲୋକ ସର୍ବସ୍ୱାନ୍ତ ପାଲଟି ଦୁଃଖଦ ଜୀବନଯାପନ କରୁଛନ୍ତି. ଏହି ଜୁଆଖେଳ ଯୋଗୁଁ ପାରିବାରିକ ଅଶାନ୍ତି ବଢ଼ୁଥିବା ବେଳେ ଲୋକଙ୍କ ଅଞ୍ଚଳର ଆର୍ଥିକ ସ୍ଥିତି ମଧ୍ୟ ବିଗିଡ଼ିଯାଉଛି। ଗଜପତି ଜିଲ୍ଲାର ଏହି ବେଆଇନ ଜୁଆ ଖେଳ ଯୋଗୁଁ ମାସିକ ବଟି ନେଇ କିଛି ସ୍ୱାର୍ଥକାରୀ ପୁଲିସ କର୍ମଚାରୀ ପରୋକ୍ଷରେ ସମର୍ଥନ ଦେଉଥିବା ବୁଦ୍ଧିଜୀଵୀ ମହଲରେ ଅଭିଯୋଗ ହୋଇଛି।
ଗଜପତି ଜିଲ୍ଲା ସେରଙ୍ଗ ଥାନା ଅନ୍ତର୍ଗତ ଖଜୁରୀପଦା ଗ୍ରାମରେ ବିରାଜିତ ହନୁମାନଙ୍କ ମନ୍ଦିର ପାହାଡ଼କୁ ଲାଗିଥିବା କେତେକ ନିର୍ଦ୍ଦିଷ୍ଟ ଅଞ୍ଚଳରେ ଅବାଧ ଭାବରେ ଜୁଆଖେଳ ଚାଲିଥିବା ଅଭିଯୋଗ ହୋଇଛି। ପୁଲିସ ଫାଣ୍ଡି ଠାରୁ କେବଳ ୨କିମି. ପରିସରରେ ଚାଲିଥିବା ଜୁଆଖେଳରେ ଖଜୁରୀପଦା, ନୂଆଗଡ଼, ଗୁମ୍ମା, ସେରଙ୍ଗ, ମୋହନା, ଗୁଣପୁର ଓ ଆନ୍ଧ୍ରପ୍ରଦେଶରୁ ବହୁ ଜୁଆଡ଼ି ଆସି ଏଠାରେ ଜୁଆ ଖେଳୁଥାନ୍ତି. ପ୍ରତେକ ଦିନ ସକାଳ 10 ଟାରୁ ଖେଳ ଆରମ୍ଭ ହୋଇ ରାତି ୧୧ଟା ପର୍ଯ୍ୟନ୍ତ ଚାଲୁଛି। ଏତେ ଗାଡ଼ି ଜମା ହୋଇଥାଉଛି ଯେ ଲାଗିବ ସତେ ଯେମିତି କାହାର ବିବାହ କିମ୍ବା ଅନ୍ୟ କୌଣସି ଉତ୍ସବ ଚାଲିଛି। ଏହି ଜୁଆ ଖେଳ ଯୋଗୁଁ ଅନେକ ଲୋକ ସର୍ବସ୍ବାନ୍ତ ହୋଇ ଧାର କରଜରେ ବୁଡି ରହି ବିଭିନ୍ନ ସମସ୍ୟା ମଧ୍ୟରେ ଗତି କରୁଛନ୍ତି. ଗଜପତି ଜିଲ୍ଲାର ଏହି ବେଆଇନ ଜୁଆ ଖେଳ ଯୋଗୁଁ ବହୁ ପରିବାରଙ୍କ ସ୍ଥିତି ବିପନ୍ନ ହୋଇଯାଇଛି. ଏଭଳି ବେଆଇନ ଅବାଧ ଜୁଆ ଖେଳକୁ ତୁରନ୍ତ ବନ୍ଦ କରିବା ପାଇଁ ପ୍ରଶାସନ ପଦକ୍ଷେପ ଗ୍ରହଣ କରନ୍ତୁ ବୋଲି ବୁଦ୍ଧିଜୀବୀମାନେ ଦାବି କରିଛନ୍ତି.
ବିଦ୍ୟୁତ ବିଭାଗକୁ ପାରଳା ମୁନିସିପାଲିଟିର ରୋକ…. ଗ୍ରାହକଙ୍କ ବିନା ସହମତିରେ ସ୍ମାର୍ଟ ମିଟର ବସେଇ ପାରିବେ ନାହିଁ

ପାରଳାଖେମୁଣ୍ଡି, 9/12(ତାରିଣୀ ପ୍ରସାଦ ପଣ୍ଡା ): ପାରଳାଖେମୁଣ୍ଡି ସହରରେ ଗ୍ରାହକଙ୍କ ବିନା ସହମତିରେ ସ୍ମାର୍ଟ ମିଟରକୁ ବିଦ୍ୟୁତ ବିଭାଗ ବସେଇ ପାରିବ ନାହିଁ ବୋଲି ପାରଳା ମୁନିସିପାଲିଟିର ରୋକ ଲଗାଇ ବିଦ୍ୟୁତ ବିଭାଗକୁ ଏକ ଚିଠି ପ୍ରେରଣ କରିଥିବା ସୂଚନା ମିଳିଛି. ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡି ସହରରେ ଗତ ବହୁ ଦିନ ହେଲା ବିଦ୍ୟୁତ ବିଭାଗ ଗ୍ରାହକଙ୍କ ବିନା ଅନୁମତିରେ ସ୍ମାର୍ଟ ମିଟର ଲଗାଇ ଆସୁଛନ୍ତି. ଏପରିକି ଘରେ କେହି ନଥିବା ସମୟରେ ତାଲା ଝୁଲୁ ଥିବା ବେଳେ ବି ପୁରୁଣା ମିଟର ଗୁଡ଼ିକୁ ବଦଳାଇ ସ୍ମାର୍ଟ ମିଟର ଲଗାଇ ଦିଆ ଯାଉଥିବା ବହୁ ଅଭିଯୋଗ ରହି ଆସୁଛି. ଅନେକ ଗ୍ରାହକଙ୍କୁ ଭୁଲ ତଥ୍ୟ ଦେଇ ମିଟର ଖରାପ କହି ମଧ୍ୟ ସ୍ମାର୍ଟ ମିଟର ବଦଳାଇ ଦେଉଥିବା ଅଭିଯୋଗ ମଧ୍ୟ ରହିଛି. ସହରର କିଛି ଦୋକାନୀ ଏହାକୁ ବିରୋଧ କରିବାରୁ ଯୁକ୍ତିତର୍କ ମଧ୍ୟ ହୋଇଥିଲା। ଏହାକୁ ନେଇ ଗତ ପାରଳା ପୌର ପରିଷଦ ବୈଠକରେ ଆଲୋଚନା ହୋଇଥିଲା। ବୈଠକରେ କାଉନସିଲରମାନେ ପୌରଧକ୍ଷା, ବିଧାୟକ ଓ ସାଂସଦ ପ୍ରତିନିଧିଙ୍କ ସହ ପୁଙ୍ଖାନୁପୁଖ ଆଲୋଚନା ପରେ ଏଭଳି ବେନିୟମ କାର୍ଯ୍ୟ ପୌର ପରିଷଦର ଅଂଚଳରେ ନକରିବା ପାଇଁ ବିଦ୍ୟୁତ୍ ବିଭାଗକୁ ଅବଗତ କରାଇବା ନିମନ୍ତେ କାଉନ୍ସିଲ୍ରେ ପ୍ରସ୍ତାବ ପାରିତ ହୋଇଥିଲା। ଏନେଇ ବୈଠକର ନିଷ୍ପତ୍ତି ଅନୁଯାୟୀ ବିଦ୍ୟୁତ ଗ୍ରାହକଙ୍କ ବିନା ସହମତିରେ ସ୍ମାର୍ଟ ମିଟର ବସା ନ ଯାଉ ବୋଲି ପାରଳା ପୌର ପରିଷଦ ତରଫରୁ ବିଦ୍ୟୁତ ବିଭାଗୀୟ ନିର୍ବାହୀଯନ୍ତ୍ରୀଙ୍କୁ ଏକ ଚିଠି ଦ୍ୱାରା ଅବଗତ କରାଯାଇଥିବା ଜଣାପଡିଛି.
ରାଜସ୍ଥାନରେ ସିସିଆରଟି ଦ୍ୱାରା ଆୟୋଜିତ ଶିକ୍ଷକ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଗଜପତିର 2 ଶିକ୍ଷକ ଯୋଗ ଦେଲେ

ପାରଳାଖେମୁଣ୍ଡି, 9/12(ତାରିଣୀ ପ୍ରସାଦ ପଣ୍ଡା ):ରାଜସ୍ଥାନରେ ସିସିଆରଟି ଦ୍ୱାରା ଆୟୋଜିତ ଶିକ୍ଷକ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଗଜପତିର 2 ଶିକ୍ଷକ ଯୋଗ ଦେଇଥିବା ସୂଚନା ମିଳିଛି. ସିସିଆରଟି ତଥା ସେଣ୍ଟର୍ ଫର୍ କଲ୍ଚୁରାଲ୍ ରିସୋର୍ସ ଟ୍ରେନିଙ୍ଗ, ରିଜିଅନାଲ୍ ସେଣ୍ଟର୍ ଉଦୟପୁର, ରାଜସ୍ଥାନରେ ଜାତୀୟ ଶିକ୍ଷା ନୀତି ଅନୁସାରେ ଜାତୀୟ ସ୍ତରରେ ଆୟୋଜିତ ହୋଇଥିବା ଶିକ୍ଷକ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଓଡ଼ିଶାର ଶିକ୍ଷକମାନେ ଅଂଶଗ୍ରହଣ କରିଛନ୍ତି। ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମଟି ନଭେମ୍ବର 26 ରୁ ଡିସେମ୍ବର 16 ପର୍ଯ୍ୟନ୍ତ ଉଦୟପୁର ରିଜିଅନାଲ୍ ସେଣ୍ଟରରେ ଆୟୋଜିତ ହେଉଛି।ଏହି ପ୍ରଶିକ୍ଷଣରେ ଓଡ଼ିଶା ରାଜ୍ୟରୁ 4 ଜଣ ଶିକ୍ଷକ ଚୟନ ହୋଇ ଅଂଶଗ୍ରହଣ କରିଛନ୍ତି. ସେମାନଙ୍କ ମଧ୍ୟରୁ ଗଜପତି ଜିଲ୍ଲା ଗୁମ୍ମା ବ୍ଲକରେ ଥିବା ଉନ୍ନୀତ ଉଚ୍ଚ ବିଦ୍ୟାଳୟର ବିଜ୍ଞାନ ଶିକ୍ଷକ ରାମକୃଷ୍ଣ ବୋମାଲୀ ଏବଂ ଗଜପତି ଜିଲ୍ଲାର ମୋହନା ବ୍ଲକ ଅନ୍ତର୍ଗତ ଗୋଠକେଳି ଉନ୍ନୀତ ଉଚ୍ଚ ବିଦ୍ୟାଳୟର ବିଜ୍ଞାନ ଶିକ୍ଷକ ଶିବରାମ ମଣ୍ଡଳଙ୍କ ସମେତ ଓଡିଶାର ଯାଜପୁର ଜିଲ୍ଲାରୁ ଶୁଭ୍ରାଂଶୁ ଭୂଷଣ ନାୟକ ଓ ଚିନ୍ମୟ କୁମାର ରଥ 2 ଜଣ ଶିକ୍ଷକ ମଧ୍ୟ ଏହି ସମାବେଶରେ ଯୋଗ ଦେଇଛନ୍ତି ବୋଲି ସୂଚନା ମିଳିଛି.












Leave a Reply