Spread the love

ରାଜ୍ୟସ୍ତରୀୟ ଶିଶୁ ଉତ୍ସବ ସୁରଭିରେ ଗୋଣ୍ଡି ଭାଷାର ଶିକ୍ଷଣ ସାମଗ୍ରୀ ଉନ୍ମୋଚିତ
ଭୁବନେଶ୍ବର–। (ଦର୍ଶନ ସମୀକ୍ଷା)

ଘରଭାଷା ଆଧାରିତ ଶିକ୍ଷାଦାନ ଦ୍ଵାରା ପିଲାଟି ଶିକ୍ଷଣ ପ୍ରକ୍ରିୟାରେ ସକ୍ରିୟ ଭାବେ ଯୋଡ଼ି ହୋଇଥାଏ । ପିଲାର ଘରଭାଷାର ଶ୍ରେଣୀ ଗୃହରେ ପ୍ରୟୋଗ ଫଳରେ ସେ ନିଜକୁ ଭୟଶୂନ୍ୟ ଭାବେ ପରିପ୍ରକାଶ କରିପାରେ । ତାହାସହିତ ପାଠକୁ ବୁଝିବା , ପଢ଼ିବା ଓ ଲେଖିବା ପିଲାପାଇଁ ସହଜ ହୋଇଥାଏ । ଓଡ଼ିଶାରେ ଥିବା ଜନଜାତିମାନଙ୍କ ଭାଷାର ସୁରକ୍ଷା ଓ ସମୃଦ୍ଧି ପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ୧୯୯୪ ମସିହାରୁ ସବୁବେଳେ ଗୁରତ୍ଵ ଦେଇଆସିଛି । ନବରଙ୍ଗପୁର ଜିଲ୍ଲାର ରାଇଘର ବ୍ଲକରେ ରହୁଥିବା ଗୋଣ୍ଡି ଭାଷାଭାଷୀ ପିଲାମାନଙ୍କ ଭାଷାର ସୁରକ୍ଷା ଓ ବିକାଶ ପାଇଁ ଚଳିତ ଶିକ୍ଷାବର୍ଷରେ ରାଜ୍ୟ ସରକାର ପଦକ୍ଷେପ ଗ୍ରହଣ କରିଛନ୍ତି । ସମଗ୍ର ଶିକ୍ଷା ଓ ଡି.ଆଇ.ଇ.ଟି ନବରଙ୍ଗପୁରର ସହଯୋଗରେଶିକ୍ଷା ଦା ୱେଡ଼୍‌ଚି କାର୍ଯ୍ୟକ୍ରମ ଅଧୀନରେ ପ୍ରଥମ ଓ ଦ୍ଵିତୀୟ ଶ୍ରେଣୀ ପିଲାଙ୍କ ପାଇଁ ଶିକ୍ଷଣସାମଗ୍ରୀ ପ୍ରସ୍ତୁତ କରାଯାଇଛି । ସମଗ୍ର ଶିକ୍ଷା ,ଡି.ଆଇ.ଇ.ଟି ଓ ଲାଙ୍ଗୁଏଜ୍ଏଣ୍ଡ ଲର୍ଣ୍ଣି ଫାଉଣ୍ଡେସନର ମିଳିତ ସହଯୋଗରେ ଗୋଣ୍ଡି ଭାଷାରେ କାର୍ଯ୍ୟପୁସ୍ତିକା , ବଡ଼ବହି , ଚିତ୍ର ପୋଷ୍ଟର ,କବିତା ପୋଷ୍ଟର , ଶିକ୍ଷକ ମାର୍ଗଦର୍ଶିକା ଓ ଗ୍ରୀଡ଼୍ କାର୍ଡ ପ୍ରସ୍ତୁତ କରାଯାଇଛି । ରାଇଘର ବ୍ଲକର ଗୋଣ୍ଡି ଭାଷାଭାଷୀ ପିଲାଙ୍କ ପାଇଁ ପ୍ରସ୍ତୁତ ଶିକ୍ଷଣ ସାମଗ୍ରୀଗୁଡ଼ିକ ରାଜ୍ୟ ସ୍ତରୀୟ ଶିଶୁ ଉତ୍ସବ ସୁରଭିରେ ଉନ୍ମୋଚନ କରଯାଇଥିଲା । ମାନ୍ୟବର ଶିକ୍ଷାମନ୍ତ୍ରୀ ଶ୍ରୀ ନିତ୍ୟାନନ୍ଦ ଗଣ୍ଡ ମହୋଦୟ,ବିଦ୍ୟାଳୟ ଓ ଗଣ ଶିକ୍ଷା ବିଭାଗର ଆୟୁକ୍ତ ତଥା ଶାସନ ସଚିବ ଶ୍ରୀ ଏନ.ତିରୁମାଳା ନାୟକ, ଓସେପାର ରାଜ୍ୟ ପ୍ରକଳ୍ପନିର୍ଦ୍ଦେଶିକା ଶ୍ରୀମତୀ ଅନନ୍ୟା ଦାସ ,ଯୁଗ୍ମ ନିର୍ଦ୍ଦେଶିକା ଶ୍ରୀମତୀ ନିରୁପା ବେହେରା ପ୍ରମୁଖ ଯୋଗ ଦେଇ ଶିକ୍ଷଣସାମଗ୍ରୀ ଗୁଡ଼କ ଉନ୍ମୋଚନ କରିଥିଲେ । ପ୍ରସ୍ତୁତ ଶିକ୍ଷଣ ସାମଗ୍ରୀଗୁଡ଼ିକ ଶିକ୍ଷକମାନେ ଶ୍ରେଣୀରେ ବ୍ୟବହାର କରି ପିଲାଙ୍କ ଶ୍ରବଣ , କଥନ ସହିତ ପଠନ ଓ ଲିଖନ ଦକ୍ଷତାର ବିକାଶ କରିବେ ବୋଲି ଶିକ୍ଷାବିଭାଗ ତରଫରୁ ସୂଚନା ଦିଆଯାଇଛି । ତାହାସହିତ ଘରଭାଷାକୁ ଆଧାର କରି ମାନକ ଭାଷା ଓଡ଼ିଆରେ ପିଲାଙ୍କୁ ଦକ୍ଷ କରିବା ପାଇଁ ଜିଲ୍ଲା ସ୍ତରରେ ଯୋଜନା ପ୍ରସ୍ତୁତ ହୋଇଛି ବୋଲି ବିଭାଗ ତରଫରୁ କୁହାଯାଇଛି । ଏହି କାର୍ଯ୍ୟକ୍ରମକୁ ଲାଙ୍ଗୁଏଜ୍ଏଣ୍ଡ ଲର୍ଣ୍ଣି ଫାଉଣ୍ଡେସନ ତରଫରୁ ରାଜ୍ୟ କାର୍ଯ୍ୟକ୍ରମ ସଂଯୋଜକ କାର୍ତ୍ତିକ ଚନ୍ଦ୍ର ସାହୁ ,ୟଶସ୍ଵିନୀ ପଟ୍ଟନାୟକ , ସନ୍ଦୀପ ବଳ ପ୍ରମୁଖ ପରିଚାଳନା ଓ ସଂଯୋଜନା କରିଥିଲେ । ତିଳୋତ୍ତମା ସ୍ଵାଇଁ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।

Leave a Reply

Your email address will not be published. Required fields are marked *