ସମାଜ ବଦଳୁଛି
କନ୍ୟା ଦାନ କଲେ
ମୋକ୍ଷ ମିଳେ
ବୋଲି
ଲୋକଂକ ଧାରଣା ଥିଲା
କନ୍ୟାଟିଏ ପାଇଁ
ପ୍ରଭୁଙ୍କ ପାଖରେ
ପୂଜା ପାଠ ହେଉଥିଲା।
ଘରଯୋଗ୍ୟ ଯେବେ
ହେଉଥିଲା ଝିଅ
ବର ଖୋଜା ହେଉଥିଲା
ଯୋଗ୍ୟ ବର ଦେଖି
ଯଉତୁକ ଦେଇ
କନ୍ୟାଦାନ ହେଉଥିଲା।
ଧୀରେ ଧୀରେ ଏହି
ଯଉତୁକ ପ୍ରଥା
ଘାତକ ପାଲଟି ଗଲା
ଯଉତୁକ ଲାଗି
ଝିଅର ବାପାକୁ
ବାଧ୍ୟ କରା ଯାଉଥିଲା।
ବଡ଼ ବିଡ଼ମ୍ବନା
ଝିଅ ଜନ୍ମ ହେଲେ
ବାପା ମାଆ କାନ୍ଦୁଥିଲେ
ପୁଅଟିଏ ହେଲେ
ବୁଲି ବୁଲି ସିଏ
ରସଗୋଲା ବାଣ୍ଟୁଥିଲେ।
ବିଭାଗର ପରେ
ବହୁ ଦିନ ଯାଏଁ
ଯଉତୁକ ମାଗୁଥିଲେ
ନ ମିଳିବା ଯାଏ
ବୋହୂକୁ ନିଇତି
ଯନ୍ତ୍ରଣା ହିଁ ଦେଉଥିଲେ।
ଅନେକ ବୋହୂ ବି
ଯନ୍ତ୍ରଣା ନ ସହି
ଆତ୍ମହତ୍ୟା କରୁଥିଲେ
ଅନେକ ମହିଳା
ଯଉତୁକ ପାଇଁ
ବିଭା ବି ହେଉ ନ ଥିଲେ।
କନ୍ୟାଭୃଣ ଦେଖି
ବହୁ ପିତା ମାତା
ଭୃଣ ନଷ୍ଟ କରୁଥିଲେ
ପୁତ୍ର ସଂଖ୍ୟା ବଢ଼ି
ସମାଜ ଭିତରେ
କନ୍ୟା ସଂଖ୍ୟା କମିଗଲେ।
ଆଗରୁ ପୁଅଙ୍କ
ଚାହିଦାଟା ଥିଲା
ଏବେ ଖୋଜା ହୁଏ ଝିଅ
ଯଉତୁକ ପ୍ରଥା ଲୋପାଇଯାଏ
ଝିଅ ହୁଏ ବନ୍ଦନୀୟ।
ଆଜିର ଦିନରେ କିଏ ବନ୍ଦନୀୟ
କିଏ ଅବା ବନ୍ଦନୀୟା
ଘରେ ଘରେ ଆଜି
ନିଇତି ଜଳୁଛି
ଅହେତୁକ ପ୍ରେମ ନିଆଁ
ନାରୀ ନିର୍ଯାତନା
ବଢ଼ି ବି ଚାଲିଛି
ପୁରୁଷ ମରନ୍ତି କେତେ
ପ୍ରେମର ନିଆଁରେ
ଜଳି ମରୁଛନ୍ତି
ଯେଉଁଠି ଦେଖିବ ଯେତେ।
ଅକ୍ଷୟ ମହାନ୍ତି






Leave a Reply