Spread the love

ନିଶା ନିବାରଣ
ଅଳ୍ପ ଗଳ୍ପ ::

ସେଦିନ ରବିବାର ହୋଇଥାଏ। ଅବକାରୀ ବିଭାଗର ଆହ୍ବାନ କ୍ରମେ ଜିଲ୍ଲା ସ୍ତରୀୟ ଏକ ନିଶା ନିବାରଣ କାର୍ଯ୍ୟକ୍ରମ ପାଇଁ ପ୍ରତ୍ୟେକ ବ୍ଲକରୁ ସଦସ୍ୟ ମାନଙ୍କୁ ଆମନ୍ତ୍ରିତ କରାଯାଇଥାଏ। ଅବକାରୀ ମନ୍ତ୍ରୀ ସେହି ଉତ୍ସବକୁ ଆନୁଷ୍ଠାନିକ ଭାବେ ସମ୍ବୋଧିତ କରିବାର ଆୟୋଜନ ହୋଇଥାଏ।ରାଜ୍ୟର କିଛି ଗାନ୍ଧିବାଦୀ ନେତାଙ୍କୁ ସେଥିରେ ସମ୍ବର୍ଦ୍ଧିତ କରି ତାଙ୍କର ପରାମର୍ଶ ନେଇ ଜିଲ୍ଲାର ପ୍ରତ୍ୟେକ ଗ୍ରାମରେ ନିଶା ନିବାରଣ ପାଇଁ ସ୍ଵେଚ୍ଛାସେବୀ ସଦସ୍ୟ ସଂଗ୍ରହ କରିବାର ଯୋଜନା ହୋଇଥାଏ।
ମନୋରଞ୍ଜନ ସାମନ୍ତରାୟ ରାଜ୍ୟର ଜଣେ ଶ୍ରେଷ୍ଠ ଗାନ୍ଧିବାଦୀ ବ୍ୟକ୍ତି ଭାବରେ ପୂର୍ବରୁ ବହୁବାର କେନ୍ଦ୍ର ଓ ରାଜ୍ୟ ଦ୍ଵାରା ସ୍ଵୀକୃତି ଲାଭ କରିଥାନ୍ତି।ଏହି ଉତ୍ସବ ପାଇଁ ତାଙ୍କୁ ଆମନ୍ତ୍ରିତ କରି ତାଙ୍କର ସାମୟିକ ବିଶ୍ରାମ ପାଇଁ ଜିଲ୍ଲା ମୁଖ୍ୟାଳୟରେ ଅବସ୍ଥିତ ଏକ ପ୍ରତିଷ୍ଠିତ ହୋଟେଲରେ ବ୍ୟବସ୍ଥା କରାଯାଇଥାଏ। ସାମନ୍ତରାୟ ବାବୁ ବାପାଙ୍କର ଜଣେ ବାଲ୍ୟବନ୍ଧୁ ଭାବରେ ମୋ ସହିତ ତାଙ୍କର ଭଲ ସମ୍ପର୍କ ଥିଲା।ତାଙ୍କୁ ମୁଁ ମଧ୍ୟ ବହୁତ ସମ୍ମାନ ଦିଏ। ସେଦିନ ମୋତେ ଫୋନ୍ କରି ଡକାଇଲେ ସେହି ଉତ୍ସବକୁ ଯିବାପାଇଁ। ମୁଁ ଯାଇଁ ତାଙ୍କ ଘରେ ପହଞ୍ଚିଲି। ଆୟୋଜକ ମାନେ ଯେଉଁ ଗାଡିର ବ୍ୟବସ୍ଥା କରିଥିଲେ ସେଥିରେ ଯାଇଁ ହୋଟେଲର ନିର୍ଦ୍ଧିଷ୍ଟ କକ୍ଷରେ ପହଞ୍ଚି କିଛି ସମୟ ଅପେକ୍ଷା କଲୁ। ମନ୍ତ୍ରୀଙ୍କର ଆସିବାରେ ପ୍ରାୟ ଦୁଇଘଣ୍ଟା ବିଳମ୍ବ ହୋଇ ଯାଇଥାଏ।ମଉସା ବ୍ୟସ୍ତ ହୋଇପଡିଲେ ବି ଅନ୍ଯ ବାଟ କିଛି ନଥାଏ।
ମଉସାଙ୍କର ଓଜସ୍ଵିନୀ ଭାଷଣରେ ଉତ୍ସବର ଉପସ୍ଥିତ ସଦସ୍ୟ ସମସ୍ତେ ଅଭିଭୂତ ହୋଇ ପଡିଲେ।ଶେଷରେ ତାଙ୍କୁ ମନ୍ତ୍ରୀ ମହୋଦୟ ସମ୍ବର୍ଦ୍ଧିତ କରି ଦାମୀ ଉତ୍ତରୀୟ ସହିତ ମାନପତ୍ର ଏବଂ କୋଡିଏ ହଜାର ଟଙ୍କାର ଏକ ଚେକ୍ ଗୋଟିଏ ଲଫାପା ମଧ୍ୟରେ ପ୍ରଦାନ କରାଗଲା।ଉତ୍ସଵ ଶେଷରେ ସେହି ଗାଡି ଆମକୁ ଆଣି ଘରେ ପହଞ୍ଚାଇ ଦେଇଗଲା।
ପରଦିନ ମଉସାଙ୍କ ଟେବୁଲ୍ ଉପରେ ଛାଡି ଆସିଥିବା ପେନଡ୍ରାଇଭ୍ ପାଇଁ ଯାଇଁ ପହଞ୍ଚିଲି।ସନ୍ଧ୍ୟା ଆଠଟା ବାଜିଥାଏ।କବାଟ ଖୋଲା ଥିବାରୁ କଲିଂବେଲ୍ ମାରିବାକୁ ପଡିଲାନି। ତାଙ୍କ ବୈଠକ ଖାନାରେ ଦୁଇଜଣ ବନ୍ଧୁ ବସିଥାନ୍ତି।ସେମାନଙ୍କ ଭିତରୁ ଜଣଙ୍କୁ ମୁଁ ଜାଣିଥାଏ।ସେ ଆମ ଜିଲ୍ଲାର ଜଣେ ଜଣାଶୁଣା ବିଦେଶୀ ମଦ ବ୍ୟବସାୟି ରମାକାନ୍ତ ଗଡନାୟକ।ଟି ପୟ ଉପରେ ତିନୋଟି ସୁରମ୍ୟ ଗ୍ଲାସରେ କିଛି ରଙ୍ଗିନ୍ ପାନୀୟ ସହ ପ୍ଲେଟରେ କିଛି ଚନାଚୂର ଓ ପକୋଡା ଥୁଆ ହୋଇଥାଏ।ବୈଠକଖାନାର ପରଦା ଆଡେଇ ଆଉ ଭିତରକୁ ନଯାଇ ମୁଁ ଘରକୁ ଫେରି ଆସିଲି।
ନିହାତି ଆବଶ୍ୟକ ଥିବାରୁ ପରଦିନ ସକାଳେ ମଉସାଙ୍କ ଘରକୁ ଯାଇଁ ପେନ୍ ଡ୍ରାଇଭ୍ ଧରି ଫେରିବା ସମୟରେ ଆଖି ପଡିଲା ତାଙ୍କ ଘର ପଛପଟେ ଦୁଇ ଚାରିଟା ଦାମୀ ବିଦେଶୀ ଖାଲି ମଦ ବୋତଲ ଉପରେ କିଛିଦିନ ପରେ ରାଜ୍ୟର ପ୍ରମୁଖ ଖବରକାଗଜର ମୁଖ୍ୟ ଖବର ଥିଲା ଆମ ଜିଲ୍ଲା ନିଶାମୁକ୍ତ ଜିଲ୍ଲାର ଶେଷ୍ଠ ଜିଲ୍ଲା ଭାବରେ ଖ୍ୟାତି ଅର୍ଜନ କରିଛି ଏବଂ ମଦମୁକ୍ତ ଅଭିଯାନର ଶ୍ରେଷ୍ଠ ବ୍ୟକ୍ତି ଭାବରେ ରାଜ୍ୟ ତରଫରୁ କେନ୍ଦ୍ରସରକାରଙ୍କ ଦ୍ଵାରା ପୁରସ୍କୃତ ହେବାପାଇଁ ମନୋରଞ୍ଜନ ସାମନ୍ତରାୟଙ୍କୁ ରାଷ୍ଟ୍ରପତି ଭବନରୁ ଆମନ୍ତ୍ରିତ କରା ଯାଇଛି।
ମଉସା ଦିଲ୍ଲୀ ଯିବାଦିନ ମୁଁ ନିର୍ଦ୍ଧିଷ୍ଟ ସମୟରେ ଘରୁ ବାହାରି ଏଯାର ପୋର୍ଟରେ ଫୁଲତୋଡା ଧରି ପହଞ୍ଚି ଦେଖିଲି ମଉସା, ରାଜ୍ୟର ବିଶିଷ୍ଟ ମଦ ବ୍ୟବସାୟୀ ରମାକାନ୍ତ ଗଡନାୟକଙ୍କ ଗାଡିରୁ ବାହାରି ଭିତରକୁ ପ୍ରବେଶ କରୁଥିଲେ। ଦୁଇଟି ରଙ୍ଗିନ୍ ଲଫାପା ରମାକାନ୍ତ ବାବୁ ମଉସାଙ୍କ ହାତକୁ ବଢାଇଦେଲେ।ଗୋଟିକରୁ ଏୟାର ଟିକେଟ୍ ବାହାରକରି ମଉସା କାଉଣ୍ଟରରେ ଯାଞ୍ଚ ପାଇଁ ଦେଇ ଅନ୍ୟଟି ନିଜ ହାଣ୍ଡ ବ୍ୟାଗରେ ରଖି ଆଗକୁ ପାଦ ପକାଇ ଭିତରକୁ ଗଲେ।
ସଞ୍ଜୟ ରଥ ଭୁବନେଶ୍ୱର ✍️

Leave a Reply

Your email address will not be published. Required fields are marked *