Spread the love

କଲମର ଶକ୍ତି //ଅବିଶ୍ବାସ୍ୟହେଲେମଧ୍ୟ_ସତ

ଗପଟିଏପାଇଁପାଞ୍ଚକୋଟିଟଙ୍କାର ମାନହାନିମାମଲା

ଅବିଶ୍ବାସ୍ୟ ହେଲେ ମଧ୍ୟ ସତକଥା , ଗପଟିଏ ପାଇଁ ହୋଇଥିଲା ପାଞ୍ଚକୋଟି ଟଙ୍କାର ମାନହାନି ମାମଲା ।

ବଙ୍ଗଳା ଭାଷାରେ ପ୍ରକାଶ ପାଉଥିବା ଏକ ବହୁଳ ପ୍ରସାରିତ ପତ୍ରିକା ସାନନ୍ଦା ପତ୍ରିକାରେ ପ୍ରକାଶ ପାଇଥିଲା ଗୋଟିଏ ଗଳ୍ପ , ଗଳ୍ପଟିର ଶୀର୍ଷକ ଥିଲା ବାଁହାତେରବୁଢୋ_ଆଙ୍ଗୁଲ ( ବାଁ ହାତର ବୁଢା ଆଙ୍ଗୁଠି ) ।ଲେଖକ ଥିଲେ -ଜଣେ ତରୁଣ ଲେଖକ ସିଦ୍ଧାର୍ଥ ସିଂହ । ଗଳ୍ପଟି ପ୍ରକାଶ ପାଇବା ସାଙ୍ଗେ ସାଙ୍ଗେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଥିଲା । ରାଜନୈତିକ ମହଲରେ ପ୍ରଚଣ୍ଡ ଉଦ୍ବେଳନ । ଲେଖକଙ୍କ ବିରୁଦ୍ଧରେ ପାଞ୍ଚକୋଟି ଟଙ୍କାର ମାନହାନି ମାମଲା ରୁଜୁ କରାଯାଏ । ସେତେବେଳେ ସାନନ୍ଦା ପତ୍ରିକାର ସର୍କୁଲେସନ୍ ଥିଲା ଏକଲକ୍ଷ ଦଶ ହଜାର । ସେ ସମୟର ଜଣେ ବିଖ୍ୟାତ ରାଜନୈତିକ ନେତା ଦଳବଳ ଲଗାଇ ବିଭିନ୍ନ ପତ୍ରିକା ଷ୍ଟଲ୍ ରୁ ସବୁ ପତ୍ରିକା କିଣାଇ ନିଅନ୍ତି, ଯେମିତି ଲୋକଙ୍କ ପାଖରେ ଗପଟି ପହଞ୍ଚି ପାରିବ ନାହିଁ । ଲେଖକଙ୍କ ଘରେ ଚଢ଼ାଉ ହୁଏ, କିଛିଲୋକ ଆସି ଲେଖକଙ୍କୁ ଟେକିନେଇ ଯାଆନ୍ତି । ଗୋଟିଏ ନିର୍ମାଣଧୀନ ବହୁତଳ କୋଠାର ଗୋଟିଏ ଫ୍ଲାଟ୍ ଭିତରେ ଅଟକ ରଖନ୍ତି । ତାଙ୍କୁ ପ୍ରବଳ ମାଡ଼ ମରାଯାଏ । ସେହି ଗଳ୍ପଟି ପାଇଁ ଆହୁରି ଚାରିଜଣଙ୍କ ନାମରେ ଏକ କୋଟି ଲେଖାଏଁ ମାନହାନି ମାମଲା ରୁଜୁ କରାଯାଏ, ସେମାନେ ହେଉଛନ୍ତି – ସାନନ୍ଦା ପତ୍ରିକାର ତତ୍କାଳୀନ ସମ୍ପାଦକ ବିଶିଷ୍ଟ ଅଭିନେତ୍ରୀ ଅପର୍ଣ୍ଣା ସେନ୍ , ଆନନ୍ଦବାଜାର ପତ୍ରିକାର ସର୍ବୋଚ୍ଚ କର୍ତ୍ତା ଅରୂପ ସରକାର , ମୁଦ୍ରକ ଓ ପ୍ରକାଶକ ବିଜିତ୍ କୁମାର ବସୁ ଏବଂ ପତ୍ରିକାର ସହ ସମ୍ପାଦକ ସୁଦେଷ୍ଣା ରାୟ ।

ସେତେବେଳେ ସେହି ଖବର ଆନନ୍ଦବଜାର ଖବରକାଗଜ ର ପ୍ରଥମ ପୃଷ୍ଠାରେ ଟପ୍ ନ୍ୟୁଜ ଭାବରେ ପ୍ରକାଶିତ ହୋଇଥିଲା । The Telegraph ରେ ଛଅ କଲମର ସମ୍ବାଦ ମଧ୍ୟ ପ୍ରକାଶ ପାଇଥିଲା । ଭାରତର ସମସ୍ତ ଦୈନିକ ଖବରକାଗଜର ସମ୍ପାଦକମାନଙ୍କୁ ନେଇ ଦିଲ୍ଲୀ ଠାରେ ଏକ ମିଟିଂ ହୁଏ , ମିଟିଂ ରେ ସର୍ବସମ୍ମତିକ୍ରମେ ଆନନ୍ଦବଜାର ସହିତ ଛିଡ଼ା ହେବାପାଇଁ ନିଷ୍ପତ୍ତି ଗ୍ରହଣ କରାଯାଏ । ଲେଖକଙ୍କର ନିରାପତ୍ତା ପାଇଁ ସମସ୍ତ ଥାନାକୁ ଆଲର୍ଟ କରି ଦିଅନ୍ତି ତତ୍କାଳୀନ ଡିସିଡିଡି ଓ୍ବାନି ଗୌତମ ଚକ୍ରବର୍ତ୍ତୀ । ଲେଖକଙ୍କ ସପକ୍ଷରେ ସେତେବେଳେ ଛିଡ଼ା ହୋଇଥିଲେ ବଙ୍ଗଳା ସିନେମାର ସମସ୍ତ ନାମୀ ଅଭିନେତ୍ରୀ ଏବଂ ବର୍ତ୍ତମାନର ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଲେଖକଙ୍କ ତରଫରୁ ଆନନ୍ଦବଜାର ସଂସ୍ଥା ମାମଲା ଲଢିଥିଲେ । ଅଦାଲତରେ ମାମଲାଟି ଖାରଜ ହୋଇଥିଲା ।

ସେସମୟର ବିଖ୍ୟାତ ଲେଖକ ତଥା ସମ୍ପାଦକ ରମାପଦ ଚୌଧୁରୀ କହିଥିଲେ – ଜୀବନରେ ଗଳ୍ପ ରଚନା କରି ଏ ଧରଣର ଘଟଣା ଆଉ କାହାରି ଜୀବନରେ ଘଟିଛି କି ନାହିଁ ମୋତେ ଜଣାନାହିଁ ।
ବିଶିଷ୍ଟ ଲେଖକ ଶୀର୍ଷେନ୍ଦୁ ମୁଖୋପାଧ୍ୟାୟ ଲେଖକମାନଙ୍କ ଉଦ୍ଦେଶ୍ୟରେ କହିଥିଲେ – ଲେଖିବା ସମୟରେ ଏବେଠାରୁ ଟିକେ ବୁଲେଇ ବଙ୍କେଇ , ଆଢ଼ୁଆଳରେ ରଖି ଲେଖିବାକୁ ଚେଷ୍ଟା କରିବ ।

ପରବର୍ତ୍ତୀ କାଳରେ ସେହି ଗଳ୍ପର ନାଟ୍ୟରୂପ ମଞ୍ଚସ୍ଥ ହୁଏ କୋଲକାତାର ଶିଶିର ମଞ୍ଚରେ ।

ପରେ ସେହି ସମାନ ଶୀର୍ଷକରେ ତାଙ୍କର ଏକ ଗଳ୍ପ ସଂକଳନ ମଧ୍ୟ ପ୍ରକାଶ ପାଇଥିଲା ।

ସେହି ମାମଲା ପରେ ଗଳ୍ପ ଲେଖକ ସିଦ୍ଧାର୍ଥ ସିଂହ ବଙ୍ଗଳା ଭାଷାର ଜଣେ ପାଠକ ପ୍ରିୟ ଲେଖକ ଭାବରେ ପରିଚିତ ହୋଇଥିଲେ ଏବଂ ତାଙ୍କର
“ବାଁ ହାତେର ବୁଡୋ ଆଙ୍ଗୁଲ “ଗଳ୍ପ ସଂକଳନଟି ଅପ୍ରତ୍ୟାଶିତ ସଫଳତା ହାସଲ କରିଥିଲା ।
@Pradip Kumar Roy

Leave a Reply

Your email address will not be published. Required fields are marked *