ବେଆଇନି ବାଲିଘାଟ ସିଲ //ସମ୍ଭାବ୍ୟ ଲଘୁଚାପ ମୋନ୍ଥା ପାଇଁ ଗଜପତିରେ ସମସ୍ତ ପର୍ଯ୍ୟଟନସ୍ଥଳୀର ପ୍ରବେଶ ପଥକୁ ପ୍ରଶାସନ ସିଲ କଲା
ପାରଳାଖେମୁଣ୍ଡି, 26/10(ତାରିଣୀ ପ୍ରସାଦ ପଣ୍ଡା ):ଦର୍ଶନ ସମୀକ୍ଷା
ସମ୍ଭାବ୍ୟ ବାତ୍ୟା ମୋନ୍ଥାର ପ୍ରଭାବରେ ଗଜପତି ଜିଲ୍ଲାରେ ପଡିବାର ସୂଚନା ପାଣିପାଗ ବିଭାଗରୁ ମିଳିଛି. ଏଥିରେ ଅତ୍ୟଧିକ ବର୍ଷା ଓ ପବନକୁ ଦୃଷ୍ଟିରେ ରଖି ଜିଲ୍ଲାର ସମସ୍ତ ପର୍ଯ୍ୟଟନ ସ୍ଥଳ, ଜଳପ୍ରପାତ, ମହେନ୍ଦ୍ରଗିରି ଏବଂ ବୃନ୍ଦାବନ ପ୍ୟାଲେସ୍କୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ବନ୍ଦ କରିବା ପାଇଁ ପ୍ରଶାସନ ନିଷ୍ପତ୍ତି ନେଇଛି। ଗଜପତି ଜିଲ୍ଲାପାଳ ମଧୁସ୍ମିତା ଏନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ ସମସ୍ତ ବ୍ଳକ୍ ଉନ୍ନୟନ ଅଧିକାରୀ ଓ ଆରକ୍ଷୀ ଅଧୀକ୍ଷକ ଓ ବନଖଣ୍ଡ ଅଧିକାରୀଙ୍କୁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ଅବଗତ କରାଯାଇଛି । ଲଗାଣ ବର୍ଷା ଫଳରେ ଝରଣାର ଜଳସ୍ରୋତ ବୃଦ୍ଧି ପାଇବା ଏବଂ ପାହାଡ଼ ଧସିବା ଆଶଙ୍କା ରହିଛି। ତେଣୁ ପର୍ଯ୍ୟଟକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ପର୍ଯ୍ୟଟନସ୍ଥଳୀକୁ ଯିବା ଉପରେ ସମ୍ପୂର୍ଣ୍ଣ କଟକଣା ଲଗାଯାଇଛି. ଏଥି ଅନୁଯାୟୀ ଆଜି ରବିବାର ଠାରୁ ଗଜପତି ଜିଲ୍ଲାର ସମସ୍ତ ପର୍ଯଟନ କେନ୍ଦ୍ର ଓ ଜଳ ପ୍ରପାତ ଆଦିର ପ୍ରବେଶ ପଥକୁ ସିଲ କରି ଦିଆଯାଇଛି.
ଏଥିସହ ଗଜପତି ଜିଲ୍ଲାରେ କାର୍ଯ୍ୟରତ ସମସ୍ତ କର୍ମଚାରୀ ଓ ପଦାଧିକାରୀ ଏହି ବାତ୍ୟା ସମୟରେ ସମସ୍ତେ ନିଜ ନିଜ କାର୍ଯ୍ୟରେ ଉପସ୍ଥିତ ରହିବା ପାଇଁ ଜିଲ୍ଲା ପ୍ରଶାସନ ତରଫରୁ ଅବଗତ କରିବା ସହ ଛୁଟିରେ ଥିବା ସମସ୍ତ କର୍ମଚାରୀ ତୁରନ୍ତ ନିଜ ନିଜ କାର୍ଯ୍ୟରେ ଯୋଗ ଦିଅନ୍ତୁ ବୋଲି ପ୍ରଶାସନର ନିର୍ଦେଶ ରହିଛି.
ବେଆଇନ ବାଲିଘାଟ ପ୍ରତିଷ୍ଠା ଉଦ୍ୟମକୁ ପଣ୍ଡ କଲେ ଗଜପତି ଖଣି ଅଧିକାରୀ
ପାରଳାଖେମୁଣ୍ଡି, 26/10(ତାରିଣୀ ପ୍ରସାଦ ପଣ୍ଡା ): ଗଜପତି ଜିଲ୍ଲାର କାଶୀନଗର ବଂଶଧାରା ନଦୀ ଉପକୂଳରେ ବେଆଇନ ବାଲିଘାଟ ପ୍ରତିଷ୍ଠା ପାଇଁ ଅପଚେଷ୍ଟା କରାଯାଇଥିଲା. ଏହାର ପୂର୍ବ ସୂଚନା ଗଜପତି ଖଣି ବିଭାଗ ଜାଣି ପାରି ବାଲି ଘାଟ ପ୍ରତିଷ୍ଠାକୁ ପଣ୍ଡ କରିଥିବା ସୂଚନା ମିଳିଛି. ଘଟଣାରୁ ପ୍ରକାଶ, କାଶୀନଗର ବଂଶଧାରା ନଦୀ କୂଳରେ ବେଆଇନ ଭାବେ ଏକ ବାଲି ଘାଟ ପ୍ରତିଷ୍ଠା କରିବା ପାଇଁ କିଛି ବ୍ୟକ୍ତି ଉଦ୍ୟମ ଆରମ୍ଭ କରିଥିଲେ. ଏହାର ପୂର୍ବ ସୂଚନା ଗଜପତି ଜିଲ୍ଲା ଖଣି ବିଭାଗ ପାଇବା ପରେ ବିଭାଗୀୟ ଅଧିକାରୀ ଦୀପେନ ପରିଡ଼ା ଯାଞ୍ଚ କରିଥିଲେ। କାଶୀନଗର ନିକଟସ୍ଥ ନଦୀ ଉପକୂଳରେ ବେଆଇନ ବାଲିଘାଟ ପ୍ରତିଷ୍ଠା ପାଇଁ ଯେଉଁ ଉଦ୍ୟମ ହେଉଥିଲା ତାହାକୁ ଖଣି ଅଧିକାରୀ ସମ୍ପୂର୍ଣ ଭାବେ ବନ୍ଦ କରିଥିଲେ.ଏହି କାର୍ଯ୍ୟକ୍ରମରେ କନିଷ୍ଠ ଖଣି ଅଧୂକାରୀ ବିଶ୍ବଜିତ୍ ମହତ୍, ସହ ସହକାରୀ ତହସିଲଦାର ତ୍ରିନାଥ ସାହୁ ଓ ପୁଲିସ ଏସ୍ଆଇ ଆଲୋକ ରଞ୍ଜନ ଜଗଦଲା ଉପସ୍ଥିତ ଥିଲେ।

ସେଞ୍ଚୁରିଆନ ବିଶ୍ୱ ବିଦ୍ୟାଳୟ ପକ୍ଷରୁ ଟେକ୍ ଉତ୍ସବ ୨୦୨୫
ପାରଳାଖେମୁଣ୍ଡି, 26/10(ତାରିଣୀ ପ୍ରସାଦ ପଣ୍ଡା ): ପାରଳାଖେମୁଣ୍ଡି କ୍ୟାମ୍ପସ ସ୍ଥିତ ସେଞ୍ଚୁରିଆନ୍ ୟୁନିଭରସିଟି ଅଫ୍ ଟେକ୍ନୋଲୋଜି ଆଣ୍ଡ୍ ମ୍ୟାନେଜମେଣ୍ଟ ର ସ୍କୁଲ୍ ଅଫ୍ ଇଞ୍ଜିନିୟରିଂ ଆଣ୍ଡ୍ ଟେକ୍ନୋଲୋଜି (SoET) ଦ୍ବାରା ସୃଜନଶୀଳତା, ନବସୃଜନ ଏବଂ ପ୍ରତିଯୋଗିତାର ଏକ ଦୁଇଦିନିଆ ଉତ୍ସବ ଟେକ୍ ଉତ୍ସବ ୨୦୨୫ ଆୟୋଜନ କରାଯାଇଥିଲା । ଏହି କାର୍ଯ୍ୟକ୍ରମ ରେ “ଯେଉଁଠାରେ ଟେକ୍ନୋଲୋଜି ସୃଜନଶୀଳତାକୁ ଭେଟିଥାଏ” ବିଷୟବସ୍ତୁ ଉପରେ ଛାତ୍ରଛାତ୍ରୀମାନଙ୍କ ବୈଷୟିକ ବିଶେଷତା, ସୃଜନଶୀଳ ଚିନ୍ତାଧାରା ଏବଂ ସହଯୋଗୀ ମନୋଭାବ ପ୍ରଦର୍ଶନ କରିବା ପାଇଁ ଏକ ପ୍ଲାଟଫର୍ମ ଭାବରେ କାର୍ଯ୍ୟ କରିଥିଲା। ଉଦ୍ଘାଟନୀ ସମାରୋହ ପ୍ରଦୀପ ପ୍ରଜ୍ଜ୍ଵଳନ ଦ୍ବାରା ଆରମ୍ଭ ହେବା ସହିତ ଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା ଜ୍ଞାନର ଅନୁସନ୍ଧାନର ପ୍ରତୀକ ଥିଲା । ସ୍ବାଗତ ଭାଷଣ ଦେଇ, SoET ର ଡିନ୍ ପ୍ରଫେସର (ଡ.) ପ୍ରଫୁଲ୍ଲ କୁମାର ପଣ୍ଡା ଇଞ୍ଜିନିୟରିଂରେ ଅଭିଜ୍ଞତା ମୂଳକ ଶିକ୍ଷା ଏବଂ କ୍ରସ୍-ଡିସିପ୍ଲିନାରୀ ସହଯୋଗର ମହତ୍ତ୍ବ ଉପରେ ଗୁରୁତ୍ବାରୋପ କରିଥିଲେ। ସେ ଛାତ୍ରଛାତ୍ରୀମାନଙ୍କୁ ବାସୁବ-ବିଶ୍ବ ସମସ୍ୟା ସମାଧାନ କରିବା ଏବଂ ପ୍ରଯୁକ୍ତିର ବ୍ୟବହାରିକ ପ୍ରୟୋଗ ମାଧ୍ୟମରେ ସମାଜରେ ଯୋଗଦାନ ଦେବାର ଏକ ଉପାୟ ଭାବରେ ନବସୃଜନକୁ ଗ୍ରହଣ କରିବାକୁ ଉତ୍ସାହିତ କରିଥିଲେ।
ଏହି ଅବସରରେ ମୁଖ୍ୟ ଅତିଥ୍ ତଥା ବିଶ୍ବବିଦ୍ୟାଳୟର କୁଳ ସଚିବ, ପ୍ରଫେସର (ଡ 8.) ଅନିତା ପାତ୍ର ଇଞ୍ଜିନିୟରିଂ ଶିକ୍ଷାର ଭବିଷ୍ୟତ ଗଠନରେ ସୃଜନଶୀଳତା ଏବଂ ସମାଲୋଚନାମୂଳକ ଚିନ୍ତାଧାରାର ଗୁରୁତ୍ବ ଉପରେ ତାଙ୍କ ଅଭିଭାଷଣ ମାଧ୍ଯମରେ ସମାବେଶକୁ ଅନୁପ୍ରାଣିତ କରିଥିଲେ। ସେ ଛାତ୍ରଛାତ୍ରୀଙ୍କ ଉତ୍ସାହକୁ ପ୍ରଶଂସା କରିଥିଲେ ଏବଂ ଉନ୍ମୋଚନ ଜିଜ୍ଞାସା, ଅଧ୍ୟବସାୟ ଏବଂ ଭିନ୍ନ ଭାବରେ ଚିନ୍ତା କରିବାର ସାହସ ଉପରେ ଆଲୋକପାତ କରିଥିଲେ। ଡକ୍ଟର ପାତ୍ର ଯୁବ ଇଞ୍ଜିନିୟରମାନଙ୍କୁ ଜୀବନବ୍ୟାପୀ ଶିକ୍ଷାର୍ଥୀ ରହିବାକୁ ଏବଂ ମାନବତାର ଉନ୍ନତି ପାଇଁ ସେମାନଙ୍କର ଜ୍ଞାନକୁ ବ୍ୟବହାର କରିବାକୁ ଆହ୍ବାନ କରିଥିଲେ।
ପ୍ରଶାସନ ନିର୍ଦ୍ଦେଶକ ପ୍ରଫେସର (ଡଃ.) ଦୁର୍ଗା ପ୍ରସାଦ ପାଢ଼ୀ ତାଙ୍କ ଭାଷଣରେ ଆୟୋଜନ କମିଟିର ପ୍ରୟାସକୁ ପ୍ରଶଂସା କରିଥିଲେ ଏବଂ ଛାତ୍ରଛାତ୍ରୀମାନଙ୍କୁ ଶ୍ରେଣୀଗୃହ ଶିକ୍ଷା ବାହାରେ ଅନୁସନ୍ଧାନ କରିବାକୁ ପ୍ରେରଣା ଦେଇଥିଲେ।

ସ୍ୱାମୀ ବିବେକାନନ୍ଦ ଲୋକ ସଂସଦ ପକ୍ଷରୁ ଗଜପତି କଲେଜରେ ଉଦବୋଧନୀ କାର୍ଯ୍ୟକ୍ରମ
ପାରଳାଖେମୁଣ୍ଡି,26/10 (ତାରିଣୀ ପ୍ରସାଦ ପଣ୍ଡା): ଗଜପତି ଜିଲ୍ଲା
ସ୍ୱାମୀ ବିବେକାନନ୍ଦ ଲୋକ ସଂସଦ, ଶାଖା ତରଫରୁ ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ସ୍ୱୟଂଶାଶିତ ମହାବିଦ୍ୟାଳୟରେ ଉଦବୋଧନୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି | ଏହି କାର୍ଯ୍ୟକ୍ରମରେ ସ୍ୱାମୀ ବିବେକାନନ୍ଦଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ନିଜ ଲକ୍ଷ୍ୟ ହାସଲ କରିବା ସହ ଦେଶ ପାଇଁ କାର୍ଯ୍ୟକରିବାକୁ ଛାତ୍ରଛାତ୍ରୀଙ୍କୁ ଅତିଥିମାନେ ପ୍ରବର୍ତ୍ତାଇ ଥିଲେ | ଏହି କାର୍ଯ୍ୟକ୍ରମଟିକୁ ଲୋକ ସଂସଦର ଉଦ୍ବୋଧନୀ ପରିଷଦର ଜିଲ୍ଳାଧ୍ୟକ୍ଷ ଡ଼ ବିପ୍ଳବ ରଞ୍ଜନ ପ୍ରଧାନ, ଓଡ଼ିଆ ବିଭାଗୀୟ ମୁଖ୍ୟଙ୍କ ସଂଯୋଜନାରେ ଉପାନ୍ତପ୍ରହରୀ ପୂର୍ଣଚନ୍ଦ୍ର ମହାପାତ୍ରଙ୍କ ସଭାପତିତ୍ବରେ ମୁଖ୍ୟଅତିଥି ଭାବେ ପ୍ରଫେସର ରାଧାକାନ୍ତ ଭୁଂୟା ଓ ମୁଖ୍ୟବକ୍ତା ଭାବେ ଡ଼ ଜିତେନ୍ଦ୍ରନାଥ ପଟନାୟକ ଉପସ୍ଥିତ ରହି ଯୁବ ସମାଜଙ୍କୁ ଉଦ୍ବୋଧିତ କରିଥିଲେ | ଅତିଥି ବୃନ୍ଦ ସ୍ୱାମୀ ବିବେକାନନ୍ଦଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଗୁରୁଭକ୍ତି,ଦେଶଭକ୍ତି,ଧର୍ମମାର୍ଗ ଓ ଉଚିତ କର୍ମମାର୍ଗରେ ଯାଇ ସମାଜରେ ପ୍ରତିଷ୍ଠିତ ହେବାପାଇଁ ପ୍ରେରଣା ଦେଇଥିଲେ | ଶ୍ରୀ ଅର୍ଜୁନ ଜେନା, ଅତିଥି ଅଧ୍ୟାପକ ପ୍ରାରମ୍ଭିକ ସୂଚନା ଦେଇଥିବାବେଳେ ସୁଶ୍ରୀ ଶ୍ୱେତା ପଟନାୟକ,ଅତିଥି ଅଧ୍ୟପିକା ଧନ୍ୟବାଦ ଅର୍ପଣ କରିଥଲେ | ଛାତ୍ରୀ ସ୍ନେହା ବେହେରା ସ୍ୱଦେଶବାଣୀ ପଠନ କରିଥିବାବେଳେ ଅନ୍ୟ ଜଣକ ଛାତ୍ରୀ ରାଜେଶ୍ୱରୀ ସ୍ୱାଇଁ ଓ ଅନ୍ୟମାନେ ବନ୍ଦେ ଉତ୍କଳ ଜନନୀ ଗାନ କରିଥିଲେ | ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ଉପସ୍ଥିତ ରହିଥିବା ବେଳେ ସ୍ୱାମୀ ବିବେକାନନ୍ଦ ଲୋକ ସଂସଦ, ଗଜପତି ଓ ରାଜ୍ୟ ଶାଖାର ଆଜୀବନ ସଦସ୍ୟ ସଦସ୍ୟା ମାନେ ଉପସ୍ଥିତ ଥିଲେ |












Leave a Reply