ପଞ୍ଚୁକ ଉପଲକ୍ଷେ ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ ପାଇଁ ନୟାଗଡ଼ ନାଗରିକ ମଞ୍ଚର ଦାବି
ନୟାଗଡ଼, ୨୫|୧୦(ଦର୍ଶନ ସମୀକ୍ଷା): ପବିତ୍ର କାର୍ତ୍ତିକ ମାସ ଉପଲକ୍ଷେ ଦଶପଲ୍ଲାରୁ ପୁରୀ ଯାଉଥିବା ଏକ ମାତ୍ର ଟ୍ରେନରେ ଅସମ୍ଭବ ଭିଡ଼ ପରିଲକ୍ଷିତ ହେଉଥିବା ବେଳେ ପଞ୍ଚୁକ ପାଞ୍ଚଦିନରେ ଏହି ଭିଡ଼ ଆହୁରି ଅଧିକ ବୃଦ୍ଧି ପାଇବ। ତେଣୁ ପାଞ୍ଚଦିନ ବ୍ୟାପି ପାଳନ ହେଉଥିବା ପଞ୍ଚୁକ ଯାତ୍ରା ପାଇଁ ଅଧିକ ସ୍ୱତନ୍ତ୍ର ଟ୍ରେନ ପ୍ରଚଳନ କରିବା ପାଇଁ ନୟାଗଡ଼ ନାଗରିକ ମଞ୍ଚ ପକ୍ଷରୁ ଦାବି କରାଯାଇଛି। ସୂଚନା ଯୋଗ୍ୟ ଯେ ପ୍ରତ୍ୟହ ସକାଳୁ ଦଶପଲ୍ଲାରୁ ପୁରୀ ଏବଂ ଦଶପଲ୍ଲାରୁ ଭୁବନେଶ୍ୱର ଯାଉଥିବା ଦୁଇଟି ଟ୍ରେନରେ ଏବେ ଯାତ୍ରୀ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ମାତ୍ର ଏହି ଦୁଇଟି ଟ୍ରେନରେ ବଗି ସଂଖ୍ୟା ବୃଦ୍ଧି କରାଯାଉ ନାହିଁ। ତେଣୁ ଏବେ ଦିନକୁ ଦିନ ଯାତ୍ରୀସଂଖ୍ୟା ବୃଦ୍ଧି ପାଉଥିବା ବେଳେ ଏହି ଦୁଇଟି ଟ୍ରେନରେ ପ୍ରବଳ ଭିଡ଼ ପରିଲକ୍ଷିତ ହେଉଛି। ଏ ନେଇ ନୟାଗଡ଼ ନାଗରିକ ମଞ୍ଚ ପକ୍ଷରୁ ରେଳ ଉଚ୍ଚ କର୍ତ୍ତୃପକ୍ଷଙ୍କ ନିକଟରେ ବାରମ୍ବାର ଦାବି କରାଯାଉଥିବା ବେଳେ ରେଳ ବିଭାଗ ଚୁପଚାପ ବସି ରହିଛି। ସେହିପରି କାର୍ତ୍ତିକ ମାସରେ ବହୁ ଶ୍ରଦ୍ଧାଳୁ, ହବିଷ୍ୟାଳି ପୁରୀ ଆଗମନ ସହିତ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରିବାକୁ ଆସିଥାନ୍ତି। ଫଳରେ ଏହି ସମୟରେ ଯାତ୍ରୀମାନଙ୍କର ପ୍ରବଳ ଭିଡ଼ ହୋଇଥାଏ। ମାତ୍ର ରେଳ ବିଭାଗର ଉଚ୍ଚ କର୍ତ୍ତୃପକ୍ଷ ମାନେ ବାସ୍ତବ ସ୍ଥିତିକୁ ହୃଦୟଙ୍ଗମ କରିବାକୁ ନାରାଜ। ଅନ୍ୟ ପକ୍ଷରେ ପୂର୍ବତଟ ରେଳ ମହାପ୍ରବନ୍ଧକ ପରମେଶ୍ୱର ଫୁଙ୍କୱାଲା ଏବଂ ଖୋର୍ଦ୍ଧା ଡିଆରଏମ ଆଲୋକ ତ୍ରିପାଠୀ ଉଭୟେ ଅଣଓଡ଼ିଆ ହୋଇଥିବାରୁ ଓଡ଼ିଶା ଲୋକଙ୍କ ଭାବନା କିମ୍ବା ସମସ୍ୟାକୁ ବୁଝିବାରେ ଅସମର୍ଥ କିମ୍ବା ଗୁରୁତ୍ୱ ଦେଉନାହାନ୍ତି ବୋଲି ସ୍ଥାନୀୟ ଅଞ୍ଚଳରେ ଆଲୋଚନା ହେଉଛି। ପ୍ରକାଶ ଯୋଗ୍ୟ ଯେ ୨୦୧୭ ମସିହାରେ ନୟାଗଡ଼ ଜିଲ୍ଲାକୁ ପ୍ରଥମ ଥର ପାଇଁ ରେଳ ସେବା ଆରମ୍ଭ ହୋଇ ଇତି ମଧ୍ୟରେ ୮ବର୍ଷ ଅତିକ୍ରାନ୍ତ ହୋଇ ସାରିଥିବା ବେଳେ ସ୍ଥିତି ଯଥା ପୂର୍ବଂ ତଥା ପରଂ ହୋଇ ରହିଛି। ସେତେବେଳେ ଦୁଇଟି ଟ୍ରେନ ନୟାଗଡ଼ରୁ ପୁରୀ ଯାଉଥିବା ବେଳେ ଏବେ ମାତ୍ର ଗୋଟିଏ ଟ୍ରେନ ପୁରୀ ଯାଉଛି। ତେଣୁ ଦଶପଲ୍ଲାରୁ ପୁରୀ ଯାଉଥିବା ଟ୍ରେନରେ ବଗି ସଂଖ୍ୟା ବୃଦ୍ଧି କିମ୍ବା ଅଧିକ ଟ୍ରେନ ପ୍ରଚଳନ କରାଯିବା ସହିତ ପଞ୍ଚୁକ ଯାତ୍ରା ପାଇଁ ସ୍ୱତନ୍ତ୍ର ଟ୍ରେନ ଚଳାଇବାକୁ ନୟାଗଡ଼ ନାଗରିକ ମଞ୍ଚ ପକ୍ଷରୁ ସଭାପତି ପ୍ରମୋଦ ପଟ୍ଟନାୟକ ଏବଂ ସମ୍ପାଦକ ଲକ୍ଷ୍ମୀଧର ସାହୁ ରେଳବିଭାଗ ନିକଟରେ ଦାବି କରିଛନ୍ତି।












Leave a Reply