1920 ମସିହା ବର୍ଷା ଦିନେ ବରୀ ଅଞ୍ଚଳରେ ବଡ଼ ବଢ଼ି ହେଲା।ଗୋପବାବୁ (ମୋର ସ୍ବାମୀ) ସେକେଣ୍ଡ ଅଫିସର ଥିଲେ। ଯାହା ସତ ତାହା ରିପୋର୍ଟ ଦେଲେ,ତାଙ୍କ ଉପର ଅଫିସର କହିଲେ- ଏଭଳି ରିପୋର୍ଟ ଦେଲେ ତୁମ ଚାକିରି ରହିବ ନାହିଁ। ସତକୁ ସତ ସେ ରିପୋର୍ଟ ଉପରୁ କୈଫିୟତ ମଗାଗଲା-ଆତ୍ମଜୀବନୀ: ଜୀବନପଥେ, ରମା ଦେବୀ ଚୌଧୁରୀ

Spread the love

`1920 ମସିହା ବର୍ଷା ଦିନେ ବରୀ ଅଞ୍ଚଳରେ ବଡ଼ ବଢ଼ି ହେଲା।
ଗୋପବାବୁ (ମୋର ସ୍ବାମୀ) ସେକେଣ୍ଡ ଅଫିସର ଥିଲେ। ଯାହା ସତ ତାହା ରିପୋର୍ଟ ଦେଲେ।

ତାଙ୍କ ଉପର ଅଫିସର କହିଲେ- ଏଭଳି ରିପୋର୍ଟ ଦେଲେ ତୁମ ଚାକିରି ରହିବ ନାହିଁ। ସତକୁ ସତ ସେ ରିପୋର୍ଟ ଉପରୁ କୈଫିୟତ ମଗାଗଲା।

ଗୋପବାବୁ ଠିକ୍ କଲେ ସତ୍ୟ ଘଟଣା ହିଁ କହିବେ ଓ ଲେଖିବେ। ମୋତେ ଚିଠିରେ ପଚାରିଲେ- ଅବସ୍ଥା ଏୟା। କ’ଣ କରାଯିବ? ମୁଁ ଲେଖିଲି- ତୁମ ବିବେକାନୁମୋଦିତ କାମ କର। ଚାକିରି ଯିବାରେ ମୋର ଦୁଃଖ ନାହିଁ।

…ମା’ ମୋ ପାଖରେ ବସି ପରିବା ବନେଇ ଦେଉଥାନ୍ତି। ଟୁକ (ଦିଅର-ନବକୃଷ୍ଣ ଚୌଧୁରୀ) ଆସି ଅତି ସହଜ ଭାବରେ କହିଲେ- ବୋଉ ଭାଇ ଲେଖିଛି ସେ ଚାକିରି ଛାଡ଼ିଦେବ। ଚାକିରି ଛାଡ଼ିବା ନେଇ ସେ (ଗୋପବାବୁ) ଚାରି ଜଣ ଅନ୍ତରଙ୍ଗ ଲୋକଙ୍କୁ ଚିଠି ଲେଖିଥିଲେ।

ମୋ ମା’ ଲେଖିଲା- ତମେ ଚାକିରି ଛାଡ଼ିବ ଏକଥା ଭାବିବା ବେଳକୁ ପିଲାଙ୍କୁ ମଣିଷ କରିବା ପ୍ରଶ୍ନ ମନରେ ଉଠୁଛି। ମାତ୍ର ପଇସା ବେଶି ନଥିଲେ ଯେ ପିଲାଙ୍କୁ ଭଲ ମଣିଷ କରିହେବ ନାହିଁ, ଏପରି କିଛି କଥା ନୁହେଁ। ଚାକିରି ଏପରି କିଛି ଭଲ କାମ ନୁହେଁ ଯେ ତୁମେ ଛାଡ଼ିବାକୁ ଚାହୁଁଥିବା ସ୍ଥଳେ ମୁଁ ତୁମକୁ ରହିବାକୁ କହିବି। ମାତ୍ର ତମ ଉପରେ ଥିବା ପରିବାରର ଦାୟିତ୍ବକୁ ଦୂରଦୃଷ୍ଟିରେ ରଖି ବିଚାର କରିବ, ମନରେ ସାହସ ହେବ ତ ଛାଡ଼ି ଦେଇପାର।’

ଏ ଘଟଣା 1920 ସେପ୍ଟେମ୍ବର ଶେଷ ବା ଅକ୍ଟୋବର ଆରମ୍ଭରେ।

ଆତ୍ମଜୀବନୀ: ଜୀବନପଥେ, ରମା ଦେବୀ ଚୌଧୁରୀ

Leave a Reply

Your email address will not be published. Required fields are marked *