ଗଜପତି ଅପଡେଟ //ଜିଲ୍ଲାପାଳଙ୍କ ମିଳିତ ଜନ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ ଓ ମହେନ୍ଦ୍ରଗିରିରେ ନିଖୋଜ ପର୍ଯ୍ୟଟକଙ୍କ ଶବ ଉଦ୍ଧାର…ଏବଂ କାଟ୍ରାଗଡା ପ୍ରକଳ୍ପ ଜଳ ବିବାଦ ଘନେଇଲା….. ଆନ୍ଧ୍ରରେ ଖୁସିର ଲହରୀ, ଓଡ଼ିଶାରେ ଉଦବେଗ

Spread the love

କାଳବୈଶାଖୀ ଯୋଗୁଁ ମହେନ୍ଦ୍ରଗିରିରେ ନିଖୋଜ ପର୍ଯ୍ୟଟକଙ୍କ ଶବ ଉଦ୍ଧାର…. ବଜ୍ରାଘାତ ଯୋଗୁଁ ମୃତ୍ୟୁ ସନ୍ଦେହ ପାରଳାଖେମୁଣ୍ଡି, 6/3(ତାରିଣୀ ପ୍ରସାଦ ପଣ୍ଡା ): ଦର୍ଶନ ସମୀକ୍ଷା

ଗଜପତି ଜିଲ୍ଲାର ପୁରାଣ ପ୍ରସିଦ୍ଧ ମହେନ୍ଦ୍ରଗିରିକୁ ଭ୍ରମଣ ପାଇଁ ଆସିଥିବା କଟକ ଜିଲ୍ଲାର ଜଣେ ପର୍ଯ୍ୟଟକ ଗତକାଲି କାଳବୈଶାଖୀଜନିତ ବର୍ଷା ଓ ପବନ ଯୋଗୁଁ ନିଖୋଜ ହୋଇଯାଇଥିଲେ. ଆଜି ସୋମବାର ସକାଳେ ତାଙ୍କ ମୃତଦେହ ଉଦ୍ଧାର କରାଯାଇଛି. ବଜ୍ରାଘାତ ଯୋଗୁଁ ତାଙ୍କ ମୃତ୍ୟୁ ଘଟିଥିବା ସନ୍ଦେହ କରାଯାଉଛି.
ସମ୍ପୃକ୍ତ ପର୍ଯ୍ୟଟକ ଜଣକ ହେଲେ ନିଆଳୀ ବ୍ଲକ ଓଲଟପୁର ଗ୍ରାମର ବିନୋଦ ଜେନା।

ବିନୋଦ ଓ ତାଙ୍କର ୩ ଜଣ ସାଙ୍ଗ ପାରଳାଖେମୁଣ୍ଡି ଆସିଥିଲେ । ସଂପର୍କୀୟଙ୍କ ଘରେ ଗତକାଲି ମଧ୍ୟାହ୍ନ ଭୋଜନ ସାରି ଏକ ଭଡା କାର୍‌ରେ ମହେନ୍ଦ୍ରଗିରି ଭ୍ରମଣ ପାଇଁ ଯାଇଥିଲେ । କୁନ୍ତୀ ମନ୍ଦିର, ଯୁଧିଷ୍ଠିର ମନ୍ଦିର ଏବଂ ଅର୍ଜୁନ ଗୁମ୍ଫା ବୁଲିବା ପରେ ଭୀମ ମନ୍ଦିରକୁ ପାହାଡ଼ ଚଢ଼ି ଯାଉଥିବା ବେଳେ ହଟାତ କାଳବୈଶାଖୀଜନିତ ପ୍ରବଳ ଘଡ଼ଘଡ଼ି, ପବନ ସହ ବର୍ଷା ହୋଇଥିଲା । ସମସ୍ତେ ସୁରକ୍ଷିତ ସ୍ଥାନ ଦୌଡ଼ି ପଳାଇବାକୁ ଚେଷ୍ଟା କରିଥିଲେ। ବିନୋଦ ହଠାତ୍ ନିଖୋଜ ହୋଇଯାଇଥିବା ବେଳେ ଅନ୍ୟ ୩ଜଣ ଭୀମ ମନ୍ଦିରରେ ଆଶ୍ରୟ ନେଇଥିଲେ| ବର୍ଷା ଛାଡ଼ିବା ପରେ ତିନି ବନ୍ଧୁ ବିନୋଦଙ୍କୁ ଖୋଜିଥିଲେ। ପରେ ୱାଚଟାୱାର୍ ଓ ରିସର୍ଟରେ ନିୟୋଜିତ ବନ ବିଭାଗର କର୍ମଚାରୀଙ୍କ ସହାୟତା ଲୋଡ଼ିଥିଲେ । ସମସ୍ତେ ମିଶି ସାଢ଼େ ୩ ଘଣ୍ଟା ଖୋଜାଖୋଜି କରିଥିଲେ ହେଁ ଗତକାଲି ବିନୋଦଙ୍କୁ ଠାବ କରାଯାଇପାରିନଥିଲା । ପରେ ଗାରାବନ୍ଧ ପୁଲିସ ଓ ରାମଗିରି ଫରେଷ୍ଟ ରେଞ୍ଜ କର୍ମଚାରୀ ସନ୍ଧାନ କରିଥିଲେ ମଧ୍ୟ ଗତକାଲି ରାତିରେ ତାଙ୍କର କୌଣସି ପତ୍ତା ମିଳିନଥିଲା. ଆଜି ସକାଳୁ ପୁଣି ସନ୍ଧାନ କାର୍ଯ୍ୟ ଜାରି ହେବା ପରେ ଭୀମ ମନ୍ଦିର ନିକଟରୁ ବିନୋଦ ଜେନାଙ୍କ ଶବ ଉଦ୍ଧାର କରାଯାଇଥିଲା. ଘଟଣା ନେଇ ଗାରାବନ୍ଧ ଥାନାରେ ମାମଲା ରୁଜୁ କରାଯାଇ ତଦନ୍ତ ଜାରି ରହିଛି.
କାଟ୍ରାଗଡା ପ୍ରକଳ୍ପ ଜଳ ବିବାଦ ଘନେଇଲା….. ଆନ୍ଧ୍ରରେ ଖୁସିର ଲହରୀ, ଓଡ଼ିଶାରେ ଉଦବେଗ
ପାରଳାଖେମୁଣ୍ଡି, 6/3(ତାରିଣୀ ପ୍ରସାଦ ପଣ୍ଡା ):

ପ୍ରସ୍ତାବିତ କାଟ୍ରାଗଡା ପ୍ରକଳ୍ପ ଜଳ ବିବାଦ ବର୍ତ୍ତମାନ ଘନେଇଲା. ଏହି ପ୍ରକଳ୍ପ ପାଇଁ ଆନ୍ଧ୍ରରେ ଖୁସିର ଲହରୀ ଖେଳି ଯାଇଥିବା ବେଳେ ଓଡ଼ିଶାର ଗଜପତି ଜିଲ୍ଲାରେ ଉଦବେଗ ପ୍ରକାଶ ପାଇଛି. ଏଠାରେ ସୂଚନାଯୋଗ୍ୟଯେ, ବଂଶଧାରା ନଦୀ ଉପରେ ଆନ୍ଧ୍ରର ପ୍ରସ୍ତାବିତ ପ୍ରକଳ୍ପ କାଟ୍ରାଗଡା ଫେଜ-୨ ପ୍ରକଳ୍ପକୁ ନେଇ ଓଡିଶା ଓ ଅନ୍ଧ୍ରକୁ ନେଇ ଯେଉଁ ବିବାଦ ଲାଗି ରହିଥିଲା ବର୍ତ୍ତମାନ ଦେଶର ସର୍ବୋଚ୍ଚ ନ୍ୟାୟାଳୟ ଆନ୍ଧ୍ର ସପକ୍ଷରେ ରାୟ ଶୁଣାଇଥିବା ନେଇ ପଡୋଶୀ ଆନ୍ଧ୍ର ଶ୍ରୀକାକୁଲମ ଜିଲ୍ଲାର ସାଂସଦ ରାମ ମୋହନ ନାଇଡୁ ଏକ ଭିଡିଓ ମାଧ୍ୟମରେ ସୋସିଏଲ ମିଡିଆରେ ଛାଡିଥିବା ଏବେ ମୋବାଇଲ ଠୁ ମୋବାଇଲ ଘୁରି ବୁଲୁଛି।

ଯାହାକୁ ନେଇ ଗଜପତି ଜିଲ୍ଲାରେ ସାଧାରଣ ଲୋକଙ୍କ ଠାରୁ ଆରମ୍ଭ କରି ରାଜନୀତିକ ସ୍ତରରେ ହଇଚଇ ସୃଷ୍ଟି ହୋଇଛି।ଗତ ତିନି ଦଶନ୍ଧି ଧରି ଏହି ବିବାଦ ଲାଗି ରହିଥିବା ବେଳେ ଇତି ମଧ୍ୟରେ ତିନି ଥର ସୁପ୍ରିମକୋର୍ଟର ଟ୍ରିବ୍ୟୁନେଲ ଟିମ ଆସି କ୍ଷେତ ପରିଦର୍ଶନ କରିବା ସହ ଅନୁଧ୍ୟାନ କରି ଯାଇଛନ୍ତି।ତେବେ ଓଡିଶା ସରକାରଙ୍କ ତରଫରୁ ଚୁକ୍ତି ଦିଆଯାଇଥିଲା ଯଦି ଆନ୍ଧ୍ରର କାଟ୍ରାଗଡା ନିକଟରେ ବ୍ୟାରେଜ ନିର୍ମାଣ ହୁଏ ତେବେ ରାୟଗଡା ଜିଲ୍ଲାର ଗୁଣୁପୁର ସବ ଡିଭିଜନ ସହ କାଶୀନଗର ବ୍ଲକର ସାତ ଗୋଟି ଗ୍ରାମ ସମ୍ପୂର୍ଣ୍ଣ ରୂପେ ସ୍ଥାନାନ୍ତର କରିବାକୁ ପଡିବ।ସେପଟେ ତଳି ଅଞ୍ଚଳରେ ଥିବା କାଶୀନଗର ବ୍ଲକ ସଦର ମହକୁମା ଓ ଆଖପାଖ ସମସ୍ତ ଅଞ୍ଚଳ ରେ ସମ୍ପୂର୍ଣ୍ଣ ଜଳ ଅଭାବ ଦେଖାଯିବ।ଏଭଳି ସ୍ଥଳେ ସୁପ୍ରିମକୋର୍ଟ ଆନ୍ଧ୍ର ସପକ୍ଷରେ ରାୟ ଦେଇଥିବା ଏବଂ ଏହି ରାୟକୁ ନେଇ କେନ୍ଦ୍ର ସରକାରଙ୍କ ଜଣେ କେବିନେଟ ପାହ୍ୟା ମନ୍ତ୍ରୀ ରାମ ମୋହନ ନାଇଡୁ ଙ୍କ ସୋସିଏଲ ମିଡିଆରେ ଆସିଥିବା ମନ୍ତବ୍ୟ ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଛି।ସ୍ଥାନୀୟ ଅଞ୍ଚଳରେ ବର୍ତ୍ତମାନ ଏଭଳି ଭିଡିଓକୁ ନେଇ ଜୋରସୋରରେ ଚର୍ଚ୍ଚା ଆରମ୍ଭ ହେଲାଣି।ତେବେ କେନ୍ଦ୍ର କାବେନେଟ ମନ୍ତ୍ରୀଙ୍କ କହିବା ପ୍ରକାରେ ବର୍ତ୍ତମାନ ସୁପ୍ରିମକୋର୍ଟ କାଟ୍ରାଗଡା ଫେଜ-୨ ବ୍ୟାରେଜ ନିର୍ମାଣ ଉପରେ ଆନ୍ଧ୍ର ସପକ୍ଷରେ ରାୟ ଦେଇଛନ୍ତି ଯାହାକୁ କେନ୍ଦ୍ର ଜଳ ଆୟୋଗ ମଧ୍ୟ ଗ୍ରୀନ ସିଗ୍ନାଲ ଦେଇ ବ୍ୟାରେଜ ନିର୍ମାଣ ପାଇଁ ଅନୁମତି ମିଳିଛି, ବ୍ୟାରେଜରେ ସଂଗୃହିତ ହେବାକୁ ଥିବା ୧୧୫ ଟିଏମ୍ସି ଜଳକୁ ୫୦ % ଜଳ ଆନ୍ଧ୍ର ବ୍ୟବହାର କରିବ ଓ ୫୦% ଜଳ ଓଡିଶାରେ ବିନିଯୋଗ ହେବ। ଏଭଳି ରାୟ ସୋସିଏଲ ମିଡିଆରେ ଚର୍ଚ୍ଚାର ସିରନାମା ପଲଟିଥିବା ବେଳେ ଆମେ ଜଳ ସେଚନ ବିଭାଗୀୟ ସହକାରୀ ଯନ୍ତ୍ରୀଙ୍କ କହିବା ହେଲା ବର୍ତ୍ତମାନ ପର୍ଯ୍ୟନ୍ତ କେନ୍ଦ୍ର ଜଳ ଆୟୋଗ କିମ୍ବା ଦେଶର ସର୍ବୋଚ୍ଚ ନ୍ୟାୟାଳୟ ତରଫରୁ ପ୍ରକାଶିତ ରାୟର କୌଣସି ତଥ୍ୟ ବର୍ତ୍ତମାନ ସୁଦ୍ଧା ବିଭାଗ ପାଖରେ ହସ୍ତକ୍ଷେପ ହୋଇନଥିବା କହିଛନ୍ତି। ଆନ୍ଧ୍ରର ହିତ ପାଇଁ ନେରେଡି ବ୍ୟାରେଜ ସପକ୍ଷରେ ରାୟକୁ ଗଜପତିରେ ତୀବ୍ର ବିରୋଧ…. ୨୦୦୬ ମସିହାରୁ
ବଂଶଧାରା ନ‌ଦୀରେ ନେରେଡି ବ୍ୟାରେଜ ନିର୍ମାଣ ସକାଶେ ଟ୍ରିବୁନାଲ ମାମଲା ରୁଜୁ ହୋଇଥିଲା। ରାୟ ଆନ୍ଧ୍ର ସରକାରଙ୍କ ସପକ୍ଷରେ ଆସିଥିବାରୁ ଏହାକୁ ଗଜପତି ଜିଲ୍ଲାରେ ତୀବ୍ର ବିରୋଧ କରାଯାଇଛି. ଗଜପତି ଜିଲ୍ଲାର କାଶୀନଗର ବ୍ଲକ୍ ଅନ୍ତର୍ଗତ ବଂଶଧାରା ନଦୀତଟର ଖଣ୍ଡାବା ଓ ବୁଦୁରା ପଞ୍ଚାୟତର ବହୁ ଗ୍ରାମର ଗ୍ରାମବାସୀ ଟ୍ରିବ୍ୟୁନାଲ ରାୟକୁ ତୀବ୍ର ବିରୋଧ କରି ଏହି ବ୍ୟାରେଜ ନିର୍ମାଣ ହେବା ଫଳରେ ଏହି ଅଞ୍ଚଳରେ ବ୍ୟାପକ ଭାବେ ଧାନ ଜୀବନ ନଷ୍ଟ ହେବା ନିଶ୍ଚିତ ବୋଲି ଅଭିଯୋଗ କରିଛନ୍ତି। ରାଜ୍ୟ ଓ କେନ୍ଦ୍ର ସରକାର ଯଦି ଏହି ମାମଲାରେ ହସ୍ତକ୍ଷେପ କରି କିଛି ବିହୀତ ପଦକ୍ଷେପ ନ ନିଅନ୍ତେ ତା ହେଲେ ଜନ ଆନ୍ଦୋଳନ କରି ନିଜ ଭିଟାମାଟି ଛାଡ଼ିବୁ ନାହିଁ ବୋଲି ଅଞ୍ଚଳବାସୀ ଚେତାବନୀ ଦେଇଛନ୍ତି।
ଗଜପତି ଜିଲ୍ଲାପାଳଙ୍କ ମିଳିତ ଜନ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ

ପାରଳାଖେମଣ୍ଡି,୬.୦୪(ତାରିଣୀ ପ୍ରସାଦ ପଣ୍ଡା ):

ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲାପାଳଙ୍କ କାର୍ଯ୍ୟଳୟ ସମ୍ମିଳନୀ କକ୍ଷ ଠାରେ ଜିଲ୍ଲାସ୍ତରୀୟ ସଂଯୁକ୍ତ ମିଳିତ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି । ଏହି ଅଭିଯୋଗ ଶୁଣାଣିରେ ଅତିରିକ୍ତ ଜିଲ୍ଲାପାଳ ଫାଲଗୁନୀ ମାଝୀ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ସୁନୀଲ କାନ୍ତ ମହାନ୍ତି, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦ ଦୟାମୟ ପାଢ଼ୀ, ଉପଜିଲ୍ଲାପାଳ ପାରଳାଖେମୁଣ୍ଡି ଅନୁପ ପଣ୍ଡା ଅଭିଯୋଗ ଶୁଣାଣୀ କରିଥିଲେ। ଆଜିର ଜିଲ୍ଲାସ୍ତରୀୟ ଅଭିଯୋଗ ଶୁଣାଣୀ ଶିବିରରେ ମୋଟ-୬୦ ଗୋଟି ଅଭିଯୋଗ ପତ୍ର ଗ୍ରହଣ କରାଯାଇଥିଲା। ସେଥି ମଧ୍ୟରୁ ବ୍ୟକ୍ତିଗତ ଅଭିଯୋଗ ସମସ୍ୟା-୪୯ ଗୋଟି,ଗ୍ରାମ ଭିତ୍ତିକ ସମସ୍ୟା – ୧୧ ଗୋଟି ଅଭିଯୋଗ ଆସିଥିଲା । ଅନ୍ୟ ସମସ୍ତ ଅଭିଯୋଗକୁ ତୁରନ୍ତ ସମାଧାନ କରିବା ପାଇଁ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଧେଶ ଦିଆଯାଇଛି। ଆଜିର ଏହି ଅଭିଯୋଗ ଶୁଣାଣି ଶିବିରରେ ସାମାଜିକ ସୁରକ୍ଷା,ଜମି ପଟ୍ଟା,ମନରେଗା,ଗୃହ ନିର୍ମାଣ, ରାସନ୍ କାର୍ଡ, ଶିକ୍ଷା,ଜଳ ସେଚନ ରାସ୍ତା ଓ ସ୍ଵାସ୍ଥ୍ୟ ସମସ୍ୟା ବୋଲି ବିଭିନ୍ନ ସମସ୍ୟା ନେଇ ଅଭିଯୋଗ ଆସିଥିଲା ।
ଆଜିର ଗ୍ରାମ୍ୟ ମୁଖୀ ପ୍ରଶାସନ ସହ ସଂଯୁକ୍ତ ଜନ ଅଭିଯୋଗ ଶୁଣାଣୀରେ ଗୋଷାଣୀ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଗୋର ଚନ୍ଦ୍ର ପଟ୍ଟନାୟକ ,ସ୍ଥାନୀୟ ତହସିଲଦାର ନାରାୟଣ ବେହେରା ସମେତ ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀଗଣ ଏହି ଅଭିଯୋଗ ଶୁଣାଣୀରେ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *