ମା’ ଧାକୁଲେଈଙ୍କ ଚଇତିଯାତ୍ରାରେ ବାଣଫୁଟାକୁ ନେଇ ଅନିଶ୍ଚିତତା
ଫୁଲନଖରା, ୧୯/୩(ଦର୍ଶନ ସମୀକ୍ଷା)
କଟକ ସଦର ଥାନା ଅନ୍ତର୍ଗତ ପ୍ରତାପନଗରୀସ୍ଥିତ ମା’ଧାକୁଲେଈଙ୍କ ପ୍ରସିଦ୍ଧ ବାଣଯାତ୍ରା ଆସନ୍ତା ଚୈତ୍ର ପୁର୍ଣ୍ଣମୀ ଅର୍ଥାତ୍ ମାର୍ଚ୍ଚ ୨ରୁ ୮ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ । ଏହି ଅବସରରେ ‘ମା’ ଧାକୁଲେଈ ଗ୍ରାମ୍ୟ ଉନ୍ନୟନ କମିଟି ପକ୍ଷରୁ ଏକ ପ୍ରସ୍ତୁତି ବୈଠକ କମିଟି ସଭାପତି ପ୍ରମୋଦ କୁମାର ସ୍ବାଇଁଙ୍କ ଅଧକ୍ଷତାରେ ଧାକୁଲେଈ ପୀଠ ସଭାଗୃହରେ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କଟକ ସଦର ବିଧାୟକ ଇଂ.ପ୍ରକାଶଚନ୍ଦ୍ର ସେଠୀ, ସମ୍ମାନିତ ଅତିଥି ଭାବେ ଅତିରିକ୍ତ ପୁଲିସ ଡିସିପ ରଣଜିତ ପୃଷ୍ଟି, ଏସିପି ଅମିତାଭ ମହାପାତ୍ର, ଆଇଆଇସି ତୁଷାରକାନ୍ତ ସେଠୀ, ୪୮ମଣ୍ଡଳ ମହନ୍ତ ବନମାଳି ଦାସ, କର୍ପୋରେଟର ମମତା ମହାନ୍ତି ଓ ଶାନ୍ତି କମିଟିର ସଭାପତି ନିମାଇଁ ଚରଣ ଲେଙ୍କା ପ୍ରମୁଖ ଯୋଗଦେଇ ମେଳା, ସାଂସ୍କୃତିକ କାର୍ଯ୍ୟକ୍ରମ, ପରିମଳ, ଟ୍ରାଫିକ ପରିଚାଳନା, ଆଲୋକ, ପାନୀୟ ଜଳ, ବିଦ୍ୟୁତ ଓ ପାର୍କିଙ୍ଗ ଆଦି ବ୍ୟବସ୍ଥା ସମ୍ପର୍କରେ ଆଲୋଚନା କରିଥିଲେ । ଚଳିତ ବର୍ଷ ଉଚ୍ଚ ନ୍ୟାୟାଳୟର ନିର୍ଦ୍ଦେଶାନୁସାରେ ବାଣ ଫୁଟାଇବାକୁ ସମ୍ପୁର୍ଣ୍ଣ ବନ୍ଦ ଥିବାରୁ କିପରି ପରମ୍ପରା ଅନୁଯାୟୀ ଏହି ପ୍ରସିଦ୍ଧ ବାଣଯାତ୍ରା ଅନୁଷ୍ଠିତ ହେବ ସେଥି ପାଇଁ ଗ୍ରାମ୍ୟ କମିଟି, ପୋଲିସ ପ୍ରଶାସନ ମଧ୍ୟରେ ଅନିଶ୍ଚିତତା ପ୍ରକାଶ ପାଇଛି । ତଥାପି ପରମ୍ପରାକୁ ଦୃଷ୍ଟି ତମରେ ରଖି କିପରି ଏହି ଯାତ୍ରା ସମ୍ପର୍ଣ୍ଣ ହେବ ସେଥି ପାଇଁ ସମସ୍ତେ ଆଶାବାଦୀ ଅଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ଆଞ୍ଚଳିକ ଶାନ୍ତି କମିଟି କାର୍ଯ୍ୟକାରୀ ସଭାପତି ସ୍ବାଧିନ ଚେତା ମହାନ୍ତି, ସମ୍ପାଦକ ସୁରେନ୍ଦ୍ର ମହାପାତ୍ର, ଗ୍ରାମ୍ୟ ଉନ୍ନୟନ କମିଟି ସହ ସମ୍ପାଦକ ବାଦଲ କୁମାର ଜେନା, ପୂର୍ବତନ କର୍ପୋରେଟର କୌଶିକ ଜେନା, ଆଇନଜୀବୀ ବିଶ୍ଵନାଥ ବେଉରା, ନିହାରରଞ୍ଜନ ପଣ୍ଡା, ଅନୀଲ ବେଉରା, ସୁଶାନ୍ତ ମହାନ୍ତି, ଦିଲ୍ଲୀପ ସ୍ବାଇଁ ଓ ବିକ୍ରମ ଶତପଥ ପ୍ରମୁଖ ଉପସ୍ଥିତ ରହି ମେଳା ସୁପରିଚାଳନା ଓ ଉଚ୍ଚ ନ୍ୟାୟାଳୟ ତଥା ପ୍ରଶାସନିକ ନୀତି ନିୟମ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । କମିଟି ସମ୍ପାଦକ ପ୍ରମୋଦ କୁମାର ବେହେରା ସଭା ସଞ୍ଚାଳନ କରିଥିଲାବେଳେ ଅରୁଣ କୁମାର ରାଉତ, ରଣଜିତ ସ୍ବାଇଁ ଓ ସମସ୍ତ ସଦସ୍ୟମାନେ ସହଯୋଗ କରିଥିଲେ । ଏହି ଅବସରରେ ବିଭିନ୍ନ ପୂଜା କମିଟି, ଗ୍ରାମ୍ୟ କମିଟି କାର୍ଯ୍ୟକର୍ତ୍ତା ଓ ମୁରବି ସଭାରେ ଯୋଗଦେଇଥିଲେ । ସୂଚନାଯୋଗ୍ୟ, ୭ଦିନ ବ୍ୟାପୀ ହେବାକୁ ଥିବା ଏହି ପୁରାତନ ତଥା ବୃହତ୍ତମ ସାଂସ୍କୃତିକ ମେଳାରେ ଦୁଇଟି ଅପେରା ପାର୍ଟି ପକ୍ଷରୁ ଯାତ୍ରା ପରିବେଷଣ କରାଯିବ ଓ ୫ଶହରୁ ଉର୍ଦ୍ଧ୍ଵ ସଂଖ୍ୟକ ଅସ୍ଥାୟୀ ଦୋକାନ ସମେତ ନଦୀପଠାରେ ଆକର୍ଷଣୀୟ ଆତସବାଜି ପ୍ରଦର୍ଶନ ହେବ । ଏତଦ ବ୍ୟତୀତ ମେଲୋଡ଼ି, ୩ ଦିନ ସାଂସ୍କୃତିକ କାର୍ଯ୍ୟକ୍ରମ, ସଂକୀର୍ତ୍ତନ ଓ ସମ୍ବର୍ନ୍ଧନା କାର୍ଯ୍ୟକ୍ରମ ଆଦି ଅନୁଷ୍ଠିତ ହେବ । ଯେଉଁଥରେ ଲକ୍ଷାଧିକ ଲୋକଙ୍କ ସମାଗମ ହେବାର ସମ୍ଭାବନା ରହିଛି ।












Leave a Reply