ଗଜପତି ସ୍ପେଷଲ// ସୁନା କିଣିବା ଆଳରେ 4 ଲକ୍ଷ ଟଙ୍କାରୁ ଉର୍ଦ୍ଧ ଗହଣା ଚୋରି ଘଟଣାରେ 3 ମହିଳାଙ୍କ ସମେତ ଜଣେ ପୁରୁଷ ଗିରଫ ଓ ଷ୍ଟାଇପେଣ୍ଟ ନ ପାଇ ଗଜପତି ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହେଲେ ଶତାଧିକ ଛାତ୍ରଛାତ୍ରୀ

Spread the love

ଗଜପତି : ସୁନା କିଣିବା ଆଳରେ 4 ଲକ୍ଷ ଟଙ୍କାରୁ ଉର୍ଦ୍ଧ ଗହଣା ଚୋରି ଘଟଣାରେ 3 ମହିଳାଙ୍କ ସମେତ ଜଣେ ପୁରୁଷ ଗିରଫ ପାରଳାଖେମୁଣ୍ଡି, 12/3(ତାରିଣୀ ପ୍ରସାଦ ପଣ୍ଡା ): ଦର୍ଶନ ସମୀକ୍ଷା

ଗଜପତି ଜିଲ୍ଲା ମୋହନା ଠାରେ ଥିବା ଏକ ସୁନା ଦୋକାନରେ ଗହଣା କିଣିବା ଆଳରେ 4 ଲକ୍ଷରୁ ଅଧିକ ଟଙ୍କାର ସୁନା ଗହଣା ଚୋରି ଅଭିଯୋଗରେ 3 ଜଣ ମହିଳାଙ୍କ ସମେତ ଜଣେ ପୁରୁଷ ଗିରଫ ହୋଇଥିବା ସୂଚନା ମିଳିଛି. ଘଟଣାରୁ ପ୍ରକାଶ, ଏହି ଜିଲ୍ଲାର ମୋହନା ବ୍ଲକ ମହକୁମାର ପଣ୍ଡା ଛକରେ ଥିବା ସାଇବା ସୁନା ଦୋକାନକୁ 3 ଜଣ ମହିଳାଙ୍କ ସହ ଜଣେ ପୁରୁଷ ଗତ ସୋମବାର ଅପରାହ୍ନରେ ସୁନା କିଣିବା ପାଇଁ ଆସିଥିଲେ. ସେମାନେ ସୁନା ଗହଣା ଗୁଡିକୁ ମାଲିକଙ୍କୁ ଦେଖାଇବାକୁ କହି ଅତ୍ୟନ୍ତ ଚତୁରାତର ସହ 4 ଲକ୍ଷରୁ ଅଧିକ ଟଙ୍କାର ସୁନା ଗହଣାକୁ ଚୋରି କରି ଚାଲି ଯାଇଥିଲେ. ପରେ ସୁନା ଦୋକାନ ମାଲିକ ସନ୍ଦେହରେ ସିସିଟିଭ ଯାଞ୍ଚ କରିବା ପରେ ସେମାନେ ସୁନା ଗହଣା ଚୋରି କରିଥିବା ନିଶ୍ଚିତ ହୋଇଥିଲା. ସିସିଟିଭ ଫୁଟେଜ ପ୍ରମାଣ ସହ ସୁନା ଦୋକାନ ମାଲିକଙ୍କ ଲିଖିତ ଅଭିଯୋଗରେ ମୋହନା ପୋଲିସ 24 ଘଣ୍ଟା ମଧ୍ୟରେ 3 ଜଣ ମହିଳାଙ୍କ ସମେତ ଜଣେ ପୁରୁଷଙ୍କୁ ଗିରଫ କରିବାରେ ସକ୍ଷମ ହୋଇଥିଲେ. ସେମାନେ ସମସ୍ତେ ବ୍ରହ୍ମପୁର ହରଡ଼ାଖଣ୍ଡି ଅଞ୍ଚଳର ଝୁମୁରି ଦାସ, ବିରୋଜିନୀ ଦାସ, ବ୍ରହ୍ମପୁର ରଘୁପତି ନଗରର ସୁଶୀଳା ଦାସ ଏବଂ ଫୁଲ ସୁନ୍ଦରୀ ସାହିର ସନ୍ତୋଷ ଦାସ ବୋଲି ଜଣା ପଡିଛି.
ଗଜପତିରେ ପୁଣି ଜନନୀ ଯନ୍ତ୍ରଣା…..ଗାଁକୁ ଆସିଲାନି ଆମ୍ବୁଲାନ୍ସ, ଘରେ ପ୍ରସବ ପରେ ଖଟିଆରେ 2 କିମି ବୁହାହେଲେ ପ୍ରସୂତି ମହିଳା ପାରଳାଖେମୁଣ୍ଡି, 12/3(ତାରିଣୀ ପ୍ରସାଦ ପଣ୍ଡା ):

ଗଜପତି ଜିଲ୍ଲାରେ ପୁଣି ଜନନୀ ଯନ୍ତ୍ରଣା ଦେଖାଦେଇଛି. ଗାଁର ରାସ୍ତା ଭଲ ନ ଥିବାରୁ ଗାଁକୁ ଆସିପାରିଲାନି ଆମ୍ବୁଲାନ୍ସ. ପରେ ବିଳମ୍ବିତ ରାତ୍ରରେ ଘରେ ପ୍ରସବ କଲେ ଗର୍ଭବତୀ ମହିଳା. ହେଲେ ପ୍ରସବଜନିତ ଅସୁସ୍ଥତାକୁ ନେଇ ଗାଁର କିଛି ଯୁବକମାନେ କନ୍ୟା ସନ୍ତାନ ଜନ୍ମ ଦେଇଥିବା ପ୍ରସୂତି ମହିଳାଙ୍କୁ ଖଟିଆରେ ଭାର କରି 2 କିମି ମୋହନା ଡାକ୍ତରଖାନାକୁ ବୋହି ନେଉଥିବା ଘଟଣା ସାମ୍ନାକୁ ଆସିଛି. ଏହି ଘଟଣା ଘଟିଛି ଗଜପତି ଜିଲ୍ଲା ମୋହନା ସଦର ମହକୁମା ଠାରୁ ମାତ୍ର 5 କିମି ଦୂରରେ ଥିବା ହୁଏରି ଗ୍ରାମରେ. ଗତ ମଙ୍ଗଳବାର ରାତ୍ରରେ ସେହି ଗ୍ରାମର ମିଟୁ ମଲ୍ଲିକଙ୍କ ସ୍ତ୍ରୀ ଚନ୍ଦ୍ରିକା ମଲ୍ଲିକଙ୍କୁ ଅତ୍ୟଧିକ ପ୍ରସବ ବେଦନା ହୋଇଥିଲା. ଡାକ୍ତରଖାନାକୁ ନେବା ପାଇଁ 108 ଆମ୍ବୁଲାନ୍ସକୁ ଖବର ଦିଆ ଯାଇଥିଲା. ହେଲେ ସେହି ଗ୍ରାମର ରାସ୍ତା ଦୂରାବସ୍ଥା ଯୋଗୁଁ ଆମ୍ବୁଲାନ୍ସ ହୁଏରି ଗ୍ରାମକୁ ଆସିପାରିନଥିଲା. ବିଳମ୍ବିତ ରାତିରେ ମହିଳା ଜଣକ ଜଣେ କନ୍ୟା ସନ୍ତାନକୁ ଜନ୍ମ ଦେଇଥିଲେ. ହେଲେ ମା ଓ ଶିଶୁ କନ୍ୟାର ସ୍ୱାସ୍ଥ୍ୟବସ୍ଥା ଭଲ ନଥିବା ଲକ୍ଷ୍ୟ କରି ଗ୍ରାମର ଯୁବକମାନେ ଖଟିଆରେ 2 କିମି ବୋହି ମୋହନା ଡାକ୍ତରଖାନାକୁ ନେଇଥିଲେ. ଡାକ୍ତର ଚିକିତ୍ସା ପରେ ଏମାନଙ୍କ ସ୍ୱାସ୍ଥ୍ୟ ଭଲ ଥିବା ଜଣା ପଡିଛି. ରାସ୍ତା ଦୂରାବସ୍ଥା ଯୋଗୁଁ ଜରୁରୀ ଚିକିତ୍ସା ସମୟରେ ଆମ୍ବୁଲାନ୍ସ ପହଞ୍ଚି ପାରୁନଥିବା ଯୋଗୁଁ ଅତି ତୁରନ୍ତ ହୁଏରି ଗ୍ରାମର ରାସ୍ତାକୁ ନିର୍ମାଣ କରାଯାଉ ବୋଲି ଅଞ୍ଚଳବାସୀ ଦାବି କରିଛନ୍ତି.
ସେଞ୍ଚୁରୀଆନ ବିଶ୍ୱ ବିଦ୍ୟାଳୟ ଦ୍ୱାରା ବିଶ୍ୱ ଗ୍ଲକୋମା ଦିବସ ଉପରେ ସଚେତନ କାର୍ଯ୍ୟକ୍ରମ
ପାରଳାଖେମୁଣ୍ଡି, 12/3(ତାରିଣୀ ପ୍ରସାଦ ପଣ୍ଡା,):

ବିଶ୍ୱ ଗ୍ଲକୋମା ଦିବସରେ ରୋଗୀ ଏବଂ ଜନସାଧାରଣଙ୍କୁ ବିଶ୍ୱବ୍ୟାପୀ ଅନ୍ଧତ୍ୱର ଏକ ପ୍ରମୁଖ କାରଣ ଗ୍ଲକୋମା ବିଷୟରେ ଶିକ୍ଷା ଦେବା ସହ ସଚେତନତା ପାଇଁ ଆଜି ପାରଳାଖେମୁଣ୍ଡି ଠାରେ ଥିବା ଜିଲ୍ଲାସ୍ତରୀୟ ହସ୍ପିଟାଲର ଚକ୍ଷୁ ୱାର୍ଡରେ ଏକ ସଚେତନତା କାର୍ଯ୍ୟକ୍ରମ ସେଞ୍ଚୁରୀୟାନ ବିଶ୍ୱ ବିଦ୍ୟାଳୟ ଦ୍ୱାରା ଆୟୋଜିତ ହୋଇଯାଇଛି. ଏହି କାର୍ଯ୍ୟକ୍ରମ “ଗ୍ଲକୋମା ମୁକ୍ତ ବିଶ୍ୱ ପାଇଁ ଏକତ୍ରିତ ହେବା” ବିଶ୍ୱବ୍ୟାପୀ ବିଷୟବସ୍ତୁ ଅଧୀନରେ ଆୟୋଜିତ ହୋଇଥିଲା।
ଏହି କାର୍ଯ୍ୟକ୍ରମକୁ ସେଞ୍ଚୁରୀଆନ ବିଶ୍ୱ ବିଦ୍ୟାଳୟର ମିସ୍ ଶୁଭଶ୍ରୀ ପାଣିଗ୍ରାହୀ ଏବଂ ମିସ୍ ସୌମ୍ୟଶ୍ରୀ ପ୍ରଧାନଙ୍କ ଦ୍ୱାରା ସଂଯୋଜିତ କରାଯାଇଥିଲା, ଯେଉଁଥିରେ ନର୍ସିଂ ଛାତ୍ରମାନେ ସକ୍ରିୟ ଅଂଶଗ୍ରହଣ କରିଥିଲେ। ସଂଯୋଜିକା ବିପ୍ରାଞ୍ଜଳି ପାତ୍ର ଏବଂ ପି. ଉମା ମାହେଶ୍ୱରୀ ସଚେତନତା କାର୍ଯ୍ୟକଳାପ ଆୟୋଜନ ଏବଂ ପରିଚାଳନାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। କାର୍ଯ୍ୟକ୍ରମକୁ ଅତିଥି ଚକ୍ଷୁ ବିଶେଷଜ୍ଞ ସହାୟକ କେ. ସାଇଲାଜା ଏବଂ କୁଲଦୀପ ପରିଚାଙ୍କ ଠାରୁ ମୂଲ୍ୟବାନ ସଚେତନତା ଓ ମାର୍ଗଦର୍ଶନ ଦ୍ୱାରା ଚକ୍ଷୁ ଯତ୍ନ ଏବଂ ଗ୍ଲକୋମା ପରିଚାଳନା ଉପରେ ବୃତ୍ତିଗତ ଅନ୍ତର୍ଦୃଷ୍ଟି ଉପରେ ଆଲୋକପାତ କରାଯାଇଥିଲା.
ଗଜପତିରେ ଜଙ୍ଗଲ ନିଆଁ ପ୍ରତିରୋଧ ପାଇଁ 596 ଗୋଟି ଜଙ୍ଗଲ ନିକଟସ୍ଥ ଗ୍ରାମରେ ସଚେତନତା କରାଯାଇଛି ପାରଳାଖେମୁଣ୍ଡି, 12/3(ତାରିଣୀ ପ୍ରସାଦ ପଣ୍ଡା ):

ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡି ଠାରେ ଥିବା ବନଖଣ୍ଡ ଅଧିକାରୀ (ଡ଼ିଏଫଓ ) ଙ୍କ କାର୍ଯ୍ୟାଳୟ ପରିସରରେ ଜଙ୍ଗଲ ମଧ୍ୟରେ ଅଗ୍ନିକାଣ୍ଡ ହେଲେ ତାହାର ପ୍ରତିରୋଧ ଓ ପରିଚାଳନା ସମ୍ବନ୍ଧୀୟ କାର୍ଯ୍ୟ ଯୋଜନାକୁ ନେଇ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜିତ ହୋଇଯାଇଛିI ପାରଳାଖେମୁଣ୍ଡି ବନଖଣ୍ଡ ଅଧୂକାରୀ କେ ନାଗାରାଜୁ ଯୋଗଦେଇ ଜଙ୍ଗଲ ଅଗ୍ନିକାଣ୍ଡ ପ୍ରତିରୋଧ ଓ କାର୍ଯ୍ୟାନୁଷ୍ଠାନ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ| ସେ କହିଥିଲେ ବର୍ତ୍ତମାନ ସୁଦ୍ଧା ସାଧାରଣ ଲୋକଙ୍କ ମଧ୍ୟରେ ସଚେତନତା ବୃଦ୍ଧି ପାଇଁ ମୋଟ ୫୯୬ ଗୋଟି ଜଙ୍ଗଲ ନିକଟସ୍ଥ ଗ୍ରାମ ଗୁଡିକରେ ଅଗ୍ନି ପ୍ରତିରୋଧ ସଚେତନତା ବୈଠକ ଆୟୋଜିତ କରାଯାଇ ଲୋକଙ୍କୁ ସଚେତନ କରାଯାଇଛି. ଏଥିସହ ଗଜପତି ଜିଲ୍ଲାର ବିଭିନ୍ନ ଜଙ୍ଗଲରେ ଦେଖା ଦେଇଥିବା ଅଗ୍ନିକୁ ବିଭାଗୀୟ ଅଧିକାରୀ ଓ କର୍ମଚାରୀଙ୍କ ଦ୍ୱାରା ଜଙ୍ଗଲ ନିଆଁକୁ ପ୍ରତିରୋଧ କରାଯାଇଛି. ଆୟୋଜିତ ଏହି ସାମ୍ବାଦିକ ସମ୍ମିଳନୀରେ ଏସସିଏଫ ସାଇନି ଶ୍ରୀ ଦାସ, ଦେବଗିରି ରେଞ୍ଜ ଅଧୂକାରୀ ବ୍ରହ୍ମାନନ୍ଦ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।
ଷ୍ଟାଇପେଣ୍ଟ ନ ପାଇ ଗଜପତି ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହେଲେ ଶତାଧିକ ଛାତ୍ରଛାତ୍ରୀ

ପାରଳାଖେମୁଣ୍ଡି, 12/3(ତାରିଣୀ ପ୍ରସାଦ ପଣ୍ଡା ):

ଗଜପତି ଜିଲ୍ଲା ରାମଗିରି ଡଃ ବାବା ସାହେବ୍ ଆମ୍ବେଦକର ଜାତୀୟ ସ୍ନାତକ ମହାବିଦ୍ୟାଳୟ ଛାତ୍ର ଛାତ୍ରୀ ମାନେ ଚଳିତ ବର୍ଷ ଷ୍ଟାଇପେଣ୍ଟ ପାଇ ପାରି ନାହାଁନ୍ତି। ପୋଷ୍ଟ ମେଟ୍ରିକ୍ ଷ୍ଟାଇପେଣ୍ଟ ପାଇବା ପାଇଁ ସେମାନେ ଯୋଗ୍ୟ ବିବେଚିତ ହୋଇଥିଲେ ମଧ୍ୟ ମହାବିଦ୍ୟାଳୟ ଅନୁବନ୍ଧିତ ସମସ୍ୟା ରହିଥିବା ହେତୁ ସେମାନେ ଏହି ଷ୍ଟାଇପେଣ୍ଟ ପାଇବା ପାଇଁ ସମସ୍ୟା ହେଉଥିବା ଜଣା ପଡ଼ିଛି। ଏନେଇ ଶତାଧିକ ଛାତ୍ର ଛାତ୍ରୀ ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହୋଇ ନିଜର ସମସ୍ୟା ଜଣାଇଥିଲେ। ଜିଲ୍ଲାପାଳ ଏହି ଅଭିଯୋଗ ଶୁଣି ତୁରନ୍ତ ଏ ସମ୍ପର୍କରେ ସେ ଉଚ୍ଚ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରି ଷ୍ଟାଇପେଣ୍ଟ ପ୍ରଦାନ ପାଇଁ କିଛି ସମୟ ମାଗିଛନ୍ତି। ଏନେଇ ଏହି ଦୁଃଖ ଦାୟକ ସମସ୍ୟା ସମାଧାନ ନ ହେଲେ ଆମେ ପୁଣି ଥରେ ରାଜ ରାସ୍ତା କୁ ଓହ୍ଲାଇ ବିରୋଧ ପ୍ରଦର୍ଶନ କରିବା ପାଇଁ ଚେତାବନୀ ଦେଇଛନ୍ତି ଛାତ୍ର ଛାତ୍ରୀ।

Leave a Reply

Your email address will not be published. Required fields are marked *