ରାଜେନ୍ଦ୍ର ବିଶ୍ବବିଦ୍ୟାଳୟର ସାଂସ୍କୃତିକ ସଂଗଠନ ଓ ନାଟ୍ୟ ପରିଷଦ ତରଫରୁ ଆୟୋଜିତ ବାର୍ଷିକ ଉତ୍ସବ ବିଶ୍ବବିଦ୍ୟାଳୟ ପରିସରରେ ଅନୁଷ୍ଠିତ
ବଲାଙ୍ଗିର:- (ଦର୍ଶନ ସମୀକ୍ଷା) ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ର ସାଂସ୍କୃତିକ ସଂଗଠନ ଓ ନାଟ୍ୟ ପରିଷଦ ତରଫରୁ ଆୟୋଜିତ ବାର୍ଷିକ ଉତ୍ସବ ବିଶ୍ୱ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଅଛି।ଏହି ଉତ୍ସବରେ ବିଶ୍ବବିଦ୍ୟାଳୟର କୁଳପତି ଡ.ପ୍ରଦୀପ୍ତ କୁମାର ବେହେରା ମୁଖ୍ୟ ଅତିଥି,ଚିତ୍ରଶିଳ୍ପୀ ପଦ୍ମଶ୍ରୀ କୈଳାଶ ଚନ୍ଦ୍ର ମେହେର ମୁଖ୍ୟ ବକ୍ତା,କୁଳ ସଚିବ ହରପ୍ରସାଦ ଭୋଇ,ମାନବ ସମ୍ବଳ ଆୟୋଗର ନିର୍ଦ୍ଦେଶକ ଡକ୍ଟର ରାଜକିଶୋର ପାତ୍ର,ପରୀକ୍ଷା ନିୟନ୍ତ୍ରକ ଡକ୍ଟର ଶ୍ୟାମ ଭୋଇ ଓ ସାଂସ୍କୃତିକ ପରିଷଦର ଉପସଭାପତି ଡକ୍ଟର ସୁଶାନ୍ତ କୁମାର ପଣ୍ଡା ଯୋଗଦାନ କରିଥିଲେ।
ସଭାକାର୍ଯ୍ୟ ପ୍ରାରମ୍ଭରେ ପରିଷଦର ଉପସଭାପତି ଡକ୍ଟର ପଣ୍ଡା ଅତିଥି ପରିଚୟ ତଥା ସ୍ବାଗତ ଭାଷଣ ପ୍ରଦାନ କରିଥିଲେ। ବିଶ୍ୱବିଦ୍ୟାଲୟର ଗବେଷକ ଛାତ୍ର ସୋମ ଓ ଯୁକ୍ତ ତିନି ସ୍ନାତକ ଛାତ୍ରୀ ପ୍ରତିଶ୍ରୁତି ମଞ୍ଚପରିଚାଳନା କରିଥିଲେ I
ମୁଖ୍ୟ ଅତିଥି ପ୍ରଫେସର ପ୍ରଦୀପ୍ତ କୁମାର ବେହେରା ତାଙ୍କ ଅଭିଭାଷଣରେ ଛାତ୍ରଛାତ୍ରୀ ମାନେ କିପରି ତାଙ୍କର କଳା ଓ ସଂସ୍କୃତିକୁ ସମୃଦ୍ଧ କରିବେ ସେ ସମ୍ପର୍କରେ ମତ ପ୍ରଦାନ କରିଥିଲେ।
ମାନବ ସମ୍ବଳ ଆୟୋଗର ନିର୍ଦ୍ଦେଶକ ତଥା ଭାରପ୍ରାପ୍ତ ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ଡକ୍ଟର ପାତ୍ର ଶିକ୍ଷା ଶ୍ରେଣୀ ପ୍ରକୋଷ୍ଠରେ କେବଳ ଆବଦ୍ଧ ନୁହେଁ,ବିଭିନ୍ନ ସାଂସ୍କୃତିକ ପ୍ରତିଯୋଗିତା ଓ ସାହିତ୍ୟିକ କାର୍ଯ୍ୟକ୍ରମ ମାଧ୍ୟମରେ ଜ୍ଞାନର ପରିସରକୁ ବ୍ୟାପକ କରାଯିବା ସମ୍ପର୍କରେ ଛାତ୍ରଛାତ୍ରୀ ମାନଙ୍କୁ ପ୍ରେରଣା ଦେଇଥିଲେ।
ବିଶ୍ୱବିଦ୍ୟାଳୟର କୁଳ ସଚିବ ହରପ୍ରସାଦ ଭୋଇ ଚରିତ୍ର ଗଠନ ଶିକ୍ଷାର ଅବିଚ୍ଛେଦ୍ୟ ଅଙ୍ଗ ହୋଇଥିବାରୁ ଛାତ୍ରଛାତ୍ରୀ ମାନଙ୍କୁ ସୁଚରିତ୍ର ଗଠନ କରାଯିବା ସମ୍ପର୍କରେ ଆଲୋକପାତ କରିଥିଲେ।
ବିଶ୍ୱବିଦ୍ୟାଳୟର ପରୀକ୍ଷା ନିୟନ୍ତ୍ରକ ଡକ୍ଟର ଶ୍ୟାମ ଭୋଇ ଶିକ୍ଷାର୍ଥୀମାନଙ୍କୁ ପରିଶ୍ରମ କାତର ନ ହୋଇ ପରିଶ୍ରମୀ ହେବାକୁ ଉଦବୋଧନ ଦେଇଥିଲେ।ଛାତ୍ରଛାତ୍ରୀ ମାନେ ନିଜକୁ ଆତ୍ମସମୀକ୍ଷା କରିବା ପାଇଁ ସେ ଅଭିପ୍ରେରଣା ପ୍ରଦାନ କରିଥିଲେ।
ମୁଖ୍ୟ ବକ୍ତା ଚିତ୍ରଶିଳ୍ପୀ ପଦ୍ମଶ୍ରୀ କୈଳାଶ ଚନ୍ଦ୍ର ମେହେର ନିଜ ବକ୍ତବ୍ୟରେ ସଂଘର୍ଷ ହିଁ ଜୀବନର ମୂଳମନ୍ତ୍ର ଏବଂ କଠିନ ପରିଶ୍ରମ ଦ୍ୱାରା ସଫଳତା ଅର୍ଜନ କରାଯାଇପାରେ ସେ ସମ୍ପର୍କରେ ଶିକ୍ଷାର୍ଥୀ ମାନଙ୍କୁ ଦିଗଦର୍ଶନ ଦେଇଥିଲେ।
ଅତିଥିମାନଙ୍କ ସମ୍ଭାଷଣ ପରେ କଳା ଓ ସାଂସ୍କୃତିକ ପରିଷଦର ଆନୁକୁଲ୍ୟରେ ଅନୁଷ୍ଠିତ ହୋଇଥିବା ସାଂସ୍କୃତିକ ତଥା ସାହିତ୍ୟିକ ପ୍ରତିଯୋଗିତା ଗୁଡ଼ିକରେ କୃତକାର୍ଯ୍ୟ ହୋଇଥିବା ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କାର ବିତରଣ କରାଯାଇଥିଲା।
ଏହି ଅବସରରେ ବିଶ୍ୱବିଦ୍ୟାଳୟର ରାଜନୀତି ବିଜ୍ଞାନ ବିଭାଗର ସ୍ନାତକୋତ୍ତର ଛାତ୍ର ବ୍ୟୋମକେଶ ଦତ୍ତ ତ୍ରିପାଠୀ ବିଭିନ୍ନ ସାହିତ୍ୟିକ ପ୍ରତିଯୋଗିତା ଗୁଡ଼ିକରେ ସର୍ବଶ୍ରେଷ୍ଠ ପୁରସ୍କାର ହାସଲ କରିଥିଲେ।
ସଭା ଶେଷରେ ନାଟ୍ୟ ଓ ସାଂସ୍କୃତିକ ପରିଷଦର ସଦସ୍ୟ ତଥା ରସାୟନ ବିଜ୍ଞାନ ବିଭାଗର ପ୍ରାଧ୍ୟାପକ ଡକ୍ଟର ଗଜେନ୍ଦ୍ର କୁମାର ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ।
ଏହା ପରେ ଅନୁଷ୍ଠାନର ଛାତ୍ରଛାତ୍ରୀଙ୍କ ଦ୍ବାରା ସଙ୍ଗୀତ,ନୃତ୍ୟ ଏବଂ ଅନ୍ୟାନ୍ୟ କଳାକୃତି କାର୍ଯ୍ୟକ୍ରମ ବେଶ ସୁନ୍ଦର ଭାବେ ପରିବେଷଣ କରାଯାଇଥିଲା।
ଏହି କାର୍ଯ୍ୟକ୍ରମରେ ବିଶ୍ୱବିଦ୍ୟାଳୟର ସମସ୍ତ ଅଧ୍ୟାପକ ଅଧ୍ୟାପିକା, ପ୍ରାଧ୍ୟାପକ ପ୍ରାଧ୍ୟାପିକା,କର୍ମଚାରୀବୃନ୍ଦ,ଛାତ୍ରଛାତ୍ରୀ,ଏନ.ଏସ୍.ଏସ୍ ସମୂହର ସଦସ୍ୟ ଏବଂ ଏନ.ସି.ସି କ୍ୟାଡେଟ ସଦସ୍ୟ ମାନେ ସକ୍ରିୟ ଅଂଶ ଗ୍ରହଣ କରି ସଭାକୁ ସାଫଲ୍ୟ ମଣ୍ଡିତ କରିଥିଲେ।
ବଲାଙ୍ଗୀର // ରାଜେନ୍ଦ୍ର ବିଶ୍ବବିଦ୍ୟାଳୟର ସାଂସ୍କୃତିକ ସଂଗଠନ ଓ ନାଟ୍ୟ ପରିଷଦ ତରଫରୁ ଆୟୋଜିତ ବାର୍ଷିକ ଉତ୍ସବ ବିଶ୍ବବିଦ୍ୟାଳୟ ପରିସରରେ ଅନୁଷ୍ଠିତ












Leave a Reply