୧କୋଟିରୁ ଉର୍ଦ୍ଧ୍ବ ଗଞ୍ଜେଇ ସମେତ ଏକ କଣ୍ଟେନର ଗାଡି ଜବତ, ୨ ଗିରଫ
ମାଲକାନଗିରି: ମନୋଜ ଦେବ ପାଙ୍ଗି (ଦର୍ଶନ ସମୀକ୍ଷା)
ମାଲକାନଗିରି ଜିଲ୍ଲା ଓର୍କେଲ ପୋଲିସକୁ ମିଳିଛି ଏକ ବଡ ସଫଳତା। ଏକ କଣ୍ଟେନର ଗାଡି ଗାଡି ନମ୍ବର-ଆର- ଜେ ୧-୪ଜିଆର-୮୩୬୮ରେ ଏକ ସ୍ୱତନ୍ତ୍ର ଡ଼ିକି ବନାଇ ବିପୁଳ ପରିମାଣର ଗଞ୍ଜେଇ ଚୋରା ଚାଲାଣକାରୀ ଓର୍କେଲ ଥାନା ଅଧିନସ୍ଥ ନୁଆଗୁଡା ଗ୍ରାମ ନିକଟ ଅଞ୍ଚଳରୁ ରାଜସ୍ଥାନ ରାଜ୍ୟକୁ ବେଆଇନ ଭାବେ ବିପୁଳ ପରିମାଣର ଗଞ୍ଜେଇ ଚୋରା ଚାଲାଣ କରୁଥିବା ବେଳେ ଓର୍କେଲ ପୋଲିସ ହାତରେ ଧରା ପଡିଛନ୍ତି। ଏ ନେଇ ଓର୍କେଲ ପୋଲିସ ପକ୍ଷରୁ ରବିବାର ସକାଳେ ଓର୍କେଲ ଥାନାରେ ପୋଲିସ ପକ୍ଷରୁ ଗଞ୍ଜେଇ ନେଉଥିବା କଣ୍ଟେନର ଗାଡି ସହ ସେଥିରେ ଥିବା ଗଞ୍ଜେଇକୁ ଜବତ କରିବା ସହିତ ଗାଡି ଡ୍ରାଇଭର ଏବଂ ହେଲ୍ପରଙ୍କୁ ଗିରଫ କରାଯାଇଛି। ଏନେଇ ପୋଲିସ ପକ୍ଷରୁ ଓର୍କେଲ ଥାନାରେ କେସ ନମ୍ବର-୬୬/୨୦୨୬ରେ ଏକ ମାମଲା ରୁଜୁ କରି ପୋଲିସ ଘଟଣାର ତଦନ୍ତ ଚଳାଇଛି।ତେବେ ଏହି ଘଟଣାରେ ଗିରଫ ହୋଇଥିବା ଦୁଇ ଜଣ ବ୍ୟକ୍ତି ହେଲେ ରାଜସ୍ଥାନ ରାଜ୍ୟର ଚୁରୁ ଜିଲ୍ଲାରେ ରହୁଥବା ମନୋଜ କୁମାର, ଏବଂ ଅନ୍ୟ ଜଣେ ଉକ୍ତ ରାଜ୍ୟର ସିକର ଜିଲ୍ଲାରେ ରହୁଥିବା ହେମରାଜ ବୋଲି ଜଣା ପଡିଛି।ତେବେ ଏନେଇ ପୋଲିସ
ପକ୍ଷରୁ ମିଳିଥିବା ସୂଚନା ମୁତାବକ ରବିବାର ସକାଳେ ଏକ କଣ୍ଟେନର ଯୋଗେ ଗଞ୍ଜେଇ ବାହାର ରାଜ୍ୟକୁ ଚାଲାଣ ହେଉଥିବା ନେଇ ଥାନା ଅଧିକାରୀ ଧୀରେନ ପଟ୍ଟନାୟକଙ୍କୁ ଏକ ବିଶେଷ ସୂତ୍ରରୁ ସୂଚନା ମିଳିଥିଲା। ଥାନା ଅଧିକାରୀ ଶ୍ରୀ ପଟ୍ଟନାୟକଙ୍କ ନିର୍ଦ୍ଧେଶ କ୍ରମେ ଏସଆଇ ହର ପ୍ରିୟା ଶବରଙ୍କ ନେତୃତ୍ୱରେ ପୋଲିସର ଏକ ସ୍ୱତନ୍ତ୍ର ଟିମ ନୁଆଗୁଡା ଗ୍ରାମ ନିକଟରେ ସକାଳ ୧୦ ଟା ସମୟରେ ପେଟ୍ରୋଲିଙ୍ଗ ଜାରି ରଖିଥିଲେ। ଏହି ସମୟରେ ଚିତ୍ରକୋଣ୍ଡା ପଟୁ ନୂଆଗୁଡା ଗ୍ରାମ ରାସ୍ତା ଦେଇ ବାଲିମେଳା ଛକ ଅଭିମୁଖେ ଆସୁଥିବା ଏକ କଣ୍ଟେନରକୁ ଅଟକାଇ ଯାଞ୍ଚ କରିଥିଲେ।ଯାଞ୍ଚ ସମୟରେ ଉକ୍ତ କଣ୍ଟେନର ଗାଡି ଭିତରେ ତିଆରି କରାଯାଇଥିବା ଏକ ସ୍ୱତନ୍ତ୍ର ଚାମ୍ବର ଭିତରେ ପ୍ରାୟ ୨୯ ଟି ଜରି ବସ୍ତାରେ ବିପୁଳ ପରିମାଣର ଗଞ୍ଜେଇ ଥିବା ଦେଖିବାକୁ ପାଇଥିଲେ। ଘଟଣା ସ୍ଥଳରୁ ପୋଲିସ ଉକ୍ତ ଗାଡି ସମେତ ଗଞ୍ଜେଇକୁ ଜବତ କରିବା ସହିତ ଗାଡି ଚାଳକ ଏବଂ ହେଲ୍ପରକୁ ଗିରଫ କରି ଥାନାକୁ ଆଣିଥିଲେ। ମାଜିଷ୍ଟ୍ରେଟ ଭାବେ ଚିତ୍ରକୋଣ୍ଡା ଅତିରିକ୍ତ ତହସିଲଦାର ପ୍ରଶାନ୍ତ କୁମାର ଭତ୍ରା ଥାନାରେ ପହଁଞ୍ଚିଥିଲେ। ମାଜିଷ୍ଟ୍ରେଟଙ୍କ ଉପସ୍ଥିତରେ ଗଞ୍ଜେଇକୁ ଓଜନ କରାଯିବା ପରେ ଜବତ କରାଯାଇଥିଲା। ଜବତ ହୋଇଥିବା ଗଞ୍ଜେଇ ମୋଟ ୮ କ୍ୱିଣ୍ଟାଲ ୭୦ କିଲୋ ଥିବା ଜଣା ପଡିଛି। ଏହି ଘଟଣାର ତଦନ୍ତ ଏସ ଆଇ ଅଜିତ ସିଂ ବରିହା ଜାରୀ ରଖିଛନ୍ତି ବୋଲି ଥାନା ଅଧିକାରୀ ଶ୍ରୀ ପଟ୍ଟନାୟକ ସୂଚନା ଦେଇଛନ୍ତି।ସୂଚନା ଥାଉକି ଏହି କଣ୍ଟେନର ଗାଡି କିଛି ସାମଗ୍ରୀ ଆଣି ଆନ୍ଧ୍ରପ୍ରଦେଶ ରାଜ୍ୟର ଟୁନି ଅଞ୍ଚଳରେ ଅନଲୋଡ଼ କରି ନୂଆଗୁଡା ଗାଁ ନିକଟରୁ ଗଞ୍ଜେଇ ଲୋଡ଼ କରି ରାଜସ୍ଥାନ ଅଭିମୁଖେ ଯାଉଥିଲା ବୋଲି ପ୍ରାଥମିକ ତଦନ୍ତରୁ ଜଣା ପଡିଛି ବୋଲି ପୋଲିସ କହିଛି।
ବାଲିମେଳାରେ ଠାକୁର ଅନୁକୂଳ ଚନ୍ଦ୍ରଙ୍କର ଜିଲ୍ଲା ସ୍ଥରୀୟ ମହୋତ୍ସବ ଅନୁଷ୍ଠିତ
ମାଲକାନଗିରି: ମନୋଜ
ମାଲକାନଗିରି ଜିଲ୍ଲା ବାଲିମେଳା ସହରର ଡ୍ରଗଲାଇନ ଠାରେ ଥିବା ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ରଙ୍କର ମନ୍ଦିର ପରିଚାଳନା କମିଟିର ସଭାପତି ବଟ କୃଷ୍ଣ ବିଶ୍ୱାଳ, ଉପ ସଭାପତି ସୁଦନ୍ୟ ସରକାର, ସମ୍ପାଦକ ରତିକାନ୍ତ ଜେନାମଣି, କୋଷାଧ୍ୟକ୍ଷ ପ୍ରକାଶ ଚନ୍ଦ୍ର ମହାରଣା ଏବଂ ଅନ୍ୟ ସମସ୍ତ କର୍ମକର୍ତ୍ତାଙ୍କ ନେତୃତ୍ୱରେ ବାଲିମେଳା ସହର ସ୍ଥିତ ମିନି ଷ୍ଟାଡିୟମ ପରିସରେ ରବିବାର ପରମ ପ୍ରେମମୟ ଶ୍ରୀ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ରଙ୍କର ପଞ୍ଚ ତମ ଜିଲ୍ଲା ସ୍ତରୀୟ “ରତାୟିନୀ” ମହୋତ୍ସବା ରୀତିନୀତି ଅନୁଯାୟୀ ଅନୁଷ୍ଠିତ ହୋଇଯାଇଛି।

ଏହି କାର୍ଯ୍ୟକ୍ରମରେ ବାଲିମେଳା ସହର ସମେତ ଜିଲ୍ଲାର ବିଭିନ୍ନ ପ୍ରାନ୍ତରୁ ଠାକୁର ଅନୁକୂଳ ଚନ୍ଦ୍ରଙ୍କର ଦୀକ୍ଷା ଗ୍ରହଣ କରିଥିବା ଶହ ଶହ ଭକ୍ତଙ୍କର ସମାଗମ ହୋଇଥିଲା।ଏହି ଅବସରରେ ରବିବାର ବଡି ଭୋରୁ ଠାକୁର ଅନୁକୂଳ ଚନ୍ଦ୍ରଙ୍କର ରୀତିନୀତି ଅନୁସାରେ ପୂଜାର୍ଚ୍ଚନା କରାଯିବା ସହିତ ଉଷାକୀର୍ତ୍ତନ କରାଯାଇଥଲା।
ସକାଳ ୬ ଟାରେ ସମବେତ ପ୍ରାର୍ଥନା, ନାମ ଜପ ଓ ଧର୍ମ ଗ୍ରନ୍ଥାବଳି ପାଠ କରାଯାଇଥିଲା। ପୂର୍ବାହ୍ନ ୧୧ ଟା ୩୦ ମିନିଟ ସମୟରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା। ଅପରାହ୍ନ ୧ ଟା ୩୦ ମିନିଟ ସମୟରେ ମାତୃ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା।ଅପରାହ୍ନ ୩ ଟାରେ ନଗର କୀର୍ତ୍ତନ କରାଯାଇଥିଲା। ସନ୍ଧ୍ୟା ୭ଟାରେ ପୁନର୍ବାର ଏକ ସାଧାରଣ ସଭା ଅନୁଷ୍ଠିତ ହେବା ସହିତ ଭକ୍ତ ମାନଙ୍କର ମନୋରଞ୍ଜନ ପାଇଁ ଏକ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି ମହୋତ୍ସବରେ ଯୋଗ ଦେଇଥିବା ସମସ୍ତ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ପାଇଁ ମନ୍ଦିର ପରିଚାଳନା କମିଟି ପକ୍ଷରୁ ମଧ୍ୟାହ୍ନରେ ଏବଂ ରାତିରେ ମାଗଣା ଅନ୍ନ ପ୍ରସାଦ ସେବନର ସୁବନ୍ଦୋବସ୍ତ କରାଯାଇଥିଲା।












Leave a Reply