ଗଜପତି ସୋତନ୍ତ୍ର // ଗୋଷାଣି ବ୍ଲକ ଅନ୍ତର୍ଗତ ଶରଧାପୁର ଗ୍ରାମରେ ବିଜେଡିର କର୍ମୀ ସମ୍ମିଳନୀ ଓ ବନ୍ଧୁମିଳନ କାର୍ଯକ୍ରମ ଅନୁଷ୍ଠିତ, ଓ କୃଷ୍ଣଚନ୍ଦ୍ର ଗଜପତିଙ୍କ ଅତି ପ୍ରିୟ ରାଜପ୍ରାସାଦକୁ ସୂଚନା ନାମଫଳକରେ ବିକୃତ ଭାବେ ଲେଖା ଯିବା ନେଇ ପାରଳାରେ ଉଦବେଗ

Spread the love

ଖରାଦିନ ଆରମ୍ଭରୁ ଗଜପତିରେ ଉତ୍ତାପ ବୃଦ୍ଧି ପାରଳାଖେମୁଣ୍ଡି, 6/3(ତାରିଣୀ ପ୍ରସାଦ ପଣ୍ଡା ): ଦର୍ଶନ ସମୀକ୍ଷା

ଖରାଦିନ ଆରମ୍ଭରୁ ହିଁ ସମଗ୍ର ଗଜପତି ଜିଲ୍ଲାରେ ଉତ୍ତାପ ବୃଦ୍ଧି ଘଟିଥିବା ଲକ୍ଷ୍ୟ କରାଯାଇଛି. ଆଜକୁ ମିଶାଇ ଗତ 4 ଦିନ ହେଲା ଉତ୍ତାପ ବେଶ ବୃଦ୍ଧି ହୋଇଥିବା ସହ ଗଜପତି ଜିଲ୍ଲା ରାଜ୍ୟର ଦ୍ବିତୀୟ ଉତ୍ତପ୍ତ ସହର ପାଲଟିଛି। ବିଗତ ତିନି ଦିନର ତଥ୍ୟାନୁସାରେ ପାରଳାଖେମୁଣ୍ଡି ଉତ୍ତପ୍ତ ସହରର ତାଲିକାରେ ଦ୍ଵିତୀୟ ସ୍ଥାନରେ ରହିଥିଲା| ଆଜି ମଧ୍ୟ ସର୍ବାଧିକ ତାପମାତ୍ରା ୩୭ ଡିଗ୍ରିରୁ ଅଧିକ ରହିଥିବା ଜଣାପଡ଼ିଛି। ସକାଳ 10 ଘଣ୍ଟା ଠାରୁ ଏହି ଉତ୍ତାପ ବୃଦ୍ଧି ପାଇବା ସହ ଅପରାହ୍ନ 4 ଘଣ୍ଟା ପର୍ଯନ୍ତ ତାପମାତ୍ରା ବିଶେଷ ଭାବରେ ରହିଥିବା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହେବାରେ ଲାଗିଛି | ବିଗତ ବର୍ଷମାନଙ୍କରେ ମଧ୍ୟ ଗଜପତି ଜିଲ୍ଲାରେ ପ୍ରଚଣ୍ଡ ରୌଦ୍ର ତାପ ଅନୁଭୂତ ହୋଇଥିବା ବେଳେ ଗତବର୍ଷ ଗଜପତି ଜିଲ୍ଲା ରାଜ୍ୟର ସବୁଠୁ ଉତ୍ତପ୍ତ ଜିଲ୍ଲା ପାଲଟିଥିଲା | ଚଳିତବର୍ଷ ମାର୍ଚ୍ଚ ପ୍ରଥମ ସପ୍ତାହରୁ ହିଁ ଉତ୍ତାପର ପ୍ରଭାବ ବୃଦ୍ଧି ଜିଲ୍ଲାବାସୀଙ୍କୁ ଚିନ୍ତାରେ ପକାଇଛି ।
ଗଜପତିରେ ବିଜେଡିର କର୍ମୀ ସମ୍ମିଳନୀ ଓ ବନ୍ଧୁମିଳନ

ପାରଳାଖେମୁଣ୍ଡି, 6/3(ତାରିଣୀ ପ୍ରସାଦ ପଣ୍ଡା ):

ଗଜପତି ଜିଲ୍ଲା ଗୋଷାଣି ବ୍ଲକ ଅନ୍ତର୍ଗତ ଶରଧାପୁର ଗ୍ରାମରେ ବିଜେଡିର କର୍ମୀ ସମ୍ମିଳନୀ ଓ ବନ୍ଧୁମିଳନ କାର୍ଯକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ସମ୍ମିଳନୀରେ ଶରଧାପୁର ଗ୍ରାମ ସମେତ ଗୋଷାଣୀ ବ୍ଲକର ଶହ ଶହ ବିଜେଡି କର୍ମୀଙ୍କ ସମେତ ବହୁ ସଂଖ୍ୟକ ଜିଲ୍ଲାସ୍ତରୀୟ ନେତୃବୃନ୍ଦ ଉପସ୍ଥିତ ଥିଲେ । ଏହି ଅବସରରେ ଦଳୀୟ ସୁପ୍ରିମୋ ତଥା ପୁର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସରକାରଙ୍କ ଅମଳରେ ହୋଇଥିବା ବିଭିନ୍ନ ଉନୟନମୂଳକ କାର୍ଯ୍ୟ ଏବଂ ଲୋକାଭିମୁଖୀ ଯୋଜନା ଗୁଡ଼ିକ ସମ୍ପର୍କରେ ଆଲୋଚନା କରାଯାଇଥିବା ବେଳେ ବର୍ତ୍ତମାନର ରାଜ୍ୟ ସରକାରଙ୍କ ଯୋଜନାଗୁଡିକ ତୃଣମୂଳ ସ୍ତରରେ କାମରେ ଆସୁନଥିବାକୁ ନେଇ ଆଲୋଚନା ହୋଇଥିଲା । ନବୀନ ସରକାରଙ୍କ ଯୋଜନା ଲୋକଙ୍କ ଆର୍ଥିକ, ସାମାଜିକ କ୍ଷେତ୍ରରେ ଅଭିବୃଦ୍ଧି ଘଟିଥିଲା । ପ୍ରତି ପଞ୍ଚାୟତର ବିକାଶ ଲାଗି ନବୀନ ସରକାର ତତ୍ପର ହୋଇ ଆର୍ଥିକ ଅନୁଦାନ ପ୍ରଦାନ କରୁଥିଲେ। ହେଲେ ଡବଲଇଞ୍ଜିନ ସରକାର ଲୋକଙ୍କୁ ଦିନରେ ଲଣ୍ଠନ ଦେଖାଉଛନ୍ତି। ଏପରି ସରକାରଙ୍କୁ ଆଗମୀ ନିର୍ବାଚନରେ ପ୍ରତ୍ୟାଖାନ କରି ଉଚିତ ଜବାବ ଦେବା ପାଇଁ ନେତାମାନେ ବକ୍ତବ୍ୟ ରଖିଥିଲେ । ବିଜେଡି ଦଳକୁ ଅଧିକା ମଜବୁତ କରିବା ନେଇ ଆଲୋଚନା ହୋଇଥିଲା, ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପାରଳା ବିଧାୟକ ରୁପେଶ ପାଣିଗ୍ରାହୀ ଯୋଗଦେଇଥିବା ବେଳେ, ବିଶେଷ ଅତିଥି ଭାବେ ଡ: ତିରୁପତି ପାଣିଗ୍ରାହୀ, ଅନ୍ୟତମ ଅତିଥି ଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଜି ତିରୁପତି ରାଓ, ବିଜେଡି ଜିଲ୍ଲା ସଭାପତି ପ୍ରଦୀପ ନାୟକ, ଗୋଷାଣୀ ବ୍ଲକ ଅଧକ୍ଷ ଏନ୍ ଵୀରରାଜୁ, ପୂର୍ବତନ ସରପଞ୍ଚ ବାବୁ ରାଓ, ଗୁମ୍ମା ବ୍ଲକ ଅଧ୍ୟକ୍ଷା ସୁନେମୀ ମଣ୍ଡଳ, କାଶୀନଗର ବ୍ଲକ ଅଧ୍ୟକ୍ଷା ବାଲା ସାଇଆମ୍ମା, ଜିଲ୍ଲା ପରିଷଦ ସଦସ୍ୟ ଏସ ବାଲାରାଜୁ ପ୍ରମୁଖଙ୍କ ସହ ବହୁ ବିଜେଡି ନେତା ଉପସ୍ଥିତ ଥିଲେ.
ସ୍ୱତନ୍ତ୍ର ଓଡିଶା ପ୍ରଦେଶ ଗଠନର ଅନ୍ୟତମ ପ୍ରତିଷ୍ଠାତା କୃଷ୍ଣଚନ୍ଦ୍ର ଗଜପତିଙ୍କ ଅତି ପ୍ରିୟ ରାଜପ୍ରାସାଦକୁ ସୂଚନା ନାମଫଳକରେ ବିକୃତ ଭାବେ ଲେଖା ଯିବା ନେଇ ପାରଳାରେ ଉଦବେଗ ପାରଳାଖେମୁଣ୍ଡି, 6/3(ତାରିଣୀ ପ୍ରସାଦ ପଣ୍ଡା ):

ସ୍ୱତନ୍ତ୍ର ଓଡ଼ିଶାର ଅନ୍ୟତମ ମୁଖ୍ୟ ପ୍ରତିଷ୍ଠାତା ତଥା ଓଡ଼ିଶାର ପ୍ରଥମ ପ୍ରଧାନମନ୍ତ୍ରୀ ସ୍ବର୍ଗତ କୃଷ୍ଣଚନ୍ଦ୍ର ଗଜପତିଙ୍କ ଅତି ପ୍ରିୟ ଓ ଐତିହାସିକ ରାଜପ୍ରାସାଦକୁ ସରକାରୀ ଭାବେ ବିକୃତ କରି ସୂଚନା ଫଳକରେ ଲେଖା ଯାଇଥିବା ନେଇ ପାରଳା ସହରବାସୀଙ୍କ ଠାରେ ଉଦବେଗ ପ୍ରକାଶ ପାଇଛି. କେବଳ ଗଜପତିଙ୍କ ରାଜପ୍ରାସାଦ ନୁହେଁ ପାରଳାଖେମୁଣ୍ଡି ସହରର ବିଭିନ୍ନ ସ୍ଥାନରେ ରହିଥିବା ସୂଚନା ନାମ ଫଳକରେ ଓଡ଼ିଆ ଭାଷାକୁ ବିକୃତ କରି ଲେଖାଯାଇଛି. ଏଠାରେ ଉଲ୍ଲେଖଯୋଗ୍ୟଯେ, ଓଡିଶାକୁ ଭାଷା ଭିତିକ ସ୍ଵତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନରେ ଯେଉଁ ମାନଙ୍କର ଅବଦାନ ରହିଛି ସେମାନଙ୍କ ମଧ୍ୟରେ ପାରଳାର ମହାରାଜା ସ୍ବର୍ଗତ କୃଷ୍ଣଚନ୍ଦ୍ର ଗଜପତି ଅନ୍ୟତମ । ଐତିହାସିକ ପୃଷ୍ଠଭୂମି ବହନ କରୁଥିବା ପାରଳାଖେମୁଣ୍ଡିର ରାଜପ୍ରାସାଦ ସାମ୍ନାରେ ପୂର୍ତ ବିଭାଗ ପକ୍ଷରୁ ଲଗାଯାଇଥିବ ସୂଚନା ନାମ ଫଳକରେ ରାଜ ପ୍ରାସାଦକୁ ବିକୃତ ଭାବେ ‘ରାଜ ପ୍ରସାଦ’ ଲେଖାଥିବା ଏକ ନାମ ଫଳକ ସ୍ଥାପନ କରାଯାଇଅଛି । ସେହିପରି ପାରଳାଖେମୁଣ୍ଡିର ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ସ୍ଵୟଂଶାସିତ ମହାବିଦ୍ୟାଳୟ ଯାହା ୧୮୯୬ ମସିହାରେ ସ୍ଥାପିତ ହୋଇଥିବା ଓଡ଼ିଶାର ବହୁ ପ୍ରାଚୀନ ଶିକ୍ଷାନୁଷ୍ଠାନ ନିକଟରେ ଏଭଳି ଏକ ସୂଚନା ନାମ ଫଳକ ସ୍ଥାପନ କରାଯାଇଅଛି. ଯେଉଁଥିରେ କି“ ମହାବିଦ୍ୟାଳୟ” ବଦଳରେ ‘ବିଦ୍ୟାଳୟ’ ବୋଲି ଲେଖାଯାଇଛି । ମହାରାଜାଙ୍କ ବାଳିକା ବିଦ୍ୟାଳୟ ନିକଟରେ ଲାଗିଥିବା ସୂଚନା ଫଳକରେ ବିଦ୍ୟାଳୟ ବଦଳରେ ମହାବିଦ୍ୟାଳୟ ଲେଖାଯାଇଛି । ଯେଉଁ ଅଧିକାରୀମାନେ ଏହି ଦାୟିତ୍ୱରେ ଥିଲେ ସେମାନଙ୍କର ଓଡ଼ିଆ ଭାଷାରେ ଜ୍ଞାନ ଅଛି କି ନାହିଁ ସେ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଅତି ତୁରନ୍ତ ଏଭଳି ବିକୃତ ଲେଖା ଥିବା ସୂଚନା ନାମ ଫଳକଗୁଡିକୁ ବାହାର କରାଯାଇ ସଠିକ ଲେଖା ଥିବା ସୂଚନା ନାମ ଫଳକଗୁଡିକୁ ଲଗାଯାଉ ବୋଲି ସାଧାରଣରେ ଦାବି ହୋଇଛି. ସମ୍ପୃକ୍ତ ଘଟଣା ନେଇ ପୂର୍ତ୍ତ ବିଭାଗ ସୁପରଟେଣ୍ଡ ଇଞ୍ଜିନିଅର ଅଭିଷେକ ସେଠୀଙ୍କ ଆମ ଗଜପତି ଜିଲ୍ଲା ପ୍ରତିନିଧି ତାରିଣୀ ପ୍ରସାଦ ପଣ୍ଡା ଦୃଷ୍ଟି ଆକଷଣ କରିବାରେ, ସେ ଏଭଳି ଘଟଣା ନେଇ ଦୁଃଖ ପ୍ରକାଶ କରିବା ସହ ଅତି ତୁରନ୍ତ ଏହାକୁ ବଦଳାଇ ସଠିକ ଲେଖା ଥିବା ସୂଚନା ନାମଫଳକର ବ୍ୟବସ୍ଥା କରାଯିବ ବୋଲି କହିଥିଲେ.

Leave a Reply

Your email address will not be published. Required fields are marked *