▪️ନୟାଗଡ଼ ପୌରପରିଷଦର ୱାର୍ଡ ନଂ:୧୫ ରେ ଧୁମଧାମରେ ହୋଲି ଉତ୍ସବ ପାଳିତ
◼️ମନ ମୋହିଲା ପାରମ୍ପରିକ ଦହିହାଣ୍ଡି ଭାଙ୍ଗିବା ପ୍ରଥା
ନୟାଗଡ଼, ୪|୦୩ (ଦର୍ଶନ ସମୀକ୍ଷା): ରଙ୍ଗର ପର୍ବ ହୋଲି ଅବସରରେ ନୟାଗଡ଼ ପୌରପରିଷଦର ୱାର୍ଡ ନଂ:୧୫, ଯଦୁମଣି ନଗର ସ୍ଥିତ ମହାବୀର କଟେଜ୍ ନିକଟରେ ଏ ବର୍ଷ ମଧ୍ୟ ଅତ୍ୟନ୍ତ ଆଡମ୍ବର ଓ ଉତ୍ସାହର ସହ ହୋଲି ଉତ୍ସବ ପାଳିତ ହୋଇଯାଇଛି। ଦୃଢ଼ ସଙ୍ଗଠକ ଓ ସମାଜସେବୀ ଭଗବାନ ରଥଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ଅଞ୍ଚଳ ଉତ୍ସବମୁଖର ହୋଇଥିଲା।ଏହି ଅବସରରେ ନୟାଗଡ଼ ସହରର ପୂର୍ବତନ ନଗରପାଳ ତଥା ରଣପୁରର ପୂର୍ବତନ ବିଧାୟକ ସତ୍ୟନାରାୟଣ ପ୍ରଧାନ (ବାଦଲ ଭାଇ) ମୁଖ୍ୟଅତିଥି ଭାବେ ଯୋଗଦେଇ ଉତ୍ସବକୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ।
ସେ ତାଙ୍କ ଉଦବୋଧନରେ ହୋଲି ପର୍ବର ପୌରାଣିକ ଓ ସାମାଜିକ ମହତ୍ତ୍ୱକୁ ସୁନ୍ଦର ଭାବରେ ଉପସ୍ଥାପନ କରି ସମ୍ପ୍ରତି ସାମାଜିକ,ଭାଇଚାରା ଓ ସାମ୍ପ୍ରଦାୟିକ ସମନ୍ୱୟର ସନ୍ଦେଶ ଦେଇଥିଲେ। ହୋଲି ଉତ୍ସବର ମୁଖ୍ୟ ଆକର୍ଷଣ ଥିବା ପାରମ୍ପରିକ ଦହିହାଣ୍ଡି ଭଙ୍ଗା ପ୍ରଥାକୁ ସେ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ଏବଂ ସେ ଉକ୍ତ କାର୍ଯ୍ୟକ୍ରମରେ ପ୍ରଥମେ ଅଂଶଗ୍ରହଣ କରି ଗୋଟିଏ ଥର ପ୍ରହାରରେ ଦହିହାଣ୍ଡି ଭାଙ୍ଗି ଉପସ୍ଥିତ ଜନସାଧାରଣଙ୍କ ହୃଦୟ ଜୟ କରିଥିଲେ।
ଅନ୍ୟତମ ସମ୍ମାନିତ ଅତିଥି ଭାବେ ନୟାଗଡ଼ ପୌରପରିଷଦର ଉପାଧ୍ୟକ୍ଷ ଗୁରୁପ୍ରସାଦ ଜେନା, ୱାର୍ଡ ନଂ:୧୫ ର କାଉନସିଲର ଜାନକୀ ବଲ୍ଲଭ ଜେନା ,
ଦୈନିକ ଖବରକାଗଜ ‘ସମ୍ବାଦ’ର ଜିଲ୍ଲା ସାମ୍ବାଦିକ ସନ୍ଦିପ କୁମାର ଓ ରଣପୁରର ଯୁବ ସାମ୍ବାଦିକ ରଞ୍ଜନ ପରିଡ଼ା ପ୍ରମୁଖ ଉପସ୍ଥିତ ଥିଲେ। ସମସ୍ତ ଅତିଥି ମାନେ ଆୟୋଜକମାନଙ୍କୁ ପ୍ରଶଂସା କରି ଏପରି ସାମୂହିକ ଉଦ୍ୟମ ସମାଜରେ ଏକତା ଓ ସାମ୍ପ୍ରତିକ ପରିସ୍ଥିତିକୁ ବଳିୟାନ କରିଥାଏ ବୋଲି କହିଥିଲେ।ନୟାଗଡ଼ ସହରର ବିଭିନ୍ନ ୱାର୍ଡରୁ ଆସିଥିବା ଶ୍ରଦ୍ଧାଳୁମାନଙ୍କ ସହ ଯଦୁମଣି ନଗରର ଆବାଳ ବୃଦ୍ଧ ବନିତା, ମହିଳା, ଯୁବକ ଓ ଯୁବତୀମାନେ ରଙ୍ଗ ଓ ଫଗୁରେ ମଜି ଉତ୍ସବକୁ ଆହୁରି ସରସ ଓ ସୁନ୍ଦର କରିଥିଲେ।












Leave a Reply