ଓଡ଼ିଶା ସାହିତ୍ୟ ଏକାଡେମୀର ଭଞ୍ଜ ସ୍ମୃତିସଭା
ଭଞ୍ଜନଗର, ୨୭ ଫେବୃଆରୀ (ଦର୍ଶନ ସମୀକ୍ଷା)
ଦେବଭୂମି ବେଦ ଭୂମି ଭାରତବର୍ଷର ଯେଉଁ କେତୋଟି ସାରସ୍ଵତ ପୀଠ ରହିଛି ତନ୍ମଧ୍ୟରୁ ଓଡ଼ିଶାର ଅନ୍ୟତମ ପ୍ରାଚୀନ ପବିତ୍ର ସାରସ୍ବତ ପୀଠ ଘୁମୁସର ଅଗ୍ରଗଣ୍ୟ। ଓଡ଼ିଆ ଅସ୍ମିତାକୁ ବାସ୍ତବ ରୂପାୟନ କରିଥିବା ଯୋଗଜନ୍ମା ସାଧକ କବିସମ୍ରାଟଙ୍କ ନାମାନୁସାରେ ନାମିତ ଭଞ୍ଜନଗର ସହରର ନାଭି କେନ୍ଦ୍ରରେ ଅବସ୍ଥିତ ନିୟନ୍ତ୍ରିତ ବଜାର କମିଟିର ସଭାକକ୍ଷରେ କବିସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ସ୍ମୃତି ସଭା ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମର ଉଦ୍ଯୋକ୍ତା ଥିଲେ ଓଡ଼ିଶା ସାହିତ୍ୟ ଏକାଡେମୀ ଏବଂ ସକ୍ରିୟ ସହଯୋଗ କରିଥିଲେ ଭଂଜନଗରସ୍ଥ ଉପେନ୍ଦ୍ର ଭଞ୍ଜ ସାହିତ୍ୟ ସଂସଦ।
ସାହିତ୍ୟ ଏକାଡେମୀ ତରଫରୁ ଏହି କାର୍ଯ୍ୟକ୍ରମକୁ ନେଇ ଆସିଥିଲେ ଉପ ସଚିବ ସଂଜୟ କୁମାର ଛୁଆଳ ସିଂ। ଜଗତର ନାଥ ଜଗନ୍ନାଥ ଓ ଉପେନ୍ଦ୍ର ଭଞ୍ଜଙ୍କ ତୈଳ ଚିତ୍ରରେ ଅତିଥିମାନେ ପୁଷ୍ପମାଲ୍ୟ ଅର୍ପଣ ଓ ପୂଜାର୍ଚ୍ଚନା କରିଥିଲେ । ଏହି ଅବସରରେ ମୁଖ୍ୟ ଅତିଥି ଭଞ୍ଜ ଗବେଷକ ଡ କମ୍ବୁପାଣି ପାଣି ସାମନ୍ତ ମୁଖ୍ୟ ବକ୍ତା ପ୍ରଫେସର ପୂର୍ଣ୍ଣଚନ୍ଦ୍ର ମହାପାତ୍ର , ବିଶିଷ୍ଟ ଅତିଥି ନାଟ୍ୟକାର ବିଜୟ ଦାଶ , ସମ୍ମାନୀତ ଅତିଥି ରବୀନ୍ଦ୍ରନାଥ ଆଚାର୍ଯ୍ୟ, ଆଇନଜୀବୀ ସୋମନାଥ ନାୟକ, ଚିନ୍ମୟ ବେବର୍ତ୍ତା, ସାହିତ୍ୟ ଏକାଡେମୀ ପ୍ରତିନିଧି ସଂଜୟ କୁମାର ଛୁଆଳ ସିଂ ଙ୍କ ସମେତ ଭଞ୍ଜ ଗବେଷକ ଡକ୍ଟର ସୁରେଶ ଚନ୍ଦ୍ର ପଣ୍ଡାଙ୍କ ପୌରୋହିତ୍ୟ ଏବଂ ଭଞ୍ଜ ସାହିତ୍ୟାନୁରାଗୀ କ୍ରମାଗତ ଦ୍ୱିତୀୟ ଥର ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପ୍ରାପ୍ତ ସ୍ଥାନୀୟ ଉପେନ୍ଦ୍ର ଭଞ୍ଜ ଉଚ୍ଚ ବିଦ୍ୟାଳୟର ଶିକ୍ଷକ ଶ୍ୟାମା ପ୍ରସାଦ ମିଶ୍ରଙ୍କ ସଂଯୋଜନାରେ ପ୍ରଦୀପ ପ୍ରଜ୍ଜ୍ଵଳନ କରାଯାଇ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା । ଅଧ୍ୟାପକ ଅଶୋକ କୁମାର ସ୍ୱାଇଁ ଓ ଅଧ୍ୟାପକ ଦୁର୍ଗା ମାଧବ ଦାଶ, ଗଣେଶ୍ୱର ସାହୁ ଓ ଅଧ୍ୟାପକ ଲୋକନାଥ ମହାନ୍ତିଙ୍କ ଦ୍ବାରା ପ୍ରାରମ୍ଭିକ ସଙ୍ଗୀତ ଗାନ କରିଥିଲେ I ଶିକ୍ଷକ ଶ୍ରୀ ମିଶ୍ର ଅତିଥି ପରିଚୟ ପ୍ରଦାନ କରିବା ସହ ନିଜର ଭଂଜ ସାହିତ୍ୟରେ ଥିବା ପ୍ରବେଶକୁ ଏକ କାବ୍ୟିକ ଝଲକ ମାଧ୍ୟମରେ ଉପସ୍ଥାପନା କରିଥିଲେ ଏବଂ ଉପେନ୍ଦ୍ର ଭଞ୍ଜ ଓଡ଼ିଆ ଜାତିର କର୍ଣ୍ଣଧାର ବୋଲି କହିଥିଲେ । ଡକ୍ଟର ସୁରେଶ ଚନ୍ଦ୍ର ପଣ୍ଡାଙ୍କ ସଭାପତିତ୍ୱରେ ଆୟୋଜିତ ଏହି ସମାରୋହରେ ମୁଖ୍ୟ ଅତିଥି ମାଟିର ବରପୁତ୍ର କବିସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ସାରସ୍ଵତ ପ୍ରତିଭା ବିଶ୍ବ ଦରବାରରେ ଓଡିଆ ଅସ୍ମିତାକୁ ପରିଚିତ କରାଇଥିବା ବର୍ଣ୍ଣନା କରିଥିଲେ । ଓଡ଼ିଶାର ବିଶିଷ୍ଟ ସ୍ତମ୍ଭକାର ଶ୍ରୀ ଦାଶ ଭଞ୍ଜ ସାହିତ୍ୟରେ ଜଗନ୍ନାଥଙ୍କ କଥାମୃତ ମାଧ୍ୟମରେ ଓଡ଼ିଆ ଅସ୍ମିତା ଏବଂ ଭଂଜ ସାହିତ୍ୟରେ ଆଧ୍ୟାତ୍ମିକ ଏବଂ ସମାଜ ଚେତନା, ଶବ୍ଦ ଚାତୁରୀ, ରସ ଏବଂ ସୌନ୍ଦର୍ଯ୍ୟବୋଧ , ଓଡ଼ିଆ ଅସ୍ମିତା ଭଂଜ ସାହିତ୍ୟରେ ବାରମ୍ବାର ପ୍ରତିଫଳନର ଦୃଷ୍ଟାନ୍ତ ଦେଇ ଏକ ସାରଗର୍ଭକ , ମାର୍ମିକ ଓ ତାତ୍ତ୍ବିକ ଆଲୋଚନା କରିଥିଲେ । ସଂସ୍କୃତ ସାହିତ୍ୟ ସହିତ ଉପେନ୍ଦ୍ର ଭଞ୍ଜଙ୍କ କାବ୍ୟର ଉତ୍କର୍ଷ ସହ ଏକ ତୁଳନାତ୍ମକ ଚିତ୍ର ଉପସ୍ଥାପନ ସହ ଆଲୋଚନା କରି ଉପସ୍ଥିତ ଜନସାଧାରଣଙ୍କୁ ସ୍ଵକୀୟ ବାଗ୍ମିତାରେ ଅଭିଭୂତ କରିଥିଲେ । ସଭାମୁଖ୍ଯ ଡଃ ପଣ୍ଡା ଭଞ୍ଜଙ୍କ କାବ୍ୟରେ ଥିବା ସକାରାତ୍ମକ ଚେତନାର ବହୁ ଦୃଷ୍ଟାନ୍ତ ଦେଇ ଭଞ୍ଜ ସାହିତ୍ୟର ଅଧ୍ୟୟନକାରୀ ଓ ଅନୁଗାମୀ ହେବାପାଇଁ ଆହ୍ବାନ ଦେଇଥିଲେ। ମୁଖ୍ୟ ବକ୍ତା ଶ୍ରୀ ମହାପାତ୍ର ଭଂଜଙ୍କ ଅତୁଳନୀୟ କଳାକୁ ଲୋକପ୍ରିୟ କରିବାରେ ସମସ୍ତେ ହାତ ମିଳାଇ କାର୍ଯ୍ୟ କରିବା ନିମନ୍ତେ ଆହ୍ବାନ ଦେଇଥିଲ ଏବଂ ଉପେନ୍ଦ୍ର ଭଞ୍ଜଙ୍କ ଓଡ଼ିଆ ଭାଷାକୁ ସଂସ୍କୃତ ସାହିତ୍ୟର ସମକକ୍ଷ କରାଇବାକୁ ଉଦ୍ୟମ , ଭଞ୍ଜ ବଂଶର ଇତିହାସ, ସାହିତ୍ୟ ସାଧନା ଇତ୍ୟାଦି ଉପରେ ବିଶଦ ଭାବେ ଆଲୋଚନା କରିଥିଲେ । ସମ୍ମାନିତ ଅତିଥି ଶ୍ରୀ ଶିବରାମ ପଣ୍ଡା ଭଞ ସାହିତ୍ୟରେ ଥିବା ସାରଗର୍ଭତାର ଅନେକ ଦୃଷ୍ଟାନ୍ତ ପ୍ରଦାନ କରିଥିଲେ। କବି ପ୍ରଭାତ କୁମାର ଆଚାର୍ଯ୍ୟ ଓ କବି ବିମ୍ବାଧର ଷଡ଼ଙ୍ଗୀଙ୍କୁ ଉନ୍ନତ ସାରସ୍ଵତ ସାଧନା ନିମନ୍ତେ ସମ୍ବର୍ଦ୍ଧିତ କରାଯାଇଥିଲା। ସାମ୍ବାଦିକ ଚିନ୍ମୟ ବେବର୍ତ୍ତା ଧନ୍ୟବାଦ ଅର୍ପଣ କରିଥିଲେ।












Leave a Reply