Spread the love

ବାଲେଲଗୁଡା ଗ୍ରାମ
ଦୀର୍ଘ ବର୍ଷ ଧରି ସୋଲାଲ ପ୍ରକଳ୍ପ ଓ ନଳକୂପ ଅଚଳ
କାମ କରୁନି ସୌରଚାଳିତ ପ୍ରକଳ୍ପ

ମାଲକାନଗିରି :ମନୋଜ ଦେବ ପାଙ୍ଗି (ଦର୍ଶନ ସମୀକ୍ଷା)
ଆରମ୍ଭ ହେଲାଣି ଖରା ଦିନ।ମାଲକାନଗିରି ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଦେଖା ଦେଇଛି ଜଳ ସଙ୍କଟ।ଦୀର୍ଘଦିନ ହେଲା ବିଭିନ୍ନ ସ୍ଥାନରେ ଅଚଳ ହୋଇ ପଡ଼ିରହିଛି ସୌର ଚାଳିତ ପ୍ରକଳ୍ପ।ଏକ ମାତ୍ର ନଳକୂଅ ଉପରେ ଗ୍ରାମବାସୀ ନିର୍ଭର କରି ଚଳୁଛନ୍ତି।ଏହି ନଳକୂପରୁ ଆବଶ୍ୟକ ଅନୁସାରେ ପାଣି ବାହାରୁ ନ ଥିବାରୁ ଗ୍ରାମବାସୀ ପାଣି ମୁନ୍ଦାଏ ପାଇଁ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।ଗାଁ ଠାରୁ କିଛି ଦୂରରେ ଚିତ୍ରକୋଣ୍ଡା ଡ୍ୟାମ ଥାଇ ମଧ୍ୟ ପାଣି ପାଇଁ ଦୁର୍ଦଶା ଭୋଗୁଛନ୍ତି ଲୋକେ।ଚିତ୍ରକୋଣ୍ଡା ବ୍ଲକ ଟନେଲ କ୍ୟାମ୍ପ ପଞ୍ଚାୟତ ବାଲେଲଗୁଡା ଗ୍ରାମରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି।
ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାୟୀ,ପ୍ରାୟ ୫ ବର୍ଷରୁ ଉର୍ଦ୍ଧ ଦିନ ହେବ ଗାଁରେ ଅଚଳ ହୋଇ ପଡିଛି ସୌର ଚାଳିତ ପାନୀୟ ଜଳ ପ୍ରକଳ୍ପ।
ଦୁଇଟି ମଧ୍ୟରୁ ଗୋଟିଏ ଦୀର୍ଘ ବର୍ଷ ହେବ ସମ୍ପୂର୍ଣ ଭାବେ ଅଚଳ ହୋଇ ପଡିଛି।ଅନ୍ୟ ଏକ ପ୍ରକଳ୍ପରୁ ବାହାରୁଥିବା ପାଣି ତାହା ଲୋକଙ୍କ ଲାଗି ନିଅଣ୍ଟ ହେଉଛି।ପୋଖରୀ କିମ୍ବା ଆଖ ପାଖରେ ନଦୀ ନାଳ ନାହିଁ।ଏହି ଗାଁରେ ବସବାସ କରୁଥିବା ପ୍ରାୟ ୩୦ ରୁ ଉର୍ଦ୍ଧ ପରିବାର ଏବଂ ଗାଇ ଗୋରୁ ଓ ବିଭିନ୍ନ ପ୍ରକାର ଗୃହ ପାଳିତ ପ୍ରାଣୀ
ଜଳ ମୁନ୍ଦାଏ ପାଇଁ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।ଗାଁ ଠାରୁ ପ୍ରାୟ ୩ କି.ମି ଦୂରରେ ଥିବା ଗ୍ରାମକୁ ଯାଇ ପିଡିଏସ ସାମଗ୍ରୀ ଆଣିବାକୁ ବାଧ୍ୟ ହେଉଛନ୍ତି।ଭଲ ମନ୍ଦ କାର୍ଯ୍ୟ ସଭା ସମିତି ପାଇଁ ଗାଁରେ ଏକ କମ୍ୟୁନିଟି ସେଣ୍ଟର କିମ୍ବା ଅଙ୍ଗନାୱାଡି କେନ୍ଦ୍ର ନାହିଁ।ଗାଁ ଠାରୁ କିଛି ଦୂର ଡାଇକ-୧ ଗ୍ରାମରେ ରହିଛି ଅଙ୍ଗନାୱାଡି କେନ୍ଦ୍ର।
ବହୁ ଦୂର ହେଉ ଥିବାରୁ ଗାଁର ଶିଶୁ ମାନେଉକ୍ତ କେନ୍ଦ୍ରକୁ ଆଦୌ ଯାଉନଥିବା ଗ୍ରାମବାସୀ କହିଛନ୍ତି।ଗାଁରେ ପକ୍କା ରାସ୍ତା କରାଯାଇନାହିଁ
ଯାହା ଫଳରେ ଲୋକେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।ଗାଁରେ ଲାଗି ରହିଥିବା ବିଭିନ୍ନ ସମସ୍ୟା ଗୁଡିକର ସ୍ଥାୟୀ ସମାଧାନ ପାଇଁ ଗ୍ରାମବାସୀ ପଞ୍ଚାୟତ କତୃପକ୍ଷ, ବ୍ଲକ ପ୍ରଶାସନଙ୍କ ଠାରୁ ଆରମ୍ଭ କରି ଗ୍ରାମ୍ୟ ଜଳ ଓ ପରିମଳ ବିଭାଗର କନିଷ୍ଠଯନ୍ତ୍ରୀ ଏବଂ ଜନ ପ୍ରତିନିଧିଙ୍କ ନିକଟରେ ବହୁବାର ଅଭିଯୋଗ କରିଥିଲେ ବି କେହି କର୍ଣ୍ଣପାତ କରୁନାହାନ୍ତି ବୋଲି ଗାଁ ମୁଖିଆ ଗୋପୀ ବଡନାୟକ,ଧନିଆ ଗୋଲରୀ, ଘେନୁ ଗୋଲରୀ, ଧବୁଲୁ ଗୁଣ୍ଟା ରାମ ବଡନାୟକ, ଦୈମତି ଖରା,ସୁବର୍ଣ୍ଣ ଗୋଲରୀଙ୍କ ସମେତ ସମସ୍ତ ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଏ ସମ୍ପର୍କରେ ଟନେଲକ୍ୟାମ ପଞ୍ଚାୟତର ନିର୍ବାହୀ ଅଧିକାରୀ ହେମନ୍ତ କୁମାର ଭୂୟାଁଙ୍କୁ ପଚାରିବାରୁ ସେ କହିଛନ୍ତି ଯେ,ଅଚଳ ହୋଇଥିବା ପ୍ରକଳ୍ପ ଗୁଡିକର ମେଣ୍ଟେନାନ୍ସ ଗ୍ରାମ୍ୟ ଜଳ ଓ ପରିମଳ ବିଭାଗ ପକ୍ଷରୁ କରିବା କଥା।ଗ୍ରାମର ଡ୍ରେନ ନିର୍ମାଣ କାର୍ଯ୍ୟ ସରିଛି। ଅନ୍ୟାନ୍ୟ ଉନ୍ନୟନ ମୂଳକ କାର୍ଯ୍ୟ ଗୁଡିକୁ ବିକଶିତ ଗ୍ରାମ ଓ ବିକଶିତ ଓଡିଶା ଯୋଜନାରେ କରାଯିବ ବୋଲି ସେ କହିଛନ୍ତି।ଏ ସମ୍ପର୍କରେ ଗ୍ରାମ୍ୟ ଜଳ ଓ ପରିମଳ ବିଭାଗର କନିଷ୍ଠଯନ୍ତ୍ରୀ ନିତ୍ୟାନନ୍ଦ ମହାନ୍ତିଙ୍କୁ ପଚାରିବାରୁ ସେ କହିଛନ୍ତି ଯେ, ମୁଁ ଖୁବ ଶୀଘ୍ର ଉକ୍ତ ଗ୍ରାମକୁ ଯାଇ ଉକ୍ତ ସୌର ଜଳ ପ୍ରକଳ୍ପର ମରାମତି କରାଯିବ ବୋଲି ସେ କହିଛନ୍ତି।

Leave a Reply

Your email address will not be published. Required fields are marked *