ମାଲକାନଗିରି କଲେଜରେ ୪୫ ତମ ବାର୍ଷିକ ଉତ୍ସବ ପାଳନ।
ମାଲକାନଗିରି ମନୋଜ ଦେବ ପାଙ୍ଗି (ଦର୍ଶନ ସମୀକ୍ଷା)
ମାଲକାନଗିରି ଜିଲ୍ଲା ସଦରରେ ଅବସ୍ଥିତ ମାଲକାନଗିରି ଜିଲ୍ଲାର ସର୍ବପ୍ରାଚୀନ ମାଲକାନଗିରି କଲେଜରେ ୪୫ତମ ବାର୍ଷିକ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି। କଲେଜର ପ୍ରିନ୍ସିପାଲ ଚିତ୍ତରଞ୍ଜନ ବାରିକଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଅନୁଷ୍ଠିତ ଉକ୍ତ ସମାରୋହରେ, ମୁଖ୍ୟ ଅତିଥି ଭାବରେ ମାଲକାନଗିରି ବିଧାୟକ ନରସିଂହ ମାଡ଼କାମି, ସମ୍ମାନିତ ଅତିଥି ଭାବରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ସମାରୀ ତାଙ୍ଗୁଲ, ଓଡ଼ିଶା ୟୁନିୟନ ଅଫ୍ ଜର୍ଣ୍ଣାଲିଷ୍ଟସ ର ସମ୍ପାଦକ ତଥା ମାଲକାନଗିରି ୟୁନିୟନ ଅଫ୍ ଜର୍ଣ୍ଣାଲିଷ୍ଟସ ର ସଭାପତି ଦେବପ୍ରସାଦ ଦାଶ, ଉତ୍କଳ ସାମ୍ବାଦିକ ସଂଘର ସଭାପତି ଅଶୋକ କୁମାର ମିଶ୍ର, ନବରଙ୍ଗପୁର ସାଂସଦ ପ୍ରତିନିଧି ବିଜୟ କୁମାର ମହାରଣା, ଅଧ୍ୟାପକ ପ୍ରମୋଦ ପରିଡ଼ା ଏବଂ ଗୁପ୍ତେଶ୍ୱର ରାଓ ମଞ୍ଚାସୀନ ଥିଲେ ଏବଂ ସେମାନେ ସମାରୋହରେ ଉପସ୍ଥିତ, ଅଧ୍ୟାପକ ଅଧ୍ୟାପିକା ଏବଂ ଛାତ୍ରଛାତ୍ରୀ ମାନଙ୍କୁ ଉଦବୋଧନ ଦେଇଥିଲେ । ଦୀର୍ଘ ୪୫ ବର୍ଷ ଧରି ମାଲକାନଗିରି ପରି ଆଦିବାସୀ ଅଧ୍ୟୁଷିତ ଏକ ଉପାନ୍ତ ଜିଲ୍ଲାରେ ଏହି ମହାବିଦ୍ୟାଳୟରୁ ଅଧ୍ୟୟନ କରି ବହୁ ଛାତ୍ର ଛାତ୍ରୀ ରାଜ୍ୟ,ଦେଶ ତଥା ବିଦେଶରେ ମଧ୍ୟ ନାଁ କରିଥିବା କଥା ଉଲ୍ଲେଖ କରି ଏହି କଲେଜର ଅତୀତ ଓ ବର୍ତ୍ତମାନର ଅଧ୍ୟାପକ ଅଧ୍ୟାପିକା ମାନଙ୍କୁ ଭୂୟସୀ ପ୍ରଶଂସା କରିଥିଲେ। ଏଥିସହିତ ଛାତ୍ରଛାତ୍ରୀମାନଙ୍କୁ ମନଦେଇ ପାଠ ପଢ଼ି, ଉଜ୍ଜ୍ୱଳ ଭବିଷ୍ୟତ ଗଢ଼ିବା ସଙ୍ଗେ ସଙ୍ଗେ ଓଡ଼ିଶା ତଥା ଦେଶର ନାମ ଉଜ୍ଜ୍ୱଳ କରିବା ପାଇଁ ମଧ୍ୟ ଅତିଥି ମାନେ ପରାମର୍ଶ ଦେଇଥିଲେ। ଓ ୟୁଜେ ର ସମ୍ପାଦକ ତଥା ଏମ ୟୁ ଜେ ର ସଭାପତି ଦେବପ୍ରସାଦ ଦାଶ ଏବଂ ଉତ୍କଳ ସାମ୍ବାଦିକ ସଂଘର ସଭାପତି ଅଶୋକ ମିଶ୍ର ମାଲକାନଗିରି ଜିଲ୍ଲାର ସବୁଠାରୁ ପୁରୁଣା କଲେଜ କୁ ସରକାର ଆଜି ପର୍ଯ୍ୟନ୍ତ କାହିଁକି ଅଧିଗ୍ରହଣ କରିନାହାଁନ୍ତି ବୋଲି ଆଶ୍ଚର୍ଯ୍ୟ ପ୍ରକାଶ କରିଥିଲେ ଏବଂ ଏହି ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲାର ଗରିବ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଶିକ୍ଷାର ପ୍ରସାର ନିମନ୍ତେ, ଅତିଶୀଘ୍ର ସରକାର ଏହି କଲେଜକୁ ସରକାରୀ ମାନ୍ୟତା ପ୍ରଦାନ କରିବା ପାଇଁ ଦାବି କରିଥିଲେ। ଯେତେ ଦିନ ପର୍ଯ୍ୟନ୍ତ ସରକାର ଏ କଲେଜକୁ ଅଧିଗ୍ରହଣ ନ କରୁଛନ୍ତି ସେତେଦିନ ପର୍ଯ୍ୟନ୍ତ ଜଣେ ସାମ୍ବାଦିକ ଏବଂ ସଂଘର ସଭାପତି ତଥା ସମ୍ପାଦକ ହିସାବରେ ସରକାରଙ୍କ ନିକଟରେ ତାଙ୍କ ଦାବି ଉପସ୍ଥାପନ କରିବେ ଏବଂ ଏ କଲେଜ ସରକାରୀ ମାନ୍ୟତା ନ ପାଇବା ପର୍ଯ୍ୟନ୍ତ ତାଙ୍କ ପ୍ରଚେଷ୍ଟା ଜାରି ରଖିବେ ବୋଲି ଶ୍ରୀ ଦାସ ଛାତ୍ରଛାତ୍ରୀ ଏବଂ ଉପସ୍ଥିତ ଜନସାଧାରଣଙ୍କୁ ପ୍ରତିଶ୍ରୁତି ଦେଇଥିଲେ। ମାଲକାନଗିରି ବିଧାୟକ ତାଙ୍କ ଅଭିଭାଷଣରେ ଦେଶ ତଥା ରାଜ୍ୟର ଉନ୍ନତି ପାଇଁ ମୋଦି ସରକାର ଏବଂ ମୋହନ ମାଝୀ ସରକାରଙ୍କ ଦ୍ଵାରା ନିଆଇଥିବା ବିଭିନ୍ନ ଉନ୍ନୟନମୂଳକ ଯୋଜନା ବିଷୟରେ ସମସ୍ତଙ୍କୁ ଅବଗତ କରାଇବା ସହିତ ଏ କଲେଜକୁ ସରକାର ଅଧିଗ୍ରହଣ କରିବା ପାଇଁ ଆବଶ୍ୟକ ହେଉଥିବା ସମସ୍ତ କାଗଜପତ୍ର ତିଆରି କରିବା ପାଇଁ କଲେଜ କର୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଥିଲେ ଏବଂ ଏହି କଲେଜକୁ ସରକାରୀ କଲେଜରେ ପରିଣତ କରିବା ପାଇଁ ସମସ୍ତ ପ୍ରକାର ପଦକ୍ଷେପ ନେବେ ବୋଲି ଘୋଷଣା କରିଥିଲେ। ଏହାପରେ ଅତିଥି ମାନଙ୍କ ଦ୍ଵାରା ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା । ଶେଷରେ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ଦ୍ଵାରା ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।












Leave a Reply