ମାର୍କେଟୟାର୍ଡ ପାଇଁ କୋଟିଏ ଟଙ୍କାର ଜମି ଦାନ କରି ଚର୍ଚ୍ଚାରେ “ଭୋଏ” ପରିବାର
ଭୁବନେଶ୍ୱର,୧୪|୦୨ (ଦର୍ଶନ ସମୀକ୍ଷା)
ଆଜିକାଲିର ସ୍ୱାର୍ଥ ସମ୍ବଳିତ ଦୁନିଆରେ ବିନା ସ୍ୱାର୍ଥରେ କେହି ଟଙ୍କାଟିଏ ଦାନ କରୁ ନଥିବା ବେଳେ ନିଜର ୧କୋଟିରୁ ଉର୍ଦ୍ଧ୍ବ ମୂଲ୍ୟର ଜମିକୁ ସରକାରଙ୍କୁ ହସ୍ତାନ୍ତର କରି ଏକ ଅନନ୍ୟ ଉଦାହରଣ ସୃଷ୍ଟି କରିଛନ୍ତି ବରଗଡ଼ ଜିଲ୍ଲା ସମଲେଇ ପଦର ଗ୍ରାମର “ଭୋଏ” ପରିବାର। ସୂଚନା ମୁତାବକ ବରଗଡ଼ ଜିଲ୍ଲା ବରପାଲି ବ୍ଲକ କୁମ୍ଭାରି ପଞ୍ଚାୟତ ଅନ୍ତର୍ଗତ ସମଲେଇପଦର ଗ୍ରାମରେ ଏକ ନୂତନ ମାର୍କେଟୟାର୍ଡ଼ ସ୍ଥାପନ ପାଇଁ ଗୋଟିଏ ପରିବାର ପ୍ରାୟ କୋଟିଏ ଟଙ୍କାରୁ ଉର୍ଦ୍ଧ୍ବ ମୂଲ୍ୟର ଜମି ଦାନ କରିଥିବା ଜଣାପଡ଼ିଛି।

ଗ୍ରାମରେ ଧାନ ସଂଗ୍ରହ କରିବା ପାଇଁ ଗୋଟିଏ ମାର୍କେଟୟାର୍ଡ କରିବାକୁ ବହୁ ଦିନରୁ ଦାବି ହେଇ ଆସୁଥିଲେ ମଧ୍ୟ ସରକାରୀ ଜମି ନ ଥିବାରୁ ତାହା ସମ୍ଭବ ହୋଇ ପାରୁନଥିଲା। ଶେଷରେ ଗ୍ରାମର ହୀରାଧର ପ୍ରଧାନଙ୍କ ନେତୃତ୍ବରେ ତଥା ସ୍ଥାନୀୟ ଆର.ଏମ.ସି ସମ୍ପାଦକ ଗୋବିନ୍ଦ ନାଗ ଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ସମଲେଇ ପଦର ଗ୍ରାମର ବଳିଷ୍ଠ ଭୋଏ, ମେଘ ଭୋଏ, ଥାବ ଭୋଏ, ନବ ଭୋଏ ଏବଂ ସୁରୁବୁଇ ଭୋଏ ସ୍ଵଇଚ୍ଛାରେ ନିଜର ପ୍ରାୟ ୬୭ ଡିସିମିଲ ଜମିକୁ, ବରଗଡ଼ ଜିଲ୍ଲାପାଳ ଆଦିତ୍ୟ ଗୋୟଲଙ୍କ ନିର୍ଦ୍ଦେଶକ୍ରମେ ସରକାରଙ୍କ ଉଦ୍ଦେଶ୍ୟରେ ବରଗଡ଼ ଆର.ଏମ.ସି ସମ୍ପାଦକ ଗୋବିନ୍ଦ ନାଗ ଓ ବରପାଲି ତହସିଲଦାର ରୁକ୍ମଣ ମେହେରଙ୍କ ଉପସ୍ଥିତିରେ ମାର୍କେଟୟାର୍ଡ ନିମନ୍ତେ ରେଜିଷ୍ଟ୍ରି କରିଛନ୍ତି। ଜମିର ଆନୁମାନିକ ମୂଲ୍ୟ ପ୍ରାୟ ୧କୋଟି ଟଙ୍କାରୁ ଉର୍ଦ୍ଧ୍ବ ହେବ ବୋଲି ଜଣାପଡ଼ିଛି । ଏହି ରେଜିଷ୍ଟ୍ରି ସମ୍ପାଦନା ସମୟରେ ଗ୍ରାମର ଭଗବାନ ପଧାନ, କେଶବ କଠାର,କୃଷ୍ଣଚନ୍ଦ୍ର ମହାକୁଡ, ଶେଷ ଦୀପ, ବିପିନ ବେହେରା ପ୍ରମୁଖ ଉପସ୍ଥିତ ଥିବାବେଳେ ଆଇନିଜୀବୀ ପ୍ରତାପ ସିଂ ଏବଂ ଶରତ ଚନ୍ଦ୍ର ଦାସ ରେଜିଷ୍ଟ୍ରି କାର୍ଯ୍ୟ ସମ୍ପାଦନ କରିଥିଲେ। ତେବେ ଭୋଏ ପରିବାରର ଏଭଳି ମହତ୍ୱପୂର୍ଣ୍ଣ କାର୍ଯ୍ୟ ତଥା ଆର.ଏମ.ସି ସମ୍ପାଦକ ଗୋବିନ୍ଦ ନାଗ ଙ୍କ ଏଭଳି ଐତିହାସିକ ପ୍ରଚେଷ୍ଟାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ସାହ ଖେଳି ଯାଇଛି। ଏହାଦ୍ୱାରା ସ୍ଥାନୀୟ ଅଞ୍ଚଳର ଚାଷୀ ମାନେ ବେଶ ଉପକୃତ ହୋଇପାରିବେ। ଗୋଟିଏ ପଟରେ ରାଜ୍ୟ ସମବାୟ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ ବରଗଡ଼ ଜିଲ୍ଲାକୁ ଧାନ କ୍ରୟ ର ହବ ଭାବେ ସମଗ୍ର ରାଜ୍ୟରେ ପରିଚିତ କରିବାର ପ୍ରଚେଷ୍ଟା ଜାରି ରଖିଥିବା ବେଳେ ଆର.ଏମ.ସି ସମ୍ପାଦକ ଗୋବିନ୍ଦ ନାଗ ଙ୍କ ଏଭଳି ପ୍ରଚେଷ୍ଟାକୁ ସାଧାରଣରେ ପ୍ରଶଂସା କରାଯାଉଥିବା ଦେଖିବାକୁ ମିଳୁଛି।












Leave a Reply