ମୂଲ୍ୟବାନ ଗଳ୍ପ//ଜହ୍ନମାମୁଁ ଯେପରି ସମସ୍ତଙ୍କର ମାମୁଁ, ରଘୁନାଥପୁର ଗାଆଁର ନଟ ଅଜା ସେହିପରି ସେ ଗାଆଁର ସମସ୍ତଙ୍କର ଅଜା, ବାପା-ସଞ୍ଜୟ ରଥ ଭୁବନେଶ୍ୱର

Spread the love

ମୂରଲୀ
ତିନୋଟି ଅଣୁ ଗଳ୍ପ
ଏକ*

ରମା ବହ୍ଲବ ମିଶ୍ର ପେଶାରେ ଜଣେ ଓକିଲ। ତାଙ୍କ ଓକିଲାତି ପଛରେ ରହିଛି ଏକ ରହସ୍ୟମୟ କାହାଣୀ।ପାଠ ପଢୁଥିବା ସମୟରେ ବାପା ଶଙ୍କର୍ଷଣ ମିଶ୍ର ପୁଅର ମେଧାଶକ୍ତି ଦେଖି ତାକୁ ଜଣେ ଡାକ୍ତର କରିବାପାଇଁ ସ୍ଥିର କରିଥିଲେ।ରମା ବହ୍ଲବ ଡାକ୍ତରୀ ପଢି ଜଣେ ସଫଳ ଚିକିତ୍ସକ ଭାବରେ ନିଯୁକ୍ତି ପାଇ ଚିକିତ୍ସା ମଧ୍ୟ କରିଥିଲେ।ହେଲେ ନିଜ ପେଷାଗତ ଜୀବନରେ ସହକର୍ମୀଙ୍କର ସେବା ପଛରେ ଥିବା ଅର୍ଥ ଚିନ୍ତା ଦେଖି ଚାକିରି ଛାଡି ଓକିଲାତି ପଢ଼ିଲେ। ସେଥିରେ ମଧ୍ୟ କୃତିତ୍ଵର ସହ ଉତ୍ତୀର୍ଣ୍ଣ ହୋଇ ଜଣେ ବରିଷ୍ଠ ଆଇନଜୀବୀଙ୍କ ତତ୍ବାବଧାନରେ ଓକିଲାତି କରିବା ଆରମ୍ଭ କଲେ। କିଛିଦିନ ପରେ ନିଜେ ସ୍ୱୟଂସମ୍ପୂର୍ଣ୍ଣ ଭାବରେ ନିଜର ଆଇନ୍ ବ୍ୟବସାୟ ଆରମ୍ଭ କଲେ।
ରମା ବହ୍ଲବଙ୍କ ମନ କେଉଁଥିରେ ହେଲେ ମାନୁ ନଥିଲା।ସେ ଥିଲେ ଭଗବାନ ଶ୍ରୀକୃଷ୍ଣଙ୍କର ପରମଭକ୍ତ। ପୂଜାପାଠ କରୁଥିବା ସମୟରେ ପ୍ରଳୟ ହୋଇଗଲେବି ସେ ନିଜ ଧ୍ୟାନରୁ ବିଚ୍ୟୁତ ହୁଅନ୍ତି ନାହିଁ।ଏପରିକି ଥରେ ନିଜ ଛଣ ଛପର ଘରେ ପୂଜା ସମୟରେ ନିଆଁ ଲାଗିଯାଇଥିଲା, ମାତ୍ର ଲୋକଙ୍କର ହୋହାଲ୍ଲା ତାଙ୍କୁ ଧ୍ୟାନ ଚ୍ୟୁତ କରିପାରି ନଥିଲା।
ପେସାଗତ ଜୀବନରେ ଥରେ ଗୋଟିଏ ମାମଲାର ଚୂଡାନ୍ତ ଶୁଣାଣି ସମୟରେ ସେ ଧ୍ୟାନରେ ବସିଥିବାରୁ ଅନୁପସ୍ଥିତ ରହିଗଲେ।ସିଆଡେ ତାଙ୍କର ମହକିଲ ବ୍ୟସ୍ତ ହୋଇ ପଡିଲେ।ଏହି ସମୟରେ କେହିଜଣେ କୋର୍ଟରେ ପହଞ୍ଚି ତାଙ୍କର ପ୍ରତିନିଧି ଭାବରେ ନିଜର ପ୍ରମାଣପତ୍ର ଦେଖାଇ ଯୁକ୍ତି ବାଢ଼ିଥିଲେ। ସଫଳ ମଧ୍ୟ ହେଲେ।ଏଥର ମହକିଲ ଖୁସିହୋଇ ରାତିରେ ଓକିଲ ରମା ବହ୍ଲବଙ୍କ ଚାମ୍ବରରେ ପହଞ୍ଚି ନିଜର ଖୁସି ବ୍ୟକ୍ତକରି ଯେତେବେଳେ ପାଉଣା ଦେବା ପାଇଁ ବାହାରିଲେ ରମା ବହ୍ଲବ ପାଉଣା ନେବାକୁ ମନା କରିଦେଲେ। ସେଦିନ ଯିଏ ମହକିଲଙ୍କ ପାଇଁ ଯୁକ୍ତି ରଖିଥିଲେ ସେ ତାଙ୍କର ନାଆଁ ମୂରଲୀଧର ବୋଲି କହିଥିଲେ।
ରମା ବହ୍ଲବ ତାଙ୍କ ମହକିଲଙ୍କଠାରୁ ଏ ସମସ୍ତ ଶୁଣି ସାରି ନିଜର ଆଖି ଲୁହକୁ ଲୁଚାଇବା ପାଇଁ ବାରମ୍ବାର ରୁମାଲରେ ପୋଛି ଚାଲିଥିଲେ।
*
ଦୁଇ
ଜହ୍ନମାମୁଁ ଯେପରି ସମସ୍ତଙ୍କର ମାମୁଁ, ରଘୁନାଥପୁର ଗାଆଁର ନଟ ଅଜା ସେହିପରି ସେ ଗାଆଁର ସମସ୍ତଙ୍କର ଅଜା।ବାପା, ପୁଅ, ନାତି ଏମିତି ବଂଶ ପରାମ୍ପରାକ୍ରମେ ବୟସର କିଛି ବାଛବିଚାର ନଥାଏ ନଟବର ଦାସଙ୍କୁ ନଟ ଅଜା ଡାକିବା ପାଇଁ।ବୟସ ଅଶୀ ଉପରେ ହେବ।ପଚାରିଲେ କହନ୍ତି ଏଇ ଚାରିକୋଡି ସାତ ବର୍ଷ।ରାତି ପାହିଲେ ନଟ ଅଜାଙ୍କ କଣ୍ଠରେ ଭଜନ ଶୁଣାଯାଏ।ଜଣାପଡେ ସତେ ଯେପରି କେଉଁ କୋଡିଏ ତିରିଶି ବର୍ଷ ଯୁବକଟିଏ ସକାଳୁ ସକାଳୁ ଭଜନ ଗାଉଛି।ସଞ୍ଜ ବୁଡୁ ବୁଡୁ ପୁଣି ଥରେ ନଟ ଅଜା କଣ୍ଠର ଭଜନ ଶୁଣିବାକୁ ମିଳେ।
ଅନ୍ୟ ଗୋଟିଏ ଗାଆଁରେ ସେଦିନ ଭଜନ ପ୍ରତିଯୋଗିତା ଥାଏ। ଗାଆଁର ଲୋକମାନେ ନଟ ଅଜାଙ୍କୁ ଗାଆଁ ତରଫରୁ ଭଜନ ଗାଇବା ପାଇଁ ବାଛିଥାନ୍ତି। ହଠାତ୍ ତାଙ୍କ ଦେହ ଖରାପ ହୋଇଗଲା।ପୁଅ ଅମରେନ୍ଦ୍ର ତାଙ୍କୁ କଟକ ବଡ଼ ଡ଼ାକ୍ତରଖାନାରେ ନେଇ ଚିକିତ୍ସା ପାଇଁ ଭର୍ତ୍ତି କରିଥାନ୍ତି। ହଠାତ୍ ଏମିତି ଗୋଟିଏ ସମସ୍ୟା ପାଇଁ ଗାଆଁ ଲୋକେ ଚିନ୍ତିତ ଥାନ୍ତି।ତେଣେ ପ୍ରତିଯୋଗିତାରେ ଆରମ୍ଭ ହୋଇଗଲାଣି। କିଛି ଗାଆଁ ଲୋକେ ଯାଇଁ ପ୍ରତିଯୋଗିତା ସ୍ଥଳରେ ପହଞ୍ଚି ଥାନ୍ତି।
ଠିକ୍ ସମୟରେ ଗୋଟିଏ କଳା ରଙ୍ଗର କାର ଯାଇଁ ମଞ୍ଚ ନିକଟରେ ପହଞ୍ଚିଲା।ନଟ ଅଜା ସେଥିରୁ ବାହାରି ତାଙ୍କ ସୁଲଳିତ କଣ୍ଠରେ ଭଜନଟି ଗାଇଦେଲେ।ଆଶ୍ଚର୍ଯ୍ୟର କଥା।ନଟ ଅଜାଙ୍କ ଭଜନ ଶ୍ରେଷ୍ଠ ଭଜନର ମାନ୍ୟତା ଲାଭ କଲା।
ନଟ ଅଜା ମଞ୍ଚ ତଳକୁ ଓହ୍ଲାଇ ସେହି ଗାଡିରେ ବସିଲେ।ଆଉ ତାଙ୍କୁ କେହି ଦେଖିବାକୁ ପାଇଲେ ନାହିଁ। ଗାଡ଼ିର ଡ୍ରାଇଭରକୁ ତାର ନାଆଁ ପଚାରିବାରୁ ସେ କହିଲା ତାର ନାଆଁ ମୂରଲୀଧର।
ଦୁଇଦିନ ପରେ କଟକରୁ ନଟ ଅଜାଙ୍କୁ ଧରି ପୁଅ ଯେତେବେଳେ ଗାଆଁକୁ ଫେରି ଏହି ଘଟଣା ଶୁଣିଲେ ସେ ଆଶ୍ଚର୍ଯ୍ୟ ହେଲେ। ଠିକ୍ ସେହି ସମୟରେ ନଟ ଅଜାଙ୍କର ଶଲ୍ୟ ଚିକିତ୍ସା ପାଇଁ ତାଙ୍କୁ ନିଶ୍ଚେତକ ଦେଇ ସଂଜ୍ଞାହୀନ କରାଯାଇଥିଲା।
*
ତିନି
ଡାକ୍ତରମାନେ ପ୍ରସ୍ତୁତ।କିଛି ସମୟ ପରେ ଅସ୍ତ୍ରୋପଚାର ଆରମ୍ଭ ହେବ। ନଚେତ୍ ରୋଗୀଙ୍କର ମୃତ୍ୟୁ ନିଶ୍ଚିନ୍ତ ବୋଲି ଡାକ୍ତରୀଦଳ ପୁଅଙ୍କୁ ଜଣାଇ ଦେଇଛନ୍ତି।ପୁଅ କିଛି ଭାବି ପାରୁନଥାନ୍ତି। ବାରମ୍ବାର ଏଣେତେଣେ ଅନ୍ୟମାନଙ୍କ ପରାମର୍ଶ ନେଉଥାନ୍ତି।ତାଙ୍କ ମନ ମାନୁନଥାଏ।ସତରେ କଣ ବାପା ଅପରେସନ ନହେଲେ ମୃତ୍ୟୁ ବରଣ କରିବେ?
ଅନନ୍ୟୋପାୟ ହୋଇ ନିଜ ପତ୍ନୀଙ୍କୁ ଜଣାଇଲେ।ପରେ ପରେ ନିଜର ଶ୍ଵଶୁରଙ୍କୁ ଏହି ଆକସ୍ମିକ ଖବରଟି ଜଣାଇ ପରାମର୍ଶ ଲୋଡିଲେ। ଶ୍ଵଶୁର ଅତି ନିର୍ଭୀକ ଭାବରେ ଜଣାଇଲେ, ଅପେକ୍ଷା କର।କିଛି ଅସୁବିଧା ହେବନି।ସେ ପ୍ରଭୁ ଶ୍ରୀଜଗନ୍ନାଥ, ମୂରଲୀଧରଙ୍କ ପରମ ଭକ୍ତ,ସେବକ। ଅପେକ୍ଷା କର।
ସତକୁ ସତ ଗୋଟିଏ ଦିନ ପରେ ତାଙ୍କର ପରିବାର ଡାକ୍ତର ଯାଇଁ ପହଞ୍ଚି ପରୀକ୍ଷା ନିରୀକ୍ଷା କରି ସେ ସୁସ୍ଥ ଥିବାର ଜଣାଇଲେ।ରୋଗୀ ଜଣକ ସୁସ୍ଥ ମଣିଷ ପରି ଉଠି ବସିଲେ ଏବଂ ଘରକୁ ଫେରି ପୂର୍ବପରି ତାଙ୍କର ନିତ୍ୟ ନୈମିତ୍ତିକ କାର୍ଯ୍ୟ କରିବାରେ ବ୍ୟସ୍ତ ରହିଲେ।
ସଞ୍ଜୟ ରଥ ✍️

Leave a Reply

Your email address will not be published. Required fields are marked *