ବଡବିଲ ରେ ସଶସ୍ତ୍ର ବ୍ୟାଙ୍କ ଡକାୟତି//ବନ୍ଧୁକ ମୁନରେ ନେଇଗଲେ ନଗଦ ୮ ଲକ୍ଷ ଟଙ୍କା ଏବଂ ୪ କୋଟିରୁ ଅଧିକ ଟଙ୍କାର ଜୁଏଲାରୀ

Spread the love

ସଶସ୍ତ୍ର ବ୍ୟାଙ୍କ ଡକାୟତି
ତା-19-01-2025
(ଦର୍ଶନ ସମୀକ୍ଷା), ବଡ଼ବିଲ

ବଡ଼ବିଲରେ ବଡ଼ ଧରଣର ବ୍ୟାଙ୍କ୍ ଲୁଟ୍
ବ୍ୟାଙ୍କ୍ ଅଫ ମହାରାଷ୍ଟ୍ର ଶାଖାରୁ ହୋଇଛି ସଶସ୍ତ୍ର ଡକାୟତି । ବନ୍ଧୁକ ମୁନରେ ନଗଦ ୮ ଲକ୍ଷ ଟଙ୍କା ଏବଂ ୪ କୋଟିରୁ ଅଧିକ ଟଙ୍କାର ଜୁଏଲାରୀ ଲୁଟ ହୋଇଥିବା କୁହାଯାଉଛି । ବଡ଼ବିଲ – ବଲାଣି ରାସ୍ତାର ଟ୍ରକ୍ ୱନର ଆସୋସିଏସନ୍ ଅଫିସ ନିକଟରେ ରହିଥିବା ଏହି ବ୍ୟାଙ୍କ୍ ଅଫ ମହାରାଷ୍ଟ୍ର ଶାଖାକୁ ଦିନ ପ୍ରାୟ ୨ ଟା ୫ ମିନିଟ୍ ସମୟରେ ୫ ରୁ ୬ ଜଣ ଦୃବ୍ରୁର୍ତ୍ତ ମୁଖା ପିନ୍ଧି ଭିତରକୁ ପ୍ରବେଶ କରିଥିଲେ । ଏହାପରେ ବ୍ୟାଙ୍କର ଦୁଇ ଜଣ ଷ୍ଟାଫ୍ ଏବଂ ସେଠାରେ ଥିବା ଗ୍ରାହକଙ୍କୁ ବନ୍ଧୁକ ମୂନରେ ଭୟଭୀତ କରି ସମସ୍ତଙ୍କ ମୋବାଇଲ୍ ନେଇଯିବା ପରେ ଏକ ରୁମରେ ବନ୍ଦ କରିଦେଇଥିଲେ । ପରେ ଟଙ୍କା ଓ ସୁନା ଗହଣା ଲୁଟି ପକାଇଥିଲେ । ପ୍ରାୟ ୧୫/୨୦ ମିନିଟ୍ ଧରି ବ୍ୟାଙ୍କରେ ରହିଥିଲେ ଦୃବୃର୍ତ୍ତ । ତେବେ ଗଲା ସମୟରେ ସେମାନେ ସିସିଟିଭି DVR କୁ ମଧ୍ୟ ସାଥିରେ ନେଇଯାଇଥିଲେ । ତେବେ ମୋବାଇଲ ଗୁଡ଼ିକ ସମସ୍ତଙ୍କୁ ଫେରାଇ ଦେଇଥିଲେ ଦୃବୃର୍ତ୍ତ ।

ଏହି ବ୍ୟାଙ୍କ୍ ମୁଖ୍ୟତଃ ଗୋଲ୍ଡ ଲୋନ୍ ଦେଉଥିବାରୁ ଲୋକେ ଏଠାରେ ସୁନା ଗହଣା ଆଦି ରଖି ଗୋଲ୍ଡ ଲୋନ ନେଇଥାଆନ୍ତି । ଘଟଣାକୁ ଦେଖିଲେ ଲାଗୁଛି ଡକାୟତ ଦଳ ପୂର୍ବରୁ ରେକି କରିଛନ୍ତି ଏବଂ ସୁ ନିୟୋଜିତ ଯୋଜନା ମୁତାବକ ଆଜି ଏହି କାଣ୍ଡ ଭିଆଇଛନ୍ତି । ଖବର ପାଇ ପୋଲିସ ତନାଘନା ଚଳାଇଛି । ଆଖ ପାଖ ଥାନାର ଆଇଆଇସି, ବଡ଼ବିଲ ଏଡିପିଓ ଏବଂ ଅନ୍ୟ ଅଧିକାରୀମାନେ ତଦନ୍ତରେ ସାମିଲ ହୋଇଛନ୍ତି । ସୂଚନା ପାଇବା ମାତ୍ରେ କେନ୍ଦୁଝର ଏସପି ନୀତିନ କୁଶଲକର ଘଟଣା ସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିବା ସହ ବ୍ୟାଙ୍କ୍ କର୍ମଚାରୀ ଏବଂ ଉପସ୍ଥିତ ଗ୍ରାହକଙ୍କୁ ପଚରାଉଚୁରା କରିଛନ୍ତି । ବିଭିନ୍ନ ସଂଯୋଗକାରୀ ରାସ୍ତା ମାନଙ୍କରେ ନାକାବନ୍ଦି କରି ଖାନ୍ ତଲାସୀ କରାଯାଉଛି । ଏଥିସହ ଆଖପାଖ ଅଂଚଳର ସିସିଟିଭି ଫୁଟେଜକୁ ତନ୍ନ ତନ୍ନ କରି ଯାଞ୍ଚ କରୁଛି ପୋଲିସ । ତେବେ ଡକାୟତ ଦଳ କେଉଁ ପଟୁ ଆସିଲେ ଏବଂ କେଉଁ ଆଡ଼କୁ ଗଲେ ତାହାକିଛି ସ୍ପଷ୍ଟ ହୋଇନାହିଁ ।

Leave a Reply

Your email address will not be published. Required fields are marked *