ଭୁଲ
“ଭୁଲ୍”, ମଣିଷ ଜୀବନର ଏକ ସ୍ବଭାବିକ ପ୍ରକ୍ରିୟା।ଏକ ଲମ୍ଵା ଜୀବନ ଯାତ୍ରାରେ କ୍ଷୁଦ୍ର ଭୁଲଟିଏ ଗୋଟିଏ ଭୁଲ୍ ଚିନ୍ତାଧାରାରୁ ସୃଷ୍ଟି ହୋଇଯାଏ।ଅନେକ ଚିନ୍ତା ଭିତରେ ଏମିତି ଏକ ଚିନ୍ତା କେତେବେଳେ ମନ ଭିତରକୁ ପଶି ଆସେ ତାହା ସଚେତନ ବ୍ୟକ୍ତି ମଧ୍ୟ ଜାଣି ପାରେନାହିଁ।
ପିଲାବେଳେ ନିଜର ଅନଭିଜ୍ଞତାରୁ ଭୁଲ୍ ହେବା ସ୍ବଭାବିକ। ମଣିଷ ଏକ ସାମାଜିକ ପ୍ରାଣୀ ହିସାବରେ ଆଗକୁ ବଢିବାକୁ ହେଲେ ସମାଜର ଯେଉଁ ନିତି ନିୟମ ମାନି ଚଳିବାକୁ ହୁଏ ତାହା ଶିଶୁକୁ ଜଣା ନଥାଏ।ଏପରିକି ଶିଶୁଟିଏ ନିଜ ଭଲମନ୍ଦ ମଧ୍ୟ ଜାଣି ପାରେନାହିଁ। ତେଣୁ ଅନେକ ସମୟରେ ସେ କିଛି ଭୁଲ୍ କରିବସେ।କିଶୋର ବୟସରେ ମଧ୍ୟ ତାର ଯଥେଷ୍ଟ ଜ୍ଞାନ ନଥିବାରୁ ଭୁଲ୍ ହେବା ସ୍ବଭାବିକ।ସେପରି ତ୍ରୁଟି ପ୍ରାୟତଃ ଧରା ନଯାଇଁ ତାକୁ ଶିକ୍ଷା ଦିଆଯାଇଥାଏ।
ଶିଶୁ ଓ କିଶୋର ଅବସ୍ଥା ଅତିକ୍ରମ କରି ଯୌବନରେ ପଦାର୍ପଣ କଲେ, ଯୌବନାବସ୍ଥାର ଏକ ନୂଆ ଅନୁଭୂତି ମଣିଷକୁ ଉପଲବ୍ଧ ହୋଇଥାଏ। ଯେଉଁଥିରେ ବାଲ୍ୟାବସ୍ଥାର ଶିକ୍ଷା ପରେ ଯୌନ ଜୀବନର ଅନୁଭୂତି ମଣିଷକୁ ନିଜର ଇଚ୍ଛା ଓ ପସନ୍ଦର ଉପଯୋଗ ପାଇଁ ପ୍ରେରଣା ଯୋଗାଇଥାଏ। ଗୋଟିଏ ପୁଅ ଏବଂ ଗୋଟିଏ ଝିଅ ପରସ୍ପର ପରସ୍ପରର ନିକଟବର୍ତ୍ତୀ ହୋଇ ଆଗକୁ ବଢିବାର ନିଷ୍ପତ୍ତି ନେବାକୁ ଇଚ୍ଛା କରିଥାନ୍ତି।ସେହି ସମୟରେ ଏକ ନୂଆ ଅନୁଭବର ମାର୍ଗରେ ପାଦ ଦେଇ ଆଗକୁ ବଢିବାର ଅଭିଜ୍ଞତା ଆଦୌ ନଥାଏ। ତେଣୁ ଏକ ନୂଆ ଜୀବନର ପ୍ରାରମ୍ଭରେ ଅନେକ ଭୁଲଭଟକା ହେବାର ଆଶଙ୍କା ପ୍ରତି ପଦକ୍ଷେପରେ ରହିଥାଏ।ଯାହା ପରବର୍ତ୍ତୀ ଜୀବନକୁ ପ୍ରଭାବିତ କରେ ଏବଂ ଏହି ସମୟର ଭୁଲର ସଂଶୋଧନ ପ୍ରକ୍ରିୟା ଅତ୍ୟନ୍ତ ଜଟୀଳ ହୋଇଥାଏ।ଅନେକ ସମୟରେ ସମାଜ ସେହି ନିଷ୍ପତ୍ତିକୁ ଗ୍ରହଣ କରି ନପାରେ। ଯାହାଦ୍ବାରା ଯୁବକ ଯୁବତୀ ଦୁହେଁ ସମାଜର ସେହି କଠୋରତାର ସମ୍ମୁଖିନ ହେବାରେ ବିଫଳ ହୋଇ ଆତ୍ମହତ୍ୟା ପରି ଚରମ ପଦକ୍ଷେପ ନେବାକୁ ପଛାନ୍ତି ନାହିଁ। ଯୌବନାବସ୍ଥାରେ କିଛି ଭୁଲ୍ କିପରି ନହେବ ସେଥିପାଇଁ ଘରେ ବାପା ମାଆ କିମ୍ବା ଅନ୍ୟ ଅଭିଜ୍ଞତାଧାରୀ ଅଭିଭାବକମାନେ ଖୁବ୍ ସତର୍କତାର ସହିତ ନିଜ ନିଜ ପିଲାଙ୍କ ଉପରେ ନଜର ରଖିଥାନ୍ତି।
ମଣିଷର ବାର୍ଦ୍ଧକ୍ୟ ଅବସ୍ଥାକୁ ତାର ଚତୁର୍ଥାବସ୍ଥା ବା ଅନ୍ତିମ ଅଵସ୍ଥା ବୋଲି କୁହାଯାଏ।ବାଲ୍ୟ, କୈଶୋର ଏବଂ ଯୌବନାବସ୍ଥା ପରେ ବାର୍ଦ୍ଧକ୍ୟ ଅବସ୍ଥାରେ ଶରୀର କ୍ରମେ ଦୁର୍ବଳ ହେବା ଆରମ୍ଭ ହୁଏ।ଏହି ଅବସ୍ଥାରେ ମଣିଷର ଅତୀତ ଅଭିଜ୍ଞତା ତାକୁ ପରିବାର ପରିଚାଳନାରେ ଭରପୁର ସହଯୋଗ କରେ। ମାତ୍ର ଅନେକ ସମୟରେ ଶରୀରର ଦୁର୍ବଳତା ସାଙ୍ଗକୁ ସ୍ମୃତି ଶକ୍ତି ହ୍ରାସ ଘଟେ। ତେଣୁ ଅତୀତର ଅଭିଜ୍ଞତାକୁ କାର୍ଯ୍ୟକାରୀ କରିବାରେ ସେହି ଦୁର୍ବଳ ସ୍ମୃତି ଶକ୍ତି ଆବଶ୍ୟକୀୟ ସହଯୋଗ ଦେବାପରେ ବ୍ୟର୍ଥ ହୁଏ। ଏହାଦ୍ବାରା କେଉଁଠି ନା କେଉଁଠି ଭୁଲ ହେବା ସ୍ବଭାବିକ।
ଉପରୋକ୍ତ ତିନି ପର୍ଯ୍ୟାୟରେ, ଭୁଲ ପ୍ରଥମେ ବାଲ୍ୟାବସ୍ଥାର ଅନଭିଜ୍ଞତା, ଯୌବନର ବ୍ୟଗ୍ରତା ଓ ବାର୍ଦ୍ଧକ୍ୟର ସ୍ମୃତି ହ୍ରାସ କାରଣରୁ ହୋଇଥାଏ।ଏହାର ଏକମାତ୍ର ନିରାକରଣ ପାଇଁ ଯେଉଁ ପଦ୍ଧତିର ଆବଶ୍ୟକତା ରହିଛି ତାହା ମଧ୍ୟ ଆଧୁନିକ ଯୁଗରେ ଧିରେ ଧିରେ ଅବକ୍ଷୟ ହେବାରେ ଲାଗିଛି।ତାହା ହେଉଛି ପ୍ରତ୍ୟକ ସମୟରେ ଏକ ବିଶ୍ବାସ ଯୋଗ୍ୟ ସହାବସ୍ଥାନ ପାଇଁ ଏକ ଯୌଥ ପରିବାର। ଯେଉଁଥିରେ ସବୁ ପର୍ଯ୍ୟାୟର ସଦସ୍ୟ ପରସ୍ପରକୁ ଉଚିତ୍ ପରାମର୍ଶ ଦେଇ ଗୋଟିଏ ପରିବାର ଭିତରେ ସହଭାଗିତାର ଜୀବନ ନିର୍ବାହ କରି ପାରୁଥିବେ।
ବୌଦ୍ଧିକ ଚେତନାରେ ଜଣେ ଉପଯୁକ୍ତ ସାଥି ସବୁ କ୍ଷେତ୍ରରେ ଏହି ତ୍ରୁଟି ସୁଧାରିବାରେ ସହାୟକ ହୋଇଥାନ୍ତି। କିନ୍ତୁ ସେପରି ସାଥିଟିଏ ମିଳିବା ଏତେ ସହଜ ନୁହେଁ।
🌄🌴🌹 ✍️ସଞ୍ଜୟ ✍️🌹🌳🌝
ଭୁଲ୍// ମଣିଷ ଜୀବନର ଏକ ସ୍ବଭାବିକ ପ୍ରକ୍ରିୟା।ଏକ ଲମ୍ଵା ଜୀବନ ଯାତ୍ରାରେ କ୍ଷୁଦ୍ର ଭୁଲଟିଏ ଗୋଟିଏ ଭୁଲ୍ ଚିନ୍ତାଧାରାରୁ ସୃଷ୍ଟି ହୋଇଯାଏ।ଅନଭିଜ୍ଞତା, ଯୌବନର ବ୍ୟଗ୍ରତା ଓ ବାର୍ଦ୍ଧକ୍ୟର ସ୍ମୃତି ହ୍ରାସ କାରଣରୁ ହୋଇଥାଏ-ସଂଜୟ ରଥ ଭୁବନେଶ୍ଵର
















Leave a Reply