Spread the love

ୱାର୍ଲ୍ଡ ହୋମ୍ ଇଣ୍ଟରନ୍ୟାସନାଲ୍ ପକ୍ଷରୁ’ପରିକଳ୍ପିତ ଓଡ଼ିଶା-୨0୩୬’ ଶୀର୍ଷକ ପାଠଚକ୍ର

ଭୁବନେଶ୍ୱର : ମାଟି, ମାଆ, ମଣିଷର ଉତ୍ଥାନ ପାଇଁ ଦିନେ ଓଡ଼ିଆ ଜାତିର ଲଢ଼େଇ ଥିଲା ଏକାନ୍ତ ଭାବରେ ନିର୍ଣ୍ଣାୟକ ଓ ଦୁନିର୍ବାର l ମଧୁବାବୁ ଏ ଜାତିକୁ ଦିନେ ଆହ୍ୱାନ ଦେଇଥିଲେ, ହେ ଓଡ଼ିଆମାନେ ତୁମ୍ଭେମାନେ କ’ଣ ସେଇ ପୂର୍ବପୁରୁଷଙ୍କ ଦାୟାଦ ? ପୂର୍ବ ଐତିହ୍ୟ ଓ ପୂର୍ବ ଗୌରବକୁ କେବେ ତୁମ୍ଭେମାନେ ଫେରେଇ ଆଣିବ ? ତେବେ ସବୁ କଥାକୁ ରାଜନୀତି ଭିତରକୁ ଟାଣିବା ଅନାବଶ୍ୟକ l ରାଜନୀତି ରାଜନୀତି ବାଟରେ ଯିବ ; ମାତ୍ର ସାହିତ୍ୟ ଓ ଗଣମାଧ୍ୟମ ଜାତି ଗଠନରେ ମାର୍ଗ-ପ୍ରଦର୍ଶକର ଭୂମିକା ନିର୍ବାହ କରିବା ଆବଶ୍ୟକ ବୋଲି ଆନ୍ଧ୍ରପ୍ରଦେଶ ଓ ଛତିଶଗଡ଼ର ପ୍ରାକ୍ତନ ମହାମହିମ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ ମତବ୍ୟକ୍ତ କରିଛନ୍ତି l
ୱାର୍ଲ୍ଡ ହୋମ୍ ଇଣ୍ଟରନ୍ୟାସନାଲ୍ ପକ୍ଷରୁ ଅନ୍ତର୍ଜାତୀୟ ଓଡ଼ିଆ ସ୍ୱାଭିମାନ ପ୍ରତିଷ୍ଠାନ ସହଯୋଗିତାରେ ସ୍ଥାନୀୟ ବୁଦ୍ଧ ମନ୍ଦିର ନୂତନ ସମ୍ମିଳନୀ କକ୍ଷରେ ଆୟୋଜିତ ‘ପରିକଳ୍ପିତ ଓଡ଼ିଶା-୨0୩୬’ ଶୀର୍ଷକ ପାଠଚକ୍ରକୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରି ଶ୍ରୀ ବିଶ୍ୱଭୂଷଣ ଅତୀତ ଓଡ଼ିଶାର ସ୍ୱର୍ଣ୍ଣିମ ଇତିହାସର ସ୍ମୃତିଚାରଣ କରିଥିଲେ l ଅନ୍ତର୍ଜାତୀୟ ଓଡ଼ିଆ ସ୍ୱାଭିମାନ ପ୍ରତିଷ୍ଠାନର ନିର୍ଦ୍ଦେଶକ ସୁଶାନ୍ତ କୁମାର ସାବତଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଉଦ୍ଘାଟନୀ ଅଧିବେଶନରେ ବିଶିଷ୍ଟ ଭାଷାବିଜ୍ଞାନୀ ପଦ୍ମଶ୍ରୀ ପ୍ରଫେସର୍ ଦେବୀପ୍ରସନ୍ନ ପଟ୍ଟନାୟକ ମୁଖ୍ୟବକ୍ତା ରୂପେ ଯୋଗଦେଇ ଆମ ସମସ୍ତଙ୍କ ଆଚରଣ, ଉଚ୍ଚାରଣ ଓ ଚାଲିଚଳଣରେ ଓଡ଼ିଆତ୍ୱ ପ୍ରକାଶ ପାଇଲେ ହିଁ ୨0୩୬ ବେଳକୁ ଓଡ଼ିଶା ସମୃଦ୍ଧ, ବିକଶିତ ଓଡ଼ିଶାରେ ରୂପାନ୍ତରିତ ହୋଇପାରିବ ବୋଲି କହିଥିଲେ l
ଏହି ଅଧିବେଶନରେ ଭୁବନେଶ୍ୱର ମହାନଗର ନିଗମ ମେୟର୍ ସୁଲୋଚନା ଦାସ, ଓଡ଼ିଶା ଆରକ୍ଷୀ ନିଯୁକ୍ତି ପରିଷଦର ଅଧ୍ୟକ୍ଷ ସନ୍ତୋଷ କୁମାର ଉପାଧ୍ୟାୟ, ଲୋକ ସେବକ ମଣ୍ଡଳର ଜାତୀୟ ସଂପାଦକ ଡ. ପ୍ରଭାସ ଚନ୍ଦ୍ର ଆଚାର୍ଯ୍ୟ ଓ ଛତିଶଗଡ଼ ସ୍ଥିତ କଳିଙ୍ଗ ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠାତା କୁଳାଧିପତି ଡ. ବଦ୍ରିନାଥ ପଟ୍ଟନାୟକ ପ୍ରମୁଖ ସମ୍ମାନିତ ଅତିଥି ରୂପେ ଯୋଗଦେଇ ‘ପରିକଳ୍ପିତ ଓଡ଼ିଶା-୨0୩୬’ ଶୀର୍ଷକ ପ୍ରସଙ୍ଗ ଉପରେ ଭିନ୍ନ ଭିନ୍ନ ଦୃଷ୍ଟିରୁ ଆଲୋଚନା କରିଥିଲେ l ଡ. କୁଳମଣି ଓଝାଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ଅଧିବେଶନ ଆରମ୍ଭରେ ସୁଶାନ୍ତ କୁମାର ସାବତ ସ୍ୱାଗତ ସମ୍ଭାଷଣ ପ୍ରଦାନ କରିଥିଲେ l ଏହି ଅଧିବେଶନରେ ବିଭିନ୍ନ କ୍ଷେତ୍ରରେ ଖ୍ୟାତି ଅର୍ଜନ କରିଥିବା ପଚାଶ ଜଣ ବ୍ୟକ୍ତିଙ୍କୁ ‘ଇଣ୍ଡିଆନ୍ ଆଇକନ୍ ସମ୍ମାନ’ରେ ସମ୍ମାନିତ କରା ଯାଇଥିଲା l ଶେଷରେ ୱାର୍ଲ୍ଡ ହୋମ୍ ଇଣ୍ଟରନ୍ୟାସନାଲ୍ ମହାସଚିବ ରାମେଶ୍ୱରୀ ନନ୍ଦ ଆନୁଷ୍ଠାନିକ ଭାବେ ଧନ୍ୟବାଦ ଅର୍ପଣ କରିଥିଲେ l
ଦ୍ଵିତୀୟ ଅଧିବେଶନରେ ଅନ୍ତର୍ଜାତୀୟ ଓଡ଼ିଆ ସ୍ୱାଭିମାନ ପ୍ରତିଷ୍ଠାନ ସଭାପତି ସୁଶାନ୍ତ କୁମାର ସାବତ୍ ଅଧ୍ୟକ୍ଷତା କରିଥିଲେ l ‘ପରିକଳ୍ପିତ ଓଡ଼ିଶା-୨0୩୬’ ଶୀର୍ଷକ ପ୍ରସଙ୍ଗ ଉପରେ ଆମନ୍ତ୍ରିତ ଅତିଥିମାନେ ଆଲୋଚନା କରିବା ସହ ଓଡ଼ିଶାର ସାମଗ୍ରିକ ବିକାଶ ତଥା ସମୃଦ୍ଧି ଦିଗରେ ଓଡ଼ିଆମାନେ ସମ୍ମିଳିତ ଉଦ୍ୟମ କରିବାକୁ ଆହ୍ୱାନ ଜଣାଇଥିଲେ l ଏହି ଅଧିବେଶନରେ ଭୁବନେଶ୍ୱର-ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା, ଖ୍ୟାତି ସଂପନ୍ନ ଚଳଚ୍ଚିତ୍ର ଅଭିନେତା ଅଶ୍ରୁମୋଚନ ମହାନ୍ତି, ଓଟିଡିସି ପରିଚାଳନା ନିର୍ଦ୍ଦେଶକ ଲଲାଟେନ୍ଦୁ ସାହୁ, ସମାଜସେବୀ ଜୟନ୍ତୀ ପଢ଼ିଆରୀ, ମୁମ୍ବାଇ ଓଡ଼ିଆ ସଂଘ ସଭାପତି ଡ. ବିପିନ ମିଶ୍ର ଓ ସାଂସ୍କୃତିକ ସଂଗଠକ ସନ୍ନ୍ୟାସୀ ମହାରଣା ପ୍ରମୁଖ ଆଲୋଚକ ରୂପେ ଯୋଗଦେଇ ସମୃଦ୍ଧ ଓଡ଼ିଶା ଗଠନର ସ୍ବପ୍ନ, ସଂକଳ୍ପ ଓ ସମ୍ଭାବନା ସଂପର୍କରେ ଆଲୋକପାତ କରିଥିଲେ l ୱାର୍ଲ୍ଡ ହୋମ୍ ଇଣ୍ଟରନ୍ୟାସନାଲ୍ ମହାସଚିବ ରାମେଶ୍ଵରୀ ନନ୍ଦ, ଜୟନ୍ତୀ ପଢ଼ିଆରୀ, ରାକେଶ ସିଂହଦେଓ ଦେବୀପ୍ରଭା ରଥ, ଅଭିଷିକ୍ତା ଦାଶ, ହରିପ୍ରିୟା ଆଚାରୀ, ନମିତାରାଣୀ ରାଉତ, ଶ୍ରୀକାନ୍ତ ସାବତ୍ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ l

Leave a Reply

Your email address will not be published. Required fields are marked *