ହିନ୍ଦୋଳରେ ମୌଳିକସୁବିଧାରୁ ବଞ୍ଚିତ ଅନୁସୂଚିତଜାତି ପରିବାର
=(ଭଗବାନ ଙ୍କ ଭରସାରେ ବିତୁଛି ଜୀବନ )=
ଖଜୁରିଆକଟା -=(ଦର୍ଶନ ସମୀକ୍ଷା) ଦେଶ ସ୍ବାଧୀନତାର ୭୯ ବର୍ଷ ପରେବି ଢେ଼ଙ୍କାନାଳ ଜିଲ୍ଲାର ହିନ୍ଦୋଳ ନିର୍ବାଚନମଣ୍ଡଳୀ ଅନେକ ସମସ୍ୟାର ଗନ୍ତାଘର ପାଲଟିଛି।କିଛି କ୍ଷମତା ଓ ଅର୍ଥଲୋଭି ନିର୍ବାଚିତ ଜନପ୍ରତିନିଧି, କିଛି ତଳ ସ୍ତରର କୁଜିନେତା ଓ ଦାୟିତ୍ଵହୀନ ସରକାରୀ କର୍ମଚାରୀଙ୍କ ପାଇଁ ବାସ୍ତବରେ ଲୋକ ମାନଙ୍କ ପାଖରେ ପହଞ୍ଚି ପାରୁନି ସରକାରୀ ଯୋଜନା ଓ ମୌଳିକ ସୁବିଧା।ଖବରରୁ ପ୍ରକାଶ ହିନ୍ଦୋଳ ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଓଡ଼ାପଡ଼ାବ୍ଲକ୍ର,ଓଡ଼ାପଡ଼ା ଗ୍ରାମପଞ୍ଚାୟତର ପୋଡ଼ାପଡ଼ା ଗ୍ରାମରେ ୪୦ ରୁ ଅଧିକ ଅନୁସୂଚିତ ଜାତି ପରିବାର ଥିବା ବସ୍ତିକୁ ନା ଅଛି କଂକ୍ରିଟ ରାସ୍ତା ନା ପିଇବାକୁ ମିଳୁଛି ପରିଷ୍କାର ପିଇବା ପାଣି ନା ସେମାନେ ପାଇପାରୁଛନ୍ତି ଉତ୍ତମ ସ୍ୱାସ୍ଥ୍ୟ ଓ ଶିକ୍ଷା ସେବା। ବ୍ଲକ୍ ଠାରୁ ମାତ୍ର ୨ କିଲୋମିଟର ଦୂର ଓ ଏହି ପଞ୍ଚାୟତଟି ବ୍ଲକ୍ ହେଡକ୍ବାଟର ମାନ୍ୟତା ପାଇଥିଲେବି ଆଜି ପର୍ଯ୍ୟନ୍ତ କୌଣସି ଜନପ୍ରତିନିଧି, ସରକାରୀ ଅଧିକାରୀଙ୍କ ନଜର ନପଡ଼ିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ବର୍ଷସାରା ଏହି ବସ୍ତିର ଲୋକମାନେ କାଦୁଅ ରାସ୍ତାରେ ଯାତାୟତ କରୁଥିବା ବେଳେ ବର୍ଷା ଦିନ ଆସିଲେ ନର୍କଯନ୍ତ୍ରଣା ଭୋଗ କରନ୍ତି।

ବର୍ଷା ହେଲେ ବାଧ୍ୟ ହୋଇ ପିଲାଙ୍କ ସ୍କୁଲ ବନ୍ଦକରନ୍ତି ଅବିଭାବକ। ପିଇବାପାଣି କଥା ନକହିବା ଭଲ,ରାସ୍ତାରୁ ବହିଯାଉଥିବ ମଇଳା ପଙ୍କକାଦୁଅ ଯେଉଁ ଅସୁରକ୍ଷିତ ଖୋଲା କୂଅରେ ମିଶେ ସେ ହେଉଛି ଏମାନଙ୍କର ନିତ୍ୟ ବ୍ୟବାହର ପାନୀୟ ଜଳ।ସେଥିପାଇଁ ଅନେକ ସମୟରେ ମଧ୍ୟ ରୋଗରେ ପଡି ମେଡିକାଲରେ ଭର୍ତ୍ତି ହୁଅନ୍ତି ପୁଣି କପାଳକୁ ଆଦରି ନିଜକୁ ବୁଝାଇ ବାଧ୍ୟହୋଇ ପୁଣି ସେଇ ଖୋଲା ଅପରିଷ୍କାର କୂଅ ଉପରେ ନିର୍ଭରକରି ଚଳନ୍ତି। ଅନେକ ଥର ବ୍ଲକ୍ ଅଫିସ୍ ଯାଇ ଗୁହାରି ଅଭିଯୋଗ ଜଣାଇ ଥିଲେ ମଧ୍ୟ ବ୍ଲକ୍ ସ୍ତରୀୟ ଅଧିକାରୀମାନଙ୍କ ଅସୂୟମନୋଭାବ ଯୋଗୁଁ ଅପରିଷ୍କାର ପାଣି ଓ କାଦୁଅ ରାସ୍ତାକୁ ନିଜର ଭାଗ୍ୟ ଭାବି ଆପଣାଇ ନେଇଛନ୍ତି।ନିର୍ବାଚନ ସମୟରେ ଅନେକ ଗୁଡିଏ ପ୍ରତିଶୃତି, ପ୍ରଲୋଭନ ରାସ୍ତା ହେଇଯିବ,ପିଇବା ପାଣିର ସୁବିଧା କରିଦିଆଯିବ କହି ନିରୀହ ଲୋକଙ୍କଠୁ ଭୋଟହାତେଇ ନେଇ ନିର୍ବାଚନ ସରିଗଲା ପରେ ଅଂଚଳରେ ପାଦ ପକାନ୍ତିନି ତଥାକଥିତ ନିର୍ବାଚିତ ନେତା, ନେତ୍ରୀ।ପୁଣି ସେଇ କାଦୁଅ ରାସ୍ତାକୁ ଅପରିଷ୍କାର କୂଅ ପାଣି ପୁଣି ଅପେକ୍ଷା ୫ବର୍ଷ। ବାସ୍ତବରେ ମୌଳିକ ସୁବିଧା ସୁଯୋଗ ନ ଯୋଗାଇ ସାଧରଣ ଅସୁବିଧା ଗୁଡିକୁ ସମାଧାନ ନକରି “ହରିଜନ “ର ଖାଲି କଣ ନାମ ପରିବର୍ତ୍ତନ କରି “ଅନୁସୂଚିତ” ଜାତି କରି ଟିକେ ସମ୍ମାନ ଦେଇଦେଲେ କଣ ସେମାନେ ସମାଜର ମୁଖ୍ୟ ସ୍ରୋତ ରେ ସାମିଲ ହୋଇ ଗଲେ?।
ନିର୍ବାଚନ ମଣ୍ଡଳୀର ନିର୍ବାଚିତ ଜନପ୍ରତିନିଧି, ବ୍ଲକ, ପଂଚାୟତ ଓ ୱାର୍ଡର ନିର୍ବାଚିତ ପ୍ରତିନିଧି ଏବଂ ଓଡ଼ାପଡ଼ା ବ୍ଲକର ପ୍ରଶାସନିକ ଅଧିକାରୀଙ୍କର ଏହା କଣ ସାଧାରଣ ଦାୟିତ୍ଵ ନୁହଁ?ସରକାର୍ କଣ ମୋଟା ଅଙ୍କର ଦରମା ଏଇଥି ପାଇଁ ଦେଉଛନ୍ତି ଏ ସମସ୍ତଙ୍କୁ? ହିନ୍ଦୋଳ ବ୍ଲକ ଓଡ଼ାପଡ଼ା ବ୍ଲକ୍ ରେ ଏମିତି ପୋଡ଼ାପଡା ଗ୍ରାମ ଭଳି ଅନେକ ଅନୁସୂଚିତ ଜାତି ବସ୍ତିରେ ନା ଅଛି ରାସ୍ତା ନା ପାନୀୟ ଜଳ ସୁବିଧା, ନା ସାଧାରଣ ମୌଳିକ ସୁବିଧା। ଦେଖିବାକୁ ବାକି ରହିଲା କେବେ ଏହିଭଳି ବସ୍ତି ମାନଙ୍କର ଲୋକମାନଙ୍କ ପାଖରେ ପହଁଚୁଛି ଦୈନଦିନ ମୌଳିକ ସୁବିଧା ନା ପୁଣି ସେଇ କାଦୁଅ ରାସ୍ତା ଓ ପଙ୍କ ମିଶା ପାନୀୟ ଜଳ ରେ ବିତୁଛି ସାରା ଜୀବନ।
Leave a Reply